Advertisment

ନିଆରା ପରମ୍ପରା; ଭଗବାନଙ୍କ ବିରୁଦ୍ଧରେ ରୁଜୁ ହୁଏ ମାମଲା, କୋର୍ଟରେ ମିଳେ ଦଣ୍ଡ

ଭଗବାନ ମନୋବାଞ୍ଛା ପୂର୍ଣ୍ଣ କରିନଥିଲେ ଭକ୍ତ ଅଭିଯୋଗ କରେ। କୁକୁଡ଼ାକୁ ସାକ୍ଷୀ ରଖି ଦିଆଯାଏ ଦଣ୍ଡ।

ଅଦ୍ୟତନ ହୋଇଛି
Bhado Yatra

Bhado Yatra

Advertisment

ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ନିଆରା। କିଏ ଏହାକୁ ଦେଖିପାରେ, ଆଉ କିଏ ଦେଖିପାରେନି। କିନ୍ତୁ ଭକ୍ତଟିଏ ହିଁ ଜାଣିଥାଏ, ତା ଭଗବାନ ସେ ମାନୁଥିବା ସମ୍ପର୍କକୁ ନିଭାଉଛନ୍ତି କି ନାହିଁ। ଆଉ ଯଦି ଭକ୍ତକୁ ଲାଗେ କି, ଭଗବାନ ତା କଥା ଶୁଣୁଛନ୍ତି ତେବେ ସେ ଖୁବ୍ ଖୁସି ହୋଇଯାଏ, ଫଳ-ମୂଳ ଭୋଗ ନଡ଼ିଆ ସବୁ ଯାଚିଦିଏ। ଯଦି ଭଗବାନ ନ ଶୁଣନ୍ତି ତେବେ ଭକ୍ତ କଣ କରେ...?

Advertisment

ଏପରି କ୍ଷେତ୍ରରେ ଭକ୍ତ ବି ଭଗବାନଙ୍କୁ ଦଣ୍ଡଦିଏ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବାସ୍ତବରେ ଏପରି ହେଉଛି। ଛତିଶଗଡ଼ ବସ୍ତର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଭଗବାନ ମନୋସ୍କାମନା ପୂର୍ଣ୍ଣ ନ କଲେ କୋର୍ଟ ବସାନ୍ତି, ଭଗବାନଙ୍କର ବିଚାର କରନ୍ତି ଓ ଠାକୁରଙ୍କୁ ଦଣ୍ଡ ମଧ୍ୟ ଦିଅନ୍ତି। ବର୍ଷକୁ ଥରେ ଏହି ପରମ୍ପରା ଅନୁଷ୍ଠିତ ହୁଏ, ଆଉ ଭକ୍ତ ଆସି ଭଗବାନଙ୍କ ବିରୁଦ୍ଧରେ ଅଭିଯୋଗ କରେ।

ଏଠାରେ ସାକ୍ଷୀ ରହେ କୁକୁଡ଼ା। ଯଦି ଫଇସଲା ଶେଷରେ ପ୍ରମାଣ ହୁଏ ଯେ, ବାସ୍ତବରେ ଭଗବାନ ଭକ୍ତର ଦୁଃଖ ଶୁଣିନାହାନ୍ତି, ତା ଗୁହାରି ରକ୍ଷା କରିନାହାନ୍ତି, ତେବେ ସେ ଦଣ୍ଡିତ ହୁଅନ୍ତି। ଏପରି କିପରି ହୁଏ, ଜାଣନ୍ତୁ... 

