ଦୀପିକା କକ୍କର ହେଲେ ବିଗ୍‌ବସ୍‌-୧୨ ବିଜେତା, ଶ୍ରୀସନ୍ଥ ନିରାଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା, ବାଦ ବିବାଦ ଏବଂ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଟେଲିଭିଜନ୍‌ ଅଭିନେତ୍ରୀ ଦୀପିକା କକ୍କର ହୋଇଛନ୍ତି ବିଗ୍‌ବସ୍‌-୧୨ ବିଜେତା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଚର୍ଚ୍ଚାରେ ରହିଆସିଥିବା ଦୀପିକା ଏବଂ ଶ୍ରୀସନ୍ଥ ହିଁ ବିଗ୍‌ ବସ୍-୧୨ର ଶୀର୍ଷରେ ରହିଛନ୍ତି। ଅର୍ଥାତ ଶ୍ରୀସନ୍ଥ ଏହି ଶୋ’ର ଦ୍ୱିତୀୟ ସ୍ଥାନରେ ଅଛନ୍ତି।


ଦୀପିକା ବିଗ୍‌ ବସ୍‌ ଟ୍ରଫି ଏବଂ ୩୦ ଲକ୍ଷ ଟଙ୍କାର ସହିତ ଉତ୍ସବ ମନାଉଥିବାର ଦେଖାଯାଇଥିଲା। ଅନ୍ୟ ପକ୍ଷରେ ଦୀପିକା ଏବଂ ଶ୍ରୀସନ୍ଥଙ୍କ ବ୍ୟତୀତ ରୋମିଲ୍‌ ଚୌଧୁରୀ, କରନ୍‌ବୀର ବୋରା ଏବଂ ଦୀପକ ଠାକୁର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଥିଲେ। ସେମାନଙ୍କୁ ୨୦ ଲକ୍ଷ ଲେଖାଏ ପୁରସ୍କାର ରାଶି ନେବାର ସୁଯୋଗ ପ୍ରଦାନ କରାଯାଇଥିଲା।


କେବଳ ଦୀପକ ଠାକୁର ଏହି ୨୦ ଲକ୍ଷ ଟଙ୍କା ଘରକୁ ନେଇ ପାରିଥିଲେ। ଅର୍ଥାତ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ସବୁଠାରୁ କମ୍‌ ଭୋଟ୍‌ ପାଇବାପରେ ସେ ବଜର୍‌ ଦବାଇ ନିଜ ଆଡ଼ୁ ପୁରସ୍କାର ନେଇ ବାହାରିଯିବାକୁ ଚାହିଁଥିଲେ। ଏହି ପରିମାଣର ଟଙ୍କା ବିଗ୍‌ବସ୍‌ର ସମଗ୍ର ସିଜିନ୍‌ରେ ସବୁଠାରୁ ବେଶି ବିଦାୟୀ ରାଶି।
ଶେଷରେ ଦୀପିକା ଏବଂ ଶ୍ରୀସନ୍ଥ ସଲମାନଙ୍କ ସହ ମିଶି ପାର୍ଟନର ଏବଂ କ୍ୟାରେକ୍ଟର ଢିଲା ଆଦି ଗୀତରେ ଠୁମ୍‌କା ଲଗାଇଥିଲେ।