[caption id="attachment_475336" align="alignleft" width="150"]
ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତ ବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସ୍ୱୟଂ ସେବକ ଭାବେ ଯୋଗ ଦେଇଥିଲେ। ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଶିକ୍ଷଣ ନେବା ପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡ଼ ଭାଇ ପ୍ରେମ କୁମାରଙ୍କ ସହିତ କାରାବରଣ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିର୍ଦ୍ଦେଶ କ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ସେ ଯୋଗ ଦେଇଥିଲେ। ତାଙ୍କୁ ଭାରତୀୟ ଜନ ସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା।
୧୯୫୭ରେ ୩୩ ବର୍ଷ ବୟସରେ ବଳରାମପୁର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୫୦ ବର୍ଷ ଧରି ସେ ସଂସଦର ସଦସ୍ୟ ଥିଲେ। ସେ ଲୋକସଭାକୁ ୯ଥର ଓ ରାଜ୍ୟସଭାକୁ ୨ଥର ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ତାଙ୍କ ନେତୃତ୍ୱରେ ବିଜେପି ସଂସଦରେ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା ଓ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଏଆଇଡିଏମ୍କେ ସମର୍ଥନ ପ୍ରତ୍ୟାହାର କରି ନେବାରୁ ତାଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼ିଲା ଓ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ସମୟରେ କାରଗିଲ୍ ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧ ପରେ ୨୦୦୦ ମସିହାର ସାଧାରଣ ନିର୍ବାଚନରେ ଏନଡିଏ ପୂର୍ଣ୍ଣବହୁମତ ପାଇଥିଲା ଓ ବାଜପେୟୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ପଦରେ ସେ ସମୁଦାୟ ୬ବର୍ଷ ୬୪ ଦିନ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।
ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ବେଳେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ଥିଲା ଅର୍ଥନୈତିକ ବିକାଶ। ତେଣୁ ନରସିଂହରାଓ ଆରମ୍ଭ କରିଥିବା ଅର୍ଥନୈତିକ ସଂସ୍କାରକୁ ସେ ସଂପ୍ରାସାରିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଥିଲେ। ଜାତୀୟ ରାଜପଥ ଉନ୍ନୟନ ପ୍ରକ୍ରିୟା, ସୂର୍ଣ୍ଣିମ ଚତୁର୍ଭୁଜ ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ତାଙ୍କର ଭାରତକୁ ସବୁଠାରୁ ବଡ଼ ଅବଦାନ। ଭାରତର ପ୍ରମୁଖ ଚାରୋଟି ମହାନଗରୀ- ଦିଲ୍ଲୀ, କୋଲକତା, ଚେନ୍ନାଇ ଓ ମୁମ୍ୱାଇକୁ ପରସ୍ପର ସହିତ ଚାରିଲେନ୍ ବିଶିଷ୍ଟ ରାଜପଥ ଦ୍ୱାରା ଯୋଡ଼ି ସେ ଏକ ଇତିହାସ ସୃଷ୍ଟି କରିଥିଲେ।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଭାରତର ସବୁ ଗ୍ରାମକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ସେ ଏକ ଅବିଶ୍ୱାସ୍ୟ ଓ ଅକଳ୍ପନୀୟ ସ୍ୱପ୍ନ ଦେଖିଥିଲେ, ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି ଏବଂ ଭାରତ ବର୍ଷର ସବୁଗ୍ରାମ ପଞ୍ଚାୟତରେ ପକ୍କା ରାସ୍ତା ନିର୍ମିତ ହୋଇପାରିଛି। ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସ୍ୱାଧୀନତାଠାରୁ ୧୯୯୮ ଭିତରେ ନିର୍ମାଣ ହୋଇଥିବା ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇପାରିଥିଲା।
