Advertisment

ଉପଲବ୍ଧି !

ଆମେ ଆମ ପରିବାର, ପ୍ରିୟଜନ, ଅନ୍ତରଙ୍ଗ ଲୋକଙ୍କୁ କେତେ ଜାଣିଛୁ ? ବୃତ୍ତିଗତ ଜୀବନରେ ଆମ ସଫଳତାକୁ ନେଇ ଚର୍ଚ୍ଚା ହୁଏ । ଏପରିକି ପଦୋନ୍ନତିର ଜମାଣିଆ ସେଲିବ୍ରେସନ୍‌ଟେ ହୁଏ । କିନ୍ତୁ କେତେଥର ଆମେ ଘର କୋଣରେ ବୟସର ସାୟାହ୍ନରେ ଉପନୀତ ଆଇ ମା’କୁ ଯାଇ ପଚାରିଛୁୁ ଯେ, ସେ ତା’ର ତମାମ ଜୀବନରେ କ’ଣ ଉପଲବ୍ଧି କରିଛି ? ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ଏବେ ସମସ୍ତେ ଏକାନ୍ତବାସ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ […]

author-image
Puspanjali Panda
ଉପଲବ୍ଧି !

article

ଆମେ ଆମ ପରିବାର, ପ୍ରିୟଜନ, ଅନ୍ତରଙ୍ଗ ଲୋକଙ୍କୁ କେତେ ଜାଣିଛୁ ? ବୃତ୍ତିଗତ ଜୀବନରେ ଆମ ସଫଳତାକୁ ନେଇ ଚର୍ଚ୍ଚା ହୁଏ । ଏପରିକି ପଦୋନ୍ନତିର ଜମାଣିଆ ସେଲିବ୍ରେସନ୍‌ଟେ ହୁଏ । କିନ୍ତୁ କେତେଥର ଆମେ ଘର କୋଣରେ ବୟସର ସାୟାହ୍ନରେ ଉପନୀତ ଆଇ ମା’କୁ ଯାଇ ପଚାରିଛୁୁ ଯେ, ସେ ତା’ର ତମାମ ଜୀବନରେ କ'ଣ ଉପଲବ୍ଧି କରିଛି ? ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ଏବେ ସମସ୍ତେ ଏକାନ୍ତବାସ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ପୁରା ଦେଶ ୨୧ ଦିନ ଲଟିଯାଇଛି ଏଇ ଏକାନ୍ତବାସ ବା କ୍ୱାରେଣ୍ଟାଇନ୍ । ଯିଏ ଘରେ ବସୁଛନ୍ତି ତାଙ୍କୁ ଅସୁବିଧା, ଆଉ ଯେ ଘରେ work form home, ବା କାର୍ଯ୍ୟାଳୟ ନଯାଇ ଘରେ ବସି କାମ କରୁଛନ୍ତି ତାଙ୍କୁ ବି ବିରକ୍ତି । ଆଉ ଏ ସମୟରେ ଯଦି କାହା ଉପରେ ଏକାନ୍ତବାସର ଚାପ ପଡୁନି ସେ ହେଉଛନ୍ତି ଘରର ଗୁରୁଜନ।

Advertisment

ମୋ ଘରେ ମଧ୍ୟ ୮୦ବର୍ଷରୁ ଊର୍ଦ୍ଧ୍ୱ ଆଇ ମା’ ଟେ ଅଛି, ଯିଏ ଏପର୍ଯ୍ୟନ୍ତ ବି ‘କରୋନା’ କାହାର ଗୋଟେ ନାଁ ବୋଲି ଭାବିଛି । ଆଉ ସେ ଏହି ‘କରୋନା’ ନାଁ ର ବ୍ୟକ୍ତିକୁ ଜାଣିନି ବୋଲି କହୁଛି । ହେଲେ ତା ଜୀବନ ଏବେ ସାଧାରଣ ଅଛି । ଯେତିକି ପାରୁଛି ସେତିକି କାମ କରୁଛି । କରୋନା ବିଷୟରେ ଅବଗତ ନଥିବାରୁ ସେ ଭୟଭୀତ ରହୁନି ।

ମୁଁ ଯେତିକି ସମୟ ଫାଙ୍କା ରହୁଛି ସେ ତାଠୁ ଅଧିକ ସମୟ ହସ ଖୁସିରେ କାମ କରୁଥିବାର ଦେଖି ମୁଁ ଆଜି ତାକୁ ପଚାରିଲି । ଏ ମା’ ଦିନ ଯାକ କାମ କରି କରି ତତେ ବିରକ୍ତ କେମିତି ଲାଗୁନି ? ଘର ଭିତରେ ବନ୍ଦୀ ପରି ଲାଗେନି ?

