ଶୁଭ୍ରାଂଶୁ ଶେଖର
ସଂସଦରେ କୃଷି ସଂପର୍କିତ ତିନୋଟି ବିଲ୍ ଗୃହୀତ ହୋଇଯାଇଛି। ହେଲେ ଏହି ବିଲ ସଂସଦରେ ଆଗତ ହେବା ପରଠାରୁ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହି ତିନୋଟି ବିଲ୍ ହେଉଛି କୃଷି ଉପଜ ବିପଣନ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧାକରଣ) ବିଲ୍, ୨୦୨୦; କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତକରଣ ରାଜିନାମା କୃଷି କ୍ଷେତ୍ର ସେବା ବିଲ୍ ୨୦୨୦; ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ୨୦୨୦।
ବିରୋଧୀ ଚାଷୀଙ୍କୁ ବିଭ୍ରାନ୍ତ କରି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଶାସକ ବିଜେପି କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚାଷୀଙ୍କ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ଏବଂ କୃଷକମାନଙ୍କୁ ବିରୋଧୀ ଅଯଥାରେ ବିଭ୍ରାନ୍ତ କରୁଛନ୍ତି। କିନ୍ତୁ ଏହାର ଜବାବରେ ବିରୋଧୀ କଂଗ୍ରେସ କହିଛି ଏହି ବିଲ୍ ଚାଷୀଙ୍କ ବିରୋଧରେ ‘ଡେଥ୍ ଓ୍ୱାରେଣ୍ଟ’।
ତେବେ କଂଗ୍ରେସ ଦଳ ଯେଉଁ ବିଲକୁ ଚାଷୀ ବିରୋଧୀ ଏବଂ ଏହାକୁ ନେଇ ସାରା ଦେଶରେ ଚାଷୀ ଏବେ ଚିନ୍ତାରେ ବୋଲି କହୁଛି, ସେହି ବିଲ ବିରୋଧରେ କେବଳ ପଞ୍ଜାବ ଓ ହରିଆଣାକୁ ଛାଡ଼ିଦେଲେ ଆଉ କୌଣସି ରାଜ୍ୟରେ ଚାଷୀଙ୍କ ସ୍ୱର ଉଠିନାହିଁ।
ଯଦି ଏହି ଦୁଇ ରାଜ୍ୟକୁ ଛାଡ଼ି ଅନ୍ୟ ରାଜ୍ୟର ଚାଷୀ ବିଲକୁ ବିରୋଧ କରିଥାନ୍ତେ, ତେବେ ମୋଦି ସରକାର ଭୂମି ଅଧିଗ୍ରହଣ ବିଲ୍ ଭଳି ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥାନ୍ତେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲକୁ ବିରୋଧୀଙ୍କ ସମେତ ଶାସକ ବିଜେପିର ମାର୍ଗଦର୍ଶକ କୁହାଯାଉଥିବା ଆରଏସଏସ୍ ମଧ୍ୟ ବିରୋଧ କରୁଛି, ଯାହା ସରକାରଙ୍କ ଚାଷ ଦୃଷ୍ଟିକୋଣ ଉପରେ ସ୍ୱାଭାବିକ୍ ଭାବେ ଅଙ୍ଗୁଳି ଉଠାଇଛି।
ପଞ୍ଜାବରେ ଚାଷୀଙ୍କ ବିରୋଧ
ବିଲକୁ ବିରୋଧ କରି ପଞ୍ଜାବ ଏବଂ ହରିଆଣାର ଚାଷୀ ଆନ୍ଦୋଳନ କରିଛନ୍ତି। ହେଲେ ପଞ୍ଜାବରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଆଉ କଂଗ୍ରେସ ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛି। ରାଜ୍ୟରେ ଚାଷୀଙ୍କ ଅସନ୍ତୋଷ ବଢ଼ୁଥିବା ଦେଖି କେନ୍ଦ୍ର ମନ୍ତ୍ରି ପରିଷଦରୁ ହରସିମରତ କୌର ମଧ୍ୟ ଇସ୍ତଫା ଦେଇଛନ୍ତି। ଆଉ ଚାଷୀଙ୍କ ସହିତ ତାଙ୍କ ଦଳ ରହିଛି ବୋଲି ସେ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି।
