ମୁମ୍ବାଇ: ରାଜକୁମାର୍ ହିରାନୀଙ୍କ ନିର୍ଦ୍ଦେଶିତ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’କୁ ୨୦୧୮ ‘ଇଣ୍ଡିଆନ୍ ଫିଲ୍ମ୍ ଫେଷ୍ଟିଭାଲ୍ ଅଫ୍ ମେଲ୍ବୋର୍ନ’ରେ ଶ୍ରେଷ୍ଠ ଫିଲ୍ମ୍ ଭାବେ ପୁରସ୍କୃତ କରାଯାଇଛି।
ରାଜକୁମାର ହିରାନୀ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଫିଲ୍ମ ‘ହିଚ୍କି’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଛି। ସେହିପରି ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି।
ରବିବାର ମେଲବୋର୍ନରେ ଆୟୋଜିତ ଏହି ଫିଲ୍ମ ପୁରସ୍କାର ସମାରୋହରେ ବଲିଉଡ୍ର ବହୁ ନାମୀ ଦାମୀ କଳାକାର ସାମିଲ ହୋଇଥିଲେ।
ପୁରସ୍କାର ଚୟନ କମିଟିର ଜୁରୀ ମେମ୍ବର ଥିଲେ ସିମି ଗରେୱାଲ୍, ନିଖିଲ୍ ଆଡଭାନୀ, ସୁ ମାସ୍ଲିନ୍, ଜିଲ୍ ବିଲ୍କକ୍, ଜିଅଫ୍ରି ରାଇଟ୍ ଓ ଆଣ୍ଡ୍ର୍ୟୁ ଆନାଷ୍ଟସିଅସ୍।
ସୂଚନାଯୋଗ୍ୟ, ବଲିଉଡ୍ ବକ୍ସ ଅଫିସ୍ରେ ଧମାକା ସୃଷ୍ଟି କରିଥିବା ଫିଲ୍ମ୍ ‘ସଞ୍ଜୁ’କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୁପରଷ୍ଟାର୍ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ୍ରେ ୧୯୯୩ ମୁମ୍ବାଇ ବିସ୍ଫୋରଣର କିଛି କାହାଣୀ ରହିଛି। ତେବେ ଏହି ଫିଲ୍ମ୍ରେ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ଅବୁ ସାଲେମ୍ ସମ୍ପର୍କରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଅବୁ ସାଲେମ୍ଙ୍କ ଓକିଲ ‘ସଞ୍ଜୁ’ ଫିଲ୍ମ୍ ନିର୍ମାତାଙ୍କୁ ନୋଟିସ୍ ପଠାଇଛନ୍ତି। ଭୁଲ ତଥ୍ୟ ସାର୍ବଜନୀନ ହୋଇଥିବାରୁ ଫିଲ୍ମ୍ ନିର୍ମାତା କ୍ଷମା ମାଗନ୍ତୁ ବୋଲି ଏହି ନୋଟିସ୍ରେ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।