ଅଭାବ ଅନଟନ ନୁହେଁ, ଖାସ୍‌ ଅଭିନୟ ନିଶାରେ ରଙ୍ଗମଞ୍ଚରେ ପାଦ ଥାପିଥିଲେ ଭିକାରୀ

ଅଭାବ, ଅନଟନ ନୁହେଁ, ଖାସ ଅଭିନୟ ନିଶାରେ ରଙ୍ଗୀନ ରଙ୍ଗମଞ୍ଚରେ ପାଦ ଥାପିଥିଲେ। ମୁହଁରେ ରଙ୍ଗ ମାଖି ଝିଲ୍‌ମିଲ୍‌ ଆଲୁଅର ଖେଳରେ ନିଜକୁ ସାମିଲ୍‌ କରାଇଲେ। ଆଉ ବହୁ ଚର୍ଚ୍ଚିତ ହାସ୍ୟ ଅଭିନେତାଙ୍କ ଭିତରେ ନିଜକୁ ସାମିଲ କରାଇଲେ। ନିଜ ପାଇଁ ଗଢ଼ିପାରିଲେ ସ୍ୱତନ୍ତ୍ର ପରିଚୟ। ମଞ୍ଚରେ ହସାଇ ହସାଇ ସମସ୍ତଙ୍କୁ ବେଦମ କରାଇଲେ। ସେମିତି ଜଣେ ହାସ୍ୟ ଅଭିନେତା ହେଉଛନ୍ତି ଭିକାରୀ ସ୍ୱାଇଁ। ଯାଜପୁର ଜିଲ୍ଲା ବଡ଼ବାଲିକୁଦା ଗାଁର ହାଡ଼ିବନ୍ଧୁ ସ୍ୱାଇଁଙ୍କ ୪ ପିଲାଙ୍କ ଭିତରୁ […]

Bhikari-Swai

Bhikari-Swai

Manoranjan Sial
  • Published: Wednesday, 20 October 2021
  • Updated: 20 October 2021, 09:35 PM IST

Sports

Latest News

ଅଭାବ, ଅନଟନ ନୁହେଁ, ଖାସ ଅଭିନୟ ନିଶାରେ ରଙ୍ଗୀନ ରଙ୍ଗମଞ୍ଚରେ ପାଦ ଥାପିଥିଲେ। ମୁହଁରେ ରଙ୍ଗ ମାଖି ଝିଲ୍‌ମିଲ୍‌ ଆଲୁଅର ଖେଳରେ ନିଜକୁ ସାମିଲ୍‌ କରାଇଲେ। ଆଉ ବହୁ ଚର୍ଚ୍ଚିତ ହାସ୍ୟ ଅଭିନେତାଙ୍କ ଭିତରେ ନିଜକୁ ସାମିଲ କରାଇଲେ। ନିଜ ପାଇଁ ଗଢ଼ିପାରିଲେ ସ୍ୱତନ୍ତ୍ର ପରିଚୟ। ମଞ୍ଚରେ ହସାଇ ହସାଇ ସମସ୍ତଙ୍କୁ ବେଦମ କରାଇଲେ। ସେମିତି ଜଣେ ହାସ୍ୟ ଅଭିନେତା ହେଉଛନ୍ତି ଭିକାରୀ ସ୍ୱାଇଁ।

ଯାଜପୁର ଜିଲ୍ଲା ବଡ଼ବାଲିକୁଦା ଗାଁର ହାଡ଼ିବନ୍ଧୁ ସ୍ୱାଇଁଙ୍କ ୪ ପିଲାଙ୍କ ଭିତରୁ ଭିକାରୀ ହେଉଛନ୍ତି ସବା ବଡ଼। ପିଲାବେଳୁ ଥିଲା ଅଭିନୟ ପ୍ରତି ରୁଚି। ସେଥିପାଇଁ ମାଟ୍ରିକରେ ପଢ଼ୁଥିବା ବେଳେ “ଧର୍ମପଦ” ନାଟକରେ ଅଭିନୟ କରିଥିଲେ। ଅଗାଧୁ ଚରିତ୍ରରେ ଧୂମ୍‌ ପ୍ରଶଂସା ସାଉଁଣ୍ଟି ଥିଲେ ଭିକାରୀ। ତା’ପରେ ସାଙ୍ଗ ଓ ପରିଜନଙ୍କ ପ୍ରେରଣାରେ ଯାତ୍ରାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଥମ ସୁଯୋଗ ମିଳିଥିଲା ‘ସୁକନ୍ୟା ଗଣନାଟ୍ୟ’ରେ। ତାଙ୍କର ପ୍ରଥମ ନାଟକ ଥିଲା ‘ଝିଅ ଶାଶୁଘର ଅନେକ ଦୂର’। ଏଥିରେ ସେ କମେଡିଆନ୍‌ କନ୍‌ଷ୍ଟେବଳ ଚରିତ୍ରରେ ଅଭିନୟ କରିଥିଲେ। ସୁକନ୍ୟା ପରେ ତ୍ରିରଙ୍ଗା ହୋଇ ଶିବାନୀ ଗଣନାଟ୍ୟକୁ ଆସିଥିଲେ। ଏଠାରେ ଚର୍ଚ୍ଚିତ ‘ହେ ଈଶ୍ୱର ନମସ୍କାର’ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏଥିରେ ତାଙ୍କୁ ଶୁକୁଟା ଭାଇ ସୁନୁ ପାମ୍ପୁଡ଼ି ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଚରିତ୍ର ତାଙ୍କୁ ରାତାରାତି ଚର୍ଚ୍ଚିତ କରାଇଥିଲା। ସେହିଦିନଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ ଦେଇଛନ୍ତି।

