- ସୁଧାଂଶୁ ରଞ୍ଜନ ଦାସ
ପ୍ରକୃତିରାଣୀ ଓଡ଼ିଶାକୁ ଅନେକ ପ୍ରାକୃତିକ ସମ୍ପଦରେ ଭରି ଦେଇଛି। ନଦୀ, ହ୍ରଦ, ଜଙ୍ଗଲ, ପାହାଡ଼, ଖଣିଜ ସମ୍ପଦ, ଜଙ୍ଗଲଜାତ ଦ୍ରବ୍ୟ, ପଶୁଧନ ଓ ଫସଲ ବିଭିନ୍ନତା ଓଡ଼ିଶା ବାସୀଙ୍କ ପାଇଁ ପ୍ରକୃତିର ବରଦାନ ସଦୃଶ। ଆଜି ମଧ୍ୟ ଓଡ଼ିଶାର ଫସଲ ବିଭିନ୍ନତା ଅନେକ ଜିଲ୍ଲାରେ ଅକ୍ଷୁଣ୍ଣ ରହିଛି। ଫସଲ ବିଭିନ୍ନତା ଲୋକଙ୍କୁ ଭୁକମାରି ଓ ପୁଷ୍ଟିହୀନତାରୁ ରକ୍ଷା କରିବା ସଂଗେ ସଂଗେ ରୋଜଗାରର ଅନେକ ସମ୍ଭାବନା ସୃଷ୍ଟି କରିଥାଏ। ଓଡ଼ିଶାରେ ଫସଲ ବିଭିନ୍ନତାର ସୁରକ୍ଷା ଓ ବିକାଶ ପାଇଁ ସରକାର ଓ ଜନସାଧାରଣ ଅଂଟା ଭିଡ଼ିବା ଦରକାର।
ଫସଲ ବିଭିନ୍ନତାର ବିଲୋପ ଚାଷୀ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ବୋଲି କୃଷି ବିଶେଷଜ୍ଞମାନେ କହିଥାନ୍ତି। ୧୯୯୦ ମସିହା ଯାଏ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଫସଲ ବିଭିନ୍ନତା ଥିଲା। ୨୦୦୫ରେ ବିଦର୍ଭର ଚାଷୀମାନେ ଫସଲ ବିଭିନ୍ନତାକୁ ନଷ୍ଟକରି ୭୫%ରୁ ଅଧିକ ଚାଷଜମିରେ ବିଟି କଟନ ଲଗାଇଥିଲେ। ବିଟି ତୁଳା ମଞ୍ଜିରେ ଥିବା ପୋକ ପ୍ରତିରୋଧକ ଶକ୍ତି ଆସ୍ତେ ଆସ୍ତେ ନିସ୍ତେଜ ହେବାକୁ ଲାଗିଲା। ବଜାରରେ ମଧ୍ୟ ନକଲି ବିଟି ତୁଳା ମଞ୍ଜି ବିକ୍ରିହେଲା। ଯେତେବେଳେ ବାହାର ଦେଶରୁ ଆମଦାନୀ ହେଉଥିବା ତୁଳା କମ ଦାମରେ ଭାରତ ବଜାରରେ ବିକ୍ରୀହେଲା ବିଦର୍ଭର ଚାଷୀମାନେ ବହୁତ କ୍ଷତିଗ୍ରସ୍ତ ହେଲେ ଓ ଋଣ ସୁଝି ନପାରି ଆତ୍ମହତ୍ୟା କରିବାକୁ ଲାଗିଲେ। ବିଦର୍ଭର ଚାଷୀମାନେ ବିଟି ତୁଳା ଚାଷ କରିବାରେ ବେଶୀ ଖର୍ଚ୍ଚାନ୍ତ ହେଲେ ଓ ତୁଳା ବିକ୍ରୀରୁ ଲାଭ କରିବା ପରିବର୍ତ୍ତେ କ୍ଷତି ସହିଲେ। କୃଷି ବୈଜ୍ଞନିକମାନେ କହନ୍ତି ବିଦର୍ଭର ଜଳବାୟୁ ତୁଳାଚାଷ ପାଇଁ ଉପଯୁକ୍ତ ନୁହେଁ। ବିଟିତୁଳା ଲଗାଇ ଅଧିକ ଲାଭ ଆଶାରେ ବିଦର୍ଭ ତାହାର ଫସଲ ବିଭିନ୍ନତାକୁ ହରାଇ ବସିଲା। ଏକଦା ଫଳ, ପନିପରିବା, ବିଭିନ୍ନ ପ୍ରକାରର ଡାଲି ଓ ଉନ୍ନତ ମାନର ଦେଶୀତୁଳା ଉତ୍ପାଦନ କରୁଥିବା ବିଦର୍ଭର ଚାଷୀମାନେ ବିଟିତୁଳା ଚାଷକରି ଋଣ ଜାଲରେ ଛଟପଟ ହେବାକୁ ଲାଗିଲେ। ବିଦର୍ଭ ଭଳି ମହାରାଷ୍ଟ୍ରର କୋହ୍ଲାପୁରରେ ଚାଷୀ ଫସଲ ବିଭିନ୍ନତାକୁ ନଷ୍ଟକରି ପ୍ରବଳ ମାତ୍ରାରେ ଆଖୁଚାଷ କରି କ୍ଷତିଗ୍ରସ୍ତ ହେଲେ। ଯେତେବେଳେ ବଜାରରେ ଚିନି ଦର କମିଯାଏ ଆଖୁଚାଷୀମାନେ ବହୁତ କ୍ଷତିଗ୍ରସ୍ତ ହୋଇଥାନ୍ତି। ଜମିରେ ଅନ୍ୟ କୌଣସି ଫସଲ ନଥାଏ ଯାହାକି ଚାଷୀମାନଙ୍କର ଅସୁବିଧା ସମୟରେ ସହାୟକ ହେବ।
ଏହି ମନୁଷ୍ୟକୃତ କ୍ଷତି ପାଇଁ ସରକାର ଚାଷୀଙ୍କୁ ବଞ୍ଚାଇବା ପାଇଁ ମଝିରେ ମଝିରେ ଋଣ ଛାଡ଼ ଓ ଚିନିର ଦର ବଢ଼ାଇବାକୁ ବାଧ୍ୟ ହୋଇଥାନ୍ତି। କ୍ଷତି ହେବା ପୂର୍ବରୁ ସରକାର ଚାଷୀଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଲେ ଏହି ଭୀଷଣ ପରିସ୍ଥିତି କେବେ ଘଟନ୍ତା ନାହିଁ। ଦୁଃଖର କଥା ଭାରତରେ ଅନେକ ଅଭିଜ୍ଞ ଚାଷୀ ଥିବା ସତ୍ତ୍ୱେ ଭାରତ ମାର୍ଗଦର୍ଶନ ପାଇଁ ବିକଶିତ ଦେଶଗୁଡିକୁ ଅନାଇ ରହିଛି। ନିଜ ଉପରେ ଆତ୍ମବିଶ୍ୱାସ ହରାଇ ଥିବାରୁ ଏଭଳି ଦୁର୍ଗତି ହୋଇଛି ବୋଲି ଅନେକ ଅର୍ଥନୀତିଜ୍ଞ ମତ ଦେଇଥାନ୍ତି।
ଫସଲ ବିଭିନ୍ନତା ଥିଲେ ଯଦି ଗୋଟେ ଫସଲ ନଷ୍ଟ ହୋଇଯାଏ ଅନ୍ୟ ଫସଲଟି ଚାଷୀକୁ ଭୁକମାରି ଓ ଅର୍ଥାଭାବରୁ ରକ୍ଷା କରିଥାଏ। ଫସଲ ବିଭିନ୍ନତା ହ୍ରାସ ପାଇଥିବାରୁ ଓଡ଼ିଶାରେ ମଧ୍ୟ ଅନେକ ଚାଷୀ ଆତ୍ମହତ୍ୟା କଲେଣି। ଓଡ଼ିଶା ସରକାରଙ୍କ କହିବା ଅନୁସାରେ ରାଜ୍ୟରେ ୨୦୧୬ରୁ ୨୦୧୯ ଭିତରେ ୩୮ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଋଣ ପରିଶୋଧ ନକରିପାରିବାରୁ ଚାଷୀମାନେ ଆତ୍ମହତ୍ୟା କରୁଥିବାର ଖବର ପ୍ରକାଶ ପାଉଛି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଏକ ସୁପରିକଳ୍ପିତ ଫସଲ ସୁରକ୍ଷା ନୀତି ତିଆରି କରିବା ସଂଗେ ସଂଗେ ଏହାର କାର୍ଯ୍ୟାନ୍ୱୟନ ପାଇଁ ଉପଯୁକ୍ତ ଅଧିକାରୀଙ୍କୁ ନିୟୋଜିତ କରିବା ଦରକାର।
