ଭାଲଚନ୍ଦ୍ର ଷଡ଼ଙ୍ଗୀ
ଦେଶରେ ଜାତିଗତ ଜନଗଣନା ପାଇଁ ଦାବୀ ଜୋର ଧରିଥିବା ବେଳେ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟର ଜାତିଗତ ଜନଗଣନାର ଚିତ୍ର ସାମନାକୁ ଆସିଛି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାରଙ୍କ ଦ୍ୱାରା କିଛି ଦିନ ତଳେ କରାଯାଇଥିବା ଜାତିଗତ ଜନଗଣନାର ରିପୋର୍ଟକୁ ଇତି ମଧ୍ୟରେ ସାର୍ବଜନୀନ କରାଯାଇଛି। ଦେଶରେ ପଛୁଆ ବର୍ଗର ଜାତିମାନଙ୍କ ସଂଖ୍ୟା ନେଇ ବିଭିନ୍ନ ଅନୁମାନ ଚାଲିଥିବା ବେଳେ ଏହି ରିପୋର୍ଟ ଏକଦମ୍ ଚହଳ ସୃଷ୍ଟି କରିଛି। କାରଣ ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୫୦% ବୋଲି ଅନୁମାନ କରାଯାଉଥିବା ବେଳେ ବିହାରରେ ତାହା ୬୩.୧୪% ବୋଲି ରିପୋର୍ଟ କହିଛି। ଏଯାଏଁ ଜାତିଗତ ଜନଗଣନାକୁ ବିରୋଧ କରି ଆସୁଥିବା କେନ୍ଦ୍ରର ବିଜେପି ସରକାର ବିହାର ସରକାରଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଅତ୍ୟନ୍ତ ଅସହଜ ସ୍ଥିତିରେ ଥିବା ମନେହେଉଛି। ବିଶେଷ କରି ଜାତୀୟ ରାଜନୀତିରେ ସେମାନଙ୍କ ମୁଖ୍ୟ ବିରୋଧୀ ପକ୍ଷ ଭାବେ ପରିଚିତ ଇଣ୍ଡିଆ ମେଂଟର ଦଳମାନଙ୍କ ପକ୍ଷରୁ ଗତ କିଛି ମାସ ଧରି ଦେଶରେ ପଛୁଆ ବର୍ଗର ଉପଯୁକ୍ତ ପ୍ରତିନିଧିତ୍ୱର ପ୍ରସଙ୍ଗକୁ ଯେଉଁଭଳି ଭାବେ ବାରମ୍ବାର ଉଠାଯାଉଛି, ସେତେବେଳେ ବିହାର ସରକାରଙ୍କ ରିପୋର୍ଟଟି ଶାସକ ବିଜେପିର ନେତୃତ୍ୱକୁ ଏକରକମ ରକ୍ଷାତ୍ମକ ସ୍ଥିତିକୁ ଠେଲିଦେଇଛି।
ବିହାର ସରକାରଙ୍କ ପକ୍ଷରୁ ପ୍ରକାଶିତ ଜାତିଗତ ଜନଗଣନାର ରିପୋର୍ଟଟି ଏକଦମ୍ ଚହଳ ସୃଷ୍ଟି କରିଛି। ଏଯାଏଁ ଦେଶର ଜନସଂଖ୍ୟାରେ ପଛୁଆ ବର୍ଗଙ୍କ ସଂଖ୍ୟାଟି ପ୍ରାୟ ୫୦% ବୋଲି ଅନୁମାନ କରାଯାଉଥିବା ବେଳେ ବିହାରରେ ତାହା ୬୩.୧୪% ବୋଲି ଜଣାପଡ଼ିଛି। ଅନ୍ୟପଟେ ଜନସଂଖ୍ୟାର ମାତ୍ର ୧୫.୫୨% ହିଁ ସାଧାରଣ ବର୍ଗର ରହିଥିବା ଜଣାପଡ଼ିଛି। ଜନସଂଖ୍ୟାର ୧୯.୬୫% ଅନୁସୂଚିତ ଜାତିର ହୋଇଥିବା ବେଳେ ୧.୬୮% ଅନୁସୂଚିତ ଉପଜାତିର ରହିଛନ୍ତି। ପଛୁଆ ବର୍ଗର ଲୋକଙ୍କ ମଧ୍ୟରେ ୨୭.୧୪% ପଛୁଆ ବର୍ଗ ଓ ୩୬.୦୧% ଅତି ପଛୁଆ ବର୍ଗର ରହିଛନ୍ତି। ରାଜ୍ୟର ଅନ୍ୟ ଜାତିମାନଙ୍କ ମଧ୍ୟରେ ଉଚ୍ଚ ଜାତି ବା ସାଧାରଣ ବର୍ଗ ରୂପେ ପରିଚିତ ବ୍ରାହ୍ମଣଙ୍କ ସଂଖ୍ୟା ୩.୬% ହୋଇଥିବା ବେଳେ ୩.୪୫% ରାଜପୁତ, ୨.୮୯% ଭୂମିହାର, ୦.୬୦% କାୟସ୍ଥ ବା କରଣ, ୧୪.୨୬% ଯାଦବ, ୨.୮୭% କୁର୍ମି, ୨.୮୧% ତେଲି, ୩.୦୮% ମୁସହର (ଦଳିତ ସମ୍ପ୍ରଦାୟର) ଓ ୦.୬୮% ସୋନାର ବା ସୁନାରି ସମ୍ପ୍ରଦାୟର ଅଟନ୍ତି।
ଏଠାରେ ଉଲ୍ଲେଖନୀୟ ଯେ ସମାଜରେ ରହିଥିବା ସାମାଜିକ ଅସମାନତାକୁ ଦୂର କରିବାକୁ ନୀତି ଓ ଯୋଜନା କରିବାକୁ ହେଲେ ପଛୁଆ ବର୍ଗ ସମେତ ସବୁ ସମ୍ପ୍ରଦାୟର ଲୋକଙ୍କ ପ୍ରକୃତ ସଂଖ୍ୟାଟି ଜାଣିବା ଅତ୍ୟନ୍ତ ଜରୁରୀ ଥିଲା। ୧୯୩୧ ମସିହା ଜନଗଣନା ପରେ କେବଳ ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ସମ୍ପ୍ରଦାୟର ଜାତିଗତ ଗଣନା ହେଉନଥିଲା। ଏଭଳି ପରିସ୍ଥିତିରେ ପଛୁଆ ବର୍ଗର ଜାତିମାନଙ୍କ ଜନସଂଖ୍ୟାର ଗଣନା ପାଇଁ ବାରମ୍ବାର ଦାବୀ କରିବା ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନନେବାରୁ ବିହାର ସରକାର ନିଜସ୍ୱ ଭାବେ ରାଜ୍ୟରେ ଜାତି ଜନଗଣନା କରିବାକୁ ଏକ ଅତ୍ୟନ୍ତ ଆଗୁଆ ଓ ପ୍ରସଂଶନୀୟ ପଦକ୍ଷେପ ନେଇଥିଲେ। କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ସେମାନେ କେବଳ ଜାତିଗତ ଗଣନାକୁ ସଫଳ କଲେନାହିଁ ବରଂ ତା'ର ରିପୋର୍ଟକୁ ଜାରି କରିବାର ସାହସ ମଧ୍ୟ ଦେଖାଇଛନ୍ତି।
ଜାତିଗତ ଜନଗଣନା କରିବା ଦାବିଟି ଏହିକ୍ଷଣି ଏକ ଜାତୀୟ ପ୍ରସଙ୍ଗରେ ପରିଣତ ହେବାରେ ଲାଗିଛି। ବିରୋଧୀ ଦଳମାନଙ୍କ ମେଂଟ ଇଣ୍ଡିଆର ବେଙ୍ଗାଲୁରୁ ବୈଠକ ପରେ ସେମାନେ ବିଧିବଦ୍ଧ ଭାବେ ଏହି ଦାବିକୁ ଉଠାଇଛନ୍ତି। ବିଶେଷ କରି ମହିଳା ବିଲ୍କୁ ନେଇ ଆୟୋଜିତ ସଂସଦର ଗତ ବିଶେଷ ଅଧିବେଶନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଙ୍କଠାରୁ ଆରମ୍ଭ କରି ଜେଡ଼(ୟୁ) ସଭାପତି ଲଲନ୍ ସିଂ, ଆର୍ଜେଡ଼ିର ମନୋଜ ଝାଙ୍କ ପର୍ଯ୍ୟନ୍ତ ବିରୋଧୀ ଦଳମାନଙ୍କର ସବୁ ପ୍ରମୁଖ ନେତା ଅତ୍ୟନ୍ତ ସୁନିୟୋଜିତ ଭାବେ ଓବିସି ଓ ଜାତିଗତ ଜନଗଣନା ପ୍ରସଙ୍ଗକୁ ଉଠାଇ ମହିଳା ସଂରକ୍ଷଣ ରାଜନୀତିକୁ ପାଣିଚିଆ କରିଦେଇଥିଲେ। ନିକଟରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ଠାରେ ଆୟୋଜିତ ଜନସଭାରେ ମଧ୍ୟ ରାହୁଲ ଗାନ୍ଧୀ ଜୋରଦାର ଭାବେ ଏହି ପ୍ରସଙ୍ଗକୁ ଉଠାଇବା ପରେ ଆଗାମୀ ଦିନରେ ଏହା ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗରେ ପରିଣତ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି।