Advertisment

ସେ କହିଲା, ନା ! ଏଠି କାମ କିଏ କରୁଛି ? ସବୁ କାମକୁ ମୁଁ ମୋ ଅବସର ସମୟର ମଉଜ ଭାବି ଦେଇଛି । ତୁ ଛୁଟିରେ ଥାଇ ଏତେ ଛାଟିପିଟି କାହିଁକି ହଉଛୁ ଜାଣିଛୁ ? କାରଣ ତୁ ଆଜି ସବୁକିଛି ଭାଗ ଭାଗ କରିଦେଇଛୁ । କାମର ସମୟ ଅଲଗା, ଟିଭି ଦେଖିବା ସମୟ ଅଲଗା, ସାଙ୍ଗ ସାଥି ସହ ମିଶିବା ସମୟ ଅଲଗା। ଏବେ ସେ ସବୁ ସମୟ ଅଚଳ ଲାଗୁଥିବ। ମୁଁ କିନ୍ତୁ ସେମିତି ଆଦୌ ଭାବେନି, ତୁମେମାନେ କାମ ସରିଲେ ହସ ଖୁସି ପାଇଁ ଗୋଟେ ସ୍ୱତନ୍ତ୍ର ସମୟ ଖୋଜ। ମୁଁ ବଡ଼ ଚାଲାକିରେ ମୋ କାମ ଭିତରେ ମଉଜ କରିବସେ ।

ତା'ପରେ ମୁଁ ପଚାରିଲି କୋଉ କାମଟା ତୋର ଉତ୍ସାହଜନକ ? ମାନେ ସେ କାମ କରିବାକୁ ମଜା ଲାଗେ ? ଦୟାକରି ଏ ରୋଷେଇକୁ ଛାଡ଼ିକି କହିବୁ ?
ସେ କହିଲା, ପ୍ରତିଦିନ, ପ୍ରତି ଋତୁରେ ତ ଗୋଟେ ଗୋଟେ ଉତ୍ସାହ । ସବୁ ଋତୁ ସହ ମୋର ବ୍ୟବସାୟିକ ସମ୍ପର୍କ । ବର୍ଷାରେ କନ୍ଦମୂଳ, ବାଇଗଣ, ପୋଟଳ, କାଙ୍କଣ । ଖରାରେ ଆମ୍ୱ ସଢ଼ା, ଆମ୍ୱ ଆଚାର ଆଉ ଶୀତରେ, ସୁଇଟର ମଫଲର । ସବୁଦିନ ସମାନ କାମ ବି କୋଉଠି । ରୋଷେଇରେ ବି ୯ ଭଜା ୬ ତିଅଣ । ୬ ପ୍ରାଣୀଙ୍କ ପସନ୍ଦ ନାପସନ୍ଦ । ସମସ୍ତଙ୍କ ପସନ୍ଦ ଦେଖି କିଛି ପ୍ରସ୍ତୁତ କରିଦେଲେ କେହି କିଛି କୁହନ୍ତୁ କି ନାଇଁ ମୋ ବୁଢ଼ା ସବୁ ଦିନ ବିଲରୁ ଫେରି କହୁଥିଲା, ବୁଝିଲ ତ୍ରିଫଳା, ତମେ ଯୋଉ ସେ ବାସି ତୋରାଣୀରେ ଦିଟା ପାକଳ ଲଙ୍କା ଚକଟି ଦଉଚ । ସେଇଟା ଯେମିତି କାମ କରିବାରେ ମୋ ଭିତରେ ଶକ୍ତି ଜୁଟେଇ ଦଉଛି । ତମେ ଅଛ ବୋଲି ସିନା ମୁଁ ଆଜି ଏତେ ଖଟି ପାରୁଛି ।

ତା ସହ ଛେଳି ଚରା, ଗୋରୁ ଦେଖା, ପତ୍ର ଓଳା, ଘଷି ପରା, ଢିଙ୍କି କୁଟା, ବାଦାମ ଛଡ଼ା ଏମିତି ଅନେକ କାମ । ସେଥିରେ ପୁଣି ୧୨ ମାସ ରେ ତେର ପର୍ବ ଆଉ ପିଠା ପଣା । ଯଦି ସମସ୍ତେ ଏକା ସମୟରେ କାମ ସାରି ପାରିଲୁ ତେବେ ସାଇ ପଡ଼ିଶା ମାଇପେ ମିଶି ଘରେ ତାସ୍ ୪ ପାଳି ହବ ନହେଲେ କିଛି ସମୟ କାଚ କଉଡ଼ି ଖେଳ ହେବ । ତା’ପରେ ତ ସଂନ୍ଧ୍ୟା ଆଳତି ଓ ଭାଗବତ ପଢ଼ା । ବେଳେବେଳେ ନାତୁଣୀ ପାଖରେ ବସି ସେ କେମିତି ପଢ଼ି ଲେଖିପାରୁଛି ଦେଖେ, ଭାରି ମଜା ଲାଗେ ।

