କଟକ: ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ ଟାଙ୍ଗୀରେ ବେଆଇନ ଭାବେ ଚଳାଉଥିବା ମଦ୍ରାସାରେ ପୁଣି ଶିକ୍ଷାଦାନ ଆରମ୍ଭ ହୋଇଛି। ଏ ନେଇ ସୂଚନା ପାଇବା ପରେ ଟାଙ୍ଗୀ ପୋଲିସ୍ ଗତକାଲି ମଦ୍ରାସାରେ ପହଞ୍ଚିଥିଲା। ମାନ୍ଦ୍ରାସାରେ ପଢୁଥିବା ଝାଡ଼ଖଣ୍ଡର ୬ଜଣ ଛାତ୍ରଙ୍କୁ ଫେରିଯିବାକୁ ତାଗିଦ୍ କରିବା ସହ ୱାକପ୍ ବୋର୍ଡର ବିନା ଅନୁମତିରେ ଶିକ୍ଷାଦାନ କରାଯାଇପାରିବ ନାହିଁ ବୋଲି ମଦ୍ରାସାର ଶିକ୍ଷକମାନଙ୍କୁ ଟାଙ୍ଗୀ ପୋଲିସ୍ ତାଗିଦ୍ କରିଛି ।
ଏଥିସହ ମଦ୍ରାସାରୁ ପୋଲିସ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ୍ ଜବତ କରିଥିବା ବେଳେ ପଢୁଥିବା ପିଲାମାନେ ସେମାନଙ୍କ ଘରକୁ ଫେରିଯାଇଛନ୍ତି।
ସୂଚନାଯୋଗ୍ୟ, ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ ଗିରଫ ହେବା ପରେ ଟାଙ୍ଗୀ ପୋଲିସ ଓ କମିଶନରେଟ ପୋଲିସ ମିଳିତ ତଦନ୍ତ ବେଳେ ରେହମାନ ଚଳାଉଥିବା ମଦ୍ରାସାରେ ପ୍ରାୟ ୭୦ଜଣ ଝାଡ଼ଖଣ୍ଡ ଅଞ୍ଚଳର ପିଲା ପାଠ ପଢୁଥିବା ଜଣାପଡିଥିଲା। ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ ରେହମାନ ଉସୁକାଉଥିବା ପୋଲିସ୍ ସୂଚନା ଦେଇଥିଲା।