Advertisment
Tribes ଭଦୋ ଯାତ୍ରା

ଛତିଶଗଡର ଆଦିବାସୀ ବହୁଳ ଜିଲ୍ଲା ବସ୍ତର। ଏଠାରେ ଜନସଂଖ୍ୟାର 70% ଆଦିବାସୀ ବସବାସ କରନ୍ତି। ସେମାନଙ୍କ ମଧ୍ୟରେ ଗୋଣ୍ଡ, ମାରିଆ, ଭତ୍ରା, ହାଲୱା ଏବଂ ଧୁରୱା ଅଛନ୍ତି। ଏହି ସମ୍ପ୍ରଦାୟ ପାଳନ କରୁଥିବା ବିଭିନ୍ନ ପରମ୍ପରା ମଧ୍ୟରୁ 'ଜନ ଅଦାଲତ' ଅନ୍ୟତମ, ଯେଉଁ ଅଦାଲତରେ ଭଗବାନଙ୍କୁ ଦଣ୍ଡିତ କରାଯାଏ। ଏହି ପର୍ବ ପ୍ରତିବର୍ଷ ମୌସୁମୀ ସମୟରେ ପାଳନ ହୁଏ। ଏହାକୁ 'ଭଦୋ ଯାତ୍ରା' କୁହାଯାଏ।  

ଭଦୋ ଯାତ୍ରା ତିନି ଦିନ ଧରି ପାଳନ କରାଯାଏ। ଭଙ୍ଗାରାମ ଦେବୀ ମନ୍ଦିରର ଦେବୀ ଏହି କୋର୍ଟର ଅଧ୍ୟକ୍ଷତା କରନ୍ତି। ଜଣେ ଜଣେ ଭକ୍ତ ଆସି ଈଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି। ଗ୍ରାମବାସୀ ଅଭିଯୋଗକାରୀ ହୋଇ ଥିବାବେଳେ ପଶୁ-ପକ୍ଷୀ ପ୍ରାୟତଃ କୁକୁଡ଼ା ହୁଅନ୍ତି ସାକ୍ଷୀ। 

ଅଭିଯୋଗଗୁଡିକ ହେଲା, ଅମଳ ଭଲ ନହେବା, ରୋଗ ନ ଛାଡ଼ିବା, ପ୍ରାକୃତିକ ବିପର୍ଯ୍ୟୟ ସହ ଅନ୍ୟାନ୍ୟ ମନୋବାଞ୍ଛା ପୂର୍ଣ୍ଣ ନ ହେବା। ଏଠାରେ ଅଭିଯୋଗକାରୀ ଗ୍ରାମବାସୀଙ୍କ ପକ୍ଷରୁ ଗାଁ ମୁଖିଆ ଓକିଲ ହୁଅନ୍ତି। ଗାଁ ମୁଖିଆ ଭଙ୍ଗାରାମ ଦେବୀ ମନ୍ଦିରର ଠାକୁରାଣୀଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା ବିଶ୍ୱାସ କରାଯାଏ। ଏହାପରେ ଗୋଟିଏ କୁକୁଡ଼ାକୁ କୋର୍ଟକୁ ଅଣାଯାଏ। କୁକୁଡ଼ାକୁ ସାକ୍ଷୀ ରଖି ଗ୍ରାମବାସୀ ନିଜ ନିଜର ଅଭିଯୋଗ କରନ୍ତି। ଅଭିଯୋଗ ସତ ସାବ୍ୟସ୍ତ ହେଲେ ଗାଁ ମୁଖିଆ ଦଣ୍ଡ ଘୋଷଣା କରନ୍ତି।

ଦଣ୍ଡ ଅନୁସାରେ, ଭଗବାନଙ୍କୁ ମନ୍ଦିରରୁ ବାହାର କରି ଗଛ ମୂଳରେ ରଖାଯାଏ। ଏହାକୁ କାରାଗାର ଭାବରେ ବିବେଚନା କରାଯାଏ। ଯେବେ ମନୋସ୍କାମ ପୂର୍ଣ୍ଣ ହୁଏ, ସେବେ ଯାଇ ଦେବଦେବୀ ମନ୍ଦିରକୁ ଆବାହନ ହୁଅନ୍ତି। ବେଳେବେଳେ ଆଜୀବନ କାରାଦଣ୍ଡ ମଧ୍ୟ ମିଳେ। କାରଣ ଯଦି ଭକ୍ତର ମନବାଞ୍ଛା ପୂର୍ଣ୍ଣ ହୋଇ ନ ଥିବାର ଅଭିଯୋଗ ଆସେ, ତେବେ ଭଗବାନ ସେହିପରି ଗଛ ମୂଳରେ ରୁହନ୍ତି।

