ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ କୌଣସି ଅଦାଲତ ତିଆରି ହୋଇନି। ପ୍ରେମର ଅଦାଲତରେ ନା ଅଛନ୍ତି ଓକିଲ, ନା ଅଛନ୍ତି ମାଜିଷ୍ଟ୍ରେଟ୍। ସେଠି ତ ଦୁଇଟି ମନର ମିଳନ ହିଁ ସବୁ କିଛି। ଆଉ ଯେଉଁଠି ମନ ଭାଙ୍ଗି ଗଲାଣି, ସେଠି ଆଉ କିଛି ନାହିଁ... ଜୀବନ ମଶାଣି ସଦୃଶ ପାଲଟି ଗଲାଣି... କିଛି ଲାଭ ହେବନି... ମନ୍ଦିରରେ ଅପେକ୍ଷା କରି କରି ସଞ୍ଜ ହୋଇଗଲା... ହେଲେ ରଜତ ଆସିଲେନି। ଆଉ ଆଶାର କିରଣଟା ସେହି ଅନ୍ଧାର ଭିତରେ ଲିଭିଗଲାଣି...
ଆପଣ ଯଦି ଯାତ୍ରାପ୍ରେମୀ ତା’ହେଲେ ନାଟକ ‘ବ୍ରହ୍ମାସ୍ତ୍ର’ରେ ଏହି ସୁନ୍ଦର ସଂଳାପଟିକୁ ନିଶ୍ଚୟ ଶୁଣିଥିବେ। ଆଉ ଏହି ସଂଳାପକୁ କିଏ ଲେଖିଛନ୍ତି, ତାହା ବି ଆପଣ ଜାଣିଥିବେ। ଯେଉଁମାନେ ଜାଣି ନାହାନ୍ତି, ସେମାନଙ୍କ ପାଇଁ କହି ରଖୁଛୁ ଯେ ଏ ନାଟକରେ ସଂଳାପ ଲେଖିଛନ୍ତି ନାଟ୍ୟକାର ଲିଲି ଦାଶ।
କେନ୍ଦ୍ରାପଡ଼ା ଜିଲ୍ଲାର ଚଉଦକୁଲାଟ ଥାନା ଅନ୍ତର୍ଗତ ବାଘୁଆ କେଶପୁର ଗାଁ। ଏଇଠି ଜନ୍ମ ନେଇଥିଲେ ନାଟ୍ୟକାର ଲିଲି ଦାଶ। ସେହି ଗାଁରେ କଟିଛି ତାଙ୍କ ପିଲାଦିନ। ଓଡ଼ିଆ ଘରର ସଂସ୍କୃତି, ପରମ୍ପରା ଓ ସାମାଜିକ ଚଳଣିରେ ସେ ବଡ଼ ହୋଇଥିଲେ। ଭଲ ପାଠ ପଢ଼ୁଥିଲେ ମଧ୍ୟ କଳା ପ୍ରତି ଥିଲା ତାଙ୍କର ବିଶେଷ ଆକର୍ଷଣ। ସେଥିପାଇଁ ହାଇସ୍କୁଲରେ ପଢ଼ୁଥିବା ବେଳେ କ୍ଷୁଦ୍ର ନାଟକ ଲେଖା ଲେଖି କରୁଥିଲେ। ସେଗୁଡ଼ିକୁ ସ୍କୁଲ୍ ଓ ଗାଁରେ ପରିବେଷଣ କରାଯାଉଥିଲା। ଏଥିପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ପାଠ ପଢ଼ିବା ସହିତ ସେ ଲେଖାଲେଖି ଜାରି ରଖିଥିଲେ। ବିଏ ପାସ୍ କଲା ପରେ ସେ ପଟ୍ଟାମୁଣ୍ଡାଇର ବନ୍ଧପଡ଼ା ଗାଁର ଅଧ୍ୟାପକ ପ୍ରସନ୍ନ କୁମାର ଦାଶଙ୍କୁ ବିବାହ କରିଥିଲେ।
ଶାଶୂ, ଶ୍ୱଶୁର, ସ୍ୱାମୀ ଓ ଦୁଇ ପୁଅଙ୍କୁ ନେଇ ଲିଲି ଶ୍ରୀମତୀ ଦାଶଙ୍କ ପରିବାର। ଘର ସଂସାର ଜଞ୍ଜାଳରୁ ଟିକେ ଫୁରସତ୍ ପାଇଲେ ଚାଲିଯାଆନ୍ତି ଆଉ ଏକ ଦୁନିଆକୁ।
ଓଡ଼ିଶା ଯାତ୍ରା ଜଗତରେ ଶ୍ରୀମତୀ ଦାଶ ୨୦୦୬ ମସିହାରେ ପ୍ରବେଶ କରିଥିଲେ। ଶ୍ୱଶୁର ଗୋପୀନାଥ ଦାଶଙ୍କ ପରାମର୍ଶ ଓ ପ୍ରେରଣାରେ ପ୍ରଥମେ ପଞ୍ଚଶଖା ଗଣନାଟ୍ୟ ପାଇଁ ସେ ନାଟକ ଲେଖିଥିଲେ। ନାଟକଟି ଥିଲା “ବଡ଼ ଭାଉଜଙ୍କ ସାନ ଭଉଣୀ”। ଏହି ନାଟକଟି ବେଶ୍ ଲୋକପ୍ରିୟ ହୋଇଥିଲା। ପରେ ପରେ କିଶୋର ଖଣ୍ଡୁଆଳଙ୍କ ନିର୍ଦ୍ଦେଶନାରେ ସେ ବହୁତ ଗୁଡ଼ିଏ ନାଟକ ଲେଖିଛନ୍ତି। ନାଟ୍ୟ ରଚନା କ୍ଷେତ୍ରରେ କିଶୋର ଖଣ୍ଡୁଆଳଙ୍କୁ ସେ ଗୁରୁ ବୋଲି ମାନନ୍ତି। ତାଙ୍କ ପାଖରୁ ନାଟକ ଲେଖିବାର କଳା ସେ ଶିଖିଥିଲେ ବୋଲି କହନ୍ତି।
