ବାଲେଶ୍ୱର: ଅର୍ଥ ଆତ୍ମସାତ୍ ଅଭିଯୋଗର ୨୬ ବର୍ଷ ପରେ ପୂର୍ବତନ ପୋଷ୍ଟମାଷ୍ଟର ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି। ବାଲେଶ୍ୱର ଜିଲ୍ଲା ଖଇରାରୁ ତାଙ୍କୁ ଗିରଫ କରାଯାଇଛି।
ଦୁର୍ଯ୍ୟୋଧନ ୧୯୮୩ ମସିହାରେ ବାଲେଶ୍ୱର ଜିଲ୍ଲା ଦାମୋଦରପୁର ଗାଁରେ ଥିବା ପୋଷ୍ଟ୍ ଅଫିସ୍ରେ ଚାକିରି କରୁଥିଲେ। ସେହି ସମୟରେ ଯାମିନୀକାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଉକ୍ତ ପୋଷ୍ଟ୍ ଅଫିସ୍ରେ ୨୨,୦୦୦ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଯାମିନୀ ଉକ୍ତ ଟଙ୍କା ଉଠାଇବାକୁ ଗଲେ ତାଙ୍କ ଖାତାରେ ଟଙ୍କା ନାହିଁ ବୋଲି କହିଥିଲେ ଦୁର୍ଯ୍ୟୋଧନ କହିଥିଲେ। ଏହା ପରେ ସେ ଦୁର୍ଯ୍ୟୋଧନଙ୍କ ନାଁରେ ଅଭିଯୋଗ କରିଥିଲେ।
୧୯୯୦ରୁ ଏହି ଅଭିଯୋଗର ତଦନ୍ତ ଭାର ନେଇଥିଲା ସିବିଆଇ। ସିବିଆଇ କୋର୍ଟ ଦୁର୍ଯ୍ୟୋଧନଙ୍କ ବିରୋଧନରେ ଏନ୍ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲେ। ୧୯୯୪ରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ସିବିଆଇକୁ ୨୬ ବର୍ଷ ହେଲା ଚକ୍ମା ଦେଇ ଆସୁଥିଲେ ଦୁର୍ଯ୍ୟୋଧନ। ଗତକାଲି ଖଇରା ତହସିଲ ଅଫିସ୍ରୁ ତାଙ୍କୁ ସିବିଆଇ ଗିରଫ କରିଥିଲା। ସେ ସେଠାରେ ମୋହରି ଭାବେ କାମ କରୁଥିଲେ।