ସାରାଙ୍କ ପରେ ଏବେ ଭାଇ ଇବ୍ରାହିମ୍‌ଙ୍କ ପାଳି, କରିବେ ବଲିଉଡ୍‌ରେ ଏଣ୍ଟ୍ରି

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ ଓ ତାଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ଝିଅ ସାରା ଗତ ବର୍ଷ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଦୁଇଟି ଫିଲ୍ମରେ ଅଭିନୟ କରି   ବି ଟାଉନରେ ନିଜର ଏକ ପରିଚୟ ସଷ୍ଟି କରିପାରିଛନ୍ତି। ସାରାଙ୍କ ଅଭିନୟକୁ ବହୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ସାରାଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ଭାଇ ଇବ୍ରାହିମ୍‌ ଖାନ୍‌ ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିବେ। ସୂଚନା ଅନୁଯାୟୀ ଇବ୍ରାହିମ୍‌ ନିଜ ପିତା ସୈଫ୍‌ଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ନିଜ ଭଉଣୀ ପରି ବଲିଉଡ ଫିଲ୍ମରେ ହିଁ କାମ କରିବାକୁ ଚାହୁଁଛନ୍ତି।

ଖବର ମୁତାବକ, ପୁଅ ପାଇଁ ସୈଫ୍ ଫିଲ୍ମ ପ୍ରଡ୍ୟୁସ୍‌ କରିବାର ଯୋଜନା କରୁଛନ୍ତି। ଏବେ ଇବ୍ରାହିମ୍‌ଙ୍କୁ କ୍ୟାମେରା ପାଇଁ ପ୍ରସ୍ତୁତ କରିବାକୁ ଉଦ୍ୟମ ଚାଲିଛି। ଝିଅ ସାରାଙ୍କ ବଲିଉଡ ଡେବ୍ୟୁରେ ସୈଫ୍‌ ଖୁସି ନଥିଲେ। କାରଣ ସେ ଚାହୁଁଥିଲେ ସାରା ପାଠ ପଢ଼ା ସମ୍ପୂର୍ଣ୍ଣ କରିବା ପରେ ହିଁ ବଲିଉଡରେ ଏଣ୍ଟ୍ରି କରନ୍ତୁ। କିନ୍ତୁ ସାରା ଫିଲ୍ମ ଲାଇନ୍‌କୁ ହିଁ ନିଜ କ୍ୟାରିୟର ରୂପେ ବାଛିଲେ। ଆଉ ଏଥିରେ ସାରାଙ୍କ ସାଥ ଦେଇଥିଲେ ତାଙ୍କ ମା’ ଅମୃତା ସିଂହ। ନିକଟରେ ସାରା ଫିଲ୍ମ ‘କେଦାରନାଥ’ରେ ତାଙ୍କ ଭଲ ପ୍ରଦର୍ଶନ ପାଇଁ ଫିଲ୍ମଫେୟାର ଆୱର୍ଡ଼ ବିଜେତା ହୋଇଛନ୍ତି। ସାରା ଆଗକୁ କାର୍ତ୍ତିକ ଆର୍ୟନ୍‌ଙ୍କ ସହ ‘ଲଭ୍‌ ଆଜ୍‌ କଲ୍‌-୨’ରେ ନଜର ଆସିବେ। ତେବେ ସାରାଙ୍କ ପରି ଇବ୍ରାହିମ୍‌ ବଲିଉଡରେ ଜବରଦସ୍ତ ଡେବ୍ୟୁ କରିପାରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।