ଶ୍ରୀମତୀ ଦାଶଙ୍କ ବହୁ ଚର୍ଚ୍ଚିତ ନାଟକ ଗୁଡ଼ିକ ହେଉଛି “ଜୀବନ ଡ଼ଙ୍ଗା”, “ଝରଣା ଖୋଜୁଛି ନିଜ ଠିକଣା”, “ଏ ଚୁପ୍ କୋର୍ଟ ଚାଲିଛି”, “ବିଚାର ଚାଲିଛି ଅଦାଲତରେ”, “କେମିତି କହିବି କିଏ ନିଜର”, “ପ୍ରେମ ନଗରୀରେ ପ୍ରୀତି ବଜାର”, “କଥା ଥିଲା ଫଗୁଣକୁ”, “ହେ ରଜନୀ ତୁ କାହାର ସଜନୀ”, “ହେ ଈଶ୍ୱର ନମସ୍କାର”, “ରାଜଧାନୀ ଝିଅ ରାଜ ନନ୍ଦିନୀ”, “ରଙ୍ଗିଲା ରାଧିକା ରଜନୀ ଗନ୍ଧା”, “ଘରଣୀ ନୁହେଁ ସେ ବାଉଁଶ ରାଣୀ”, “ହାଟରୁ କିଣିଛି ବାଟର ସାଥି”, “ମନ ଦେଇଥିଲି ମନୁଭାଇକି” ଓ “ମାୟା ବନ୍ଧନକୁ ପ୍ରୀତି ଚନ୍ଦନ”।
ଚଳିତ ବର୍ଷ ଆଶୁତୋଷ ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଲିଲି ଦାଶ ଦୁଇଟି ନାଟକ ଲେଖିଛନ୍ତି। କଳିଙ୍ଗ ଗଣନାଟ୍ୟରେ “ସ୍ୱାମୀ ଆସିଥିଲା ରାତିକ ପାଇଁ” ଓ ଗୌରୀ ଗଣନାଟ୍ୟରେ “ବ୍ରହ୍ମାସ୍ତ୍ର’’। ୨୦୧୫ ମସିହାରେ ଖଣ୍ଡଗିରିରେ ହିରାଲାଲ ଫାଉଣ୍ଡେସନ ତରଫରୁ ତାଙ୍କ ଦ୍ୱାରା ଲିଖିତ ଶିବାନୀ ଗଣନାଟ୍ୟର ନାଟକ “ରାଜଧାନୀ ଝିଅ ରାଜ ନନ୍ଦିନୀ” ପ୍ରଥମ ଓ ବାଘାଯତୀନ ଲୋକନାଟ୍ୟର “ଏ ରଜନୀ ତୁ କାହା ସଜନୀ” ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହି ପ୍ରଶଂସା ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଇଥିଲା ବୋଲି ଶ୍ରୀମତୀ ଦାଶ କହିଛନ୍ତି।
ସେ କହିଛନ୍ତି,“ନାଟକ ଲେଖିବାକୁ ହେଲେ ବହୁତ ପଢ଼ିବାକୁ ପଡ଼ିବ। ସେଥିପାଇଁ ମୁଁ ବିଶିଷ୍ଟ ଔପନ୍ୟାସିକ ପ୍ରତିଭା ରାୟ ଓ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସ ନିୟମିତ ପଢେ। ତାହା ଛଡ଼ା ବିଭିନ୍ନ ଫିଲ୍ମ ଓ ଯାତ୍ରାକୁ ଦେଖେ। ସେଥିରୁ ବହୁ କିଛି ଶିଖିବାକୁ ମିଳିଥାଏ। ଯାହାକୁ ପରବର୍ତ୍ତୀ ସମୟରେ ଦରକାର ପଡ଼ିଲେ ନାଟ୍ୟ ରୂପ ଦେବାକୁ ପଡ଼ିଥାଏ।”
ସଫଳ ନାଟକ ଲେଖିବାରେ ଶ୍ରେୟ କାହାକୁ ଦେବେ ବୋଲି ପ୍ରଶ୍ନର ଉତ୍ତରରେ ଲିଲି ଦାଶ କହିଛନ୍ତି-“ମୋ ନାଟକକୁ ଦର୍ଶକ ଭଲ ପାଉଛନ୍ତି ବୋଲି ମୁଁ ଲେଖୁଛି। ଏଥିପାଇଁ ସର୍ବ ପ୍ରଥମେ ଶ୍ରେୟ ଦର୍ଶକଙ୍କୁ ଦେବି। ଯେତେଦିନ ପର୍ଯ୍ୟନ୍ତ ଦର୍ଶକଙ୍କ ଆଦର ଓ ଶ୍ରଦ୍ଧା ମିଳୁଥିବ, ସେତେଦିନ ପର୍ଯ୍ୟନ୍ତ ମୁଁ ଲେଖୁଥିବି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।