ସବୁଠୁ ବଡ଼ କଥା ହେଉଛି, ଏହି ଦଣ୍ଡ ସମୟରେ ଠାକୁର ପିନ୍ଧିଥିବା ସୁନା-ରୁପା ଅଳଙ୍କାର ବାହାର କରାଯାଏ ନାହିଁ। ଠାକୁର ଗଛ ମୂଳରେ ରହିଲେ ମଧ୍ୟ ସେ ତାଙ୍କ ଅଳଙ୍କାର ଏବଂ ପୋଷାକ ପରିଧାନ କରନ୍ତି। ଆଜି ଯାଏ ଚୋରି ହେବାର କୌଣସି ଅଭିଯୋଗ ହୋଇନାହିଁ। ଏହା ଆଦିବାସୀଙ୍କ ବିଶ୍ୱାସ ଏବଂ ଭରସା ବୋଲି କୁହାଯଏ। 

ଈଶ୍ୱର ଅଦାଲତରେ ମଧ୍ୟ ରେଜିଷ୍ଟାର ପରିଚାଳନା ହୁଏ। ଜଣେ ରେଜିଷ୍ଟାର ଅଛନ୍ତି। ସେ କେଉଁ ଦେବତା କେଉଁ ଅପରାଧ ପାଇଁ ଦଣ୍ଡିତ ହୋଇଛନ୍ତି, ଅଭିଯୋଗ କଣ, କିଏ ସାକ୍ଷୀ ରହିଥିଲେ ଏବଂ ଅନ୍ତିମ ବିଚାର କଣ ହୋଇଥିଲା ଏ ସବୁ ଲିଖିତ ଆକାରରେ ରେଜିଷ୍ଟରରେ ଲେଖି ରଖନ୍ତି।

ବସ୍ତରର ଆଦିବାସୀ ଅଞ୍ଚଳର ଏହି ଦେବ-କୋର୍ଟର ବିଚାର ପ୍ରକ୍ରିୟା ଦେଖିବା ପାଇଁ ଏବର୍ଷ ପ୍ରାୟ ୨୪୦ ଗାଁର ଲୋକେ ଏକତ୍ରିତ ହୋଇଥିଲେ। ସେମାନଙ୍କ ପାଇଁ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

ଇତିହାସବିତ ଘନଶ୍ୟାମ ସିଂହ ନାଗ କହିଛନ୍ତି, ଏହା ହେଉଛି ଭାରତର ସମୃଦ୍ଧ ବିବିଧତାର ପ୍ରତୀକ। ଏହି ପର୍ବ, ଭଗବାନମାନେ ମଧ୍ୟ ଭକ୍ତଙ୍କ ନିକଟରେ ଉତ୍ତରଦାୟୀ ରୁହନ୍ତି, ସେ ଧାରଣାକୁ ପ୍ରତିପାଦନ କରେ। ଏଥିସହ ଏହା ଏକ ଦଣ୍ଡ ପ୍ରକ୍ରିୟା ନୁହେଁ, ବରଂ ଏକ ସଂସ୍କାର ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଭଗବାନ ଲୋକମାନଙ୍କୁ ସୁରକ୍ଷା ଦିଅନ୍ତି ଏବଂ ସେମାନଙ୍କ ମନୋବାଞ୍ଛା ପୂର୍ଣ୍ଣ କରନ୍ତି। ଏଥିପାଇଁ ତାଙ୍କୁ ପୂଜାର୍ଚ୍ଚନା କରାଯାଏ। ଯଦି ଦେବତାମାନେ ସେମାନଙ୍କ କର୍ମରେ ଖିଲାପ କରନ୍ତି, ତେବେ ସେମାନଙ୍କୁ ମଧ୍ୟ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼େ ବୋଲି ଏହି ପର୍ବ ପ୍ରମାଣିତ କରେ।’ 

Bastar Chhattisgarh Chhattisgarh News Bangaram Devi Temple Deity Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe