ହସ୍ପିଟାଲରୁ ଘରକୁ ଫେରିଲେ କମଲ ହାସନ

ଚେନ୍ନାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇଯାଇଛନ୍ତି। ସେ ହସ୍ପିଟାଲରେ ୨ ସପ୍ତାହର ଚିକିତ୍ସା ପରେ ଆଜି ଡିସଚାର୍ଜ ହୋଇଛନ୍ତି। ଏହାପରେ ସେ ସିଧା ନିଜ ଘରକୁ ଫେରିଛନ୍ତି। ଚିକିତ୍ସା ସମୟରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସମସ୍ତ ଫ୍ୟାନଙ୍କୁ କମଲ ହାସନ ଧନ୍ୟବାଦ ଜଣାଇଛନ୍ତି।

କମଲ ହାସନ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ମେଡିକାଲ ସେଣ୍ଟର୍‌ରୁ ଡିସଚାର୍ଜ ହେବା ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହାସନ ମଧ୍ୟ ସୋଶାଲ ମିଡିଆରେ ଗୋଟିଏ ବାର୍ତ୍ତା ପୋଷ୍ଟ କରି ତାଙ୍କର ଚିକିତ୍ସା କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନଭେମ୍ବର ମାସରେ ହାସନ ଆମେରିକାର ସିକାଗୋ ଯାଇଥିଲେ। ସେଠାରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ ନଭେମ୍ବର ୨୨ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଆଜି ସେ ଡିସଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ଘରକୁ ଯିବା ପୂର୍ବରୁ ସେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌ ସହ ଫଟୋ ମଧ୍ୟ ଉଠାଇଛନ୍ତି।


ସୁପରଷ୍ଟାର କମ୍‌ଲ ହାସନ ସାଉଥ ଫିଲ୍ମ ବ୍ୟତୀତ ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ପରେ ଏବେ ସେ ରାଜନୀତିରେ ମଧ୍ୟ ଯୋଗ ଦେଇଛନ୍ତି। ଏଥିପାଇଁ ସେ ନିଜର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ତାମିଲନାଡୁ ବିଧାନସଭାରେ ତାଙ୍କ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଗୋଟିଏ ହେଲେ ଆସନରେ ଜିତିବାକୁ ସକ୍ଷମ ହୋଇନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।