ବେଙ୍ଗାଲୁରୁ ଇନଭେଷ୍ଟର୍ସ ମିଟ୍‌: ଓଡ଼ିଶାରେ ୯୦୪୯୦ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି

ବେଙ୍ଗାଲୁରୁ: ଶିଳ୍ପାୟନ ପାଇଁ ଆଜି ଥିଲା ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ବେଙ୍ଗାଲୁରୁରେ ଚାଲିଥିବା ଇନଭେଷ୍ଟର୍ସ ମିଟ୍‌ରେ ରାଜ୍ୟ ସରକାର କେତେ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିପାରୁଛନ୍ତି ତାଉପରେ ସାରା ଦେଶ ନଜର ରଖିଥିଲା। ଏହି ଇନଭେଷ୍ଟର୍ସ ମିଟ୍‌ରୁ ଓଡ଼ିଶାକୁ ଆଶାନୁରୂପ ସଫଳତା ମଧ୍ୟ ମିଳିଛି। ରାଜ୍ୟ ସରକାର ଏହି ଇନଭେଷ୍ଟର୍ସ ମିଟ୍‌ରେ ୯୦,୪୯୦ କୋଟିର ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏ ପୁଞ୍ଜିନିବେଶ ହେଲେ ୭୦,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି […]

odisha

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 11:30 PM IST

ବେଙ୍ଗାଲୁରୁ: ଶିଳ୍ପାୟନ ପାଇଁ ଆଜି ଥିଲା ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ବେଙ୍ଗାଲୁରୁରେ ଚାଲିଥିବା ଇନଭେଷ୍ଟର୍ସ ମିଟ୍‌ରେ ରାଜ୍ୟ ସରକାର କେତେ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିପାରୁଛନ୍ତି ତାଉପରେ ସାରା ଦେଶ ନଜର ରଖିଥିଲା। ଏହି ଇନଭେଷ୍ଟର୍ସ ମିଟ୍‌ରୁ ଓଡ଼ିଶାକୁ ଆଶାନୁରୂପ ସଫଳତା ମଧ୍ୟ ମିଳିଛି। ରାଜ୍ୟ ସରକାର ଏହି ଇନଭେଷ୍ଟର୍ସ ମିଟ୍‌ରେ ୯୦,୪୯୦ କୋଟିର ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏ ପୁଞ୍ଜିନିବେଶ ହେଲେ ୭୦,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଦୁଇଦିନର ଏହି ମିଟ୍‌ରେ ୧୩ଟି ସେକ୍ଟରର ୬୬ଟି କମ୍ପାନୀ ସହ ଆମେ ଆଲୋଚନା କରିଛୁ। ମୁଁ ସିଧାସଳଖ ୨୪ଟି କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଛି। ଏହି ଇନଭେଷ୍ଟର୍ସ ମିଟ୍‌ରେ ବିଭିନ୍ନ କମ୍ପାନୀ ୯୦୪୯୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି। ଏହାଦ୍ୱାରା ୭୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କେବଳ ଜିନ୍ଦଲ ସାଉଥ୍‌ ୱେଷ୍ଟ (ଜେଏସ୍‌ଡବ୍ଲ୍ୟୁ) ୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଛି।

ଇନଭେଷ୍ଟର୍ସ ମିଟ୍‌ର ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବହୁ ପ୍ରତିଷ୍ଠିତ କମ୍ପାନୀ ମୁଖ୍ୟ ଓ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସବୁଠାରୁ ଭଲ ଖବର ଜେଏସ୍‌ଡବ୍ଲ୍ୟୁରୁ ଆସିଥିଲା। ଜେଏସ୍‌ଡବ୍ଲ୍ୟୁ ୫୦,୦୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏକ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛି। ଏହାସହ ଏହି କମ୍ପାନୀ ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଏକ ସ୍ଲରି ପାଇପ୍‌ ଲାଇନ୍‌ ପ୍ରୋଜେକ୍ଟ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି।

ଟାଟା ପାୱାର ଗ୍ରୀନ୍‌ ଡେଭଲପ୍‌ମେଣ୍ଟ, ହସ୍ପିଟାଲିଟି ଓ ରିୟଲ ଇଷ୍ଟେଟ୍‌ରେ ପ୍ରାୟ ୧୨୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଛି।

ମିଟ୍‌ରେ ଆଜିର ଫୋକସ୍‌ ଥିଲା ଏମ୍‌ଏସ୍‌ଏମ୍‌ଇ ସେକ୍ଟର। ହେଲଥ କେୟାର, ଅଟୋ ଆଣ୍ଡ ଅଟୋ କମ୍ପୋନେଣ୍ଟ, ଫାର୍ମାସ୍ୟୁଟିକାଲ, ପେଟ୍ରୋକେମିକାଲ୍‌, ରିନ୍ୟୁଏବୁଲ୍‌ ଏନର୍ଜି ଓ ଟେକ୍ସଟାଇଲ୍‌ କ୍ଷେତ୍ରରେ ମଧ୍ୟ ଅଧିକ କମ୍ପାନୀ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି।

ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ କହିଛନ୍ତି, “ଆମେ ୪ଟି ପ୍ରୋଜେକ୍ଟ ଉପରେ କାମ କରୁଛୁ। ସିମେଣ୍ଟ ପ୍ଲାଣ୍ଟ, ସ୍ଲରି ପାଇପ ଲାଇନ ପ୍ରୋଜେକ୍ଟ ଉପରେ କାମ କରୁଛୁ। ପାରାଦୀପ ବନ୍ଦରରେ ଆଇରନ ଓ କୋଲ ବର୍ଥ ବଢାଇବାକୁ ଚାହୁଁଛୁ। ଓଡ଼ିଶାରେ ୧୦ ମିଲିୟନ ଟନ୍‌ର ଏକ ଷ୍ଟିଲପ୍ଲାଣ୍ଟ କରିବାକୁ ଆମେ ଆଗ୍ରହୀ।”

ବାୟୋକନ୍‌ ଲିମିଟେଡ୍‌ ସିଏମ୍‌ଡି କିରଣ ମଜୁମଦାର ସ’ କହିଛନ୍ତି, “ଓଡ଼ିଶାରେ ବାୟୋଟେକ୍‌ କ୍ଲଷ୍ଟର କେମିତି ଖୋଲା ଯିବ ସେ ନେଇ ମୁଁ ଆଲୋଚନା କରିଛି। ଇନ୍‌କ୍ୟୁବିଟର, ଆସିରିଲେଟର ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁସନ୍‌ କ୍ଷେତ୍ରରେ କାମ କରିବା ଉପରେ ମୁଁ ଗୁରୁତ୍ୱ ଦେଇଛି।”

ଅନ୍ୟପକ୍ଷରେ ରାଜ୍ୟକୁ ଶିଳ୍ପସଂସ୍ଥାମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଷ୍ଟାର୍ଟଅପ୍‌ ପଲିସି-୨୦୧୬ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସ୍କୁଲ ସ୍ତରରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ସାଙ୍ଗକୁ ସେଣ୍ଟର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଓ ଆଦାନୀ ଫାଉଣ୍ଡେସନ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

Related story