କୋଲକାତା: ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ ଜାହାଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ବିଜନେସ୍ମ୍ୟାନ୍ ନିଖିଲ ଜୈନ୍ଙ୍କ ସହ ବିବାହ ଭାଙ୍ଗିବା ହେଉ ଅବା ଛୁଆ ଅବା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କ। ନୁସରତଙ୍କ ପୁଅର ବାପା ହେଉଛନ୍ତି ୟଶ ଦାସଗୁପ୍ତା। ତେବେ ନୁସରତ ୟଶଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଏବେ ନିଜେ ଦେଇଛନ୍ତି ନୁସରତ।
ନୁସରତ ଏବଂ ୟଶଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି। କିନ୍ତୁ ପ୍ରକୃତ ସତ କ'ଣ? ତା'ର ଖୁଲାସା କରିଛନ୍ତି ଖୋଦ ନୁସରତ। ନିକଟରେ ଏକ ସାକ୍ଷାତକାରରେ ୟଶ୍ଙ୍କ ସହ ବିବାହକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଉପରୁ ସେ ପରଦା ଉଠାଇଛନ୍ତି। ଏଥିସହିତ ସେ ତାଙ୍କ ପୁଅର ଧର୍ମ ନିରପେକ୍ଷତା ବିଷୟରେ ମଧ୍ୟ କହିଛନ୍ତି।
ନୁସରତ କହିଛନ୍ତି, ୟଶ୍ ଦାସଗୁପ୍ତା ଏବଂ ସେ ପୁଣି ବିବାହ କରିବା କୌଣସି ଆବଶ୍ୟକତା ନାହିଁ। ୟଶ ହିନ୍ଦୁ ଏବଂ ସେ ମୁସ୍ଲିମ୍। ମୋ ପୁଅ ଉଭୟ ଧର୍ମ ବିଷୟରେ ଜାଣିବ। ସେ ମାନବତର ସେବା କରିବ, ଯେପରି ତାକୁ କରିବା ଉଚିତ। ତେଣୁ ଆମ ପୁଅ ଜଣେ ଭଲ ମଣିଷ ଭାବେ ବଢ଼ିବ। ଆମ ସମସ୍ତଙ୍କୁ ଏକ ଭଲ ମଣିଷ ଭଳି ଆଗକୁ ବଢ଼ିବା ଉଚିତ। ବାପା-ମା' ରୂପେ ଆମେ ସର୍ବଦା ଓପନ ମାଇଣ୍ଡେଡ୍ ରହିବୁ ବୋଲି କହିଛନ୍ତି ନୁସରତ।
ନୁସରତ ଆହୁରି କହିଛନ୍ତ, 'ଆମେ ଆମ ଘରେ ଦୀପାବଳି, ଦୁର୍ଗା ପୂଜା, ଇଦ, ଖ୍ରୀଷ୍ଟମସ ସବୁ କିଛି ପାଳନ କରିବୁ। ଏହି ଭଳି ଆମେ ୟିଶାନ(ନୁସରତଙ୍କ ପୁଅ) ଆଗରେ ଧର୍ମ ନିରପେକ୍ଷତାର ସଠିକ୍ ଉଦାହରଣ ସୃଷ୍ଟି କରିବୁ। ମୋର ବିଶ୍ୱାସ ସେ ଧର୍ମ ନିରପେକ୍ଷ ଭାରତ ଜଣେ ଆଇଡଲ୍ ନାଗରିକ ହେବ।'
ଅଗଷ୍ଟ ୨୦୨୧ରେ ନୁସରତ ପୁଅ ଇସାନକୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ପ୍ରମାଣ ପତ୍ରରେ ବାପା ନାଁ ସ୍ଥାନରେ ୟଶ୍ ଦାସଗୁପ୍ତା ଲେଖା ହୋଇଥିଲା। ଏହାପରେ ନୁସରତଙ୍କ ଛୁଆର ବାପା କିଏ ସେ ନେଇ ଖୁଲାସା ହୋଇଥିଲା। ନୁସରତ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ୟଶ ଦାସଗୁପ୍ତାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ନୁସରତ ଏବଂ ୟଶ ନିଜ ସମ୍ପର୍କକୁ ଅଫିସିଆଲ କରିବା ପରେ ପ୍ରାୟତଃ ଏବେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଦୁହେଁ ଏକାଠି ଅନେକ ଫିଲ୍ମରେ କାମ ମଧ୍ୟ କରିସାରିଛନ୍ତି।
୨୦୧୮ରେ ନୁସରତ ନିଖିଲ ଜୈନ୍ଙ୍କ ସହ ତୁର୍କୀରେ ବିବାହ କରିଥିଲେ। ଏହି ବିବାହକୁ ନେଇ ବିବାଦ ଉପୁଜିଥିଲା। ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ନିଖିଲଙ୍କ ସହ ତାଙ୍କ ବିବାହକୁ ଗ୍ରହଣ କରିବାକୁ ନୁସରତ ମନା କରିଦେଇଥିଲେ। ନିଖିଲଙ୍କ ସହ ତାଙ୍କର ବିବାହ ଆଇନଗତ ନୁହେଁ ବୋଲି ସେ କହିଥିଲେ। ନିଖିଲ ଏବଂ ନୁସରତ ପରସ୍ପର ବିରୋଧରେ ଅନେକ ଗୁରୁତର ଅଭିଯୋଗ କରିଥିଲେ।