ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ଜଣେ ଛାତ୍ରୀଙ୍କୁ ସେହି ବିଭାଗର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ଏହାସହ ଜାତିଆଣ ମନ୍ତବ୍ୟ ଦେଇଥିବା ନେଇ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟର ଇଓସି ବା ଇକ୍ୱାଲ ଅପରଚ୍ୟୁନିଟି ସେଣ୍ଟର ପକ୍ଷରୁ ସ୍ୱତନ୍ତ୍ର ଏସ୍ସିଏସ୍ଟି କମିଟି ଏହାର ତଦନ୍ତ କରିଛି। କମିଟିର ଅଧ୍ୟକ୍ଷା ପ୍ରଫେସର ପଦ୍ମାବତୀ ଗାହାଣଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ତଦନ୍ତ ହୋଇଛି। ଉଭୟ ଅଭିଯୋଗକାରିଣୀ ଓ ଅଧ୍ୟାପକଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ଶେଷ ହେବା ପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ଚିତ୍ତରଞ୍ଜନ ତ୍ରିପାଠୀ କହିଛନ୍ତି। ସମ୍ପୃକ୍ତ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଆଶାଳୀନ ଭାଷାରେ କଥା ହେବା ସହ ତାଙ୍କ ଜାତିକୁ ଆକ୍ଷେପ କରି ଧମକଚମକ ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।