ରିଲିଜ୍‌ ହେଲା ବିଗବସ୍ ଫେମ୍ ସପ୍ନା ଚୌଧୁରୀଙ୍କ ଡେବ୍ୟୁ ଫିଲ୍ମର ଟ୍ରେଲର

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରିଆଲିଟି ସୋ ‘ବିଗ୍‌ବସ୍‌-୧୧’ର ପ୍ରତିଯୋଗୀ ସପ୍ନା ଚୌଧୁରୀଙ୍କ ଡେବ୍ୟୁ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ସପ୍ନା ଭୋଜପୁରୀ, ହରିୟାଣବି ଓ ପଞ୍ଜାବୀ ଫିଲ୍ମରେ ଧୂମ୍‌ ମଚାଇବା ପରେ ଏବେ ବଲିଉଡ୍‌ରେ ନିଜ ଅଭିନୟର କମାଲ ଦେଖାଇବାକୁ ପାଦ ଥାପିଛନ୍ତି।  ତାଙ୍କ ଫିଲ୍ମ ‘ଦୋସ୍ତି କେ ସାଇଡ୍ ଇଫେକ୍ଟସ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ସପ୍ନା ଜଣେ ଆଇପିଏସ୍ ଅଫିସର୍‌ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସପ୍ନାଙ୍କର ଜବରଦସ୍ତ ଆକ୍ସନ୍‌ ସିନ୍‌ ରହିଛି।

ଫିଲ୍ମର ନିର୍ଦ୍ଦେଶନା ହାଦି ଅଲ୍ଲୀ ଅବରାର୍ ଦେଇଥିବା ବେଳେ ଜୟଲ୍ ଡ୍ୟାନିୟଲ ପ୍ରୟୋଜନା ଭାର ସମ୍ଭାଳିଛନ୍ତି। ଫିଲ୍ମଟିର କାହାଣୀ ୪ ଜଣ ବନ୍ଧୁଙ୍କ ଉପରେ ଆଧାରିତ। ଯେଉଁମାନେ ନିଜ ସ୍ୱପ୍ନ ପୂରା କରିବାକୁ କିଛି ବି କରିପାରନ୍ତି। ଫିଲ୍ମରେ ସପ୍ନାଙ୍କ ବ୍ୟତିତ ବିକ୍ରାନ୍ତ ଆନନ୍ଦ, ଜୁବେର ଖାନ୍, ଅରୁଣ ଯାଦବ, ନୀଲ ମୋଟୱାନୀ ଓ ସାଇ ଭଲ୍ଲାଲ୍‌ ପ୍ରଭୃତି ଅଛନ୍ତି। ଫିଲ୍ମର କାହାଣୀ ଲେଖିଛନ୍ତି ରୀନା ଡେନିୟଲ୍।  ସେହିପରି ଅଲତାଫ୍ ସଇଦ୍ ଓ ମନ୍ତ୍ରୀ ବର୍ମା ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସପ୍ନା ଚୌଧୁରୀ ଏହା ପୂର୍ବରୁ ବଲିଉଡ୍‌ରେ ଦୁଇଚି ସ୍ପେଶଲ୍ ସଙ୍ଗ କରିସାରିଛନ୍ତି। ସେ ‘ଭୀରେ କି ୱେଡିଂ’ ଓ ‘ନାନୁ କି ଜାନୁ’ରେ ସ୍ପେଶାଲ୍‌ ନମ୍ବର କରିଥିଲେ। ଫିଲ୍ମ ତ ବକ୍ସ ଅଫିସ୍‌ରେ ଚାଲି ପାରିଲା ନାହିଁ ହେଲେ ସପ୍ନାଙ୍କ ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ରିୟାଲିଟି ଶୋ ‘ବିଗ୍‌ବସ୍‌-୧୧’ ହିଁ ସପ୍ନାଙ୍କୁ ଏତିକି ଲୋକପ୍ରିୟତା ଆଣିଦେଇଛି। ଏଥିରେ ଭାଗ ନେବା ପରେ ସପ୍ନା ଚୌଧୁରୀ ଘରେ ଘରେ ପରିଚିତ ହେଲେ। ଏବେ ସପ୍ନା ବିହାରଠୁ ନେଇ କୋଲକାତା ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଷ୍ଟେଜ୍‌ ସୋ ମଧ୍ୟ କରିବାକୁ ଯାଉଛନ୍ତି।

.

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।