ନୂଆଦିଲ୍ଲୀ: ଆଜି ଆରବିଆଇ ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା କରିଥିଲା। ଏଥିରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ଉଭୟ ରେପୋ ରେଟ୍ ଓ କ୍ୟାଶ ରିଜର୍ଭ ରେସିଓ (ସିଆରଆର)କୁ ଆରବିଆଇ ଅପରିବର୍ତ୍ତିତ ରଖିଛି।
ପ୍ରଚଳିତ ରେପୋ ରେଟ୍ ୬.୨୫ ପ୍ରତିଶତରେ ବଳବତ୍ତର ରହିଛି। ଫଳରେ ବ୍ୟାଙ୍କମାନଙ୍କ ପାଇଁ ସୁଧ ହାର ହ୍ରାସ କରିବା ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଇଏମ୍ଆଇ କମିବା ନେଇ ଯେଉଁ ଆଶା କରାଯାଉଥିଲା ତାହା ମଉଳି ଯାଇଛି।
ବିମୁଦ୍ରାକରଣ ପରେ ଆଜି ଆରବିଆଇର ପ୍ରଥମ ମୁଦ୍ରାନୀତି ସମୀକ୍ଷା ହୋଇଥିଲା। ସମସ୍ତେ ଆଶା କରୁଥିଲେ ସୁଧହାର .୨୫ ପ୍ରତିଶତ ହ୍ରାସ କରାଯିବ।
ଆରବିଆଇ ଗଭର୍ଣ୍ଣର ଉରଜିତ ପଟେଲ କହିଛନ୍ତି,“ନୋଟବନ୍ଦୀ ପରେ ବ୍ୟାଙ୍କ ଗୁଡିକରେ ଦେଖା ଦେଇଥିବା ଅତିରିକ୍ତ କ୍ୟାସ୍ ସମସ୍ୟାକୁ ଦୃଷ୍ଟିରେ ରଖି ସୁଧ ହାରରେ କୌଣସି ରିହାତି ଦିଆଯାଇନାହିଁ।”
ମୁଦ୍ରାସ୍ପୀତି ୫ ପ୍ରତିଶତ ଓ ଜିଡିପି ବିକାଶ ହାର ୭.୧ ପ୍ରତିଶତ ରହିବାର ସମ୍ଭାବନା ଥିବା ଆରବିଆଇ ପକ୍ଷରୁ କୁହାଯାଇଛି।