ସେଦିନର ବିଏସ୍‌ଏଫ୍‌ ଯବାନ ଆଜି ଯଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ

୧୩ ବର୍ଷ ବୟସରେ ବାପାଙ୍କୁ ହରାଇ ଥିଲେ। ସଳିତା ପରି ଜଳି ଜଳି ପିଲାଙ୍କୁ ବଡ଼ କରିଥିଲେ ମା’। ଶୈଶବର ସ୍ୱପ୍ନକୁ ସାକାର କରି ଭର୍ତ୍ତି ହୋଇଥିଲେ ସେନାବାହିନୀରେ। ଆଉ ଲଢୁଥିଲେ ଦେଶ ପାଇଁ। ଶତ୍ରୁପକ୍ଷର ଗୁଳିମାଡ଼ରେ ଆହତ ହେବା ପରେ ଜୀବନର ଗତିପଥ ବଦଳିଗଲା ସତ କିନ୍ତୁ ପରେ ମିଳିଲା ସ୍ୱତନ୍ତ୍ର ପ୍ରସିଦ୍ଧି। ଆମେ କହୁଛୁ, ଯଳିଉଡର ଅନ୍ୟଜଣେ ଉଚ୍ଚଶିକ୍ଷିତ ଅଭିନେତା, ଯାତ୍ରା ସୁପରଷ୍ଟାର୍ ବାପି ପଣ୍ଡାଙ୍କ କଥା।

ପିଲାବେଳେ ଯେଉଁଥିପ୍ରତି ଦୁର୍ବଳତା ଥିଲା, ତାହା ହିଁ ହେଲା ପରିଣତ ବୟସରେ ପେସା। ପଢ଼ୁଥିବାବେଳେ ସ୍କୁଲ୍ ଡ୍ରାମା ଦାତା କର୍ଣ୍ଣରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବାପିଙ୍କର ସ୍ୱପ୍ନ ଥିଲା ଦେଶ ସୁରକ୍ଷା ପାଇଁ ସୈନିକ ସାଜିବେ। ବାପା ପୁରେନ୍ଦ୍ର ନାଥ ପଣ୍ଡା ଥିଲେ ନାଭାଲ ଅଫିସର୍ ଆଉ ଅବସର ପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗରେ ଚାକିରି କରିଥିଲେ। ସେନାବାହିନୀରେ ସାମିଲ୍ ପାଇଁ ବାପା ହିଁ ଥିଲେ ବାପିଙ୍କ ପ୍ରେରଣା। ଆଉ ଅକାଳରେ ବାପା ଚାଲିଯିବା ପରେ ଏହି ସଂକଳ୍ପ ଅଧିକ ଦୃଢ଼ ହୋଇଥିଲା। କଲେଜ୍ ସରିବା ପରେ ଯୋଗ ଦେଲେ ବିଏସଏଫ୍ ବା ସୀମା ସୁରକ୍ଷା ବଳରେ। ତାଲିମ୍ ସାରିବା ପରେ ପାକିସ୍ତାନ୍ ସୀମା କୁପୱାଡ଼ାରେ ହୋଇଥିଲା ପୋଷ୍ଟିଂ। ବିବାହ ପରେ ସବୁ କିଛି ଠିକଠାକ୍ ଚାଲିଥିବାବେଳେ ହଠାତ୍ ବାପିଙ୍କ ଜୀବନାକାଶକୁ ମାଡ଼ି ଆସିଥିଲା ଅଘଟଣର କଳାବାଦଲ। ଶତ୍ରୁପକ୍ଷ ସହ ଗୁଳି ବିନିମୟ ବେଳେ ଗୁରୁତର ଆହତ ହୋଇ ଢେର ଦିନ ପଡ଼ିଲେ ମେଡିକାଲରେ । ଦୀର୍ଘ ଚିକିତ୍ସା ପରେ ଆରୋଗ୍ୟ ଲାଭ କଲେ ସତ ହେଲେ ହରାଇ ବସିଲେ ସେନାବାହିନୀରେ ରହିବାର ସାମର୍ଥ୍ୟ। ଏଇଠି ହିଁ ବଦଳିଗଲା ଜୀବନର ରାସ୍ତା। ଡାହାଣ ଗୋଡ଼ ଠିକ୍ ଭାବେ କାମ ନକରିବାରୁ ଭିଆରଏସ୍ ନେଇ ଜନ୍ମ ମାଟିକୁ ଫେରି ଆସିବା ପାଇଁ ବାଧ୍ୟ. ହେଲେ ବାପି। ସେତେବେଳକୁ ତାଙ୍କ ବଡ଼ ପୁଅ ପଢ଼ୁଥିଲା ସପ୍ତମରେ।

