ହାଇଦ୍ରାବାଦ: ସାଉଥର ମୋଷ୍ଟ ପପୁଲାର ଭିଲେନ୍ ତଥା ଅଭିନେତା ବିଜୟ ସେତୁପତିଙ୍କ ଶୁଟିଂସେଟ୍ରେ ଅଘଟଣ। ଷ୍ଟଣ୍ଟ କରୁଥିବା ବେଳେ ଟଳି ପଡିଲେ ଷ୍ଟଣ୍ଟମ୍ୟାନ୍। ୫୪ ବର୍ଷ ବୟସରେ ଷ୍ଟଣ୍ଟମ୍ୟାନ୍ ସୁରେଶଙ୍କ ଦେହାନ୍ତ ହୋଇଛି। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ସୂଚନା ମୁତାବକ, ତାମିଲ ଫିଲ୍ମ ‘ବିଦୁଥଲଇ’ର ଶୁଟିଂ ଚାଲିଥିଲା। ପୂରା ସେଟ୍କୁ ଟ୍ରେନ୍ର ଅଦରକାରୀ ଜିନିଷରେ ତିଆରି କରାଯାଇଥିଲା। ସୁରେଶ ଏକ ବଡ ଉଚ୍ଛତାରୁ ଡେଇଁବା ଷ୍ଟଣ୍ଟ କରୁଥିଲେ। ସହାୟତା ଦୃଷ୍ଟିରୁ ତାଙ୍କୁ କ୍ରେନ୍ ସାହାଯ୍ୟରେ ଦଉଡିରେ ବନ୍ଧା ମଧ୍ୟ ଯାଇଥିଲା। କିନ୍ତୁ ଷ୍ଟଣ୍ଟ ସିନ୍ କରିବା ବେଳେ ହଠାତ୍ ତାଙ୍କୁ ବନ୍ଧା ଯାଇଥିବା ଦଉଡିଟି ଛିଣ୍ଡି ଯାଇଥିଲା। ଏହାପରେ ସେ ୨୦ ଫୁଟ୍ ଉଚ୍ଚରୁ ତଳେ ପଡି ଗୁରୁତର ହୋଇଥିଲେ।
ଷ୍ଟଣ୍ଟମ୍ୟାନ୍ ସୁରେଶଙ୍କ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚିପାରିନଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି। କିଭଳି ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରଖିଛି।
ରିିପୋର୍ଟ ମୁତାବକ, ସୁରେଶ ଦୀର୍ଘ ୨୫ ବର୍ଷ ହେବ ଫିଲ୍ମରେ ଷ୍ଟଣ୍ଟ କରୁଥିଲେ। ଷ୍ଟଣ୍ଟମ୍ୟାନ୍ ରୂପେ ସେ ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ। ଏହି ଫିଲ୍ମର ଲିଡ୍ ଷ୍ଟଣ୍ଟ ଡାଇରେକ୍ଟରଙ୍କ ଉପସ୍ଥିତିରେ ସୁରେଶ ତାଙ୍କ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ। ତେବେ ଏହି ଦୁର୍ଘଟଣା ପରେ ଫିଲ୍ମ ବିଦୁଥଲଇର ଶୁଟିଂକୁ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମର ଲିଡ୍ ରୋଲ୍ରେ ବିଜୟ ସେତୁପତିଙ୍କ ସହ ସୁରୀ ମଧ୍ୟ ଭୂମିକାରେ ନଜର ଆସିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।