ବଲିଉଡ୍‌ରେ ବାହା ଋତୁ: ସୋନମଙ୍କ ପରେ ବାହା ହେଲେ ନେହା

ମୁମ୍ବାଇ: ବଲିଉଡ୍‌ରେ ଏବେ ବାହାଘର ଋତୁ ଚାଲିଛି। ଜଣଙ୍କ ପରେ ଜଣେ ଅଭିନେତ୍ରୀ ଏବେ ହାତକୁ ଦୁଇ ହାତ ହେଉଛନ୍ତି। ଗତ ୮ତାରିଖରେ ସୋନମ କପୁରଙ୍କ ବିବାହ ସରିଲା। ଆଜି ଅଚାନକ୍‌ ନେହା ଧୁପିଆ ବିବାହ କରିଛନ୍ତି।

ନିଜଠୁ ଦୁଇ ବର୍ଷ ସାନ ଅଙ୍ଗଦ ବେଦୀଙ୍କ ସହ ସେ ବିବାହ କରିଛନ୍ତି। ପଞ୍ଜାବୀ ରୀତିନୀତିରେ ଆଜି ବିବାହ ସମ୍ପନ୍ନ ହୋଇଛି।

ବିବାହ ଖବର ନେହା ତାଙ୍କ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ପୂର୍ବରୁ ତାଙ୍କ ବିବାହକୁ ନେଇ କିଛି ସୂଚନା ନଥିଲା। ଏବେ ଅଚାନକ୍ ବିବାହ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଆଜି ଟ୍ୱିଟରରେ ଏହି ଖୁସି ଖବର ଦେଇ ନେହା ଲେଖିଛନ୍ତି ‘ ମୁଁ ମୋର ସବୁଠୁ ଭଲ ବନ୍ଧୁଙ୍କୁ ବିବାହ କରିଛି। ଏହା ମୋ ଜୀବନର ସବୁଠୁ ଭଲ ନିଷ୍ପତ୍ତି’। ନେହାଙ୍କ ସ୍ୱାମୀ ଅଙ୍ଗଦ ମଧ୍ୟ ଟ୍ୱିଟରରେ ବିବାହର ଫଟୋ ସେୟାର କରିଛନ୍ତି।

ଏଠାରେ ଜଣାଇଦେଉଛୁ ଯେ ଅଙ୍ଗଦ କ୍ରିକେଟ୍‌ ତାରକା ବିଶନ ସିଂ ବେଦୀଙ୍କ ପୁଅ।

ଅଙ୍ଗଦ ସହଯୋଗୀ କଳାକର ଭାବେ ବଲିଉଡ୍‌ ଫିଲ୍ମରେ ଅଭିନୟ କରନ୍ତି। ‘ପିଙ୍କ୍’, ‘ଡିଅର ଜିନ୍ଦେଗୀ’, ‘ଟାଇଗର ଜିନ୍ଦା ହୈ’ ଫିଲ୍ମରେ ଆପଣମାନେ ତାଙ୍କୁ ଦେଖିଥିବେ।