ଜନଗଣନାରେ ଜାତିକୁ ସାମିଲ କରିବା ଦାବିଟି ନୂଆ ନୁହେଁ। ଦେଶରେ ସାମାଜିକ ନ୍ୟାୟ ପାଇଁ ସଂଘର୍ଷରତ ଶକ୍ତିମାନେ ଲଗାତାର ଭାବେ ଏହି ଦାବି ଉଠାଇ ଆସିଛନ୍ତି। ନିଜକୁ ସାମାଜିକ ନ୍ୟାୟର ପକ୍ଷଧର ବୋଲି ଦାବି କରୁଥିବା ଆର୍ଜେଡ଼ି, ସମାଜବାଦୀ ପାର୍ଟି, ଜନତା ଦଳ (ୟୁ) ପରି ରାଜନୈତିକ ଦଳମାନେ ଏହି ଦାବି କରି ଆସିଛନ୍ତି। ନିକଟ ଅତିତରେ ଓଡ଼ିଶା ଓ ମହାରାଷ୍ଟ୍ର ବିଧାନସଭାରେ ମଧ୍ୟ ଏଥିପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇ ଜାତିଗତ ଗଣନା କାମ ଆରମ୍ଭ ହୋଇଛି। କେବଳ ବିରୋଧି ଦଳ ହିଁ ନୁହଁନ୍ତି, କେନ୍ଦ୍ର ସରକାରରେ ସାମିଲ ରାମଦାସ ଅଠୱାଲେ ଏବଂ ବିଜେପି ନେତ୍ରୀ ଉମା ଭାରତୀ ଓ ପଙ୍କଜା ମୁଣ୍ଡେଙ୍କ ସମେତ ଶାସକ ଏନ୍ଡ଼ିଏ ମେଂଟର ଅନେକ ପଛୁଅ। ବର୍ଗର ନେତା ମଧ୍ୟ ଦେଶରେ ଜାତିଗତ ଜନଗଣନା କରିବା ସପକ୍ଷରେ ନିଜର ମତବ୍ୟକ୍ତ କରିଛନ୍ତି।
ଜାତିର ଆଧାରରେ ଭେଦଭାବ ଏପରିକି ଆକ୍ରମଣ, ନିର୍ଯ୍ୟାତନା ଆମ ସମାଜର ଏକ ନଗ୍ନ ବାସ୍ତବତା। ହଜାର ହଜାର ବର୍ଷର ଜାତି ବ୍ୟବସ୍ଥା ଯୋଗୁଁ ଆଜି ବି ସମାଜର ଏକ ବଡ଼ ସଂଖ୍ୟକ ଅଂଶ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ରହିଛନ୍ତି। ଶିକ୍ଷା ଓ ଚାକିରୀରେ ସେମାନଙ୍କ ଅସମାନ ପ୍ରତିନିଧିତ୍ୱ ରହିଛି। ତେବେ ଉପରୋକ୍ତ ଅସମାନତାକୁ ଦୂର କରିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ତାହା ଭାରତୀୟ ସମାଜରେ ଏବେ ବି ଅବ୍ୟାହତ ରହିଛି। ଏଭଳି ଅସମାନତା ରହିବା ପଛରେ ପ୍ରମୁଖ କାରଣଟି ହେଲା, ସମାଜର ଉତ୍ପାଦନର ଉପକରଣଗୁଡ଼ିକ ପ୍ରାୟତଃ ଉଚ୍ଚଜାତିର ଲୋକଙ୍କ ପାଖରେ ରହିଛି ଏବଂ ଅମଲାତନ୍ତ୍ର ଓ ବିଚାର ବ୍ୟବସ୍ଥା ସହିତ ରାଷ୍ଟ୍ରର ବିଭିନ୍ନ ଅଙ୍ଗରେ ସେମାନଙ୍କର ହିଁ ଆଧିପତ୍ୟ ରହିଛି। ସାମାଜିକ ନ୍ୟାୟ ପାଇଁ ରହିଥିବା ସାମ୍ବିଧାନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ଉଚ୍ଚଜାତିଙ୍କ ଆଧିପତ୍ୟ ରହିଥିବା ଆମର ରାଷ୍ଟ୍ରବ୍ୟବସ୍ଥା ହିଁ ପ୍ରମୁଖ ଭାବରେ ଦାୟୀ। ଶିକ୍ଷା, ଚାକିରୀରେ ବିଶେଷ କରି ସର୍ବୋଚ୍ଚ ସ୍ତରରେ ତଳ ଓ ମଧ୍ୟବର୍ତ୍ତି ଜାତିଗୁଡ଼ିକ ପାଇଁ ସଂରକ୍ଷଣ ସତ୍ତ୍ୱେ ସେମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ନହେବା ଏକ ବାସ୍ତବତା।
ଭାରତ ପରି ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଓ ନୀତି ଗ୍ରହଣ କରିବାକୁ ନାଗରିକଙ୍କ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଜାଣିବା ସରକାରଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ସେହି ଦୃଷ୍ଟିରୁ ପ୍ରତି ଦଶ ବର୍ଷରେ ଆୟୋଜିତ ହେଉଥିବା ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଆମ ଦେଶରେ ସର୍ବପ୍ରଥମେ ବ୍ରିଟିଶମାନେ ଜନଗଣନା ଆରମ୍ଭ କରିଥିଲେ। ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ଭାରତ ସିଧାସଳଖ ବ୍ରିଟିଶ ସରକାରଙ୍କ ଅଧୀନକୁ ଆସିବା ପରେ ଭାରତୀୟଙ୍କୁ ଶାସନ କରିବାକୁ ତଥା ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରଣ ପାଇଁ ଜନଗଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ସେମାନଙ୍କ ପାଇଁ ଜରୁରୀ ଥିଲା। ସେହି କ୍ରମରେ ହିଁ ସେମାନେ ଦେଶରେ ୧୮୭୨ ମସିହାରେ ଜନଗଣନା ଆରମ୍ଭ କରିଥିଲେ। ତେବେ ୧୮୮୧ ମସିହାରୁ ହିଁ ଏହା ପୂର୍ଣ୍ଣାଙ୍ଗ ଭାବେ ଆରମ୍ଭ ହୋଇ ପ୍ରତି ଦଶ ବର୍ଷର ବ୍ୟବଧାନରେ ସଂଗଠିତ ହେଉଥିଲା। କେବଳ ୧୯୪୧ ମସିହାର ଜନଗଣନାଟି ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା।
