ନୈଭେଲି ଲିଗ୍ନାଇଟ କର୍ପୋରେଶନର ସିଏମ୍ଡି ଶରତ କୁମାର ଆଚାର୍ଯ୍ୟ କହିଛନ୍ତି,“ଆମ କମ୍ପାନୀ ଆଜି ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ବଲାଙ୍ଗୀରରେ ୨,୦୦୦ ମେଗାୱାଟର ଏକ ସୋଲାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଆମ କମ୍ପାନୀ ଯୋଜନା ରଖିଛି। ଏଥିପାଇଁ ଆବଶ୍ୟକ ପଡୁଥିବା ଜମି, ଜଳ ଓ ଅନ୍ୟାନ୍ୟ କ୍ଲିୟରାନ୍ସ ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି।”
ଅଏଲଟେକ୍ ଗ୍ରୁପ୍ର କର୍ପୋରେଟ୍ ଆଫାୟାର୍ସର ନିର୍ଦ୍ଦେଶକ ସୁବାସ ଗନ୍ତାୟତ କହିଛନ୍ତି,“ଆମ ଗ୍ରୁପର ଦକ୍ଷତା ବିକାଶ ଓ ଦକ୍ଷ ମାନବ ସମ୍ବଳ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ପାରାଦୀପରେ ଆମେ ଏହି କ୍ଷେତ୍ରରେ ଓ ଅନ୍ୟ କ୍ଷେତ୍ରରେ କାମ କରିବୁ। ସେଥିପାଇଁ ଆମ ଗ୍ରୁପ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି।”
ପୋସେଡନ୍ ଆକ୍ୱାଟିକ୍ ପ୍ରାଇଭେଟ ଲିମିଟେଡ୍ ମୁଖ୍ୟ ଶ୍ରୀନୀବାସନ୍ କହିଛନ୍ତି,“ଆମ କମ୍ପାନୀ ଏକ ବୈଜ୍ଞାନିକ ପଦ୍ଧତ୍ତି ମାଧ୍ୟମରେ ପାଖାପଖି ୧୦୦ ଏକର ଜମିରେ ଚିଙ୍ଗୁଡି ଚାଷ ଓ ଏହି ପଦ୍ଧତ୍ତିର ପ୍ରସାର ଏବଂ ବିକାଶ ଉପରେ ଉଦ୍ୟମ କରିବୁ ବୋଲି ଯୋଜନା କରିଛୁ। ୨୫ରୁ ୨୫୦ କୋଟି ଟଙ୍କା ବିନିଯୋଗ କରିବୁ ବୋଲି ଆଶା କରୁଛୁ।”
ଇନ୍ଭେଷ୍ଟର୍ସ ମିଟ୍ର ପ୍ରଥମ ଦିନରେ ବହୁ ପ୍ରତିଷ୍ଠିତ କମ୍ପାନୀ ସାମିଲ ହୋଇଥିଲେ। ସେମାନେ ହେଲେ ୱିପ୍ରୋ ଜିଇ, ହେଲ୍ଥକେୟାର, ଆମାଜନ୍, ଏବିବି ଇଣ୍ଡିଆ, ମାଇଣ୍ଟ ଟ୍ରି, ଆଇବିଏମ୍ ଇଣ୍ଡିଆ, ଜେନ୍ ଗ୍ରୁପ, ଇଣ୍ଡିଆ ଡିଜାଇନ୍ସ, ଟାଇଟନ୍ ଇଣ୍ଡଷ୍ଟ୍ରିଜ୍ ଓ କଫି ଡେ। ପ୍ରଥମ ଦିନରେ ପୁଞ୍ଜିନିବେଶକାରୀଙ୍କ ଆଗ୍ରହ ଦେଖି ବେଶ୍ ଉତ୍ସାହିତ ଅଛନ୍ତି ରାଜ୍ୟ ସରକାର। ଆଜି ୪୨ଟି କମ୍ପାନୀ ପ୍ରତିନିଧିଙ୍କ ସହ ରାଜ୍ୟର ଶିଳ୍ପ ଓ ଆଇଟି ମନ୍ତ୍ରୀଙ୍କ ସହ ସହ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି।
ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ପାଖାପାଖି ୪୨ ଜଣ ପୁଞ୍ଜିନିବେଶକାରୀ କମ୍ପାନୀ ଆଜି ଏହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟର ବହୁ କ୍ଷେତ୍ରରୁ ଏମାନେ ଏଠାକୁ ଆସିଥିଲେ।”
ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଷ୍ଟାଟ୍-ଅପ୍-ପଲିସିର ଶୁଭାରମ୍ଭ କରିବେ।