ମତେ ତ ଲେଖା ପଢ଼ା ଜଣା ନାହିଁ ନା ! ସେ ପଟ୍‌ପଟ୍ ଇଂଲିଶ କୁହେ, ମୁଁ ଜାଣିଚି ତ ଏ ଓଡ଼ିଆ ଭାଷା, କିଛି ଢଗ ଢମାଳି ଆଉ କେଇଟା ଗପ । ଶିଖିଛି ଯଦି କିଛ ଝୋଟି ଚିତା ଆଉ ପିଠା ପଣା । ଯୋଉଥିପାଇଁ ମତେ ପ୍ରତି ମାଣବସା ଗୁରୁବାରେ କାନ୍ଥରେ ଚିତା ଛାଟିବାକୁ ଡକାପଡ଼େ । ନୂଆ ବୋହୁମାନେ ଆସିଲେ ବେଳେ ବେଳେ ମୋଠୁ ପିଠା ଗଢ଼ା ଶିଖନ୍ତି । ଏମିତି ତ ବର୍ଷ ବର୍ଷ ବିତି ଯାଇଛି । ସମୟ ତ ନିଅଣ୍ଟ ପଡେ।

ଯଦି କିଛି କାମ ନଥାଏ ମୁଁ ବିଲ କୁ ପଳାଏ, ବାଦାମ ମଞ୍ଜି ପକାଏ ନହେଲେ ଆଳୁ ଖୋଳେ। ଧାନ କଟା ମେସିନ୍ ନ ମିଳିଲେ କେବେ କେବେ ନିଜେ ଧାନ କାଟି ପକାଏ ।
୩୦ବର୍ଷ ତଳେ ତୋ ଅଜା ଗଲା ପରେ ଏସବୁ ଦାଇତ୍ୱ ମୋ ମୁଣ୍ଡକୁ ଆସିଯାଇଛି। ବଡ଼ ବିଶ୍ୱାସର ସହ ସେ କହିଥିଲେ, ବିଲରେ ଆଉ କାହା ଲଙ୍ଗଳ ବୁଲିବନି କି ଘରେ ଦିଟା ଚୁଲି ଜଳିବନି । ସେଥିପାଇଁ ଏବେ ବି ଘରେ କୋଉଠି କ'ଣ ହଉଚି ସବୁଠି ନଜର ରହୁଛି ।

କେବେ ଏକାଏକା ଲାଗେନି ପଚାରିବାରୁ ସେ କହିଲା, ନା, ଅବଶ୍ୟ ପରିବାରରେ ଯେତେବେଳେ କେହି ଛାଡ଼ିକି ଚାଲି ଯାଇଛି କେହି ନୂଆ ବି ଅସିଯାଇଛି । ତୋ ଅଜା ଗଲା ପରେ ନାତିଆ ଟୋକା ଆସିଗଲା, ତୋ ମାଆ ବାହାହେଇ ବିଦା ହେଲା ତ ତୋ ସାନ ମାଇଁ ଆସିଗଲା । ଘର ସହ ଜୀବନରେ ଏମିତି ଯା ଆସଟି ଲାଗିଥାଏ । ଶୁଣେ, ଧୀରେ ଧୀରେ ଶରୀର ଦୁର୍ବଳ ହେଲା ପରି ଲାଗୁଛି । ବେଶି କାମ ମୋ ଦ୍ୱାରା ଆଉ ହଉନି, ବଳ ନ ପାଇଲେ ବି ସେ ନାତୁଣୀ ଝିଅକୁ ଟିକେ ଭଲକି ତେଲ ମାଲିସ ନ କରିଦେଲେ ମୋ ମନ କାଇଁ ବୁଝୁନି ।

ଏତେ ଗପସପ ପରେ ମୁଁ ପଚାରିଲି, ଏତେ ବର୍ଷ ଭିତରେ ଜୀବନରେ କ'ଣ ଉପଲବ୍ଧି ରହିଛି ? ମାନେ ହାସିଲ କଣ କରିଛୁ ? ସେ କହିଲା, ସେମିତି ତ କିଛି ବଡ଼ ହାସଲ କରିନି। ସବୁ କିଛି ମୋ ସ୍ୱାର୍ଥ ପାଇଁ କରୁଛି ଭାବେ। ସେଥିପାଇଁ ସବୁ କାମରୁ ଖୁସି ମିଳେ। ବାସ, ତିନି ପିଢ଼ିକୁ ଆଜି ଦେଖି ପାରିଛି। ନାତୁଣୀ, ଆଣନାତୁଣୀ ଖେଳେଇଛି, ପରମେଶ୍ୱର ଏତେ ଦିନ ବଞ୍ଚେଇକି ରଖିଥିଲା । ଏଇଟାକୁ ଉପଲବ୍ଧି କହିହେବ ?

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ: [email protected]