ବ୍ରିଟିଶ ଶାସନ କାଳରେ ୧୮୮୧ ମସିହାରୁ ୧୯୩୧ ମସିହା ପର୍ଯ୍ୟନ୍ତ ଆୟୋଜିତ ଦେଶର ପ୍ରତିଟି ଜନଗଣନାରେ ଜାତି, ଧର୍ମ ସମେତ ସତରଟି ପ୍ରଶ୍ନକୁ ନେଇ ଜନଗଣନା ହେଉଥିଲା। ୧୯୪୧ ମସିହାରେ ଜନଗଣନା ହୋଇପାରି ନଥିବାରୁ ୧୯୩୧ର ଜନଗଣନା ହିଁ ଜାତିର ଆଧାରରେ ଶେଷ ଜନଗଣନା ଥିଲା। ୧୯୫୧ ମସିହାରେ ଅନୁଷ୍ଠିତ ଜନଗଣନା ଯଦିଓ ସ୍ୱାଧୀନ ଭାରତର ପ୍ରଥମ ଜନଗଣନା ଥିଲା, କିନ୍ତୁ ସେଥିରେ ପ୍ରଥମ ଥର ପାଇଁ ଜାତିର ଗଣନାକୁ ବାଦ ଦିଆଯାଇଥିଲା। ସମ୍ବିଧାନରେ ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିବାରୁ କେବଳ ଏହି ଦୁଇ ସମ୍ପ୍ରଦାୟର ଲୋକଙ୍କ ଜାତିକୁ ହିଁ ଜନଗଣନାରେ ସ୍ଥାନ ଦିଆଯାଇଥିଲା। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ସେଭଳି କୌଣସି ତର୍କ ନଥିଲା। ଯଦିଓ ଏକ ଆଧୁନିକ ଭାରତ ନିର୍ମାଣ ହେବାକୁ ଯାଉଥିବାରୁ ଜନଗଣନାରେ ଜାତିକୁ ଆଣିବା ଠିକ୍ ହେବନି ବୋଲି ତତ୍କାଳୀନ ଶାସକମାନଙ୍କ ପକ୍ଷରୁ ଯୁକ୍ତି ଦିଆଗଲା, କିନ୍ତୁ ସେମାନଙ୍କ ଉପରୋକ୍ତ ନିଷ୍ପତ୍ତି ପଛରେ ଜାତିଗତ ଆଧିପତ୍ୟର ମାନସିକତା ରହିଥିଲା। ବୋଧହୁଏ, ଜାତିଗତ ଜନଗଣନା କରି ସେମାନେ ସମାଜରେ ରହିଥିବା ଜାତିଗତ ବୈଷମ୍ୟ ଏବଂ ସମ୍ପଦ ତଥା ସୁବିଧାରେ ରହିଥିବା ବିଷମ ଭାଗିଦାରୀକୁ ସାମନାକୁ ଆଣିବାକୁ ଚାହୁଁନଥିଲେ। କହିବାକୁ ଗଲେ, ଏହା ଘରର ମଇଳାକୁ କାର୍ପେଟ୍ ତଳେ ଘୋଡ଼େଇ ରଖିବା ପରି ଥିଲା।
ଯଦିଓ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ୧୯୩୧ ମସିହାରେ ଦେଶରେ ଜାତିର ଭିତ୍ତିରେ ଶେଷ ଜନଗଣନା ହୋଇଥିଲା କିନ୍ତୁ ତାହା ସମଗ୍ର ଭାରତର ଜନଗଣନା ନଥିଲା। ଏହା କେବଳ ତତ୍କାଳୀନ ବ୍ରିଟିଶ ଶାସନାଧୀନ ଭାରତରେ ହିଁ ହୋଇଥିଲା। ତତ୍କାଳୀନ ଦେଶୀୟ ରାଜ୍ୟମାନଙ୍କରେ ଏହା ହୋଇନଥିବାରୁ ସେସବୁ ରାଜ୍ୟରେ ବସବାସ କରୁଥିବା ଜନଗଣଙ୍କ ତଥ୍ୟ ଏଥିରେ ସାମିଲ ହୋଇପାରି ନଥିଲା। ଅତଏବ ୧୯୩୧ ପରଠାରୁ ଆଜି ଯାଏଁ ଦେଶରେ ଜାତିଗତ ଜନଗଣନା ହୋଇ ନଥିବାରୁ କେଉଁ ଜାତିର କେତେ ଲୋକ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନାହିଁ। ଏପରିକି ପଛୁଆ ଜାତିର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ପଶ୍ଚାଦପଦତାକୁ ଦୂର କରିବାକୁ ଗଠିତ ମଣ୍ଡଳ କମିଶନଙ୍କ ରିପୋର୍ଟ ବି ୧୯୩୧ ମସିହାର ଜନଗଣନାର ତଥ୍ୟର ଆଧାରରେ ହିଁ ହୋଇଥିଲା। ୧୯୮୦ ମସିହାରେ ପ୍ରକାଶିତ ଏହି ରିପୋର୍ଟ ବି ଆଜି ୪୦ ବର୍ଷର ପୁରୁଣା। ଗତ ୯୦ ବର୍ଷ ମଧ୍ୟରେ ଦେଶରେ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥିବାରୁ ଆଜିର ଦିନରେ ୧୯୩୧ ମସିହାର ତଥ୍ୟର କୌଣସି ଯଥାର୍ଥତା ନାହିଁ ବୋଲି କୁହାଯାଇପାରେ।
ତେବେ ଅନେକ ଦାବି ପରେ, ପ୍ରଥମ ଥର ପାଇଁ ଜାତିର ଆଧାରରେ ଏକ ସ୍ୱତନ୍ତ୍ର ଜନଗଣନା ୨୦୧୧ରେ ଉପା ସରକାର ଦ୍ୱାରା ହୋଇଥିଲା। ଯଦିଓ ନିୟମିତ ଜନଗଣନା ସମୟରେ ଏହା ହୋଇନଥିଲା, କିନ୍ତୁ ତତ୍କାଳୀନ ସରକାର ପଛୁଆ ବର୍ଗର ସଙ୍ଗଠନମାନଙ୍କ ଚାପରେ ଏହାକୁ କରିବାକୁ ବାଧ୍ୟ ହୋଇଥିଲେ। ୪,୦୦୦ କୋଟି ଟଙ୍କା ବିନିମୟରେ ଏହି ଜନଗଣନାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପରିବର୍ତ୍ତେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ସଂଗଠିତ କରିଥିଲେ। ତେବେ ସାମାଜିକ ଅର୍ଥନୈତିକ ଜାତି ଜନଗଣନା (ଏସ୍ଇସିସି) ନାମରେ ହୋଇଥିବା ଏହି ଜାତିଗତ ଜନଗଣନାର ରିପୋର୍ଟ ଆସିଲା ବେଳକୁ ୨୦୧୪ ହୋଇ ସାରିଥିଲା। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ପ୍ରଥମେ ତତ୍କାଳୀନ ଉପା ସରକାର ଓ ପରେ ନୂତନ ଭାବେ କ୍ଷମତାସୀନ ହୋଇଥିବା ଏନଡିଏ ସରକାର କେହି ବି ଏହି ଜନଗଣନାର ପରିସଂଖ୍ୟାନକୁ ସାର୍ବଜନିନ କରିବାକୁ ଚାହିଁନଥିଲେ। ପରେ ୨୦୧୬ ମସିହାରେ ଏନଡିଏ ସରକାର ଏହି ଜନଗଣନାର ଏକ ଅଂଶକୁ ସାର୍ବଜନିନ କରିଥିଲେ ମଧ୍ୟ ଜାତିଗଣନା ସଂକ୍ରାନ୍ତୀୟ ତଥ୍ୟକୁ ଉଜାଗର କରିନଥିଲେ। ଏହି ଜନଗଣନାରେ କିଛି ତୃଟିବିଚ୍ୟୁତି ରହିଛି ବୋଲି କହି ତା’ର ରିପୋର୍ଟକୁ ପ୍ରକାଶ କରାଯାଇ ନଥିଲା। ଏଠାରେ ପ୍ରଶ୍ନ ଉଠେ, ଯଦି ଜନଗଣନାଟି ଏତେ ତୃଟୀପୂର୍ଣ୍ଣ ଥିଲା, ତାହେଲେ ତାର ଗୋଟିଏ ଅଂଶକୁ ଛାଡ଼ି ଅନ୍ୟ ଅଂଶଟିକୁ ପ୍ରକାଶ କରାଗଲା କାହିଁକି?
ଜାତିଗତ ଜନଗଣନା ବିରୁଦ୍ଧରେ ଏକ ବଡ଼ ପ୍ରଚାର ହେଲା, ଏହା ସମାଜରେ ଜାତିଗତ ବିଭେଦ ବା ଘୃଣାକୁ ବଢ଼େଇବ। ତେବେ ପ୍ରଥମ କଥା ହେଲା, ଦେଶରେ ବର୍ତ୍ତମାନ ଚାଲିଥିବା ଜନଗଣନା ବି ଜାତିରୁ ଆଦୌ ମୁକ୍ତ ନୁହେଁ। ପ୍ରତ୍ୟେକ ଜନଗଣନାରେ ତଫସିଲଭୁକ୍ତ ଜାତି ଓ ଜନଜାତି ଅର୍ନ୍ତଭୁକ୍ତ ଜାତିମାନଙ୍କ ଗଣନା କରାଯାଉଛି। ସେମାନଙ୍କ ମଧ୍ୟରେ କେଉଁ ଜାତିର କେତେ ଲୋକ ରହିଛନ୍ତି, ତା’ର ଗଣନା କରି ସେହି ତଥ୍ୟକୁ ନିୟମିତ ପ୍ରକାଶ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ସେମାନଙ୍କ ବ୍ୟତିତ ଅନ୍ୟ ଜାତି ଅର୍ଥାତ୍ ପଛୁଆ ବର୍ଗ (ଓବିସି) ଏବଂ ଉଚ୍ଚଜାତିର ଲୋକମାନଙ୍କର ଗଣନା ହେଉନାହିଁ। ଏପରିକି ଜାତି ବ୍ୟତିତ ସମାଜରେ ଧର୍ମ, ଭାଷା ଓ ଲିଙ୍ଗ ପରି ରହିଥିବା ଅନ୍ୟ ସମସ୍ତ ବିଭେଦକୁ ଗଣନା କରାଯାଉଛି। ଯଦି ଜାତିଗତ ଜନଗଣନା ସମାଜରେ ଜାତି ବିଭେଦକୁ ବଢ଼ାଇବ ତାହେଲେ ବର୍ତ୍ତମାନ ଜାତି, ଧର୍ମ ଓ ଭାଷା ନେଇ ହେଉଥିବା ଜନଗଣନା ସମାଜରେ ବିଭେଦତା ଓ ସାମ୍ପ୍ରଦାୟିକତାକୁ ବଢ଼ାଉନି କାହିଁକି?
ଜାତିଗତ ଜନଗଣନା ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟଟି ଦୋହରା ଅଟେ। ଆଜି କ୍ଷମତାକୁ ଆସିବା ପରେ ବିଜେପି ହୁଏତ ଜାତିଗତ ଜନଗଣନାକୁ ବିରୋଧ କରୁଛି, କିନ୍ତୁ ଦଶବର୍ଷ ପୂର୍ବରୁ ବିରୋଧି ଭୂମିକାରେ ଥିବା ବେଳେ ସେମାନେ ସଂସଦରେ ଏଥିପାଇଁ ଦାବି କରୁଥିଲେ। ଗତ ଜନଗଣନାର ଠିକ୍ ପୂର୍ବରୁ ୨୦୧୦ ମସିହାରେ ତତ୍କାଳୀନ ବିଜେପି ନେତା ଗୋପୀନାଥ ମୁଣ୍ଡେ ସଂସଦରେ ନିଜର ବକ୍ତବ୍ୟ ରଖି ୨୦୧୧ର ଜନଗଣନାରେ ଜାତିକୁ ସାମିଲ କରିବା ପାଇଁ ଦାବି କରିଥିଲେ। ଏପରିକି ୨୦୧୮ ଅଗଷ୍ଟ ୩୧ରେ ବିଜେପି ସରକାରଙ୍କ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ଜନଗଣନା ସମ୍ପର୍କରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକର ପ୍ରେସ୍ ବିବୃତ୍ତି ଜାରୀ କରି ୨୦୨୧ ଜନଗଣନାରେ ଓବିସିମାନଙ୍କ ଉପରେ ତଥ୍ୟ ସଂଗ୍ରହ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ଅସଲ କଥା ହେଲା, କୌଣସି ନ୍ୟାୟସଙ୍ଗତ କାରଣରୁ ନୁହେଁ ବରଂ ରାଜନୈତିକ ସଦିଚ୍ଛାର ଅଭାବରୁ ହିଁ ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରାଯାଉଛି। ଜନଗଣନାରେ ଜାତିକୁ ସାମିଲ କଲେ, ସମାଜରେ ଜାତିଗତ ବିଭାଜନ ବୃଦ୍ଧି ପାଇବ ବୋଲି ଯୁକ୍ତି କରୁଥିବା ଲୋକମାନେ ପଛୁଆ ବର୍ଗର ଭୋଟ ପାଇବା ପାଇଁ ନିଟ୍ ପରୀକ୍ଷାରେ ସର୍ବଭାରତୀୟ କୋଟାରେ ଓବିସି ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି। ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସୁପାରିଶ କରିବାକୁ ଖୋଦ୍ କେନ୍ଦ୍ର ସରକାର ରୋହିଣୀ କମିଶନ ଗଠନ କରିଛନ୍ତି।
ଏଠାରେ ଭୁଲିଯିବା ଉଚିତ ନୁହେଁ ଯେ ଅତିତରେ ୧୯୯୦ ମସିହାରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ଦ୍ୱାରା ମଣ୍ଡଳ କମିଶନଙ୍କ ରିପୋର୍ଟ ଲାଗୁ କରିବା ବେଳେ ବିଜେପି ତାକୁ ବିରୋଧ କରିବା ସହିତ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ମଣ୍ଡଳ କମିଶନ ସୁପାରିଶ ବିରୁଦ୍ଧରେ ସେତେବେଳେ ଦେଶବ୍ୟାପି ଉଚ୍ଚଜାତିର ଯୁବକମାନଙ୍କ ପକ୍ଷରୁ ପ୍ରତିବାଦ ଓ ହିଂସା ସଂଘଠିତ ହୋଇଥିଲା। ମଣ୍ଡଳ ବିରୋଧ ଦୃଢ଼ ଆଭିମୁଖ୍ୟ ପ୍ରକାଶ କରି ବିଜେପି ଦେଶର ଉଚ୍ଚ ଜାତିର ଲୋକଙ୍କ ଭିତରେ ନିଜର ସମର୍ଥନ ଭିତ୍ତି ବଢ଼ାଇ ପାରିଛି। ୧୯୯୭ ମସିହାରେ ତତ୍କାଳୀନ ଦେବଗୌଡ଼ା ସରକାର ୨୦୦୧ର ଜନଗଣନାରେ ଜାତିକୁ ସାମିଲ କରିବାକୁ ସୁପାରିଶ କରିଥିଲେ ମଧ୍ୟ ପରେ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଏହାକୁ ଗ୍ରହଣ ନକରି ଜନଗଣନାରୁ ଜାତି ଗଣନାକୁ ବାଦ ଦେଇଥିଲେ।
ଜାତିଗତ ଜନଗଣନା ଫଳରେ ସମାଜରେ ଜାତିଗତ ବିଭାଜନ ବଢ଼ିବ ବୋଲି ଦଳର ନେତା ଗତ ସାତ ବର୍ଷ ମଧ୍ୟରେ ରାଜନୈତିକ ସ୍ୱାର୍ଥ ପାଇଁ ବାରମ୍ବାର ନିଜକୁ ପଛୁଆ ଜାତିରୁ ଆସିଥିବା କଥା କହି ଆସିଛନ୍ତି। ନିକଟରେ ଗଠିତ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ ୨୭ ଜଣ ପଛୁଆ ବର୍ଗର ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ସରକାର ଜୋରସୋରରେ ପ୍ରଚାର କରିଛନ୍ତି। ପଛୁଆ ବର୍ଗର ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଦେଶରେ ସବୁ ରାଜ୍ୟରେ ବିଜେପି ନିଜର ଓବିସି ସେଲ୍ ଗଠନ କରିଛି। କ’ଣ ଏସବୁ ସମାଜରେ ବିଭାଜନ ସୃଷ୍ଟି କରୁନି?
