ଏଠି ଲୋକଭିତ୍ତିକ ରାଜନୀତି ହେଉନାହିଁ, ବ୍ୟକ୍ତିଭିତ୍ତିକ ରାଜନୀତି ଚାଲିଛି। ଏଠି ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ସମାଜର ଡଷ୍ଟବିନ୍କୁ ଫିଙ୍ଗି ଦିଆଯାଇଛି। କେବଳ ଯେଉଁମାନେ ତୋଷାମଦ କରିଜାଣିଛନ୍ତି ସେହିମାନଙ୍କୁ ନେଇ ଏ ସରକାର ନିଜର ଡିଣ୍ଡିମ ପିଟୁଛନ୍ତି ଏବଂ କହୁଛନ୍ତି 'ଆପଣମାନେ ଖୁସିତ?' ଶିଳ୍ପାୟନର ସ୍ୱପ୍ନ ଦେଖାଇ କୃଷକର ଜମି ଛଡ଼େଇ ନେଇ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ଏ ସରକାର। ଯାହା ଫଳରେ କି ଓଡ଼ିଶାରେ କୃଷି ଅର୍ଥନୀତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆଯାଇଛି। ଏଭଳି କହିଛନ୍ତି ବରିଷ୍ଠ ଅର୍ଥନୀତିଜ୍ଞ ଓ ରାଜନୀତି ସମୀକ୍ଷକ ଡ. ଦିଲ୍ଲୀପ କୁମାର ପଣ୍ଡା। 'ଓଡ଼ିଶା ରିପୋର୍ଟର'କୁ ଏ ସ୍ୱତନ୍ତ୍ର ସାକ୍ଷାତକାର ଦେବା ଅବସରରେ ସେ ଯାହା କହିଛନ୍ତି ତାହାର ସମ୍ପାଦିତ ଅଂଶ ଏଠି ପ୍ରଦାନ କରାଗଲା।
ଭାରତ ବର୍ଷରେ ଅର୍ଥନୀତି ପ୍ରସଙ୍ଗଟି ରାଜନୀତିକ ପଶାପାଲିରେ ସବୁବେଳେ ବଳି ପଡ଼ୁଛି କି?
ଉ- ଅନେକାଶଂରେ ଏହି ଉକ୍ତିଟି ସତ୍ୟ ବୋଲି ମୁଁ ଭାବେ। କାରଣ ସ୍ୱାଧୀନତା ପରବର୍ତ୍ତୀ ସମୟଠାରୁ ଆଜି ପର୍ଯ୍ୟନ୍ତ ଏହା ହିଁ ଦେଖାଯାଉଛି। ଭାରତ ବର୍ଷରେ ଏଯାବତ୍ ଯାହାବି ଅର୍ଥନୈତିକ ପ୍ରଗତି ହୋଇଛି ବୋଲି ଆମେ ଭାବୁଛୁ ତାହା କେବଳ ରାଜନୈତିକ ପରିବେଶ ଓ ରାଜନୈତିକ ପରିସ୍ଥିତି ବା ବାଧ୍ୟବାଧକତାର ପ୍ରତିଫଳନ ବୋଲି କୁହାଯାଇ ପାରେ। ପ୍ରାୟ ସମସ୍ତ ଅର୍ଥନୈତିକ ସଂସ୍କାର କେବଳ ରାଜନୈତିକ ଦୃଷ୍ଟିକୋଣରୁ ହିଁ ତିଆରି କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯୦ ଦଶକରେ ପି.ଭି. ନରସିଂହ ରାଓଙ୍କ ସମୟରେ ଯେତେବେଳେ neoliberal economic policies ଗ୍ରହଣ କରାଗଲା ତାହାର ଫଳଟି ଏବେ ଗରିବ, ନିମ୍ନ ମଧ୍ୟବିତ୍ତ ଲୋକମାନେ ଭୋଗୁଛନ୍ତି। ଏବେ ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ବଢ଼ିଛି। କର୍ପୋରେଟ୍ ସେକ୍ଟରମାନେ ଏହାର ଫାଇଦା ଉଠାଇ ନିଜର କଳେବର ବୃଦ୍ଧି କରିଛନ୍ତି। ହେଲେ ମଧ୍ୟ ଏହାଠାରୁ ଉନ୍ନତ ତଥା ପରିମାର୍ଜିତ ବିକଳ୍ପ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ କେହିବି ସୁପାରିସ୍ କରିପାରିନାହାନ୍ତି। ଯଦିଓ ଏହାକୁ ଲେଫ୍ଟିଷ୍ଟ୍ ଓ କମ୍ୟୁନିଷ୍ଟ୍ ମାନେ ବିରୋଧ କରୁଛନ୍ତି ତଥାପି ସେମାନେ ମଧ୍ୟ ଏହାର ଉନ୍ନତ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ କିଛି କହି ନାହାନ୍ତି।
ଆଗକୁ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ଗୋଟିଏ ଯୋଜନା ଘୋଷଣା କରି ଲୋକଙ୍କ ଭାବାବେଗ ସହ ଯୋଡ଼ୁଛନ୍ତି। ଏହାକୁ ନେଇ ଆପଣଙ୍କ ମତ କ’ଣ?
ଉ- ଏହାକୁ ମୁଁ ବ୍ୟବସ୍ଥା ସହ ଯୋଡ଼ିବାକୁ ଚାହେଁ। ଆମେ ଏମିତି ଏକ ରାଜନୈତିକ ବ୍ୟବସ୍ଥାରେ ଫସିଛୁ ଯାହାକି ଭୋଟ୍ସର୍ବସ୍ୱ ରାଜନୀତି। କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ସମସ୍ତେ କେବଳ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଯେଉଁ ନୀତି ସହାୟକ ହେବ ସେହି ଗୋଟିଏ ଲକ୍ଷ୍ୟକୁ ଆଖି ଆଗରେ ରଖି ନୀତି ତିଆରି କରୁଛନ୍ତି। କିନ୍ତୁ ଏହା କ’ଣ ପ୍ରକୃତରେ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ସହାୟକ ହେବକି? ଏହି ପ୍ରଶ୍ନ ସମଗ୍ର ଦେଶବାସୀ ପଚାରିବା ଉଚିତ। ଆମର ଭୁଲ୍ ରହି ଯାଇଛି ଯେ, ୭୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଅର୍ଥନୈତିକ ସାମାଜିକ ବିକାଶ, ଅର୍ଥନୈତିକ ସମାଜିକ ଏକତା ଏବଂ ଅର୍ଥନୈତିକ ସାମାଜିକ ନ୍ୟାୟ କେମିତି ପ୍ରତିଷ୍ଠା ହୋଇ ପାରିବ, ତାହାର ନିଷ୍ପତ୍ତି ଆମେ ଏ ଯାଏ ନେଇ ପାରିନାହୁଁ। ଏ କ୍ଷେତ୍ରରେ ନୋବେଲ୍ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ କହିଛନ୍ତି, ଯଦି ସ୍ୱାସ୍ଥ୍ୟ ଓ ଶିକ୍ଷାର ଭିତ୍ତିଭୂମିକୁ ଯଦି ଦୃଢ଼ କରା ନ ଯାଏ ତେବେ ଆମେ ଯେତେ ଯୋଜନା କଲେ ମଧ୍ୟ ଦେଶର ଅନ୍ତର୍ଭୁକ୍ତି ବିକାଶ ପାଇଁ ତାହା ସହାୟକ ହେବ ନାହିଁ।
କୁହାଯାଉଛି ଯେ, ରଘୁରାମ ରାଜନଙ୍କ ପରି ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ରୋକ୍ ଠୋକ୍ ଜବାବ ଦିଅନ୍ତି, ତାଙ୍କ ପାଇଁ ଏଠି ସ୍ଥାନ ନାହିଁ।
ଆମେ ଚିତ୍ର ପରିବର୍ତ୍ତନରେ ବେଶି ବିଶ୍ୱାସ କରୁଛୁ, ଚରିତ୍ର ପରିବର୍ତ୍ତନରେ ବିଶ୍ୱାସ କରୁନାହୁଁ। ଆମେ ଯେ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ନାହିଁ ସେ ପର୍ଯ୍ୟନ୍ତ ଏମିତି ସମସ୍ୟା ହେଉଥିବ। କୌଣସି ସ୍ପଷ୍ଟବାଦୀ, ନିରପେକ୍ଷ ବୁଦ୍ଧିଜୀବୀଙ୍କୁ କୌଣସି ପ୍ରକାର ସରକାର କୌଣସି ସ୍ଥାନରେ ରଖିବାରେ ଆଗ୍ରହୀ ନୁହନ୍ତି। କେବଳ ତୋଷାମଦକାରୀଙ୍କୁ ରଖିବେ, ଯେଉଁମାନେକି କେବଳ ତାଙ୍କର ତୋଷାମଦ୍ କରିବେ।
ଆଜି ଦିନରେ ବିଜ୍ଞ ବ୍ୟକ୍ତିମାନଙ୍କୁ ସମାଜର ଡଷ୍ଟ୍ ବିନ୍କୁ ଫିଙ୍ଗି ଦିଆଯାଇଛି। ଅଥଚ ଯେଉଁମାନେ ଗୋଟେ ନିର୍ଦ୍ଦିଷ୍ଟ ଆଇଡୋଲୋଜିରେ ବିଶ୍ୱାସ ରଖି କ୍ଷମତାରେ ଥିବା ରାଜନୈତିକ ଦଳର ଆଇଡୋଲଗ ହୋଇ କାମ କରନ୍ତି ସେହିମାନେ ହିଁ ଆଜିର ମଙ୍ଗ ଧରିଛନ୍ତି।
ଚାଷ ଓଡ଼ିଶାର ମେରୁଦଣ୍ଡ ହୋଇଥିବା ବେଳେ ଏଠି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି।