ଯବାନ୍ ପୋଷାକ କାଢ଼ି ସିଭିଲିଆନ୍ ହେବା ପରେ ଆରମ୍ଭ ହେଲା ବଞ୍ଚିବା ପାଇଁ ସଂଘର୍ଷ। ଘରେ ଦୁଇ ପୁଅ, ପତ୍ନୀ, ସାନ ଭାଇ ଓ ମା । ସମସ୍ତଙ୍କ ବୋଝ ପଡ଼ିଲା ମା ଙ୍କ ଉପରେ। ସେତେବେଳକୁ ସମାଜସେବାର ଝୁଙ୍କ ଘାରିଲାଣି ବାପିଙ୍କ ମୁଣ୍ଡକୁ। ସଂଚିତ ଅର୍ଥ ଧିରେ ଧିରେ ଖର୍ଚ୍ଚ ହୋଇ ଯିବା ପରେ ଆରମ୍ଭ ହେଲା ଧାର କରଜ। ମାଙ୍କ ଠାରୁ ଅନେକବାର ହାତ ପାତିବାକୁ ମଧ୍ୟ ପଡ଼ିଲା। କିନ୍ତୁ ଏସବୁକୁ ହଜମ କରିବା ଧିରେ ଧିରେ ଅସହ୍ୟ ହୋଇ ପଡ଼ିଲା ଆଉ ନିର୍ଦ୍ଦିଷ୍ଟ ରୋଜଗାରର ପନ୍ଥା ପାଇବାକୁ ଘୂରି ବୁଲିଲେ ବାପି। ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିବାବେଳେ ହଠାତ୍ ପ୍ରସ୍ତାବ ଆସିଲା ଯାତ୍ରା ଅଭିନୟ ପାଇଁ। ପ୍ରଥମେ ତ ଏହାକୁ ଗ୍ରହଣ କରିପାରି ନଥିଲେ ହେଲେ ଅଭିନୟ ପ୍ରତି ପିଲାବେଳୁ ଥିବା ଦୁର୍ବଳତା ଯୋଗୁ ପରିବାର, ସଂପର୍କୀୟ ଓ ଶୁଭେଚ୍ଛୁଙ୍କ ସହ ପରାମର୍ଶ କଲେ। ସମସ୍ତେ ଏଥିପାଇଁ ମନା କଲେ କେବଳ ପ୍ରାଣପ୍ରିୟା ପତ୍ନୀଙ୍କୁ ଛାଡ଼ି। ପରିବାର ଲୋକଙ୍କ ଯାବତୀୟ ନାହିଁ ନାହିଁ ସତ୍ତ୍ୱେ ପତ୍ନୀ ହିଁ ଜିଦ୍ ଧରି ବାପିଙ୍କୁ ଯାତ୍ରା ଅଭିନୟ ପାଇଁ ରାଜି କରାଇଥିଲେ। ବୋଧହୁଏ ତାହା ହିଁ ଥିଲା ଈଶ୍ୱରଙ୍କ ଇଛା ଆଉ ବାପିଙ୍କୁ ଅପେକ୍ଷା କରି ରହିଥିଲା ରଙ୍ଗିନ୍ ମଞ୍ଚର ସ୍ୱତନ୍ତ୍ର ପରିଚୟ ଓ ପ୍ରସିଦ୍ଧି।