ଏହା ମଧ୍ୟ ସତ୍ୟ ଯେ ମଣ୍ଡଳ କମିଶନଙ୍କ ସୁପାରିଶ ଲାଗୁ ହେବା ଯୋଗୁଁ ଆର୍ଜେଡ଼ି, ସମାଜବାଦୀ ପାର୍ଟି ପରି ଆଞ୍ଚଳିକ ଦଳଗୁଡ଼ିକ ରାଜନୈତିକ ଶକ୍ତି ପାଇଥିଲେ। ପଛୁଆ ବର୍ଗର ଜାତିମାନଙ୍କ ମଧ୍ୟରେ ନିଜର ପ୍ରଭାବକୁ ସୁଦୃଢ଼ କରି ସେମାନେ କ୍ଷମତାକୁ ଆସିବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ମଣ୍ଡଳ ରାଜନୀତି ବିଜେପିର କମଣ୍ଡଳ ବା ହିନ୍ଦୁତ୍ୱର ରାଜନୀତିକୁ ସିମୀତ କରିବାରେ ଅନେକ ପରିମାଣରେ ସକ୍ଷମ ହୋଇଥିଲା। କିନ୍ତୁ କିଛି ବର୍ଷ ହେଲା, ପଛୁଆ ବର୍ଗର ଜାତିମାନଙ୍କ ଉପରେ ସେମାନଙ୍କ ପ୍ରଭାବ ନିମ୍ନଗାମୀ ହୋଇଥିବା ବେଳେ ବିଜେପିର ପ୍ରଭାବ ବଢ଼ିବା ଦେଖାଯାଇଛି।
ଗତ ପନ୍ଦର ବର୍ଷ (୨୦୦୪-୧୯) ମଧ୍ୟରେ ଓବିସି ମଧ୍ୟରେ ସେମାନଙ୍କ ଭୋଟହାର ପୂର୍ବାପେକ୍ଷା ୧୨.୯% ହ୍ରାସ ପାଇଥିବା ବେଳେ ଗତ ଦଶ ବର୍ଷ ମଧ୍ୟରେ ବିଜେପିର ଓବିସି ଭୋଟ ୨୨%ରୁ ଦ୍ୱିଗୁଣିତ ହୋଇ ୪୪%ରେ ପହଂଚିଛି। ପଛୁଆ ବର୍ଗର ଅଧିକରୁ ଅଧିକ ସମର୍ଥନ ପାଇବା ଯୋଗୁଁ ବିଜେପି ଉଚ୍ଚଜାତିରେ ଥିବା ନିଜର ପାରମ୍ପରିକ ଭୋଟବ୍ୟାଙ୍କ୍ ଉପରେ ଆଉ ସମ୍ପୂର୍ଣ୍ଣ ନିର୍ଭରଶୀଳ ନୁହେଁ। ମାଦ୍ରାସ ହାଇକୋର୍ଟର ରାୟ ପରେ ଯଦିଓ ବାଧ୍ୟ ହୋଇ କେନ୍ଦ୍ରର ବିଜେପି ସରକାର ମେଡ଼ିକାଲ ଓ ଡ଼େଂଟାଲ କଲେଜରେ ନାମଲେଖାରେ ଓବିସିଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ କରିବାକୁ ଘୋଷଣା କରିଛନ୍ତି, କିନ୍ତୁ ଏହାକୁ ନିଜର କୃତୀତ୍ୱ ଭାବେ ଓବିସିଙ୍କ ମଧ୍ୟରେ ସେମାନେ ପ୍ରଚାର କରୁଛନ୍ତି। ଅଥଚ ୧୯୯୩ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟମାନଙ୍କ ପାଖରେ ପଛୁଆ ବର୍ଗର ତାଲିକା ପ୍ରସ୍ତୁତ କରିବା ପାଇଁ ଯେଉଁ ଅଧିକାର ଥିଲା, ତାକୁ ମୋଦି ସରକାର ହିଁ ହଟେଇ ଦେଇଥିଲେ ଯାହାକୁ ଏବେ ୧୨୭ତମ ସମ୍ବିଧାନ ସଂଶୋଧନ ଜରିଆରେ ପୁଣିଥରେ ଆରମ୍ଭ କରିଛନ୍ତି।
ଭାରତୀୟ ସମାଜରେ ବୈଷମ୍ୟର ଅନ୍ୟତମ ଉପାଦାନ ହେଉଛି ଜାତିବ୍ୟବସ୍ଥା। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ସମାଜରୁ ଜାତି ବ୍ୟବସ୍ଥା ସମାପ୍ତ ନହେବା ଫଳରେ ଦଳିତ ଓ ପଛୁଆ ବର୍ଗର କୁହାଯାଉଥିବା ଲୋକେ ଆଜି ବି ସମ୍ପତ୍ତି, ରୋଜଗାର, ଶିକ୍ଷା ଆଦିରେ ଅନ୍ୟ ଉଚ୍ଚ ଜାତିଙ୍କ ଭଳି ସମାନ ସୁବିଧା ସୁଯୋଗ ପାଇବାରୁ ବଂଚିତ ରହିଛନ୍ତି। ପୁନେସ୍ଥିତ ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟ, ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓ ଇନିଷ୍ଟିଉଟ୍ ଅଫ ଦଲିତ ଷ୍ଟଡ଼ିଜ୍ ତରଫରୁ ମିଳିତ ଭାବେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର ମୋଟ ଜାତୀୟ ସମ୍ପଦର ସର୍ବାଧିକ ଭାଗ ଅର୍ଥାତ୍ ୪୧% ଉଚ୍ଚଜାତିର ହିନ୍ଦୁମାନଙ୍କ ହାତରେ, ୩୧% ଓବିସିମାନଙ୍କ ହାତରେ, ୭.୬% ଅନୁସୂଚୀତ ଜାତିମାନଙ୍କ ପାଖରେ ଏବଂ ୩.୭% ଅନୁସୂଚୀତ ଜନଜାତିମାନଙ୍କ ପାଖରେ ରହିଛି। ଜାତିର ଭିତ୍ତିରେ ଆର୍ଥିକ ଅସମାନତାର ଭୟଙ୍କର ଚିତ୍ରଟି ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି। ପଛୁଆ ଜାତିମାନଙ୍କ କଲ୍ୟାଣ ପାଇଁ ଗଠିତ ସଂସଦୀୟ କମିଟି ୨୦୧୯ ମସିହାରେ ପ୍ରକାଶିତ ନିଜ ରିପୋର୍ଟରେ କହିଛି ଯେ ଯଦିଓ ଓବିସିମାନଙ୍କ ପାଇଁ ସରକାର ୨୭% ସଂରକ୍ଷଣ ଘୋଷଣା କରିଛନ୍ତି କିନ୍ତୁ ବାସ୍ତବ ଅର୍ଥରେ ତାହା କାର୍ଯ୍ୟକାରୀ ହୋଇନି। ୨୦୧୬ ମାର୍ଚ୍ଚ ପହିଲା ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ମୋଟ ୩୨.୫୮ ଲକ୍ଷ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୭ ଲକ୍ଷ ଅର୍ଥାତ୍ ୨୨.୬୫% ହିଁ ପଛୁଆ ଜାତିର ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସିଂହଭାଗ ହେଉଛନ୍ତି ଗୃଫ୍ ସି ଓ ଗୃଫ୍ ଡ଼ି ଶ୍ରେଣୀର କର୍ମଚାରୀ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତ ୯୦ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ତିନି ଜଣ ହିଁ ପଛୁଆ ବର୍ଗର।