ହସାଇ ହସାଇ ବେଦକ କରୁଥିବା ଭିକାରୀଙ୍କ ଛାତିରେ ରହିଛି ଅନେକ ଦୁଃଖ ଓ ଯନ୍ତ୍ରଣା। ଢେଙ୍କାନାଳ ଜିଲ୍ଲା ବଅଁରପାଳରେ ଖେଳୁଥିଲା ଶିବାନୀ ଗଣନାଟ୍ୟ। ‘ରାଜଧାନୀ ଝିଅ ରାଜନନ୍ଦୀ’ ନାଟକରେ ନିଜ ଚରିତ୍ର ଭିତରେ ଭିଜି ଯାଇଥିଲେ ଭିକାରୀ। ହସାଇ ହସାଇ ବେଦମ କରୁଥିଲେ। ରାତି ପ୍ରାୟ ୩ଟା ହେବ। ମଞ୍ଚରୁ ସିନ୍‌ ସାରି ଗ୍ରୀନ୍‌ ରୁମ୍‌କୁ ଆସିଲା ବେଳେ ହଠାତ ବାଜି ଉଠିଲା ମୋବାଇଲ୍‌ଟା।

ମୋବାଇଲ୍‌ ରିସିଭ୍‌ କରିବା ପରେ ଶୁଣିବାକୁ ପାଇଲେ ଜନ୍ମଜାତା ବାପା ଆଉ ନାହାନ୍ତି। ଗ୍ରୀନ୍‌ ରୁମ୍‌ରେ ଭୋ ଭୋ ହୋଇ କାନ୍ଦି ଉଠିଲେ। ଆଉ ଏହି ସମୟରେ ଜଣେ କିଏ କହିଲା ସିନ୍‌ ଆସିଲା। ନିଜ ଛାତି ଭିତରେ ଥିବା ସବୁ ଯନ୍ତ୍ରଣା ଓ ଦୁଃଖକୁ ଛିତିରେ ଚାପି ରଖି ମଞ୍ଚକୁ ଚାଲିଗଲେ ହସ ବିକିବା ପାଇଁ। ରାତି ସାରା ହସେଇ ହସେଇ ବେଦମ କଲେ। ସକାଳ ହେଲା, ଗାଡ଼ି କରି ଘରକୁ ଫେରିଲେ। ବଡ଼ପୁଅ ହୋଇଥିବାରୁ ବାପାଙ୍କ ଶବ ସତ୍କାର କଲେ। ସଞ୍ଜ ବେଳେ ଆସି ମଞ୍ଚରେ ଅଭିନୟ କଲେ।

ଦୁଃଖ ଏତିକିରେ ସରିଲା ନାହିଁ। ମହାମାରୀ କରୋନା ପାଇଁ ହଠତ୍‌ ଯାତ୍ରା ବନ୍ଦ ହୋଇଗଲା। କଳାକାରମାନେ ଘରକୁ ଫେରିଗଲେ। କରୋନା କମିବା ପରେ ରିହେଲ୍‌ସେଲ୍‌ ଆରମ୍ଭ ହେଲା। ଶିବାନୀ ଛାଡ଼ି ସ୍ୱର୍ଣ୍ଣ ମହଲରେ ଯୋଗଦେଲେ ଭିକାରୀ। ଷ୍ଟେଜ୍‌ ରିଏଲ୍‌ସେଲ୍‌ ସାରି ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ଦୁର୍ଘଟଣାରେ ସେ ଶିକାର ହେଲେ। ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହେଲେ। ଚାଲି ନପାରିବାରୁ ମଞ୍ଚକୁ ଯାଇପାରିଲେ ନାହିଁ। ସେ ବର୍ଷ ସେମିତି ବିତିଲା। ଏବେ ଯାତ୍ରା ବନ୍ଦ ଥିବାରୁ ଦୁଃଖକଷ୍ଟରେ ନିଜ ପରିବାର ଧରି ଘରେ ରହୁଛନ୍ତି।

ଭିକାରୀଙ୍କ ଚର୍ଚ୍ଚିତ ନାଟକ ଭିତରେ ରହିଛି- ଝିଅ ଶାଶୁଘର ଅନେକ ଦୂର, ବାହାଘର ନୁହେଁ ବାହା ବଜାର, ବୋଉଲୋ ମୁଁ ବୋହୂ ହେବିନି, ହେ ଈଶ୍ୱର ନମସ୍କାର, ସୁନା ଝିଅ ଶିବାନୀ, ରୁପ ରାଇଜର ରାଜକୁମାରୀ, ରାମ ବନବାସ କାହାଣୀ ଅଧା, ଝିଅ ମୁଁ ନମ୍ୱର -୧, ତ୍ରାହି ଲକ୍ଷ୍ମଣ, ରାଜଧାନୀ ଝିଅ ରାଜନନ୍ଦିନୀ, ମାଆ କୋଳେ ଲୁଚି ଲୁଚି, ତୋ ବିନା ମୋ କାହାଣୀ ଅଧା, ରଙ୍ଗ ଲଗାଇଛି ରଙ୍ଗୀଲା ରାଧା, ତୋ ବିନା ମୋ କାହାଣୀ ଅଧା, ରଙ୍ଗ ଲଗାଇଛି ରଙ୍ଗନାଗର, ସବୁ ଅଧା ଅଧା ନାଁଟି ରାଧା, ବରଣୀ କନିଆ ବରଷା ରାଣୀ, ରଜନୀ ସଜନୀ ରାତି ପାହିଲା, କଟକି ଝିଅ ଅଟକି ଗଲା ପରି ବହୁ ନାଟକରେ ଅଭିନୟ କରିଛନ୍ତି।

 (ଭୁବନେଶ୍ୱରରୁ ମନୋରଞ୍ଜନ ଶିଅଳ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos