ପ୍ରିୟଙ୍କା-ନିକ୍‌ଙ୍କ ବାହାଘର ଫଟୋ ନେବା ଓ ଛାପିବା ଅଧିକାର ପାଇଁ ହେଲା ଟେଣ୍ଡର୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍‌ ଗାୟକ ନିକ୍‌ ଜୋନସ୍‌ଙ୍କ ବାହାଘର ପାଇଁ ଏବେ ଜୋର୍‌ ପ୍ରସ୍ତୁତି ଚାଲିଛି। ପ୍ରାୟ ପ୍ରତିଦିନ ଏହି ବିବାହ ସମ୍ପର୍କିତ ଖବର ମିଡିଆରେ ଆସୁଛି ଏବଂ ଏହାକୁ ନେଇ ସୋଶାଲ୍‌ ମିଡିଆରେ ମଧ୍ୟ ଚର୍ଚ୍ଚା ହେଉଛି। ଦୁହିଁଙ୍କ ବିବାହ ସମ୍ପର୍କରେ ରବିବାର ଆଉ ଏକ ରୋଚକ ଖବର ରବିବାର ସାମ୍ନାକୁ ଆସିଛି।

ଖବର ମୁତାବକ, ପ୍ରିୟଙ୍କା ଓ ନିକ୍‌ଙ୍କର ବିବାହ ଉତ୍ସବର ଫଟୋ ଉଠାଇବା ଓ ପ୍ରକାଶନ କରିବାର ଅଧିକାର ପାଇଁ ଏକ ଅନ୍ତଃରାଷ୍ଟ୍ରୀୟ ମ୍ୟାଗାଜିନ୍‌କୁ ଦାୟିତ୍ୱ ଦିଆଯାଇଛି।

ଏହି ମ୍ୟାଗାଜିନ୍‌ ୨୫ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୮ କୋଟି ଟଙ୍କା ନେଇ ପ୍ରିୟଙ୍କା ଓ ନିକ୍‌ଙ୍କ ବାହାଘର ଫଟୋର ବ୍ୟବସାୟକରଣ କରିବାର ଅଧିକାର ପାଇବ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି ହାଇପ୍ରୋଫାଇଲ୍‌ ବିବାହ ଉତ୍ସବର ଫଟୋ ପାଇଁ ନିଲାମ ମଧ୍ୟ ଡକା ଯାଇଥିଲା। ଯେଉଁ ନିଲାମୀରେ କିଛି ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥା ସାମିଲ ହୋଇଥିଲେ।

ତେବେ ଯେଉଁ ମ୍ୟାଗାଜିନ୍‌କୁ ଏହି ବାହାଘର ଫଟୋର ବ୍ୟବସାୟ ପାଇଁ ଦାୟିତ୍ୱ ମିଳିଛି, ତା’ର ନାଁ ଏପର୍ଯ୍ୟନ୍ତ ଗୋପନ ରଖାଯାଇଛି।

ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ ରାଜସ୍ଥାନର ଯୋଧପୁରରେ ବିବାହ କରିବେ। ଯୋଧପୁରର ଉମ୍ମେଦ୍‌ ଭବନ ରାଜପ୍ରାସାଦରେ ନଭେମ୍ୱର ୩୦ରୁ ଡିସେମ୍ୱର ୨ ତାରିଖ ଯାଏ ଏହି ଉତ୍ସବ ଚାଲିବ।