ଉଦଳା(ମାନସ ପାଣି): ପାହି ଆସୁଥିଲା ରାତି। ସରିଆସୁଥିଲା ନାଟକ। ଆଉ ଶେଷ ଗୀତରେ ଦର୍ଶକଙ୍କୁ ଝୁମାଉଥିଲେ କଣ୍ଠଶିଳ୍ପୀ ସଞ୍ଜୟ କୁମାର ପାତ୍ର। ହେଲେ ...ମେଘ କେବେ ଭରିଦିଏ ଭରସାର ନିଡ଼... ଗୀତର ଶେଷ ମୁଖୁଡାରେ ନିଜେ ଝଡ଼ିପଡ଼ିଲେ ସଞ୍ଜୟ। ଚାଲିଗଲେ ଅଫେରା ରାସ୍ତାରେ।
ରବିବାର ଉଦଳା ବସଷ୍ଟାଣ୍ଡ ନିକଟରେ ଖେଳୁଥିଲା ତୁଳସୀ ଗଣନାଟ୍ୟ। ନାଟକ ଥିଲା ‘ବରଷା ରାତିକୁ ଭରସା ନାହିଁ’। ଛୁଟିଦିନ ଥିବାରୁ ନାଟକ ଦେଖିବା ପାଇଁ ଖଚାଖଚ୍ଚ ଭିଡ୍ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଆରମ୍ଭ ହେଲା ଯାତ୍ରା। ନାଟକରେ ଭିଜିଲେ ଅଭିନେତା, ଅଭିନେତ୍ରୀ ଓ ଦର୍ଶକ। ପାହି ଆସୁଥିଲା ରାତି। ସରିଆସୁଥିଲା ନାଟକ। ଆଉ ନାଟକର ଶେଷ ଗୀତରେ ଭିଜିଯାଇଥିଲେ ଗାୟକ ସଞ୍ଜୟ କୁମାର ପାତ୍ର। ...ମେଘ କେବେ ଭରିଦିଏ ଭରସାର ନିଡ଼... ହୃଦୟରେ ଭରିଦିଏ ସେନେହର ଅବିର...। ଏହି ଗୀତରେ ସେ ନିଜେ ମେଘ ହୋଇ ବରଷିବା ପୂର୍ବରୁ ତଳେ ଲୋଟିଗଲେ।
ସଞ୍ଜୟ କୁମାର ପାତ୍ର ତଳେ ପଡ଼ିଯାଇଥିବା ଦେଖି ହତବାକ ହୋଇଯାଇଥିଲେ ସାଥୀ କଳାକାର। ସବୁବେଳେ ସଙ୍ଗୀତରେ ଆଚ୍ଛାଦିତ ହେଉଥିବା ସ୍ଥାନ ଏକ୍ଦମ ସ୍ତବ୍ଧ ହୋଇଗଲା। କଣ ହେଲା... କଣ ହେଲା... ଡାକ ଭିତରେ ଛାତି ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ସଞ୍ଜୟ। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଉଦଳା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସେ ଚାଲି ଯାଇଥିଲେ ଅଫେରା ରାଇଜକୁ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ହୃଦଘାତରେ କିମ୍ବା କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଞ୍ଜର ସଳୀତା ହୋଇ ଆସିଥିଲେ। ‘ବରଷା ରାତିକୁ ଭରସା ନାହିଁ’ ନାଟକର ଶେଷ ଗୀତ ଗାଉଥିବା ବେଳେ ଚିର ନିଦ୍ରାରେ ଶୋଇଗଲେ ସଞ୍ଜୟ। ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି।
ମହାମାରୀ କରୋନାର କାୟା ହଟିବା ପରେ ଚଳିତବର୍ଷ ପ୍ରଥମ ଥର ପାଇଁ ସଞ୍ଜୟ କୁମାର ପାତ୍ର ତୁଳସୀ ଗଣନାଟ୍ୟରେ ଯୋଗଦେଇଥିଲେ। ତାଙ୍କର ପରିବାର କହିଲେ ପତ୍ନୀ, ଝିଅ ଓ ଦୁଇ ପୁଅ। ଆଉ କିଛିଦିନ ପରେ ବଡ଼ଝିଅର ବାହାଘର ହୋଇଥାଆନ୍ତା। ହେଲେ ଝିଅର ବାହାଘର ଦେଖିବା ପୂର୍ବରୁ ଚାଲିଗଲେ।