ତାଙ୍କ ଏକାଉଣ୍ଟକୁ ଅନେକ ଟଙ୍କା ଅନ୍ୟ ଏକାଉଣ୍ଟରୁ ଟ୍ରାନ୍ସଫର କରାଯାଇଥିବା ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ତେବେ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ପ୍ରଫୁଲ୍ଲଙ୍କ ଏକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା, ସେନେଇ ତନାଘନା କରିବ ଭିଜିଲାନ୍ସ।
ବୁଧବାର ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଥିବା ଘର ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଭୁବନେଶ୍ୱରର ପଳାଶୁଣି କେନାଲ୍ ରୋଡ୍ ସ୍ଥିତ ଆପାର୍ଟମେଣ୍ଟ୍, ରସୁଲଗଡ଼ ଶବର ସାହିର ଘର, ଚନ୍ଦ୍ରଶେଖରପୁର ଫ୍ଲାଟ୍, ଯୋଡ଼ା ବାସଭବନ, ନିଶ୍ଚିନ୍ତକୋଇଲିରେ ଥିବା ପୈତୃକ ଘର ଓ ଫୁଲବାଣୀର ସରକାରୀ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ନଗଦ ୫ ଲକ୍ଷ ୨୯ ହଜାର ଟଙ୍କା, ୧୦୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର, ଅନେକ ରୂପା ଥାଳି, ହୀରା ଗହଣା ପ୍ରଭୃତି ଜବତ କରାଯାଇଥିଲା। ଏହା ସହିତ ନାନା ସୌଖୀନ ସାମଗ୍ରୀ ମଧ୍ୟ ତାଙ୍କ ବାସଭବନରେ ମିଳିଥିଲା। ଏହି ଚଢ଼ାଉ ବେଳେ ଜଗତସିଂହପୁର ଜିଲ୍ଲାର କିଶନନଗର ଓ କଟକର ନିଶ୍ଚିନ୍ତକୋଇଲିରେ ତାଙ୍କର ଦୁଇଟି ପ୍ଲଟ୍ ଥିବା ମଧ୍ୟ ଜାଣିବାକୁ ପାଇଥିଲେ ଭିଜିଲାନ୍ସ ଅଧିକାରୀ। ନିଜ ନାଁ ଓ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ବି ପ୍ରଫୁଲ୍ଲ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।