ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଯୁବବର୍ଗ ବହୁ ଘାତକ ରୋଗର ଶିକାର ହେଉଛନ୍ତି। ସେଥିମଧ୍ୟରୁ ଏକ ରୋଗ ହେଉଛି ଷ୍ଟ୍ରୋକ୍ । ଏହା ଏପରି ଏକ ରୋଗ ଯାହା ପୀଡ଼ିତଙ୍କ ଜୀବନ ନେଇପାରେ, ନଚେତ ଆଜୀବନ ଅକ୍ଷମ କରିପାରେ ।
WHO ଆକଳନ ଅନୁଯାୟୀ, ସମଗ୍ର ବିଶ୍ୱରେ ପ୍ରତି ବର୍ଷ ୧୫ ମିଲିୟନ ଲୋକ ଷ୍ଟ୍ରୋକ୍ର ଶିକାର ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ୫ ମିଲିୟନ ଲୋକ ଆଖି ବୁଜି ଦେଉଥିବା ବେଳେ ଯେଉଁମାନେ ବଞ୍ଚି ଯାଉଛନ୍ତି ସେମାନେ ବିକଳାଙ୍ଗ ହୋଇ ଯାଉଛନ୍ତି।
କିଛି ବର୍ଷ ପୂର୍ବେ ୪୦ ବର୍ଷରୁ କମ୍ ବୟସର ଲୋକ ଷ୍ଟ୍ରୋକ୍ର ଶିକାର ହେବା ଘଟଣା ଅସାମାନ୍ୟ ଲାଗୁଥିଲା। କିନ୍ତୁ ଏବେ ଏହା ସାମାନ୍ୟ ଘଟଣାରେ ପରିଣତ ହେଲାଣି। ବର୍ତ୍ତମାନର ଲାଇଫଷ୍ଟାଇଲ ଓ ଖାଦ୍ୟାଭ୍ୟାସ, ପ୍ରଦୂଷଣ ଏହାର ପ୍ରମୁଖ କାରଣ ପାଲଟିଥିବା ବେଳେ ଏଥିରେ ସୁଧାର ଆଣିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି।
ଯେଉଁ କ୍ଷୀପ୍ର ବେଗରେ ସମଗ୍ର ବିଶ୍ୱରେ ଷ୍ଟ୍ରୋକ୍ ମାମଲା ବଢ଼ି ଚାଲିଛି, ୨୦୫୦ ମସିହା ବେଳକୁ ଏଥିରେ ଆହୁରି ୫୦% ବଢ଼ିବା ନେଇ ଆଶଙ୍କା କରାଯାଉଛି। ମୁଖ୍ୟତଃ ଯୁବ ବର୍ଗ ଓ ନିମ୍ନ ମଧ୍ୟବିତ୍ତ ଆୟ ଦେଶରେ ଏହି ବିପଦ ଅଧିକ ଦେଖାଯିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି।
ଲୋକଙ୍କ ମଧ୍ୟରେ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିଶ୍ୱ ଷ୍ଟ୍ରୋକ୍ ଦିବସ ( World Stroke Day ) ପାଳିତ ହେଉଛି। ଏହାଦ୍ୱାରା ଜନସାଧାରଣଙ୍କୁ ଷ୍ଟ୍ରୋକ୍ର ଭୟାବହତା ଓ ଏହାର କାରଣ ସମ୍ପର୍କରେ ଅବଗତ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ।
ଚଳିତ ବର୍ଷର ଥିମ୍ ହେଉଛି “Together we are #Greater Than Stroke.” । ଡାଏଟ ଓ ଏକ୍ସରସାଇଜ ଦ୍ୱାରା ଷ୍ଟ୍ରୋକ୍ ଆଶଙ୍କାକୁ ୯୦% ପର୍ଯ୍ୟନ୍ତ କମା ଯାଇ ପାରିବ ବୋଲି ଜନସଚେତନତା ସୃଷ୍ଟି କରାଯାଉଛି ।
ଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବେ ବଦଳୁଥିବା ଜୀବନଶୈଳି ଓ ଅନିୟମିତତା କାରଣରୁ କେବଳ ବୃଦ୍ଧ ନୁହନ୍ତି, ଯୁବକଙ୍କ ମଧ୍ୟରେ ବି ଷ୍ଟ୍ରୋକ୍ ସଂଖ୍ୟା ବୃଦ୍ଧି ପାଉଛି। ବିଶ୍ୱସ୍ତରରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ଲୋକ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି। ଅଧିକାଂଶ ଷ୍ଟ୍ରୋକର ମାମଲା ସ୍ୱଳ୍ପ ଓ ମଧ୍ୟମ ଆୟ ଦେଶରେ ଘଟୁଥିବା ପରିଲକ୍ଷିତ ହେଉଛି ।
୧୯୯୦ ମସିହାରେ ୟୁରୋପୀୟ ଷ୍ଟ୍ରୋକ୍ ଇନିସିଏଟିଭ ଦ୍ୱାରା ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ କରିବାକୁ ଆହ୍ନାନ କରାଯାଇଥିଲା। କିନ୍ତୁ ଆର୍ଥିକ ଅଭାବରୁ ଏହା କେବଳ ୟୁରୋପରେ ସୀମିତ ରହି ଯାଇଥିଲା। ଏହାପରେ ୨୦୦୪ ମସିହା ଅକ୍ଟୋବର ୨୯ ତାରିଖରେ କାନଡାର ବେକ୍ୟୁଙ୍କର ସହରରେ ୱାର୍ଲ୍ଡ ଷ୍ଟ୍ରୋକ୍ କଂଗ୍ରେସରେ ବିଶ୍ୱ ଷ୍ଟ୍ରୋକ୍ ଡେ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ୨୦୦୬ ମସିହାରେ ୱାର୍ଲ୍ଡ ଷ୍ଟ୍ରୋକ୍ ଫେଡେରେସନ ଓ ଆନ୍ତର୍ଜାତୀୟ ଷ୍ଟ୍ରୋକ୍ ସୋସାଇଟିର ମିଶ୍ରଣରେ ୱାର୍ଲ୍ଡ ଷ୍ଟ୍ରୋକ୍ ସଙ୍ଗଠନ ଗଠନ କରାଯାଇଥିଲା।
ଷ୍ଟ୍ରୋକର ପ୍ରମୁଖ କାରଣ
ତେଲଯୁକ୍ତ ଖାଦ୍ୟ ଖାଇବା, ଏକ୍ସରସାଇଜ ନ କରିବା ଷ୍ଟ୍ରୋକ ଓ ହୃଦରୋଗର ପ୍ରମୁଖ କାରଣ। ଏହାବାଦ ଖାଦ୍ୟରେ ଅତ୍ୟଧିକ ଲୁଣର ପ୍ରୟୋଗ କରିବା ଦ୍ୱାରା ରକ୍ତଚାପ ସ୍ତର ବଢ଼ି ଯାଇଥାଏ । ଏହାବାଦ ଯେଉଁମାନେ ଶାରୀରିକ ରୂପେ ନିଷ୍କ୍ରିୟ ରହୁନ୍ତି, ଦିନର ଅଧିକାଂଶ ସମୟ ବସି ବସି କାଟି ଦିଅନ୍ତି ସେମାନଙ୍କଠାରେ ଷ୍ଟ୍ରୋକ୍ର ଆଶଙ୍କା ଅଧିକ ଦେଖାଦିଏ। ଏସବୁଥିରେ ସୁଧାର ଆଣିବା ନିହାତି ଆବଶ୍ୟକ ।
ଷ୍ଟ୍ରୋକ୍ କେତେ ପ୍ରକାରର ?
ଷ୍ଟ୍ରୋକ୍ ଦୁଇ ପ୍ରକାରର । ତାହା ହେଉଛି ଇସ୍କେମିକ୍ ଓ ହେମୋରେଜିକ୍ । ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅବରୋଧ ହେତୁ ଇସ୍କେମିକ୍ ଷ୍ଟ୍ରୋକ୍ ହୋଇଥାଏ। ସେହି ସମୟରେ ମସ୍ତିଷ୍କରେ ରକ୍ତ ଭଣ୍ଡାର ଫାଟିଯିବା ହେତୁ ହେମୋରେଜିକ୍ ଷ୍ଟ୍ରୋକ୍ ହୋଇଥାଏ। ଏହି ଦୁଇ ପ୍ରକାର ଷ୍ଟ୍ରୋକ୍ ମୃତ୍ୟୁ, ଅକ୍ଷମତା କିମ୍ବା ଦୀର୍ଘକାଳୀନ ଅକ୍ଷମତା ସୃଷ୍ଟି କରିପାରେ।
ଷ୍ଟ୍ରୋକର ତୁରନ୍ତ ପରୀକ୍ଷା ପାଇଁ FAST ପଦ୍ଧତି ଲାଭଦାୟକ
ଘରେ ଥିବା ବେଳେ ହଠାତ୍ ବ୍ୟକ୍ତିଜଣକ ଷ୍ଟ୍ରୋକ୍ର ଶିକାର ହେଲେ ଅନ୍ୟମାନେ ଏହି ଘାତକ ରୋଗକୁ ଚିହ୍ନଟ କରି ପାରନ୍ତିନି। ଏପରି ସ୍ଥିତିରେ FAST ( Facial Drooping, ARM Weakness, Speech Difficulties & Time) ପଦ୍ଧତି ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ’ଣ ଏହି FAST ପଦ୍ଧତି ।
ପ୍ରଥମ ଟେଷ୍ଟ F - F ଅର୍ଥ ହେଉଛି ଫେସିଆଲ ଡ୍ରୋପିଂ । ଷ୍ଟ୍ରୋକ୍ର ଶିକାର ହେବା ସମୟରେ ପୀଡ଼ିତଙ୍କୁ ହସିବାକୁ କୁହନ୍ତୁ । ହସିବା ସମୟରେ ତାଙ୍କ ମୁହଁର କୌଣସି ଅଂଶ ଭିନ୍ନ ଦେଖାଗଲା, ତାହା ଷ୍ଟ୍ରୋକ ବୋଲି ଜାଣନ୍ତୁ।
ଦ୍ୱିତୀୟ ଟେଷ୍ଟ A - A ର ଅର୍ଥ ବାହୁ । ଷ୍ଟ୍ରୋକ୍ ସମୟରେ ପୀଡ଼ିତଙ୍କୁ ଦୁଇ ହାତ ଆଗକୁ ବଢ଼ାଇବାକୁ କୁହନ୍ତୁ। ସେ ଗୋଟିଏ ହାତ ବଢ଼ାଇବାକୁ ଅସମର୍ଥ ହେଲେ ତାହା ଷ୍ଟ୍ରୋକ୍ର ଲକ୍ଷଣ ବୋଲି ସ୍ପଷ୍ଟ ହୁଅନ୍ତୁ ।
ତୃତୀୟ ଟେଷ୍ଟ S - Sର ଅର୍ଥ ହେଉଛି କଥାବର୍ତ୍ତା(Speech) । ପୀଡ଼ିତଙ୍କୁ ଗୋଟିଏ ଶବ୍ଦର ପୁନରାବୃତ୍ତି କରିବାକୁ କୁହନ୍ତୁ । ଯଦି ସେ ସ୍ପଷ୍ଟ ଭାବେ ଉକ୍ତ ଶବ୍ଦ କହି ପାରୁ ନାହାନ୍ତି, ତେବେ ଏହା ଷ୍ଟ୍ରୋକ୍ର ସଙ୍କେତ ବୋଲି ବୁଝି ଯାଆନ୍ତୁ ।
ଚତୁର୍ଥ ଟେଷ୍ଟ T - Tର ଅର୍ଥ ତୁରନ୍ତ ଜରୁରୀକାଳୀନ ସେବାକୁ କଲ୍ କରନ୍ତୁ। କାରଣ ଏପରି ସ୍ଥିତିରେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ନିହାତି ଜରୁରୀ।
ଗୋଲଡେନ ଆୱାର
ଷ୍ଟ୍ରୋକ୍ରେ ପୀଡ଼ିତଙ୍କ ପାଇଁ ପ୍ରତି କ୍ଷଣ ଗୁରୁତ୍ୱପୂର୍ଣ୍ଣ। ଷ୍ଟ୍ରୋକ୍ ହେବାର ପ୍ରଥମ ୪ରୁ ସାଢେ ୪ ଘଣ୍ଟା ସମୟକୁ ରୋଗୀ ପାଇଁ ଗୋଲଡେନ ଆୱାର ବୋଲି ବିବେଚନା କରାଯାଏ । କାରଣ ଏହି ସମୟରେ ଠିକ୍ ଚିକିତ୍ସା ମିଳିଲେ ରୋଗୀର ବଞ୍ଚିବା ସମ୍ଭାବନା ବହୁ ମାତ୍ରାରେ ବଢ଼ି ଯାଇଥାଏ।
ତେଣୁ ପ୍ରଥମେ ରୋଗୀଙ୍କୁ ନ୍ୟୁରୋ ସୁବିଧା ଥିବା ହସ୍ପିଟାଲରେ ଭର୍ତ୍ତି କରନ୍ତୁ। ସେଠାରେ ଏମଆରଆଇ ବା ସିଟି ସ୍କାନ ଦ୍ୱାରା ରୋଗୀ ମୁଣ୍ଡରେ କେଉଁଠି କେଉଁଠି ରକ୍ତ ଜମାଟ ବାନ୍ଧିଛି ତାହା ଜଣା ପଡ଼ିଯିବ । ଏହାପରେ ତୁରନ୍ତ ଇଞ୍ଜେକସନ ଦିଆଯାଇ ତାହାକୁ ତରଳାଇବାକୁ ଚେଷ୍ଟା କରାଯିବ। ନଚେତ ଅନ୍ୟ ଉପାୟରେ ଡାକ୍ତରମାନେ ରୋଗୀର ଜୀବନ ବଞ୍ଚାଇବାକୁ ସକ୍ଷମ ହେବେ ।
ଷ୍ଟ୍ରୋକ୍ରୁ କିପରି ରକ୍ଷା ପାଇ ପାରିବେ?
ମଦପାନ, ତମାଖୁ ସେବନରୁ ଦୂରେଇ ରୁହନ୍ତୁ । ନିୟମିତ ଭାବେ ଏକ୍ସରସାଇଜ କରନ୍ତୁ । ସନ୍ତୁଳିତ ଆହାର ଖାଆନ୍ତୁ। ଫଳ, ପନିପରିବା ଭରପୂର ଖାଆନ୍ତୁ । ଲୁଣ, ତେଲ, ମସଲା ଆଦି କମ୍ ମାତ୍ରାରେ ଖାଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।