ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ସଫା ସଫା ମନା କରିବା ପରେ ଚାରିଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଏପରି ଖବର ପ୍ରଚାରିତ ହେବା ପରେ ସୋଶାଲ ମିଡିଆରେ କପିଲଙ୍କ ବିରୋଧରେ ଟ୍ରେଣ୍ଡ ଚାଲିଛି। ଏପରିକି ‘ବୟକଟ୍ କପିଲ’ ବୋଲି ବି ହ୍ୟାସ୍ଟ୍ୟାଗ୍ ଚାଲିଛି। ହେଲେ ଏହା ମଧ୍ୟରେ ମୁହଁ ଖୋଲିଛନ୍ତି କପିଲ ।
ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଆଜିର ସୋଶାଲ ମିଡିଆ ୱାର୍ଲ୍ଡରେ କେବଳ ଏକ ପାଖିକିଆ ଷ୍ଟୋରିକୁ ସତ ଭାବିବା ଉଚିତ ନୁହେଁ। କିନ୍ତୁ ଯେଉଁମାନେ ଏହାକୁ ସତ ଭାବି ଏହାର ବିଶ୍ଳେଷଣ କରୁଛନ୍ତି ସେମାନଙ୍କୁ ମୋର କିଛି ସଫେଇ ଦେବାର ନାହିଁ ।
କମେଡି କିଙ୍ଗ ନିଜ ଶୋ’ରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ ପାଇଁ ମନା କରିଥିବା ଖୋଦ ବିବେକ ହିଁ ସୋଶାଲ ମିଡିଆରେ ଜଣାଇଥିଲେ। ବିବେକ ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯିବା ଉଚିତ ବୋଲି ଜଣେ ୟୁଜର ଟ୍ୱିଟରରେ କହିଥିଲେ। ଏହାର ଉତ୍ତର ଦେବାକୁ ଯାଇ ବିବେକ କହିଥିଲେ, କପିଲ ନିଜ ଶୋ’ରେ କାହାକୁ ଆମନ୍ତ୍ରଣ କରିବେ ତାହା ତାଙ୍କ ଉପରେ ଓ ତାଙ୍କ ଟିମ୍ ଉପରେ ନିର୍ଭର କରେ। ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ୍ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ।
ଆମ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ’ରେ ଆମକୁ ନିମନ୍ତ୍ରଣ କରିବାକୁ ସଫା ସଫା ମନା କରିଦେଇଥିବା କହିଥିଲେ ବିବେକ । ବିବେକଙ୍କ ଏପରି ଟ୍ୱିଟ ପରେ ୟୁଜର୍ସ କପିଲଙ୍କୁ ପ୍ରବଳ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କ ବିରୋଧରେ ସୋଶାଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି।
ଏପରିକି ଜଣେ ୟୁଜର ପଚାରିଛନ୍ତି, କଶ୍ମୀର ଫାଇଲ୍ସକୁ ପ୍ରମୋଟ କରିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି କପିଲ, କାହାକୁ ଡରୁଛନ୍ତି। କାହିଁକି ବିବେକଙ୍କ ଟିମ୍କୁ ଆପଣଙ୍କ ଶୋ’ ପାଇଁ ଆମନ୍ତ୍ରଣ ଦେଇ ନାହାନ୍ତି। ଆମେ ଆପଣଙ୍କ ବହୁତ ବଡ଼ ଫ୍ୟାନ୍ସ। ହେଲେ ଆପଣ ଆମ ପରି ବହୁ ଫ୍ୟାନ୍ସଙ୍କ ହୃଦୟଙ୍କୁ କୁଠାରଘାତ କରିଥିବାରୁ ଆପଣଙ୍କୁ ବାଧ୍ୟ ହୋଇ ବୟକଟ୍ କରୁଛୁ।