ରବି ଦାସ
ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ସାମୂହିକ ଭାବରେ ଉଭୟ ଲୋକସଭା ଓ ବିଧାନସଭାରେ ଯେଉଁ ଫଳ ପାଇଲା ସେଥିରେ ସାଧାରଣ କଂଗ୍ରେସ କର୍ମୀମାନେ ଓ ସମର୍ଥକମାନେ ନିରୁତ୍ସାହିତ ହୋଇଥିଲେ ମଧ୍ୟ ଭବିଷ୍ୟତର ଏକ ସ୍ୱପ୍ନ ଦେଖୁଥିଲେ। କାରଣ କଂଗ୍ରେସ ଦଳ ଲୋକସଭାରେ ଗତ ଥର ପରି ଏଥର ମଧ୍ୟ ଗୋଟିଏ ଆସନ ପାଇଥିଲେ ମଧ୍ୟ ବିଧାନସଭାରେ ପୂର୍ବାପେକ୍ଷା ୫ଟି ଅଧିକ ଆସନ ପାଇ ୧୪ଟି ଆସନ ହାସଲ କରିବା ସହିତ ଜାତୀୟ ସ୍ତରରେ କଂଗ୍ରେସ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇ ଲୋକସଭାରେ ରାହୁଲ ଗାନ୍ଧି ବିରୋଧୀ ଦଳର ନେତା ପଦରେ ଅଧିଷ୍ଠିତ ହେବା ଏହି ସ୍ୱପ୍ନକୁ ବଢ଼ାଇଥିଲା। ଯଦିଓ ଓଡ଼ିଶାରେ କଂଗ୍ରେସ ଦଳ ୨୦୧୯ ତୁଳନାରେ ଶତକଡ଼ା ଭୋଟ ହାର କମିଯାଇ ୧୪ରେ ପହଂଚିଛି ଓ ଅଧିକାଂଶ ଲୋକସଭା ଆସନରେ ଓ ବିଧାନସଭା ଆସନଗୁଡ଼ିକରେ କଂଗ୍ରେସ ଦଳ ଅମାନତ ରକ୍ଷା କରିପାରି ନାହିଁ ତଥାପି ସାଧାରଣ କଂଗ୍ରେସ ଲୋକ ଓ ସମର୍ଥକ ଭାବୁଥିବେ ଯେ ରାଜ୍ୟ କଂଗ୍ରେସର ନେତୃତ୍ୱର ଦୁର୍ବଳତା ସହିତ ଓଡ଼ିଶା ପାଇଁ କେନ୍ଦ୍ରୀୟ ପ୍ରଭାରୀ ଥିବା ଅଜୟ କୁମାର ଠିକଣା ଭାବରେ ନିର୍ବାଚନ ପରିଚାଳନା କରିପାରିଲେ ନାହିଁ।
ବିଶେଷ ଭାବରେ ଟିକେଟ୍ ବଂଟନରେ ମନଇଚ୍ଛା ଭାବରେ ଅନେକ ଆସନରେ ଯେଉଁମାନଙ୍କୁ ପ୍ରାର୍ଥୀ ଦିଆଗଲା ସେମାନଙ୍କ ତୃଣମୂଳ ସ୍ତରରେ ସେପରି ସଂଗଠନ ନଥିଲା। ଏଥିରେ ଟିକେଟ୍ ବଂଟନରେ ଅର୍ଥ କାରବାର ହୋଇଥିବା ଅଭିଯୋଗ ମଧ୍ୟ ହେଲା। କିନ୍ତୁ କଂଗ୍ରେସ ଦଳ ରାଜ୍ୟରେ କେବଳ ମୁଷ୍ଟିମେୟ କେତେକ ଆସନକୁ ଛାଡ଼ିଦେଲେ ଅଧିକାଂଶ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ଆର୍ଥିକ ସହାୟତା ମଧ୍ୟ କଲେ ନାହିଁ। ଏପରିକି ଗତ ନିର୍ବାଚନ ସମୟରେ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ନ୍ୟାୟପତ୍ର ଭାବରେ ମହିଳା, ଯୁବକ, କୃଷକ, ଶ୍ରମିକ ସହିତ ସାମାଜିକ ନ୍ୟାୟ ପାଇଁ ଜାତି ଜନଗଣନାକୁ ଗୁରୁତ୍ୱ ଦେବା ଏବଂ ବିଜେପି ଦେଶର ସମ୍ବିଧାନକୁ ବଦଳାଇ ଦେବା ପାଇଁ ଉଦ୍ୟମ କରୁଥିବା ବିଷୟରେ ଯାହାସବୁ କହିଥିଲେ ସେଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ କୌଣସି ଉଦ୍ୟମ କଲା ନାହିଁ। ବିଜେପି ପକ୍ଷରୁ ଏହାର ସଂକଳ୍ପ ପତ୍ର ଓ ବିଶେଷ ଭାବରେ ସୁଭଦ୍ରା ଯୋଜନା ନେଇ ଘରେ ଘରେ ବାର୍ତ୍ତା ପହଞ୍ଚାଇ ଦିଆଗଲା। ଅପରପକ୍ଷରେ ରାହୁଲ ଗାନ୍ଧି କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକୁ ପ୍ରତି ମହିଳାଙ୍କୁ ୧ ଲକ୍ଷ ଟଙ୍କା ଅର୍ଥାତ୍ ପ୍ରତି ମାସରେ ୮ ହଜାରରୁ ଊର୍ଦ୍ଧ୍ୱ ଅର୍ଥ ପ୍ରଦାନ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଲୋକମାନଙ୍କ ନିକଟରେ ପହଂଚି ପାରିଲା ନାହିଁ।
ଏହିସବୁ ଘଟଣାଗୁଡ଼ିକୁ ନେଇ ନିର୍ବାଚନ ପରେ ପରେ ରାଜ୍ୟ କଂଗ୍ରେସ ସଭାପତି ଓ ପ୍ରଭାରୀଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକଟିତ ହୋଇଥିଲା। କିନ୍ତୁ ଓଡ଼ିଶା କଂଗ୍ରେସର ଅବସ୍ଥାକୁ ଏଆଇସିସି କର୍ତ୍ତୃପକ୍ଷ ହୃଦୟଙ୍ଗମ କରି ନିର୍ବାଚନ ପରେ ପ୍ରଦେଶ କଂଗ୍ରେସ କମିଟି ସହିତ ଜିଲ୍ଲା ଓ ଅନ୍ୟାନ୍ୟ କମିଟିଗୁଡ଼ିକୁ ଭାଙ୍ଗି ଦେଇଥିଲା। ଏହା ବଦଳରେ ରାଜ୍ୟରେ ଯେଉଁ ଆଡହକ କମିଟି ହେବା କଥା ତାହା ନକରି ଏକମାସ ପରେ ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଘୋଷଣା କଲେ। ଷ୍ଟିଅରିଂ କମିଟିରେ ରାଜ୍ୟର ପ୍ରମୁଖ ନେତାମାନେ ଥିଲେ ମଧ୍ୟ ଏହାର ମୁଖ୍ୟ ଅଜୟ କୁମାର ଓଡ଼ିଶା ବାହାରେ ରାହୁଥିବାରୁ ଏହି ଷ୍ଟିଅରିଂ କମିଟିର ଗତ ୨ ମାସ ଭିତରେ ମାତ୍ର ଥରୁଟିଏ ବୈଠକ ହୋଇଛି। କିନ୍ତୁ ଏହି ସମୟ ଭିତରେ ଜାତୀୟ କଂଗ୍ରେସର କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାରେ ଥରେ ଇଡି ଅଫିସ୍ ଆଗରେ ଘେରାଉ ଏବଂ ଆଉ ଥରେ ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ନେତାମାନଙ୍କ ଅଶୋଭନୀୟ ମନ୍ତବ୍ୟ ଯୋଗୁ ବିଜେପି ଅଫିସ୍ ଘେରାଉ କାର୍ଯ୍ୟକ୍ରମ କରାଯାଇଛି। କିନ୍ତୁ ଦୁଇଟିଯାକ କାର୍ଯ୍ୟକ୍ରମରେ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ହିଁ ପ୍ରମୁଖ ଭୂମିକା ନେଇ ଏଆଇସିସିର ନିର୍ଦ୍ଦେଶକ୍ରମେ ଦୁଇଟି କାର୍ଯ୍ୟକ୍ରମ କରାଇଛନ୍ତି।
ତେବେ ଏପରି କାର୍ଯ୍ୟକ୍ରମ ଦ୍ୱାରା କଂଗ୍ରେସ ଦଳ ଆପେ ଆପେ ରାଜ୍ୟରେ ଛିଡ଼ା ହୋଇଯିବାର ସମ୍ଭାବନା ନାହିଁ। ବିଧାନସଭାରେ ଦଳର ଥିବା ୧୪ ଜଣ ବିଧାୟକଙ୍କ ନେତା ଭାବରେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ବିଧାନସଭାରେ ଗତ ଅଧିବେଶନରେ ମୁଖ୍ୟତଃ ଜାତିଗତ ଜନଗଣନା ପାଇଁ କଂଗ୍ରେସର ଦାବି ସହିତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଆଦିବାସୀ, ଦଳିତ ଓ ପଛୁଆବର୍ଗକୁ କୌଣସି ସୁବିଧା ଠିକ ଭାବରେ ଦିଆଯାଉ ନଥିବାର ଅନେକ ଭଲ ଯୁକ୍ତିକୁ ଉପସ୍ଥାପିତ କରିଛନ୍ତି। କିନ୍ତ କଂଗ୍ରେସ ଏହି କେତେ ଜଣ ବିଧାନସଭା ସଦସ୍ୟଙ୍କ ଜରିଆରେ ରାଜ୍ୟରେ ଏକ ପ୍ରତିଷ୍ଠିତ ଦଳ ଆପେ ଆପେ ହେବ ନାହିଁ।
ଗତ କେତେଗୁଡ଼ିଏ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଜନାଧାର ଯଥେଷ୍ଟ ହ୍ରାସ ପାଇଛି। ଯେଉଁମାନେ ଭାବୁଛନ୍ତି ଯେ ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଏକ ସୁଯୋଗ ଅଛି ବୋଲି ସେମାନେ ବୁଝିବା ଆବଶ୍ୟକ ଯେ ମାତ୍ର ଶତକଡ଼ା ୧୪ ଭାଗ ଜନାଧାରକୁ କ୍ଷମତାରେ ପହଞ୍ଚାଇବା ପାଇଁ ଶତକଡ଼ା ୩୫ ଭାଗରୁ ଊର୍ଦ୍ଧ୍ୱ ଜନାଧାର ହାସଲ କରିବା ନିମନ୍ତେ ଏବେଠାରୁ ଅହରହ ଭାବରେ ସାଂଗଠନିକ କାର୍ଯ୍ୟକ୍ରମକୁ ପ୍ରତି ସ୍ତରରେ ବ୍ୟାପକ କରିବାକୁ ପଡ଼ିବ। କିନ୍ତୁ ରାଜ୍ୟରେ କଂଗ୍ରେସର କୌଣସି କମିଟି ନଥିବା ଓ ଜିଲ୍ଲାଗୁଡ଼ିକ ବସ୍ତୁତଃ ନେତୃତ୍ୱ ଶୂନ୍ୟ ହୋଇଥିବା ସମୟରେ କିପରି ଭାବେ କେତେ ଆଶା କଲେ ମଧ୍ୟ ଏହି ଲକ୍ଷ୍ୟ ହାସଲ ହେବ? କଂଗ୍ରେସ ଲୋକମାନଙ୍କ ଏକ ଅଭ୍ୟାସ ରହିଛି ଯେ ଜାତୀୟ ନେତୃତ୍ୱର ଆକର୍ଷଣ ବଢ଼ିଲେ କଂଗ୍ରେସ ଆପେ ଆପେ ରାଜ୍ୟରେ ଶକ୍ତିଶାଳୀ ହୋଇଯିବ। ଏ କ୍ଷେତ୍ରରେ ସେମାନେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ଶେଷରେ ନରସିଂହ ରାଓଙ୍କ ଅମଳର ଉଦାହରଣ ଦେଉଛନ୍ତି। କିନ୍ତୁ ସେତେବେଳେ କଂଗ୍ରେସର ଜନାଧାର ବରାବର ଶତକଡ଼ା ୩୦ ପାଖାପାଖି ରହୁଥିଲା। ରାଜ୍ୟରେ ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରି ଗ୍ରହଣୀୟ ନେତୃତ୍ୱ ଥିଲେ। ଏବେ କିନ୍ତୁ ତାହା ନାହିଁ। ରାହୁଲ ଗାନ୍ଧିଙ୍କ ଜାତୀୟ ନେତୃତ୍ୱର ଆକର୍ଷଣ ବଢ଼ିଥିଲେ ମଧ୍ୟ ଓଡ଼ିଶା କଂଗ୍ରେସର ଜନାଧାର ଓ ସଂଗଠନ ଯଥେଷ୍ଟ କମିଯାଇଥିବାରୁ ରାହୁଲଙ୍କ ବାର୍ତ୍ତା ଓଡ଼ିଶାର ଜନମାନସରେ ବା ଗ୍ରାମାଞ୍ଚଳରେ ପହଂଚିପାରୁନି।
ଏଆଇସିସି ନେତୃତ୍ୱ ଓଡ଼ିଶା କଂଗ୍ରେସର ଅବସ୍ଥାକୁ ଜାଣି ମଧ୍ୟ ଏଠାରେ କଂଗ୍ରେସ ସଂଗଠନକୁ ନୂଆ ଦିଗ ଦେବା ପାଇଁ ଆନ୍ତରିକ ଭାବରେ ଆଦୌ ଉଦ୍ୟମ କରିଥିବା ଜଣାପଡୁ ନାହିଁ। ପ୍ରତି ନିର୍ବାଚନରେ ରାଜ୍ୟ କଂଗ୍ରେସର ନେତାମାନଙ୍କୁ ଦୋଷ ଦିଆଯାଉଥିଲେ ମଧ୍ୟ ଏଆଇସିସି ଓଡ଼ିଶା ପାଇଁ ବାସ୍ତବରେ ଆଗ୍ରହୀ ଥିବାର କୌଣସି ସୂଚନା ମିଳିପାରି ନାହିଁ। ଓଡ଼ିଶା ପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ଅତି କ୍ଷମତାଶାଳୀ ଥିଲା ସେଠାରେ ପରିସ୍ଥିତିକୁ ସୁଧାରିବା ପାଇଁ କେଉଁ ଧରଣର ପ୍ରଭାରୀ ନିଯୁକ୍ତି ହେବା ଦରକାର ଓ ସେ ଓଡ଼ିଶାରେ କେତେ ଅଧିକ ସମୟ ରହି କାମ କରିପାରିବେ ସେ ବିଷୟ କେବେ ବି ଏଆଇସିସି ଚିନ୍ତା କରିନାହିଁ। ଅଧିକାଂଶ ପ୍ରଭାରୀ କିଛିଦିନ ପାଇଁ ଆସି ହୋଟେଲରେ ରହି କଂଗ୍ରେସ ଅଫିସରେ ଗୋଟିଏ ଦୁଇଟି ସଭା ଓ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଦାୟିତ୍ୱ ସରିଗଲା ବୋଲି ଭାବି ଚାଲିଯାଇଛନ୍ତି।
ଜାତୀୟ ସ୍ତରରେ ଦେଖିଲେ କଂଗ୍ରେସ ଯେଉଁ ୪ଟି ରାଜ୍ୟରେ ଅତ୍ୟନ୍ତ ଖରାପ ଫଳ କରୁଛି ଓ ଯେଉଁଗୁଡ଼ିକ ରାଜ୍ୟରେ କଂଗ୍ରେସର କ୍ଷମତା ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି ସେହି ରାଜ୍ୟଗୁଡ଼ିକ ହେଉଛନ୍ତି ଗୁଜରାଟ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶା। ଏହି ୪ଟି ରାଜ୍ୟରେ ମୋଟ ୮୭ଟି ଲୋକସଭା ଆସନ ରହିଛି। କିନ୍ତୁ ଏହି ୮୭ଟି ଲୋକସଭା ଆସନ ଭିତରୁ କଂଗ୍ରେସ ମାତ୍ର ୩ଟି ଆସନ ପାଇଛି। ବାକି ସମସ୍ତ ଆସନ ବିଜେପି ଖାତାକୁ ଯାଇଛି। ଅର୍ଥାତ୍ ଏହି ୪ଟି ରାଜ୍ୟରୁ ବିଜେପି ୮୪ଟି ଲୋକସଭା ଆସନ ଦଖଲ କରିଛି। ଗତ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଅସନ ମଧ୍ୟରୁ ବିଜେପି ୨୦ଟି ଦଖଲ କରିବା ଫଳରେ କେନ୍ଦ୍ରରେ ଏହା ନେତୃତ୍ୱରେ ଏନଡିଏ ସରକାର ହେବା ସହଜ ହେଲା। ଯଦି ଓଡ଼ିଶାରୁ ବିଜେପି ୨୦ଟି ଆସନ ଜିତି ପାରି ନଥାନ୍ତା ଓ ୨୦୧୯ ପରି ମାତ୍ର ୮ଟି ଆସନ ଜିତିଥାନ୍ତା ତେବେ ଦିଲ୍ଲୀରେ ଏନଡିଏ ସରକାର ବି ହୋଇପାରିନଥାନ୍ତା। ଅବଶ୍ୟ କଂଗ୍ରେସ ଦଳ ଏଥିପାଇଁ ବିଜେଡିକୁ ପୂରା ଦାୟୀ କରିପାରେ। କାରଣ ସେମାନେ ଗତ ୫ ବର୍ଷ ହେଲା ବିଜେପି ସହିତ ଯେଉଁ ସଂପର୍କ ରକ୍ଷା କରିଥିଲେ ଓ ଭାବିଥିଲେ ଯେ ବିଜେପି ଲୋକସଭା ଆସନ ପାଇଲେ ମଧ୍ୟ ରାଜ୍ୟରେ ସେମାନଙ୍କ ସରକାର ପ୍ରତିଷ୍ଠା ପାଇଁ ସହାୟତା କରିବ ତାହା ହେଲା ନାହିଁ।
ବାସ୍ତବିକ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବା ସହିତ ଲୋକସଭାର ୨୦ଟି ଆସନ ଜିତିବା ପାଇଁ ସହାୟକ ହେଲା। ରାଜ୍ୟର ଜନସାଧାରଣ ବିଜେଡି ବିରୋଧରେ ମତ ପ୍ରକାଶ କରି ଏକ ପରିବର୍ତ୍ତନ ଚାହିଁବାରୁ ବିଜେପି ଏକ ବିକଳ୍ପ ଭାବରେ କ୍ଷମତାସୀନ ହୋଇଛି। ରାଜ୍ୟରେ କଂଗ୍ରେସକୁ ଏକ ବିକଳ୍ପ ଭାବରେ ଜନସାଧାରଣ ବିଚାର କଲେ ନାହିଁ। କଂଗ୍ରେସ ଦଳ ସମୁଦାୟ ପ୍ରଚାର ବ୍ୟବସ୍ଥାରେ ଜାତୀୟ ସ୍ତରରେ ବିଜେପି ପରାଜିତ ହେବା କେତେ ଆବଶ୍ୟକ ତାହା ଉପରେ ଯେପରି ଭାବରେ ପ୍ରଚାର ଅଭିଯାନ କରିବା କଥା ତାହା କଲା ନାହିଁ। ଅପରପକ୍ଷରେ ବିଜେଡି-ବିଜେପି ଗୋଟିଏ ଶକ୍ତି ବୋଲି କଂଗ୍ରେସର ପ୍ରଚାର ଲୋକଙ୍କ ଭିତରେ କୌଣସି ପ୍ରଭାବ ପକାଇଲା ନାହିଁ। ଏପରିକି କଂଗ୍ରେସ ପକ୍ଷରୁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ ସଂକଳ୍ପପତ୍ର ଦିଆଯାଇଥିଲା ସେଗୁଡ଼ିକ ବେଶ ଲୋଭନୀୟ ହେଲେ ମଧ୍ୟ ଜନସାଧାରଣ ଏହାକୁ ଗୁରୁତ୍ୱ ଦେଲେ ନାହିଁ। ଏପରିକି କଂଗ୍ରେସ କ୍ଷମତାକୁ ଆସିଲେ ୩୦୦ ୟୁନିଟ୍ ବିଦ୍ୟୁତ ମାଗଣା କରିବ କଥାକୁ କେହି ଗୁରୁତ୍ୱ ନଦେବାର କାରଣ ହେଉଛି ଯେ ରାଜ୍ୟରେ କଂଗ୍ରେସ ସରକାର କରିପାରିବ ବୋଲି ଲୋକମାନେ ବିଶ୍ୱାସ କଲେ ନାହିଁ। ତା’ ସତ୍ତ୍ୱେ ଯେଉଁ କେତେକ ଅଞ୍ଚଳରେ କଂଗ୍ରେସର ସଂଗଠନ ଠାରୁ ବ୍ୟକ୍ତିବିଶେଷ ପ୍ରଭାବଶାଳୀ ଭାବରେ କାମ କରୁଥିଲେ ସେହି କେତେକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ସମର୍ଥନ ମିଳିଲା। ଓଡ଼ିଶାର ଲୋକମାନେ କେହି ବିଶ୍ୱାସ କଲେ ନାହିଁ ଯେ ଜାତୀୟ ସ୍ତରରେ ବିଜେପି ୪୦୦ ପାରର ସ୍ଲୋଗାନ୍ ଦେଉଥିଲେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଠନ କରିବା ହୁଏତ ସମ୍ଭବ ହେବ ନାହିଁ।
କଂଗ୍ରେସ ଦଳ ରାଜ୍ୟ ସ୍ତରରେ ବା ଜାତୀୟ ସ୍ତରରେ ଏହାର ବାର୍ତ୍ତାକୁ ପହଞ୍ଚାଇ ନପାରିବାର କାରଣ ସ୍ୱରୂପ ଏହାର ଦୁର୍ବଳ ଆର୍ଥିକ ସ୍ଥିତି ଓ ଗଣମାଧ୍ୟମର ସମର୍ଥନ ଅଭାବ କଥା କହିପାରନ୍ତି। କିନ୍ତୁ ଅସଲ କଥା ହେଉଛି ଯେ କଂଗ୍ରେସ ଦଳ ସାଂଗଠନିକ ଭାବରେ ସବୁ ଅଞ୍ଚଳରେ ପ୍ରଭାବ ସୃଷ୍ଟି କଲା ପରି କୌଣସି କାର୍ଯ୍ୟ ଠିକ୍ ଭାବରେ କରିନଥିବାରୁ ସେମାନଙ୍କ ପ୍ରାର୍ଥିତ୍ୱ ଓ ବାର୍ତ୍ତାଗୁଡ଼ିକୁ ଜନସାଧାରଣ ଗମ୍ଭୀରତା ସହ ବିଚାର କଲେ ନାହିଁ। ଏପରି ସ୍ଥଳେ ୨୦୨୯ ପାଇଁ ରାଜ୍ୟରେ କଂଗ୍ରେସକୁ ସଂଗଠିତ କରିବା ନିମନ୍ତେ ଯେଉଁ ମୌଳିକ କାର୍ଯ୍ୟ ଆବଶ୍ୟକ ସେ ଦିଗରେ ଏଆଇସିସି ଆଖି ବୁଜିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଡ଼ିଶାରେ କଂଗ୍ରେସର ସାଂଗଠନିକ ଶୂନ୍ୟତା ହେତୁ ଏବେ ବି ଓଡ଼ିଶା ରାଜନୀତି ବିଜେପି-ବିଜେଡି ଭିତରେ ସୀମାବଦ୍ଧ ହୋଇ ରହିଛି। କଂଗ୍ରେସ ଏହି ଅବସ୍ଥାରୁ ନିଜକୁ ଉଦ୍ଧାର କରିବାକୁ ହେଲେ ଏଆଇସିସିକୁ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ପଡ଼ିବ। ଏଠାରେ ଲୋକମାନଙ୍କ ମାନସିକତା କଂଗ୍ରେସ ପାଇଁ ଥିଲେ ମଧ୍ୟ ଦଳର ସାଂଗଠନିକ କାର୍ଯ୍ୟର ଶୂନ୍ୟତା ହେତୁ କୌଣସି ନୂଆ ନେତୃତ୍ୱ ବିକଶିତ ହେବା ସମ୍ଭବ ହେଉନାହିଁ।
ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