ମୁମ୍ୱାଇ: ଦବଙ୍ଗ ଷ୍ଟାର ସଲମାନ୍ ଖାଁଙ୍କ ପିଛା ଛାଡୁନି ବିବାଦ। ଗତ କିଛି ମାସ ହେବ ସଲମାନ୍ ୨୦୦୨ ମସିହାର ‘ହିଟ୍ ଏଣ୍ଡ ରନ୍’ ମାମଲା ପାଇଁ ଚର୍ଚ୍ଚାରେ ରହିଥିଲେ । ଏହାସହିତ ୧୯୯୮ର ‘କୃଷ୍ଣସାର ମୃଗ ଶିକାର’ ମାମଲାରେ ଛନ୍ଦି ହୋଇ ରହିଛନ୍ତି। ହେଲେ ଏବେ ଆଉ ଏକ ବିବାଦରେ ଫସିଛନ୍ତି ସଲମାନ। ବଲିଉଡ୍ ଫିଲ୍ମ ‘ବୀର’ର ପ୍ରଯୋଜକ ବିଜୟ ଗିଲାନୀ ସଲମାନଙ୍କ ଉପରେ ୨୫୦ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି। କୋର୍ଟ ମଧ୍ୟ ବିଜୟଙ୍କ ସହ ଏକମତ ଅଛନ୍ତି। ସଲମାନ୍ କେଉଁ ଆଧାରରେ ଅଧିକ ଟଙ୍କା ମାଗୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
ବିଜୟଙ୍କ କହିବାନୁସାରେ ‘ବୀର’ ଫିଲ୍ମ କରିବା ପାଇଁ ସଲମାନ୍ ହିଁ ତାଙ୍କୁ କହିଥିଲେ। ଏଥିପାଇଁ ସେ ୧୦ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ଯଦି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କଲେ ସଲମାନଙ୍କୁ ୧୫ କୋଟି ଟଙ୍କା ଦିଆଯିବ ବୋଲି ସେମାନଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା। ଫିଲ୍ମର ଶୁଟିଂ ଶେଷ ହେବା ପରେ ପ୍ରଯୋଜକ ବିଜୟ ଇରୋଜ ଏଣ୍ଟର ଟେନମେଣ୍ଟକୁ ଫିଲ୍ମଟିକୁ ବିକ୍ରି କରି ଦେଇଥିଲେ।
ଏହାପରେ ସଲମାନ୍ ‘ଫେଡରେଶନ୍ ଅଫ୍ ୱେଷ୍ଟନ୍ ଇଣ୍ଡିଆର ସିନେ ଆସୋସିଏସନ୍’ ନିକଟକୁ ଯାଇଥିଲେ। ଏଠରେ ବିଜୟ କହିଥିଲେ, ଏହି ଫିଲ୍ମରେ ତାଙ୍କୁ ଅଧିକ ଲାଭ ମିଳିନଥିବାରୁ ସେ ଟଙ୍କା ଦେଇ ପାରିବେ ନାହିଁ।