ସୋନପୁର: ଡିଜିଟାଲ ଯୁଗ ଆରମ୍ଭ ହୋଇଛି। କମ୍ପୁଟରର ଗୋଟିଏ କ୍ଲିକ୍ରେ ଘରେ ପହଞ୍ଚୁଛି ଖାଦ୍ୟ, ବସ୍ତ୍ର ଓ ଇଲୋଟ୍ରୋନିକ୍ସ ପରି ବହୁ ସାମଗ୍ରୀ। ଗ୍ରାହକମାନେ ଘରେ ବସି ଇଣ୍ଟରନେଟ୍ରେ ଖୁବ କମ ସମୟ, ଶସ୍ତା ଓ ସୁବିଧାରେ ମନ ପସନ୍ଦର ସାମଗ୍ରୀ କିଣି ପାରୁଛନ୍ତି। ଏଥିରେ ପଛରେ ପଡ଼ିନି ସୁବର୍ଣ୍ଣପୁରର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱଲପୁରୀ ବସ୍ତ୍ର। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ଇ-ବଜାର ଆମାଜନ ଇଣ୍ଡିଆ ଡଟକମରେ ଉପଲବ୍ଧ ହେବାକୁ ଯାଉଛି। ଘରେ ଥାଇ ବୁଣାକାର ଗ୍ରାହକଙ୍କୁ ତାଙ୍କର ମନପସନ୍ଦର କପଡା ଇ-ବଜାରରେ ଯୋଗାଇ ପାରିବେ।
ବୁଣାକାର ନିତ୍ୟାନନ୍ଦ ମେହେର କହିଛନ୍ତି,“ସମ୍ୱଲପୁରୀ ବସ୍ତ୍ର ଇ-ବଜାରରେ ମିଳିବା ଦ୍ୱାରା ବୁଣାକାର ପାଇଁ ଲାଭ ଦାୟକ ହେବ। ଏହାଛଡ଼ା ଗ୍ରାହକମାନେ ମଧ୍ୟ ଦୋକାନକୁ ନଯାଇ ଘରେ ବସି ନିଜର ମନପସନ୍ଦର ବସ୍ତ୍ର ପାଇପାରିବେ।”
ବୁଣାକାର ସମ୍ପଦ ମେହେର କହିଛନ୍ତି,“ଆଗରୁ ସମ୍ୱଲପୁରୀ ବସ୍ତ୍ର ବିକ୍ରିରେ ଅସୁବିଧା ହେଉଥିଲା। ଅନ୍ଲାଇନ୍ ମାର୍କେଟ୍ ଦ୍ୱାରା ବୁଣାକାରମାନେ ଲାଭବାନ ହୋଇପାରିବ। ବୁଣାକାରଙ୍କ ଆର୍ଥିକ ଉନ୍ନତି ହୋଇପାରିବ। ଏହାଦ୍ୱାରା ନୂଆନୂଆ ଡିଜାଇନ୍ ବାହାର କରିବାକୁ ଆଗ୍ରହ ହେବ।”
ଭୁବନେଶ୍ୱର ଆମାଜନ୍ ଇଣ୍ଡିଆର ନିରୋଜ କୁମାର ମହେଟ୍ଟା କହିଛନ୍ତି,“ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ହାତବୁଣା ବସ୍ତ୍ର ସାରା ବିଶ୍ୱରେ ବଜାରରେ ଉପଲବ୍ଧ ହେବ। ଫଳରେ ଜିଲ୍ଲାର ବୁଣାକାରମାନେ ଘରେ ବସି ଗ୍ରାହରଙ୍କୁ ମନପସନ୍ଦର କପଡା ଯୋଗାଇ ପାରିବେ। ଏଥିପାଇଁ ଆମଜନ ପକ୍ଷରୁ ସୁବର୍ଣ୍ଣପୁରର କିଛି ବୁଣାକାରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।”