ଆହୁରି ନିକଟତର ହେଲା ବାତ୍ୟା ୟାସ, ରେଡ୍‌ ଆଲର୍ଟ ଜାରି କଲା ଆଇଏମଡି

ନୂଆଦିଲ୍ଲୀ: ପୂର୍ବରୁ ପ୍ରତିଟି ବୁଲେଟିନ୍‌ରେ ଅରେଞ୍ଜ ଆଲର୍ଟ ଜାରି କରୁଥିବା ଭାରତୀୟ ପାଣିପାଗ ବିଭାଗ ଏବେ ରେଡ୍‌ ଆଲର୍ଟ ବୁଲେଟିନ ଜାରି କରିଛି। ଏହାର ଅର୍ଥ ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଏବେ ସ୍ଥଳ ଭାଗର ଆହୁରି ନିକଟତର ହୋଇଛି। ପୂର୍ବରୁ ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଗତ ୬ ଘଣ୍ଟା ଧରି ୧୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ […]

IMD

Hemant Lenka
  • Published: Tuesday, 25 May 2021
  • , Updated: 25 May 2021, 09:53 PM IST

ନୂଆଦିଲ୍ଲୀ: ପୂର୍ବରୁ ପ୍ରତିଟି ବୁଲେଟିନ୍‌ରେ ଅରେଞ୍ଜ ଆଲର୍ଟ ଜାରି କରୁଥିବା ଭାରତୀୟ ପାଣିପାଗ ବିଭାଗ ଏବେ ରେଡ୍‌ ଆଲର୍ଟ ବୁଲେଟିନ ଜାରି କରିଛି। ଏହାର ଅର୍ଥ ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଏବେ ସ୍ଥଳ ଭାଗର ଆହୁରି ନିକଟତର ହୋଇଛି।

ପୂର୍ବରୁ ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଗତ ୬ ଘଣ୍ଟା ଧରି ୧୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ବର୍ତ୍ତମାନ ୟାସ ପାରାଦୀପ ଠାରୁ ୨୦୦ କିମି, ବାଲେଶ୍ୱର ଠାରୁ ୨୯୦ କିମି, ଦିଘା ଠାରୁ ୨୯୦ କିମି ଓ ସାଗର ଦ୍ୱୀପ ଠାରୁ ୨୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ୨୬ ତାରିଖ ଭୋର ସମୟରେ ଏହା ଉତ୍ତର ଧାମରା ନିକଟରେ ପହଞ୍ଚିବ। ସେହିପରି ମଧ୍ୟାହ୍ନ ସୁଧା ବାତ୍ୟା ୟାସ ଉତ୍ତର ଧାମରା ଓ ବାଲେଶ୍ୱରର ଦକ୍ଷିଣ ଦିଗରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବିଭାଗ କହିଛି ଯେ ଭୀଷଣ ବାତ୍ୟା ରୂପରେ ଥିବା ୟାସ ଯୋଗୁ ଏବେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିମି ରହିଛି। ସମୟ ବିତିବା ସହ ଏହାର ବେଗ ମଧ୍ୟ ବୃଦ୍ଧି ପାଇବ। ୨୬ ତାରିଖ ସକାଳେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଏହା ପ୍ରାୟ ୪ରୁ ୫ ଘଣ୍ଟା ଧରି ଚାଲିବ। ୟାସ ଯୋଗୁ ଧାମରା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବ। ଏଠାରେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁବାର ଆଶଙ୍କା ରହିଛି।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି କରାଯାଇଛି। ଏବେଠାରୁ କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ପାରଦୀପ ଯାଏ ପବନ ବଢ଼ିବା ଆରମ୍ଭ ହେଲାଣି। ଧାମନଗରେ ମଧ୍ୟ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ବର୍ଷା ହେଉଛି। ମଧ୍ୟରାତ୍ର ପରେ ପବନର ବେଗ ସହ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ଆକଳନ କରିଛି।

ବାତ୍ୟା ଯୋଗୁ ସମୁଦ୍ର ଜୁଆର ୨ରୁ ୪ ମିଟିର ଉଚ୍ଚକୁ ଉଠିପାରେ। ଅର୍ଥାତ ଏହା କିଛି ସ୍ଥାନରେ ସ୍ଥଳ ଭାଗକୁ ୨.୫ କିମି ଯାଏ ମାଡ଼ି ଯିବାର ମଧ୍ୟ ଆଶଙ୍କା ରହିଛି। ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ର ସ୍ଥଳ ଭାଗରେ ପ୍ରବେଶ କରିବାର ଆଶଙ୍କା ଅଧିକ। ସେହିପରି ଲ୍ୟାଣ୍ଡଫଲ ବେଳେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ତଳିଆ ଅଞ୍ଚଳରେ ସମୁଦ୍ର ମାଡ଼ିବାର ଆଶଙ୍କା ଥିବା ବିଭାଗ କହିଛି।

Related story