ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପ୍ରେସଛକ ହୋଇଥିବା ଯୁବତୀ ଅପହରଣ ଅଭିଯୋଗ ମିଛ ବୋଲି ପୋଲିସ କମିଶନର କହିଛନ୍ତି। କମିଶନରଙ୍କ କହିବା ଅନୁସାରେ ଏହି ବଙ୍ଗୀୟ ଯୁବତୀ ଜଣଙ୍କ ପେଶାଦାର ଜଣେ କଲ ଗାର୍ଲ। ତାଙ୍କୁ ଦଲାଲ ସୁନୀଲ ମେହର ଭୁବନେଶ୍ୱର ଆଣିଥିଲା। ତେବେ ସୁନୀଲଠାରୁ ବଟି ଆଦାୟ ଉଦ୍ଦେଶ୍ୟରେ ଆଉ ଏକ ଗୋଷ୍ଠୀ ତାଙ୍କୁ ନେଇଯାଇଥିଲା।
ଦୁଇଦିନ ତଳେ ପ୍ରେସଛକରୁ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ ହେବା ପରେ ଯୁବତୀଙ୍କୁ ଅଟକ ରଖିଥିବା ଗୋଷ୍ଠୀ ତାଙ୍କୁ ଛାଡି ଦେଇଥିବା ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ତେବେ ଏହି ଘଟଣାରୁ ରାଜଧାନୀରେ ଏକ ବଡ ଧରଣର ଆନ୍ତରାଜ୍ୟ ସେକ୍ସ ରାକେଟ୍ ଚାଲିଥିବା ସୁରାକ ପାଇଛି ପୋଲିସ। ଯୁବତୀଙ୍କୁ ନେବା ପାଇଁ ବ୍ୟବହୃତ କାର ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦଲାଲ ସୁନୀଲ ମେହେରକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।