ବାଜପେୟୀ ‘ଶକ୍ତି ସେ ଶାନ୍ତି’ ନୀତିରେ ବିଶ୍ୱାସ କରୁଥିଲେ। ଆମେରିକା ଓ ରୁଷ ଭଳି ବୃହତ୍ତମ ଦେଶମାନେ ନିଜର ସାମରିକ ଶକ୍ତି ଦ୍ୱାରା ଆର୍ନ୍ତଜାତିକ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ନୀତି ଗ୍ରହଣ କରିଥିଲେ। ସେହିଭଳି ଭାରତ ଶକ୍ତିଶାଳୀ ହେବା ଦ୍ୱାରା ହିଁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ସକ୍ଷମ ହେବ ବୋଲି ସେ ବିଶ୍ୱାସ କରୁଥିଲେ। ତେଣୁ ୧୯୯୮ ମେ ମାସରେ ରାଜସ୍ଥାନର ପୋଖରାନ୍ରେ ସେ ପରମାଣୁ ବୋମା ପରୀକ୍ଷଣ କରିଥିଲେ।
ବୈଦେଶିକ ନୀତିରେ ଯଥା ସମ୍ଭବ ଉନ୍ନତି ଘଟାଇ ସେ ଚୀନ୍ ସହିତ କୁଟନୈତିକ ବୁଝାମଣା କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ଦୃଢ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହୋଇଥିଲା। ଚୀନ ସିକିମ୍କୁ ଭାରତର ଅଙ୍ଗ-ରାଜ୍ୟରୂପେ ସ୍ୱୀକୃତି ଦେଇଛି। ସେହିପରି ଇସ୍ରାଏଲ୍ ସହିତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜିନାମା କରିବାକୁ ସେ ସମର୍ଥ ହୋଇଥିଲେ। ଏହାଦ୍ୱାରା ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାରସ୍ପରିକ ସହଯୋଗ ଓ ବିଭିନ୍ନ ଜ୍ଞାନ କୌଶଳରେ ହସ୍ତାନ୍ତର ସମ୍ଭବ ହୋଇପାରିଥିଲା। ପୋଖରାନ୍ରେ ପରମାଣୁ ବୋମା ପରୀକ୍ଷଣ କରିବାରୁ ଆମେରିକା ଓ ତାହାର ସହଯୋଗୀ ରାଷ୍ଟ୍ରମାନେ ଭାରତ ବିରୋଧରେ ଅର୍ଥନୈତିକ ବାସନ୍ଦ ଜାରି କରିଥିଲେ ମଧ୍ୟ ତାଙ୍କରି କାର୍ଯ୍ୟକାଳ ଭିତରେ ଦୀର୍ଘ ୧୪ ମାସ ପରେ ଆମେରିକା ସହ ସମ୍ପର୍କରେ ଉନ୍ନତି ଘଟିଥିଲା
୧୯୯୯ରେ ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସମ୍ପର୍କକୁ ଉଲ୍ଲଂଘନ କରି ପରଭେଜ୍ ମୁସାରଫ୍ଙ୍କ ନିର୍ଦ୍ଦେଶକ୍ରମେ କାରଗିଲ୍ରେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତର କିଛି ଅଞ୍ଚଳକୁ ନିଜ ଦଖଲକୁ ନେଇଥିଲେ। ଶାନ୍ତିପ୍ରିୟ ବାଜପେୟୀ ଏହାର କଠୋର ଜବାବ୍ ଦେଇ ଅପେରେସନ୍ ବିଜୟ ଆରମ୍ଭ କରି ପାକିସ୍ତାନର ସୈନ୍ୟମାନଙ୍କୁ ପୁଣି ପଛକୁ ହଟାଇ ନିୟନ୍ତ୍ରଣ ରେଖାଠାରେ ଭାରତର ବିଜୟ ପତାକା ଉଡ଼ାଇଥିଲେ।
ବିଜେପି ନେତୃତ୍ୱରେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଦେଶର ତଫସିଲଭୁକ୍ତ ଜାତିଓ ଉପଜାତିମାନଙ୍କ ଉନ୍ନତି ପାଇଁ ଯାହା କରିଛନ୍ତି, ତାହା ଅନନ୍ୟ ଓ ଅଭୂତପୂର୍ବ। ତାର ସବୁଠାରୁ ବଡ଼ ଉଦାହରଣ ହେଲା- ୧୯୯୯ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପୁର୍ନଗଠନ କରି ଦେଶରେ ସ୍ୱତନ୍ତ୍ର ଭାବେ ଏକ ‘ଆଦିବାସୀ ଉନ୍ନୟନ ମନ୍ତ୍ରଣାଳୟ’ ଗଠନ କରିବା।
ବାଜପେୟୀଙ୍କ ଆଦର୍ଶ ଓ ଶାସନ କାଳ ଭାରତ ଇତିହାସରେ ଏକ ସୂର୍ଣ୍ଣିମ ଅଧ୍ୟାୟ ରୂପେ ଲିପିବଦ୍ଧ ହୋଇ ରହିବ କରି ରଖିବ, ଏଥିରେ ସନ୍ଦେହ ନାହିଁ। ୨୪ଟି ରାଜନୈତିକ ଦଳକୁ ନେଇ ଭାରତ ଭଳି ବହୁଭାଷିକ ଓ ବହୁମତବାଦୀ ଦେଶରେ ସେ ସ୍ୱଚ୍ଛ ଶାସନ ଦେବା ସହିତ କେତେ ଗୁଡିଏ ଐତିହାସିକ ପଦକ୍ଷେପ ନେଇ ଦେଶର ସର୍ବକାଳୀନ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ରୂପେ ନିଜକୁ ପ୍ରତିଷ୍ଠା କରିପାରିଥିଲେ।