Advertisment

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ। ଏହି ମାସରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ୱତନ୍ତ୍ର ଭାବେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ, ପଞ୍ଚୁକ ବେଶ,ବାଳଧୂପ, ଦିବା ପହୁଡ଼ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।

Advertisment

ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ। ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ। ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ।

କର୍ଣ୍ଣ ଦେଶରେ କୁଣ୍ଡଳ, କଟିତଟରେ ଓଡିଆଣୀ,ମସ୍ତକରେ ତଡଗୀ, ଚନ୍ଦ୍ର, ସୂର୍ଯ୍ୟ ଓ ଚିତା ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି। ଏତଦ୍ ବ୍ୟତୀତ ଶ୍ରୀବିଗ୍ରହମାନେ ବିଭିନ୍ନ ପୁଷ୍କ ଅଳଙ୍କାର, ବାରଳାଗି ପାଟ ଶାଢ଼ି, ଫୁଟା, ଶିରକପଡ଼ା, ପହରଣ, ବଳା, ଅଧର ଓ ଉତ୍ତରୀୟ ବସ୍ତ୍ରରେ ସଜ୍ଜିତ ହୋଇଥାଏ।

Advertisment

ଏହି ମନଲୋଭା ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିର ଜଗମୋହନରେ ପ୍ରବଳ ଜନସମାଗମ ହୋଇଥାଏ। ଶ୍ରୀବିଗ୍ରହମାନଙ୍କ ରାଧା ଦାମୋଦର ବେଶ ଥାଇ ବାଳଧୂପ ନୀତି ଅନୁଷ୍ଠିତ ହୋଇଥାଏ। ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ ଇତ୍ୟାଦି ଭୋଗ ହୋଇଥାଏ। ବାଳଧୂପ ସମୟରେ ପରମ୍ପରା ଅନୁଯାୟୀ ବଡ଼ଛତା ମଠ ତରଫରୁ ବାଦ୍ୟ, ପାରମ୍ପରିକ ସଙ୍ଗୀତ ଗାନ ସମେତ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ କରାଯାଇଥାଏ।

Puri Shreemandir Puri