ମୟୂରଭଞ୍ଜ କପ୍ତିପଦାରେ ସେତେବେଳେ ନୂଆ କରି ଗଢ଼ା ହୋଇଥିବା ଯାତ୍ରା ପାର୍ଟି ମୟୂରୀ ଗଣନାଟ୍ୟରେ ପେସାଦାର୍ ଅଭିନେତା ଭାବେ ଡେବ୍ୟୁ କରିଥିଲେ ବାପି। ମିଳିଲା ଚରିତ୍ର ଅଭିନେତା ଭାବେ ସୁଯୋଗ। ନାଟକ ‘ଯଶୋଦା କୋଳରେ କହ୍ନେଇ ଶବ’ ପାଇଁ ଅନୁବନ୍ଧିତ ନାୟକ ନଆସିବାରୁ ବାପିଙ୍କୁ ମୁଖ୍ୟ ଚରିତ୍ର ଅର୍ଥାତ୍ ନାୟକ ଭୂମିକାରେ ଅଭିନୟ କରିବାର ଅଫର୍ ମିଳିଲା ତ ଏହି ଅଫରକୁ ଚ୍ୟାଲେଞ୍ଜ ଭାବେ ନେଇ ସଫଳ ହେଲେ ଯଲିଉଡର ଭର୍ସାଟାଇଲ୍ ଆକ୍ଟର ବାପି ପଣ୍ଡା। ହାଇଟ୍, ଫିଜିକ୍ ଓ ଅଭିନୟର ଦକ୍ଷତାକୁ ପୁଂଜି କରି ଏହିଠାରୁ ବାପି ଆଉ ପଛକୁ ଫେରି ଚାହିଁ ନଥିଲେ ବାପି। ମୟୂରୀ ଅପେରା ପରେ ଉତ୍କଳ, ଗୌରୀ ଗଣନାଟ୍ୟ, ତୁଳସୀ, ଜଗନ୍ନାଥ, ବାଘାଯତୀନ ଲୋକନାଟ୍ୟ ପରେ ଏ ବର୍ଷ ଆରମ୍ଭରୁ ବାପି ବିଶ୍ୱଦରବାରରେ ଯୋଗ ଦେଇଛନ୍ତି।

ଏବେ ଓଡ଼ିଶା ଯାତ୍ରା ଇଣ୍ଡଷ୍ଟ୍ରୀରେ ଜଣେ ଆଗଧାଡ଼ିର ନିର୍ଭରଯୋଗ୍ୟ ନାୟକ ଭାବେ ଗଣା ଯାଉଥିବା ବାପିଙ୍କ ଚର୍ଚ୍ଚିତ ଓ ହିଟ୍ ନାଟକ ମଧ୍ୟରେ ରହିଛି ତା ନାଁରେ ମୋ ନାଁକୁ ଦେଇଛି ଯୋଡ଼ି, କାହାଣୀ କାନ୍ଦୁଛି ଆଖି ଲୁଚାଇ, ଯଶୋଦା କୂଳରେ କହ୍ନେଇ ଶବ, ମୁଦି ନାହିଁ ଗୋଡ଼ ନାହିଁ କଚାଡୁ କେତେ, ଠକେଇ ଦେବି ଠକ ପାଲିଙ୍କିରେ ବସାଇଦେବି, ମିଛ ସଉତୁଣୀ ମିଛ ଭଉଣୀ, ସିନ୍ଦୁର ହଜିଲା ଟିକିଲି ପାଇଁ, ତୁ ଥା ମୁଁ ଯାଉଛି ରୁଷି, ବାଟବଣା ହେଲା ସବାରୀ, ଫୁଲେଇ ଝିଅ, ଚିଠିରେ ଜଳିବ ଜୁଈ ମୋର, ଚାରି ଛକରେ ତିନି ଝିଅ, କାଲିର ବନ୍ଧନ କଳାଚନ୍ଦନ, ଅର୍ଦ୍ଧାଙ୍ଗିନୀ, ଡାକବଙ୍ଗଳା, ଆଲ୍ଲା ହୋ ଜଗନ୍ନାଥ, ବଦମାସ ପୁଅ, ସୀତାଲୋ ଜଳୁଛି ଚିତା, ମୃତ୍ୟୁଦଣ୍ଡ, ବେଳବୁଡ଼ି ଗଲେ ବେବିନା କାନ୍ଦେ, ବଦମାସ ମଣିଷ ପ୍ରମୁଖ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।