ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ ନାୟକ। ପରେ ତାଙ୍କର ରେମୁଣାକୁ ବଦଳି ହୋଇଥିଲା। ବାଲେଶ୍ୱରରେ ରହଣି ସମୟରେ ପଶ୍ଚିମବଙ୍ଗର ଜଣେ ବେପାରୀ ହନୁମାନ ପଇସା ପାଇଁ ନାୟକଙ୍କୁ ୧୦ କୋଟି ଟଙ୍କାର ଅଫର ଦେଇଥିଲେ। ପରେ ନାୟକ ତାଙ୍କ ଅନ୍ୟ ୩ ସାଥୀଙ୍କ ସହିତ ମିଶି ମାଲକାନଗିରି ଜିଲ୍ଲା ପଦ୍ମପୁର ଗୋଟିଯୋଡ଼ି ଗାଁର ଇର୍ମା ମାଡ଼ିଙ୍କ ଘରେ ପଶି ହନୁମାନ ପଇସା ଖୋଜିଥିଲେ। ଏପରିକି ଇର୍ମାଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଗାଁ ଲୋକେ ଡକାୟତ ବୋଲି ଭାବି ଧନୁ ଓ ତୀର ଧରି ସେମାନଙ୍କୁ ଗୋଡ଼ାଇଥିଲେ। ଜୀବନ ବିକଳରେ ନାୟକ ଓ ତାଙ୍କ ସାଥୀମାନେ ବାଇକ୍ ଛାଡ଼ି ପଳାଇ ଯାଇଥିଲେ।
ମାଲକାନଗିରି ପୋଲିସ୍ ଘଟଣାର ତଦନ୍ତ କରି ଆଇଆଇସି ନାୟକଙ୍କୁ ଗତ ୧୩ ତାରିଖରେ ଥାନାରେ ହାଜର ହେବାକୁ ନୋଟିସ୍ ଦେଇଥିଲେ। କିନ୍ତୁ ନାୟକ ହାଜର ନହୋଇ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି କହି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କୁ ମେଡିସନ୍ ୱାର୍ଡ଼ରେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ନାୟକ ଇନ୍ଡୋର ଟିକେଟ୍ କରି ୱାର୍ଡ଼କୁ ନଯାଇ ଫେରାର ହୋଇଯାଇଥିଲେ।