ଦେଢ଼ ମାସର ବିବାଦ ପରେ ଶ୍ରୀଜିଉଙ୍କର ହେଲା ବନକଲାଗି ନୀତି

ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସ କୁହେ, ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ଲାଗି ସେବାର ସୁଯୋଗ ପାଇଛନ୍ତି ଦତ୍ତମହାପାତ୍ର ସେବକ। ଏହା ବଂଶାନୁକ୍ରମିକ ସେବା ଓ ସିଧା ରତ୍ନବେଦୀ ଉପରେ ଚଢ଼ି ଠାକୁରମାନଙ୍କୁ ଆକର୍ଷଣୀୟ ରୂପ ଦେବାର ସୁଯୋଗ।

ଶ୍ରୀମନ୍ଦିର ସିଂହ ଦ୍ୱାର(ଫାଇଲ ଫଟୋ)

  • Published: Wednesday, 09 August 2023
  • , Updated: 09 August 2023, 10:08 PM IST

ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ଗୁପ୍ତ ବନକଲାଗି ନୀତି। ସେଥିପାଇଁ ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ତେବେ କ’ଣ ଏହି ବନକଲାଗି ନୀତି? କେମିତି କରାଯାଏ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର? କଣ ସବୁ ସାମଗ୍ରୀ ଏଥିରେ ବ୍ୟବହାର କରାଯାଏ? କେଉଁ ଠାକୁରଙ୍କ ଠାରେ କେଉଁ ପ୍ରମୁଖ ରଙ୍ଗ ଲାଗି କରାଯାଏ? ଆସନ୍ତୁ ଜାଣିବା ପୂରା ରିପୋର୍ଟ।

ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ପାଇଁ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି। ତେବେ ପ୍ରତିଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ମନରେ ଜିଜ୍ଞାସା-ଶ୍ରୀବିଗ୍ରହମାନଙ୍କ ମୁଖକୁ ଅତି ଆକର୍ଷଣୀୟ କରିଦେଉଥିବା ଏ ବନକଲାଗିରେ କ’ଣ ସବୁ ସାମଗ୍ରୀ ଲାଗେ? ଏ ସବୁ ସାମଗ୍ରୀ ଆସେ କେଉଁଠୁ? କେଉଁ ସେବକ ଏ ନୀତି କରିବାକୁ ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି? ତା’ସହ ଏଥିପାଇଁ କେତେ ସମୟ ଲାଗେ ?

ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସ କୁହେ, ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ଲାଗି ସେବାର ସୁଯୋଗ ପାଇଛନ୍ତି ଦତ୍ତମହାପାତ୍ର ସେବକ। ଏହା ବଂଶାନୁକ୍ରମିକ ସେବା ଓ ସିଧା ରତ୍ନବେଦୀ ଉପରେ ଚଢ଼ି ଠାକୁରମାନଙ୍କୁ ଆକର୍ଷଣୀୟ ରୂପ ଦେବାର ସୁଯୋଗ। ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ। ଆଉ ସେଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ। ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ।

ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବା ବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର। ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ। ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ। ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ। ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ। ତେଣୁ ତାକୁ ବାଦ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ବନକଲାଗି କରାଯାଉଥିବା କହିଛନ୍ତି ଦତ୍ତ ମହାପାତ୍ର ସେବକ।

ମହାପ୍ରଭୁଙ୍କ ବନକଲାଗି ଅତ୍ୟନ୍ତ ଗୁପ୍ତ ଓ ସମୟ ସାପେକ୍ଷ ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଠାକୁରମାନଙ୍କୁ ପହୁଡ଼ କରାଯାଇ ଏହି ନୀତି ଆରମ୍ଭ କରାଯାଏ। ଯାହାକି ଅତିକମ୍‌ରେ ୪ରୁ ୫ ଘଣ୍ଟା ଲାଗିଥାଏ। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କ ମଧ୍ୟରେ ବାରକୁ ନେଇ ବିବାଦ ଯୋଗୁ ଦୀର୍ଘ ଦେଢ଼ ମାସ ଧରି ଶ୍ରୀମୁଖ ଶିଙ୍ଗାର ବନ୍ଦ ରହିବା ପରେ ଆଜି ଏହା ଅନୁଷ୍ଠିତ ହେଉଛି। ଦୀର୍ଘ ସମୟ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ଭକ୍ତ ନିରାଶ ହୋଇନାହାନ୍ତି। ବରଂ ମହାପ୍ରଭୁଙ୍କୁ ସୁନ୍ଦର ଓ ଆକର୍ଷଣୀୟ ରୂପରେ ଦର୍ଶନ ପାଇଁ ଉତ୍କଣ୍ଠାରେ ରହିଛନ୍ତି।

Related story