ଚାଷ ଏବଂ ଚାଷୀ ଓଡ଼ିଶାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଏହାର କାରଣ ହେଉଛି, ଏଠାରେ ଶିଳ୍ପାୟନ ହେବ ବୋଲି ଲୋକଙ୍କ ଆଗରେ ଏକ ସ୍ୱପ୍ନ ଦେଖାଇ ଦିଆଗଲା। ନାମକୁ ମାତ୍ର ଶିଳ୍ପ ପ୍ରତିଷ୍ଠା କରି ଚାଷ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଭ୍ରାଟ ସୃଷ୍ଟି କରିଦିଆଗଲା। କୃଷକର ଜମି ଛଡ଼େଇ ନିଆଗଲା, ବିସ୍ଥାପିତ କରାଗଲା। ତା ପାଣିକୁ ନେଇ ଇଣ୍ଡଷ୍ଟ୍ରିକୁ ଦିଆଗଲା। କୃଷି ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଗଲା। ଯେଉଁଠି ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି ସେଠି ଯଦି ସେମାନଙ୍କର ଉନ୍ନତି ଦେଖା ନ ଯିବ, ସବୁ ଦିନ ଯଦି ଚାଷୀ ଆତ୍ମହତ୍ୟା କରୁଥିବ, ଜଳସେଚନ ପ୍ରତିଶତ ବଢ଼ୁ ନ ଥିବ, ବଡ଼ ବଡ଼ ବ୍ୟବସାୟୀ ବ୍ୟାଙ୍କରୁ ଋଣ ପାଉଥିବେ କିନ୍ତୁ ଚାଷୀକୁ ବ୍ୟାଙ୍କ ଫେରାଇ ଦେଉଥିବ ସେଠି କେବଳ ଦୟା ଦେଖାଇ ଗୋଟେ କମ୍ପେନ୍ସେଟରୀ ଯୋଜନା ଘୋଷଣା କରିଦେବା ନିହାତି ମୁର୍ଖାମୀ ଛଡ଼ା ଆଉ କିଛି ନୁହେଁ।
ଏଠି ନିରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ଲୋକ ଅୟସ୍ କରୁଛନ୍ତି କିନ୍ତୁ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି।
ଉ-ମୁଁ ବାରମ୍ବାର ସେଇ କଥା କହୁଛି ଯେ ବ୍ୟବସ୍ଥା ପରିବର୍ତ୍ତନ କରିବା କଥା ଚିନ୍ତା କରିବା ଉଚିତ। Let us not think about - this party will go away and the other party will come and that party will change everything. Lets forget that. ସବୁ ରାଜନୈତିକ ଦଳ ଗୋଟିଏ ଗାତର। ସମସ୍ତେ ଗୋଟିଏ ଚରିତ୍ରର। ସେଥିପାଇଁ କହୁଛି ଯେ, ସତ୍ତା ପରିବର୍ତ୍ତନ କରିବା ଅପେକ୍ଷା ବ୍ୟବସ୍ଥା ପରିବର୍ତ୍ତନ କରିବା ଦରକାର। ବ୍ୟବସ୍ଥା ପରିବର୍ତ୍ତନ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ଏକ ଜନଜାଗରଣ ସୃଷ୍ଟି କରିବାକୁ ପଡ଼ିବ। ଫଳରେ ଲୋକମାନେ ଜାଣିପାରିବେ ଯେ, ଏଠି ସେମାନଙ୍କୁ କେମିତି ଭୋଟର କରି ରଖିଦିଆଯାଉଛି। ନାଗରିକ କରାଯାଉ ନାହିଁ। ଦୁଇଟି ମଧ୍ୟରେ ତଫାତ ହେଉଛି ନାଗରିକ ସ୍ଥିତାବସ୍ଥାକୁ, ବ୍ୟୁରୋକ୍ରେଟିକ୍ ସିଷ୍ଟମକୁ, ପଲିଟିକାଲ୍ ସିଷ୍ଟମକୁ ପ୍ରଶ୍ନ କରେ। ସଦାବେଳେ ସରକାରଙ୍କ ଦୋଷ ଦୁର୍ବଳତାକୁ ଆଙ୍ଗୁଳି ଦେଖାଏ। କେବଳ ଭୋଟ୍ ଖଣ୍ଡିଏ ଦେଇ ଚୁପ୍ ରହେ ନାହିଁ। କିନ୍ତୁ ଏଠି ସାମାଜିକ ଜନଜାଗରଣର ଅଭାବ। ଏଠି ପ୍ରଶ୍ନ ଉଠାଇବାର ପ୍ଲାଟଫର୍ମ ଟିଏ ନାହିଁ।
ଆଉ ଗୋଟିଏ କଥା ହେଲା ଏହି ନବୀନ ସରକାର ଅମଳରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦିଆଯାଇଛି। ଯେଉଁଠି ଡାକ୍ତର ନ ଥିବେ, ଶିକ୍ଷକ ନ ଥିବେ ସେଠି ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ମିଛ ଯୋଜନାମାନ ଘୋଷଣା କରିବା ଏକ ଭେଳିକି କେବଳ।
ଏତେ ସବୁ ଅବ୍ୟବସ୍ଥାର କିଛି ବିକଳ୍ପ ସମାଧାନ ପନ୍ଥା ରହିଛି କି?
ଅବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ହିଁ ସମାଧାନ। ଯେତେବେଳେ ରାଜନୀତି ଲୋକତନ୍ତ୍ର ପର୍ଯ୍ୟବେଶିତ ନ ହୋଇ ଏକ ବ୍ୟକ୍ତିକେନ୍ଦ୍ରିକ ରାଜନୀତିରେ ପରିଣତ ହୋଇଯାଏ ସେତେବେଳେ ଅମଲାମାନଙ୍କର ଆଧିପତ୍ୟ ବଢ଼େ। ରାଜନୀତିରେ ଯେତେବେଳେ ଏକ ହିରୋ ୱରଶିପ୍ର ବ୍ୟବସ୍ଥା ହୋଇଯାଏ, ସେତେବେଳେ ଅମଲାତାନ୍ତ୍ରିକ ଆଧିପତ୍ୟ ବୃଦ୍ଧି ପାଇବାରେ ଲାଗେ। ଉଦାହରଣ ସ୍ୱରୂପ କୌଣସି ଏକ ଜିଲ୍ଲାରେ କ'ଣ ବିକାଶମୂଳକ ଯୋଜନା ହେବ, ତାକୁ ସମସ୍ତେ ବିଚାର କରି ପଦକ୍ଷେପ ନେବା କଥା। କିନ୍ତୁ ବ୍ୟକ୍ତିକେନ୍ଦ୍ରିକ ରାଜନୀତିରେ ତାହା ହୋଇ ପାରେନାହିଁ। ଯେତେବେଳେ ରାଜନୀତି ଏମିତି ଏକ ଦୁର୍ବଳ ଅବସ୍ଥାକୁ ଚାଲି ଆସେ, ବୁଦ୍ଧିଜୀବୀ ଚୁପ୍ ହୋଇ ରହିଯାଆନ୍ତି, ସିଭିଲ୍ ସୋସାଇଟିର ସ୍ୱର କ୍ଷୀଣ ହୋଇଯାଏ। ସେତେବେଳେ ଏମିତି ଏକ ଅମଲାତାରନ୍ତ୍ରିକ ଆଧିପତ୍ୟ ଗଣତନ୍ତ୍ରକୁ ଶେଷ କରିଦେଇଥାଏ।
ଏହାର ସମାଧାନ ହେଉଛି people based democratic politics ଅର୍ଥାତ ଲୋକ ଭିତ୍ତିକ ରାଜନୀତି। ବ୍ୟବସ୍ଥାକୁ ସେମିତି ହିଁ କରିବାକୁ ପଡ଼ିବ। ଯେଉଁମାନେ ଲୋକଙ୍କ ପାଇଁ କାମ କରିବେ, ଦେଶର ବିକାଶ କଥା ଚିନ୍ତା କରିବେ, ମାଟିର ବିକାଶ କଥା ଚିନ୍ତା କରିବେ ସେହି ଭଳି ଲୋକଙ୍କୁ ରାଜନୀତିକୁ ଆସିବାକୁ ହେବ। ସେମାନଙ୍କୁ ସ୍ୱର ଉଠାଇବାକୁ ପଡ଼ିବ। ଗଣତନ୍ତ୍ର ଯେତେବେଳେ ସବୁ ସ୍ତରରେ ପ୍ରତିଷ୍ଠା ହେବ, ଲୋକମାନେ ଯେତେବେଳେ ସାମିଲ୍ ହେବେ( ପାର୍ଟିସିପେଟରି ଡେମୋକ୍ରେସି) ସେତେବେଳେ ଯାଇଁ ସମାଧାନ ହୋଇ ପାରିବ।
ଦେଖନ୍ତୁ ଏହି ଭିଡିଓ:
https://youtu.be/C1MZhuGEaCs
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।