ବଡ଼ କଥା ହେଲା ଗତ ଜୁନରେ କେନ୍ଦ୍ର କ୍ୟାବିନେଟ ଯେତେବେଳେ ଏହି ବିଲକୁ ମଞ୍ଜୁର କରିଥିଲା ସେତେବେଳେ ନିରବ ରହିଥିଲେ ଶିରୋମଣୀ ଅକାଳୀ ଦଳର ସାଂସଦମାନେ। ସୂଚନାଯୋଗ୍ୟ, ପଞ୍ଜାବରେ ୨୮,୦୦୦ରୁ ଅଧିକ ଏଜେଣ୍ଟ (କ୍ଷୁଦ୍ର ବ୍ୟବସାୟୀ) ରହିଛନ୍ତି। ଦ୍ୱିତୀୟରେ ସରକାର ଏଫସିଆଇ ଜରିଆରେ ଅଧିକରୁ ଅଧିକ ଗହମ-ଚାଉଳ ଚାଷୀଙ୍କ ପାଖରୁ କିଣିଥାନ୍ତି। ଆଉ ଏବେ ଯେଉଁ ସରକାର ବିଲ୍ ଆଣିଛନ୍ତି ତାହା ଆଇନ ହେଲେ, ସର୍ବାଧିକ ଏଜେଣ୍ଟ ଥିବା ପଞ୍ଜାବ ଓ ହରିୟାଣାରେ ଏହି ଏଜେଣ୍ଟମାନଙ୍କ ଭୂମିକା ଗୌଣ ହୋଇଯିବ ଏବଂ ସେମାନଙ୍କ ପକେଟ୍ ଖାଲି ରହିବ। ମୁଖ୍ୟତଃ ଏଭଳି କିଛି କାରଣ ପାଇଁ ପଞ୍ଜାବ ଏବଂ ହରିଆଣାରେ ବିଲକୁ ତୀବ୍ର ବିରାଧ ହେଉଛି। ଆଜି ବି ସାଧାରଣ ଚାଷୀ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବାର ପ୍ରକ୍ରିୟା ସମ୍ପର୍କରେ ସେତେଟା ସଚେତନ ନୁହେଁ। ଏମାନେ ସଦାବେଳେ ଏହି ବିକ୍ରୟ ପ୍ରକିୟା ପାଇଁ ବଡ଼ ଚାଷୀଙ୍କୁ ଆଜିଯାଏ ଅନୁକରଣ କରନ୍ତି। ଆଉ ପଞ୍ଜାବ ଏବଂ ହରିଆଣାରେ ବଡ଼ ଚାଷୀ ହେଉଛନ୍ତି ଏହି ଏଜେଣ୍ଟ।
ନିଜ ରାଜ୍ୟ ପଞ୍ଜାବରେ ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ ବିରୋଧ କରୁଥିବା ଦେଖି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ହରସମିତ କୌର ଇସ୍ତଫା ଦେଇଥିବା ବୁଝାପଡୁଛି। ଏଥିସହିତ ଇସ୍ତଫା ଦେବା ବେଳେ ସଂସଦରେ ଅକାଳୀ ଦଳ ଯେଉଁ ଯୁକ୍ତି ରଖିଛି ତାହା ମଧ୍ୟ ଶାସକ ଦଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ।
କଂଗ୍ରେସର ଦୋମୁହାଁ ନୀତି
ବିଲକୁ ନେଇ ବିରୋଧୀ କଂଗ୍ରେସ କହିଛି ସରକାର ଏହି ବିଲ୍ ଆଣି କର୍ପୋରେଟ୍ କମ୍ପାନୀକୁ ଲାଭ ଦେଇଛନ୍ତି। ଆଗାମୀ ଦିନରେ ଏହି ଆଇନ୍ ବଳରେ କର୍ପୋରେଟ୍ କମ୍ପାନୀ ଚାଷୀଙ୍କୁ ‘ପୋଷଣ’ ପରିବର୍ତ୍ତେ ‘ଶୋ
ବିରୋଧୀଙ୍କୁ ଶାସକ ଦଳର ହେୟଜ୍ଞାନ
