ନକଲି ବିଜ୍ଞପ୍ତି କେଳେଙ୍କାରୀରେ ମୋତିଲାଲ ଏକା ସାମିଲ ନ ଥିଲେ। ଏଥିରେ ସେ ନିଜ ପତ୍ନୀଙ୍କୁ ମଧ୍ୟ ସାମିଲ କରିଥିଲେ। ନିଜ ପତ୍ନୀଙ୍କ ନାଁରେ ଥିବା ନର୍ସିଂହୋମ ସହ କିଛି ବେନାମୀ ନର୍ସିଂହୋମରେ ମୋତିଲାଲ ବିଭିନ୍ନ ସମୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାର ପ୍ରମାଣ ଓଟିଭି ପାଇଛି। କାଗଜପତ୍ରରେ ଏପରି ଜାଲିଆତି କରି ସେ ବଡ଼ ବଡ଼ ଶିଳ୍ପ ସଂସ୍ଥାଙ୍କ ପାଖରୁ କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି। ୫ ନୁହେଁ ଅଧିକ ନର୍ସିଂହୋମ ସହ ମୋତିଲାଲ ବେଆଇନ ଚୁକ୍ତି କରିଥିଲେ। ଶ୍ରମ ବିଭାଗର ଖୋଳତାଡ଼ ପରେ ଏହି ତଥ୍ୟ ପଦାକୁ ଆସିଛି।
ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ ମୋତିଲାଲ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୩ଟି ପର୍ଯ୍ୟାୟରେ ସୁପାରିଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ନର୍ସିଂହୋମ ପାଇଁ ସେ ସୁପାରିଶ କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଓ ତୃତୀୟ ପର୍ଯ୍ୟାୟରେ ୫ଟି ପାଇଁ ସୁପାରିଶ କରିଥିଲେ। କିଛି ନର୍ସିଂହୋମର ନାଁ କିନ୍ତୁ ୩ଟି ଯାକ ପର୍ଯ୍ୟାୟ ସୁପାରିଶରେ ଥିଲା। ଏଥିମଧ୍ୟରୁ ଗୋଟିଏ ଥିଲା ତାଙ୍କ ପତ୍ନୀଙ୍କ ନାମରେ ଥିବା ଖଣ୍ଡଗିରି କୋଳଥିଆର ମାଉଣ୍ଟ ଇଣ୍ଡିଆ ଅକୁପେସନାଲ ହେଲ୍ଥ ସେଣ୍ଟର।