ଦଶହରାରେ ବଡ଼ ଘୋଷଣା କରିବେ ସମନ୍ଥା!

ମୁମ୍ବାଇ: ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ସାଉଥ୍ ଷ୍ଟାର ଦମ୍ପତି ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି। ଦୁହେଁ ଏନେଇ ଘୋଷଣା କରିବା ପରେ ପ୍ରତ୍ୟେକ ଦିନ ସେମାନଙ୍କ ସଂପର୍କରେ କିଛି ନା କିଛି ଖବର ଆସୁଛି। ସଦ୍ୟ ସୂଚନା ଅନୁଯାୟୀ, ସେ ଏକ ହିନ୍ଦୀ ଫିଲ୍ମ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେ ଏନେଇ ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି। କୁହାଯାଉଛି, ଦଶହରା ଦିନ ସେ ଏନେଇ ଘୋଷଣା କରିପାରନ୍ତି।

ଯଦି ଖବରଟି ସତ ହୋଇଥାଏ, ତା’ହେଲେ ଏହା ହେବ ସମନ୍ଥାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ। ଏହା ପୂର୍ବରୁ ସେ କେବଳ ତାମିଲ ଓ ତେଲୁଗୁରେ ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି। ୨୦୧୧ରେ ହିନ୍ଦୀ ଫିଲ୍ମ ‘ଏକ ଦିୱାନା ଥା’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏଥିରେ ସେ ଅତିଥି କଳାକାର ଭାବେ ଆସିଥିଲେ।

ସମନ୍ଥାଙ୍କୁ ମିଳିଥିବା ହିନ୍ଦୀ ଫିଲ୍ମ ସମ୍ପର୍କରେ ଆଉ କିଛି ଜଣାପଡ଼ି ନାହିଁ। କୁହାଯାଉଛି, ନିର୍ମାତା ଏବେ ଫିଲ୍ମର ଅନ୍ୟ ଚରିତ୍ରରେ କାହାକୁ ନେବେ ସେ କଥା ଚୂଡ଼ାନ୍ତ କରୁଛନ୍ତି। ତେବେ ଖୁବ୍‌ଶୀଘ୍ର ସେମାନେ ଏନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି।

ଏହା ବି ସୂଚନା ଆସିଛି ଯେ ୟା’ ଭିତରେ ସମନ୍ଥା ମୁମ୍ବାଇରେ ଏକ ଘର କିଣି ସାରିଛନ୍ତି। ସେ ମୁମ୍ବାଇରେ ରହି ବଲିଉଡ୍‌ରେ ତାଙ୍କ କ୍ୟାରିୟରକୁ ଆଗକୁ ନେବାକୁ ଇଚ୍ଛା ରଖିଥିବା କୁହାଯାଉଛି। ଅନ୍ୟପକ୍ଷରେ ତାଙ୍କୁ ଗୋଟିଏ ତେଲୁଗୁ ଫିଲ୍ମର ଅଫର ମଧ୍ୟ ମିଳିଛି, ଯାହା ମହିଳା କୈନ୍ଦ୍ରିକ। ଏଥିରେ କାମ କରିବାକୁ ସେ ଚୁକ୍ତି ସ୍ୱାକ୍ଷର କରି ସାରିଛନ୍ତି। ଏହାର ଶୁଟିଂ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।