ଅତଏବ ଜାତି ନାମରେ ସମାଜରେ ରହିଥିବା ଏହି ବିଭାଜନକୁ ପରଦା ଘୋଡ଼େଇ ଅଥବା ଆଖିବୁଜି ଦେଇ ରଖାଯାଇ ନପାରେ। ବରଂ ଏହି ବିଭାଜନର ପ୍ରକୃତ ସ୍ଥିତିକୁ ଜାଣି ସେ ଦିଗରେ ସରକାର କିଛି ସକାରାତ୍ମକ ପଦକ୍ଷେପ ବା ନୀତି ଗ୍ରହଣ କଲେ ହିଁ ଏହି ବିଭାଜନକୁ ସମାପ୍ତ କରାଯାଇ ପାରିବ। ଏଠାରେ ପ୍ରଶ୍ନ ଉଠେ, ସରକାର ଯେତେବେଳେ ପଛୁଆ ବର୍ଗର ଲୋକଙ୍କ ପାଇଁ ଯୋଜନା କରୁଛନ୍ତି, ସେମାନଙ୍କ ବିକାଶ ପାଇଁ କମିଶନ ଗଠନ କରୁଛନ୍ତି, ସେତେବେଳେ ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ଜାଣିବାରେ ଅସୁବିଧା କେଉଁଠି? ବିଶ୍ୱ ସାରା ସବୁ ରାଷ୍ଟ୍ରରେ ସରକାରମାନେ ସାଧାରଣ ଜନତାଙ୍କ ସମ୍ପର୍କରେ ତଥା ସମାଜରେ ରହିଥିବା ବିଭିନ୍ନ ଭେଦଭାବ ଓ ବିଭାଜନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏକ ସାଧାରଣ କଥା। ଆମେରିକାରେ ଜନଗଣନାରେ ନିୟମିତ ଭାବେ କଳା ଓ ଗୋରା ଲୋକଙ୍କ ଗଣନା କରାଯାଇ ତାରି ଆଧାରରେ କଳା ଲୋକଙ୍କ ପାଇଁ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ। ଆମ ଦେଶରେ ବି ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କ ସମ୍ପର୍କରେ ସରକାର ଜନଗଣନାରେ ତଥ୍ୟ ସଂଗ୍ରହ କରି ତାକୁ ନିଜର କାର୍ଯ୍ୟକ୍ରମରେ ଉପଯୋଗ କରି ଆସୁଛନ୍ତି।
ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ସଙ୍କ୍ରାନ୍ତୀୟ ଧାରଣାଟି ସମ୍ବିଧାନର ଧାରା ୩୪୦ରୁ ଆସିଛି। ସେଥିରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛରେ ରହିଥିବା ଲୋକଙ୍କ ପାଇଁ କମିଶନ ଗଠନ କରିବା କଥା କୁହାଯାଇଛି। ଏହି କ୍ରମରେ ପ୍ରଥମେ କାକା କେଲକାର କମିଶନ ଓ ପରେ ମଣ୍ଡଳ କମିଶନ ଗଠନ ହୋଇଥିଲା। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ପି.ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ପଛୁଆ ଜାତିମାନଙ୍କ ସାମାଜିକ ଓ ଶିକ୍ଷାଗତ ପଶ୍ଚାତପଦତାକୁ ଦୂର କରିବାକୁ ୧୯୮୦ ମସିହାରେ ଅନେକ ଗୁଡ଼ିଏ ସୁପାରିଶ କରିଥିଲେ। ମଣ୍ଡଳ କମିଶନ ଦେଶର ୩୭୪୩ଟି ଜାତିକୁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ଜାତି ବୋଲି କହିଥିଲେ। ଏହି କମିଶନ ଓବିସିମାନଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷାରେ ସ୍ଥାନ ସଂରକ୍ଷଣର କଥା କହିଛି। ତେବେ ଦୀର୍ଘ ୯ ବର୍ଷ ପରେ ଯାଇ ୧୯୮୯ ମସିହାରେ କେନ୍ଦ୍ରର ବିଶ୍ୱନାଥ ପ୍ରତାପ ସିଂଙ୍କ ସରକାର ତା’ର ଗୋଟିଏ ସୁପାରିଶ ଅର୍ଥାତ୍ ସରକାରୀ ଚାକିରୀରେ ସ୍ଥାନ ସଂରକ୍ଷଣକୁ ହିଁ କାର୍ଯ୍ୟକାରୀ କରିଥିଲେ। ୨୦୦୬ ମସିହାରେ ଏହାର ଦ୍ୱିତୀୟ ସୁପାରିଶକୁ ତତ୍କାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅର୍ଜୁନ ସିଂ ଲାଗୁ କରି ଶିକ୍ଷା ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ଲାଗୁ କରିଥିଲେ।
