‘ଅଙ୍ଗୁରି ଭାବି’ଙ୍କୁ ଯୌନନିର୍ଯାତନା; ପ୍ରଯୋଜକଙ୍କ ନାଁରେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ଟେଲିଭିଜନ୍ ଶୋ ‘ଭାବିଜୀ ଘର ପର ହେ’ ତାର ଅନ୍‌ ସ୍କ୍ରିନ୍ କାହାଣୀକୁ ନେଇ ଯେତିକି ଚର୍ଚ୍ଚାରେ ନାହିଁ ତା’ଠୁ ଅଧିକ ଚର୍ଚ୍ଚାରେ ଅଛି ଅଫ୍‌ ସ୍କ୍ରିନ୍ କାହାଣୀ ପାଇଁ। ମାନେ ଏ ସିରିୟଲର ପ୍ରଡ୍ୟୁସର ସଞ୍ଜୟ କୋହଲି ଓ ଏଥିରେ ପୂର୍ବରୁ ଲୋକପ୍ରିୟ ଚରିତ୍ର ‘ଅଙ୍ଗୁରି ଭାବି’ ଭୂମିକାରେ ଅଭିନୟ କରୁଥିବା ଶିଳ୍ପା ସିନ୍ଦେଙ୍କ ମଧ୍ୟରେ। ସଞ୍ଜୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଶିଳ୍ପା। ଏନେଇ ସେ ଏଫ୍‌ଆଇଆର୍‌ ଦେଇଛନ୍ତି।

ସଞ୍ଜୟଙ୍କ ସହିତ ଲମ୍ବା ସମୟ ଧରି ତୁ ତୁ ମେଁ ମେଁ ପରେ ସେ ଶୋ’ ଛାଡ଼ିଥିଲେ। ଏବେ ସେ ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ତାଙ୍କୁ ହଟ୍ ଓ ସେକ୍ସି ବୋଲି ସମ୍ବୋଧନ କରୁଥିଲେ। ବେଳେ ବେଳେ ତାଙ୍କ ଶରୀରକୁ ଉଦ୍ଦେଶ୍ୟମୂଳକ ଭାବେ ସ୍ପର୍ଶ କରୁଥିଲେ। ଏପରିକି ଥରେ ସେ ଶାରୀରିକ ସଂପର୍କ ରଖିବା ପାଇଁ ମଧ୍ୟ ମତେ ପ୍ରସ୍ତାବ ଦେଇଥିଲେ। ସେ ଅନେକ ଥର ତାଙ୍କର ଏଭଳି ବ୍ୟବହାରକୁ ବିରୋଧ କରିଥିଲେ। ତେବେ ଏ ବିଷୟରେ କାହାକୁ କହିଲେ ତାଙ୍କୁ ଶୋ’ରୁ ବାହାର କରି ଦିଆଯିବ ବୋଲି ସଞ୍ଜୟ ଧମକ ଦେଇଥିବା କଥା ଶିଳ୍ପା ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଏବେ ସୁଭାଙ୍ଗୀ ଆତ୍ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରୁଛି।