ମୁମ୍ବାଇ: ବଲିଉଡକୁ ଲାଗିଲା ଆଉ ଏକ ଝଟକା। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁର ମାତ୍ର ୨ ଦିନ ପରେ ପୁଣି ଥରେ ଏକ ଦୁଃଖଦ ଖବର ବଲିଉଡକୁ ଦୋହଲାଇ ଦେଇଛି। ବି.ଆର ଚୋପ୍ରାଙ୍କ ପପୁଲାର ସିରିଏଲ ମହାଭାରତର ଭୀମ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପ୍ରବୀଣଙ୍କର ୭୪ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାଯାଇଛି। ପ୍ରବୀଣଙ୍କ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି ।
ବି ଆର ଚୋପ୍ରାଙ୍କ ସିରିଏଲ ‘ମହାଭାରତ’ରେ ଭୀମ ରୋଲ୍ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଥଲେଟ ଥିଲେ। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପ୍ରବୀଣ ୧୯୬୦ରୁ ୭୦ ମସିହା ମଧ୍ୟରେ ଏସିଆମ ଗେମ୍ସରେ ୪ଟି ମେଡାଲ ଜିତିଥିଲେ। ସେଥିମଧ୍ୟରୁ ୨ଟି ସ୍ୱର୍ଣ୍ଣ, ଗୋଟିଏ ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ପଦକ ଥିଲା। ଏଥିନିମନ୍ତେ ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ BSFରେ ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ପ୍ରବୀଣ। ହେଲେ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖାଥିଲା।
ବି ଆର ଚୋପ୍ରା ‘ମହାଭାରତ’ ସିରିଏଲରେ ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ତଥା ବଳିଷ୍ଠ କଳାକାର ଖୋଜୁଥିଲେ। ଏହା ଜାଣି ୧୯୮୬ ମସିହାରେ ବି ଆର ଚୋପ୍ରାଙ୍କୁ ଦେଖା କରିଥିଲେ ପ୍ରବୀଣ ଏବଂ ଉକ୍ତ ଚରିତ୍ର ପାଇଁ ମନୋନୀତ ହୋଇଥିଲେ। ଭୀମ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହେବା ପରେ ପ୍ରବୀଣ ବଲିଉଡରେ ବି ନିଜ ଭାଗ୍ୟ ଚମକାଇବାକୁ ଚେଷ୍ଟା କରିଥିଲେ।
ସେ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଶେହନଶାହ’ ସହିତ ‘କରିସ୍ମା ଖୁଦରତ କା’, ‘ଯୁଦ୍ଧ’, ‘ଜବରଦସ୍ତ’, ‘ସିଂହାସନ’, ‘ଖୁଦଗର୍ଜ’, ‘ଲୋହା’, ‘ମୋହବତକେ ଦୁଶମନ’ ଏବଂ ‘ଇଲାକା’ ଆଦି ବହୁ ଚଳଚ୍ଚିତ୍ରରେ ସହ ଅଭିନେତା ଭାବେ ଅଭିନୟ କରିଥିଲେ। ଏହାବାଦ୍ କିଛି ସିରିଏଲରେ ବି ସେ ନଜର ଆସିଛନ୍ତି । ହେଲେ ଫିଲ୍ମରେ ମୁଖ୍ୟତଃ ତାଙ୍କୁ ବଡିଗାର୍ଡ ବା ଛୋଟ ଭୂମିକା ଅଭିନୟ କରିବାକୁ ଦିଆଯାଉଥିବାରୁ ସେ ନିର୍ମାତାମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ।
ପଞ୍ଜାବ ସରକାରଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ଥିଲେ ପ୍ରବୀଣ କୁମାର। ଏସିଆନ ଗେମ୍ସରେ ମେଡାଲ ଜିତି ଫେରୁଥିବା ପଞ୍ଜାବର ଖେଳାଳିଙ୍କୁ ରାଜ୍ୟ ସରକାର ପେନସନ୍ ଦେଉଥିବା ବେଳେ ତାଙ୍କୁ କିନ୍ତୁ ଏହି ସୁବିଧାରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଥିଲେ।
ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରବୀଣ କୁମାର ୨୦୧୩ରେ ‘ଆମ ଆଦମୀ ପାର୍ଟି’ରେ ଯୋଗ ଦେଇଥିଲେ। ସେ ଦିଲ୍ଲୀର ବଜୀରପୁର ବିଧାନସଭା ଆସନରୁ ଲଢ଼ିଥିଲେ। କିନ୍ତୁ ପରାସ୍ତ ହୋଇଥିଲେ। ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ। ଶେଷ ସମୟରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଏହି କଳାକାର।