ପଛୁଆ ବର୍ଗର ଲୋକଙ୍କୁ ଉପଯୁକ୍ତ ସଂରକ୍ଷଣ ଦେବାରେ ଦେଶର ନ୍ୟାୟପାଳିକା ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଠିଆ ହୋଇଛି। ସଂରକ୍ଷଣ ପାଇଁ ୫୦% ସିଲିଂ ଧାର୍ଯ୍ୟ କରାଯାଇଥିବାରୁ ଓବିସି ବର୍ଗର ଲୋକେ ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କ ପରି ନିଜର ଜନସଂଖ୍ୟା ଅନୁପାତରେ ସଂରକ୍ଷଣର ସୁବିଧା ପାଉନାହାନ୍ତି। ବର୍ତ୍ତମାନ ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କ ଜନସଂଖ୍ୟା ଅନୁପାତରେ ଯଥାକ୍ରମେ ୭.୫% ଓ ୧୫.୫% ସଂରକ୍ଷଣ ପ୍ରଚଳିତ ରହିଛି। କିନ୍ତୁ ଓବିସିଙ୍କ ଜନସଂଖ୍ୟା ୫୦%ରୁ ଅଧିକ ହେଲେ ବି ଉପରୋକ୍ତ ୫୦% ସଂରକ୍ଷଣ ସିଲିଂ ଲାଗି ମଣ୍ଡଳ କମିଶନ ମାତ୍ର ୨୭% ସ୍ଥାନ ସଂରକ୍ଷଣ ପାଇଁ ହିଁ ସୁପାରିଶ କରିଛି। ଓଡ଼ିଶାରେ ବି ସରଂକ୍ଷଣର ଏହି ୫୦% ସିଲିଂ ଯୋଗୁଁ ପଛୁଆ ବର୍ଗର ଲୋକେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟରେ ଜନସଂଖ୍ୟାର ଅନୁପାତରେ ୨୨.୮% ଅନୁସୂଚୀତ ଜନଜାତି ଓ ୧୬.୨୫% ଅନୁସୂଚୀତ ଜାତିଙ୍କ ପାଇଁ ସରଂକ୍ଷିତ ଥିବାରୁ ଓବିସି ପାଇଁ ମାତ୍ର ୧୧.୨୫% ହିଁ ସଂରକ୍ଷିତ ହୋଇପାରିଛି। ରାଜ୍ୟରେ ଓବିସି ତାଲିକାଭୁକ୍ତ ଜାତିମାନଙ୍କ ଜନସଂଖ୍ୟାର ଅନୁପାତରେ ଏହା ବହୁତ କମ୍।
ତେବେ ସଂରକ୍ଷଣ ପାଇଁ ୫୦%ର ସୀମା ଧାର୍ଯ୍ୟଟି ସମ୍ବିଧାନରେ ଉଲ୍ଲେଖ ହୋଇନଥିଲା। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଜପଟୁ ସକ୍ରୀୟତା ଦେଖାଇ ଏହାକୁ ରଖିଛନ୍ତି ଯାହାକି ଆଦୌ ତର୍କସଙ୍ଗତ ନୁହେଁ। ରାଷ୍ଟ୍ରର ଅନ୍ୟାନ୍ୟ ଅଙ୍ଗ ଅପେକ୍ଷା ନ୍ୟାୟପାଳିକାରେ ସବୁଠାରୁ ବେଶୀ ଜାତିଗତ ଅସମାନତା ରହିଛି। ବିଶେଷ କରି ସର୍ବୋଚ୍ଚ ନ୍ୟାୟପାଳିକାରେ ଉଚ୍ଚଜାତିମାନଙ୍କର ଆଧିପତ୍ୟ ଅବ୍ୟାହତ ରହିଛି। ସର୍ବୋଚ୍ଚ ନ୍ୟାୟପାଳିକା ସଂରକ୍ଷଣ ବ୍ୟବସ୍ଥାରୁ ଏଯାଏଁ ମୁକ୍ତ ରହିଛି। ସମାଜର ବଂଚିତ ଓ ଅବହେଳିତ ଜାତିମାନଙ୍କ ପାଇଁ ନ୍ୟାୟପାଳିକାରେ ସଂରକ୍ଷଣ ନରହିବା ଫଳରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମେତ ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟମାନଙ୍କରେ କାଁ ଭାଁ ଜଣେ ଦୁଇ ଜଣ ହିଁ ତଳଜାତିମାନଙ୍କର ବିଚାରପତି ଦେଖିବାକୁ ମିଳିଥାଏ। ଏହି କାରଣରୁ ଦେଶର ଉଚ୍ଚ ନ୍ୟାୟପାଳିକ ତଳ ଓ ପଛୁଆ ଜାତିର ଲୋକଙ୍କ ପାଇଁ ଶିକ୍ଷା ଓ ଚାକିରୀରେ ସ୍ଥାନ ସଂରକ୍ଷଣ ସମ୍ପର୍କରେ ସର୍ବଦା ଏକ ନାକାରାତ୍ମକ ଆଭିମୁଖ୍ୟ ପୋଷଣ କରି ଆସିଛି। ବିଭିନ୍ନ ରାଜ୍ୟ ସରକାର ସମାଜର ବଂଚିତ ବର୍ଗର ଲୋକଙ୍କୁ ବିଭିନ୍ନ ସମୟରେ ଦେଇଥିବା କୋଟାକୁ ଅତ୍ୟଧିକ ବା ୫୦% ସିଲିଂରୁ ଅଧିକ ବୋଲି ଦର୍ଶାଇ ଖାରଜ କରି ଆସିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେହି ସୁପ୍ରିମକୋର୍ଟ ହିଁ କେନ୍ଦ୍ର ସରକାରଙ୍କ ଦ୍ୱାରା କିଛି ବର୍ଷ ତଳେ ଘୋଷଣା କରାଯାଇଥିବା ଉଚ୍ଚଜାତିର ଲୋକଙ୍କ ପାଇଁ ୧୦% କୋଟାକୁ ଅତ୍ୟଧିକ ବୋଲି କହି ଖାରଜ କରିବାକୁ ଚାହିଁନି। ଏ ସମ୍ପର୍କରେ ଦାୟର ପିଟିସନ୍ ଉପରେ କୋର୍ଟ ସମ୍ପୂର୍ଣ୍ଣ ନୀରବ ରହିଛି। ଏହା ହିଁ କୋର୍ଟର ଜାତିବାଦୀ ଆଭିମୁଖ୍ୟକୁ ପ୍ରମାଣିତ କରିବାକୁ ଯଥେଷ୍ଟ।
ଦେଶରେ ନବ ଉଦାର ଅର୍ଥନୀତି ଆରମ୍ଭ ହେବା ପରେ ଗତ ତିରିଶ ବର୍ଷ ମଧ୍ୟରେ ଘରୋଇକରଣର ପ୍ରକ୍ରୀୟା ଜୋରଦାର ହୋଇଛି। ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଭୂମିକା ହ୍ରାସ ପାଇ ଘରୋଇ ଉଦ୍ୟମରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଖୋଲିବା ଫଳରେ ସ୍ଥାନ ସଂରକ୍ଷଣର କୌଣସି ଭୂମିକା ରହୁନି। ସେହିପରି ଅନେକ ସରକାରୀ ଶିଳ୍ପ, ସଂସ୍ଥା ଓ ସରକାରୀ ସେବାର ଘରୋଇକରଣ ହେବା ଫଳରେ ତଥା ସରକାରୀ ନିଯୁକ୍ତିରେ ଠିକା ଓ ଆଉଟସୋରସିଂ ଏଜେନ୍ସିଙ୍କୁ ଦେବା ଫଳରେ ସମାଜର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ଜାତିମାନଙ୍କ ପାଇଁ ରହିଥିବା ସଂରକ୍ଷଣ ଏକରକମ ଅକାମୀ ହୋଇଯାଉଛି। ଏଭଳି ପରିସ୍ଥିତିରେ ଘରୋଇ କ୍ଷେତ୍ରରେ ବି ସଂରକ୍ଷଣର ଆବଶ୍ୟକତା ରହିଛି ଏବଂ ସରକାରମାନେ ଇଚ୍ଛାଶକ୍ତି ଦେଖାଇଲେ ତାହା ଅତି ସହଜରେ ହୋଇପାରିବ।
ଦେଶରେ ଜାତି ଜନଗଣନା ପାଇଁ କେନ୍ଦ୍ର ସରକାର ଅସହମତ ହେବା ପଛରେ ମୂଳତଃ ଦୁଇଟି କାରଣ ରହିଛି। ପ୍ରଥମଟି ହେଲା, ଯଦିଓ ଭୋଟ ପାଇଁ ଜାତିଗତ ବିଭାଜନକୁ ଅସ୍ତ୍ର କରାଯାଉଛି, କିନ୍ତୁ ତାହା ହିନ୍ଦୁତ୍ୱ ରାଜନୀତିର ପରିପନ୍ଥୀ। ହିନ୍ଦୁ-ମୁସଲମାନ ଧୃବୀକରଣରେ ବିଶ୍ୱାସ କରୁଥିବା ଶକ୍ତି ଏ ଦିଗରେ ଜାତିକୁ ସବୁ ବେଳେ ଏକ ପ୍ରତିବନ୍ଧକ ଭାବେ ଦେଖି ଆସିଛି। କାରଣ ଜାତିର ବିଭାଜନ ସେମାନଙ୍କ ପ୍ରସ୍ତାବିତ ହିନ୍ଦୁ ଏକତା ବା ଆଧିପତ୍ୟକୁ ଦୁର୍ବଳ କରୁଛି। ଯେତେବେଳେ ରାଜନୀତିରେ ଧର୍ମ ବଦଳରେ ଜାତିର ପ୍ରସଙ୍ଗ ପ୍ରମୁଖ ଭାବେ ସାମନାକୁ ଆସିବ ସେତେବେଳେ ସେମାନଙ୍କ ହିନ୍ଦୁ ଭୋଟବ୍ୟାଙ୍କ୍ ଏକାଠି ନରହି ବିଭାଜିତ ହେବ। ସେହି କାରଣରୁ ଜାତି ଜନଗଣନାକୁ ବିରୋଧ କରାଯାଉଛି।
ଦ୍ୱିତୀୟ କାରଣଟି ହେଲା, ଜାତିଗତ ଜନଗଣନାର ତାର୍କିକ ପରିଣତିକୁ ନେଇ। କାରଣ ଜାତି ଜନଗଣନା ଫଳରେ ଥରେ ଓବିସିଭୁକ୍ତ ଜାତିମାନଙ୍କ ପ୍ରକୃତ ସଂଖ୍ୟା ସାମନାକୁ ଆସିଗଲେ ସେମାନେ ନିଜର ଜନସଂଖ୍ୟା ଅନୁରୂପ ଅଧିକ ସଂରକ୍ଷଣ ମାଗିବାର ସମ୍ଭାବନା ରହିଛି। କାରଣ ଆଜି ବି ସମାଜରେ ଉଚ୍ଚ ଜାତିର ଲୋକେ ଶିକ୍ଷା, ଚାକିରୀ ଓ ସମ୍ପତ୍ତିରେ ଯେତିକି ସୁଯୋଗ ପାଉଛନ୍ତି, ତାହା ସେମାନଙ୍କ ଜନସଂଖ୍ୟା ତୁଳନାରେ ବହୁତ ଅଧିକ। ଅନ୍ୟପଟେ ଓବିସି ସମ୍ପ୍ରଦାୟର ଲୋକମାନେ ଯେଉଁ ସୁବିଧା ପାଉଛନ୍ତି, ତାହା ସେମାନଙ୍କ ଜନସଂଖ୍ୟା ତୁଳନାରେ ବହୁତ କମ୍ ବୋଲି ଥରେ ଜଣାପଡ଼ିଲେ ତାହା ସରକାର ପାଇଁ ସମସ୍ୟା ସୃଷ୍ଟି କରିବ। ସରକାର ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେଲେ ତାହା ଉଚ୍ଚଜାତିରେ ଥିବା ପାରମ୍ପରିକ ରାଜନୀତିକ ସମର୍ଥନ ଭିତ୍ତିକୁ ଦୋହଲାଇ ଦେବାର ସମ୍ଭାବନା ରହିଛି। ଏପରିକି ଦେଶରେ ଓବିସି ଜାତିମାନଙ୍କ ଜନସଂଖ୍ୟା ପ୍ରାୟ ୫୦%ରୁ ଅଧିକ ବୋଲି ଅନୁମାନ କରାଯାଉଥିବାରୁ ଥରେ ଏହା ପ୍ରମାଣିତ ହୋଇଗଲେ ସେମାନଙ୍କୁ ଜନସଂଖ୍ୟା ଅନୁପାତରେ ଯଦି ସଂରକ୍ଷଣ ସୁବିଧା ଦିଆଯାଏ, ତାହେଲେ ସଂରକ୍ଷଣ ଉପରେ ବର୍ତ୍ତମାନ ରହିଥିବା ୫୦% ସୀମାକୁ ବଢ଼ାଇବାକୁ ସମ୍ବିଧାନ ସଂଶୋଧନ କରିବାକୁ ହୁଏତ ଦାବି ହେବ। ଉପରୋକ୍ତ କାରଣରୁ ହିଁ ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଜନଗଣନାରେ ଜାତିର ଗଣନାକୁ ସାମିଲ କରିବା ସପକ୍ଷରେ ନାହାନ୍ତି। ଉଚ୍ଚ ଜାତିର ପ୍ରଭାବ ରହିଥିବା ଉପରୋକ୍ତ ଦଳମାନେ ସମାଜରେ ଜାତିବିଦ୍ୱେଷର ପ୍ରକୃତ ଚିତ୍ରକୁ ଉଜାଗର କରିବାକୁ ଚାହୁଁନାହାନ୍ତି।
ଭାରତ ପରି ଏକ ଜାତି ବିଭାଜିତ ଦେଶରେ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ଅସମାନତାକୁ ଦୂର କରିବାକୁ ହେଲେ ଦୃଢ଼ ନୀତିର ଆବଶ୍ୟକତା ରହିଛି। ଜାତି ବ୍ୟବସ୍ଥା ଯୋଗୁଁ ସମାଜରେ ଯେଉଁ ଲୋକମାନେ ସାମାଜିକ ଓ ଶିକ୍ଷାଗତ ଭାବେ ବଂଚିତ ରହିଛନ୍ତି, ସେମାନଙ୍କ ଉତ୍ଥାନ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ହେଲେ, ଉପରୋକ୍ତ ବଂଚିତ ଓ ପଶ୍ଚାଦପଦ ଲୋକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦରକାର। ଏହିଦୃଷ୍ଟିରୁ ହିଁ ଦେଶରେ ଜାତିଗତ ଜନଗଣନାର ନିହାତି ଆବଶ୍ୟକତା ରହିଛି। ଏହାଦ୍ୱାରା ସମାଜରେ କେତେ ଭାଗ ଜନତା ପଛୁଆ ରହିଛନ୍ତି, ତାର ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ଏବଂ ତାକୁ ଦୂର କରିବାକୁ ଠୋସ୍ ପଦକ୍ଷେପ ନେବାରେ ସରକାରକୁ ସହାୟକ ହେବ। ଜାତି ଜନଗଣନା କେବଳ ପଛୁଆ ବର୍ଗର ଲୋକଙ୍କ ପାଇଁ ଠୋସ୍ ନୀତି ଗ୍ରହଣ କରିବାରେ ହିଁ ସରକାରଙ୍କୁ ସହାୟକ ହେବନି ବରଂ ଏନେଇ ରହିଥିବା ପଛଘୁଞ୍ଚାକୁ ଅତିକ୍ରମ କରିବାରେ ବି ସହାୟକ ହେବ। ତେବେ କେବଳ ପଛୁଆ ଜାତିମାନଙ୍କ ହିଁ ନୁହେଁ, ସମାଜର ଉଚ୍ଚଜାତି ସମେତ ସବୁ ଜାତିର ଗଣନା ହେବା ଜରୁରୀ।
ଫୋନ - ୯୪୩୭୧୬୬୩୯୧