ଯଦିଓ ସରକାର କହୁଛନ୍ତି ଚାଷୀଙ୍କ ହିତ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି, ହେଲେ କେଉଁଠି ନା କେଉଁଠି ବିଲକୁ ବିରୋଧର ସାମ୍ନା କରିବାକୁ ସରକାରଙ୍କ ପାଖରେ ସତ ସାହସ ନଥିଲା। ଯାହାକି ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଶାସକ ଦଳ ନିଜ ବିଚାରଧାରାରେ ଜିଦଖୋର୍ ବୋଲି ପ୍ରତିଫଳିତ ହୋଇଛି। ଖାଲି ବିରୋଧୀ ନୁହେଁ ବିଜେପିର ବୈଚାରିକ ଆଦର୍ଶ ପାଲଟିଥିବା ଆରଏସଏସ ମଧ୍ୟ ଏହାକୁ ବିରୋଧ କରୁଛି।
ସରକାର ଏହି ବିଲ୍ ସଂସଦରେ ଆଣିବା ପୂର୍ବରୁ ବିଭିନ୍ନ ଚାଷୀ ସଂଗଠନ ଏବଂ ମଧ୍ୟସ୍ଥି, ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିନାହାନ୍ତି। ହରସିମରତ କୌର ଇସ୍ତଫା ଦେବା ବେଳେ ଏହା କହିଛନ୍ତି। ଏମିତିକି ରାଜ୍ୟ ସରକାରଙ୍କ ସହିତ ମଧ୍ୟ ସରକାର ଆଲୋଚନା କରି ନାହାନ୍ତି। ଏହି ବିଲରେ କିନ୍ତୁ ବାଣିଜ୍ୟ ଏବଂ କୃଷି ବିଷୟ ତାଲିକାରେ ରାଜ୍ୟ ମଧ୍ୟ ଏକ ଅଂଶ ରହିଛି। ତେଣୁ ଲୋକସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଶାସକ ଦଳ ବିଲ୍ ପାର କରିବାରେ ସଫଳ ହୋଇଛି।
ହେଲେ ରାଜ୍ୟସଭାରେ ବିଲ୍ ସପକ୍ଷରେ ଭୋଟ୍ ନଥିବା ଦେଖି ବାଚନିକ ଭୋଟ୍ ମାଧ୍ୟମରେ ସରକାର ବିଲ୍ ପାରିତ କରିଛନ୍ତି ବୋଲି ବୁଝିବାକୁ ହେବ। ନହେଲେ ବିରୋଧୀଙ୍କ ଯୁକ୍ତିକୁ କାହିଁକି ଗୃହ ବିଚାର କଲାନି? କେବଳ ଶାସକ ଦଳ ଚାଷୀଙ୍କ ହିତରେ ଚିନ୍ତା କରିବା ପାଇଁ ଠିକା ନେଇଛି?
ଚାଷୀ ସଂଗଠନଗୁଡିକ ଏହି ବିଲକୁ କର୍ପୋରେଟାଇଜେସନ୍ ଏବଂ ସରକାରୀ ସହାୟତା ପ୍ରତ୍ୟାହାର ଭଳି ବୃହତ ଏଜେଣ୍ଡାର ଅଂଶ ଭାବରେ ଦେଖନ୍ତି। ଯଦିଓ ଏମଏସପି କି ଏପିଏମସି ହଟାଯାଇନି ବୋଲି କହିଛନ୍ତି ସରକାର, ହେଲେ କୌଣସି ମୁହୂର୍ତ୍ତରେ ଏହା ହଟାଇପାରନ୍ତି। କାରଣ ବିଲରେ ଏହାର ସୁନିଶ୍ଚିତତାକୁ ନେଇ ଉଲ୍ଲେଖ ନାହିଁ। ଯାହାକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି।
ବିହାରରେ ଏପିଏମସି (APMC) ଉଚ୍ଛେଦର ଫଳାଫଳ
କୃଷିଜାତ ଦ୍ରବ୍ୟ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ସର୍ତ୍ତକୁ ସରକାର ରଖିଛନ୍ତି ବୋଲି କହିଛନ୍ତି। ହେଲେ ଘରୋଇ କମ୍ପାନୀ ସହିତ ବିକ୍ରି ବେଳେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ସରକାର କହିଛନ୍ତି। ଏପିଏମସ ଆକ୍ଟ ଅନେକ ରାଜ୍ୟ ମଧ୍ୟ ହଟାଇଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ଉଦାହରଣ ସ୍ୱରୂପ ବିହାର। ଏଠାରେ ୨୦୦୬ରେ ସରକାର ଏପିଏମସି ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଥିବାରୁ ବିହାରର କୃଷକମାନେ ହାରାହାରି ଅଧିକାଂଶ ଫସଲ ପାଇଁ ଏମଏସପି ତୁଳନାରେ କମ୍ ମୂଲ୍ୟ ପାଉଛନ୍ତି। ମକା ପାଇଁ ଏମଏସପି ୧୮,୫୦ ଟଙ୍କା କ୍ୱିଣ୍ଟାଲ ଥିବା ବେଳେ ବିହାରର ଅଧିକାଂଶ ଚାଷୀ ସେମାନଙ୍କ ଉତ୍ପାଦକୁ କ୍ୱିଣ୍ଟାଲ ପିଛା ୧୦୦୦ରୁ କମ୍ ଦାମରେ ବିକ୍ରି କରୁଥିବା ଜଣାପଡ଼ିଛି। ଏହାର କାରଣ ଫସଲର ଗୁଣବତ୍ତା ଏବଂ ଜମିର ଉର୍ବରତା ଏଠାରେ ମୁଖ୍ୟ କାରଣ ରହିଛି। ତେଣୁ ଏମଏସପି ସହିତ ଏପିଏମସି ରହିବା ଦରକାର। କେନ୍ଦ୍ର ସରକାର ଏଠାରେ ଉଭୟ ଏମଏସପି ଏବଂ ଏପିଏମସି ଉଚ୍ଛେଦ ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦେବା ଦରକାର।
ସମାଲୋଚନାରୁ ବର୍ତ୍ତିବାକୁ ପ୍ରୟାସ
ଚାଷ କ୍ଷେତ୍ରରେ ସରକାର ମୁଣ୍ଡ ପୁରାଇ ସମାଲୋଚିତ ହେବାକୁ ଚାହୁଁ ନାହାନ୍ତି। ବାରମ୍ୱାର ଚାଷୀ ଆତ୍ମହତ୍ୟା, ଶୀତଳଭଣ୍ଡାରର ଦାବିର ଜବାବ ଦେବାରୁ ବର୍ତ୍ତିବା ପାଇଁ ସରକାର ବୋଧହୁଏ ଘରୋଇ କମ୍ପାନୀ ଓ ଚାଷୀଙ୍କ ମଧ୍ୟରେ ସେତୁ ତିଆରି କରିଛନ୍ତି ଏହି କୃଷି ଆଇନ ଜରିଆରେ। ତେଣୁ ମଣ୍ଡି ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହିଁଛନ୍ତି। ଏହାବାଦ ଚାଷୀଙ୍କ ବ୍ୟବସାୟକୁ ଟିକସ ମୁକ୍ତ କରିବା ସହିତ କୃଷି ଉତ୍ପାଦର ଷ୍ଟକ୍ ହୋଲ୍ଡିଂ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି। ଯାହାକି ପ୍ରମାଣ କରୁଛି ଯେ ସରକାର ଚାଷୀଙ୍କ ଝାମେଲାରେ ପଡ଼ିବାକୁ ଚାହୁ ନାହାନ୍ତି। ତେବେ ଆଗାମୀ ଦିନରେ ଏହି କୃଷି ବିଲ କେତେ ସବୁଜ ବିପ୍ଳବ ଆଣିବ ତାହା ସମୟ କହିବ। ସଫଳ କିମ୍ୱା ବିଫଳ ହେଲେ କିଏ ଉତ୍ତରଦାୟୀ ହେଉଛି ତାହା ମଧ୍ୟ ସମୟ କହିବ।
ଚାଷକୁ ନେଇ ସାରା ଦେଶରେ ରାଜନୀତିକ ଦଳ ରାଜନୀତି କରିବା ନୂଆ ନୁହେଁ। ସମସ୍ତେ ବିରୋଧୀ ଆସନରେ ବସିବା ବେଳେ ଚାଷୀଙ୍କ ପାଇଁ ମାଡ଼ ଖାଇବାକୁ ରାଜି ହୋଇଯାଆନ୍ତି। ହେଲେ ସେହି ଚାଷୀଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ସବୁକଥାକୁ ଭୁଲି ଯାଆନ୍ତି। ଏହାର କାରଣ ଚାଷ କ୍ଷେତ୍ରକୁ ଶିକ୍ଷିତ ଲୋକ ନଆସିବା ବୋଲି କୁହାଯାଉଛି। ଯେବେ ଚାଷ କାର୍ଯ୍ୟରେ ବହୁ ପରିମାଣରେ ଶିକ୍ଷିତ ଗୋଷ୍ଠୀ ସାମିଲ୍ ହେବେ ସେବେ ଯାଇ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।