ରୋବଟ, କୁତ୍ରିମ ବୁଦ୍ଧି ଓ ମେସିନର ବ୍ୟବହାର ଯୋଗୁଁ ବଡ଼ ବଡ଼ ଶିଳ୍ପ ଉଦ୍ୟୋଗଗୁଡ଼ିକ ଆଉ ନିଯୁକ୍ତି ସୃଷ୍ଟି କରୁନାହାନ୍ତି। ଶିଳ୍ପ ବିକାଶ କରିବା ସଂଗେ ସଂଗେ ଓଡ଼ିଶା ଫସଲ ବିଭିନ୍ନତା ଉପରେ ଧ୍ୟାନକେନ୍ଦ୍ରିତ କରିବା ଉଚିତ। ଫସଲ ବିଭିନ୍ନତା ନଷ୍ଟ ହୋଇଯିବା ଫଳରେ ସାରା ବିଶ୍ୱରେ ଆଜି ପଚାଶ ପ୍ରତିଶତ ଲୋକ ଉପଯୁକ୍ତ ପରିମାଣର ଖାଦ୍ୟ ପାଉ ନାହାନ୍ତି। ବିଗତ ୧୦୦ ବର୍ଷ ଭିତରେ ବିକଶିତ ଦେଶଗୁଡ଼ିକ ଶିଳ୍ପଜାତ ଦ୍ରବ୍ୟରୁ ଅଧିକ ଲାଭ ଉଠାଇବା ପାଇଁ କୃଷି ଉପରେ ନିଜର ନିର୍ଭରତା ୬୦%ରୁ ୬% କରିଦେଇଛନ୍ତି। ଫଳରେ ପୂରା ବିଶ୍ୱରେ ଭୁକମାରି ଓ ବେରୋଜଗାରୀ ହୁ ହୁ ହୋଇ ବଢ଼ିଚାଲିଛି। ବିଶ୍ୱ ବଜାରରେ ଲଗାତାର ବଢୁଥିବା ଖାଦ୍ୟ ପଦାର୍ଥର ଚାହିଦା ଓଡ଼ିଶାରେ ନିଯୁକ୍ତି ଓ ରୋଜଗାର ସୃଷ୍ଟି ପାଇଁ ଉପକୂଳ ବାତାବରଣ ସୃଷ୍ଟିକରିଛି।
ପ୍ରଥମେ ଓଡ଼ିଶା ସରକାର ଓୟୁଏଟିରୁ ପାସ କରିଥିବା ପିଲାମାନଙ୍କୁ ରାଜ୍ୟରେ କୃଷି ଓ ପଶୁ ବିକାଶ ପାଇଁ ନିୟୋଜିତ କରିବା ଉଚିତ। ଶିକ୍ଷିତ ଯୁବକମାନେ ସରକାରୀ ଓ ବେସରକାରୀ ଚାକିରୀ ପଛରେ ନଯାଇ ନିଜ ରାଜ୍ୟରେ ରହି କିଭଳି ଛୋଟ ଛୋଟ ଉଦ୍ୟୋଗ କରି ରୋଜଗାର କରିପାରିବେ। ସେଥିପାଇଁ ସରକାର ଉପଯୁକ୍ତ ବାତାବରଣ ତିଆରି କରିବା ଉଚିତ। ରାଜ୍ୟରେ ଦେଖାଯାଉଛି ସରକାରୀ ଚାକିରିରୁ ଅବସର ନେଲାପରେ ମଧ୍ୟ ଅନେକ ଅଧିକାରୀ ସରକାରୀ କାମରେ ନିୟୋଜିତ ହୋଇ ଦରମା ଓ ସରକାରୀ ସୁବିଧା ପାଉଛନ୍ତି। ଯେତେବେଳେ ଓଡ଼ିଶାର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଚାକିରୀ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ସେତେବେଳେ ଅଧିକାରୀମାନଙ୍କୁ ଅବସର ପରେ ଆଉଥରେ ଚାକିରୀରେ ଦରମା ଦେଇ ରଖିବା ଉଚିତ ନୁହେଁ। ଯଦି ସେମାନେ ରାଜ୍ୟର ସେବା ସ୍ୱଇଚ୍ଛାରେ କରିବାକୁ ଚାହିଁବେ ତେବେ ସେମାନେ ବିନା ସରକାରୀ ସୁବିଧାରେ କରିପରିବେ। ଓଡ଼ିଶାରେ ରୋଜଗାର ସୃଷ୍ଟି ହେଲେ ଶିକ୍ଷିତ ଯୁବପିଢ଼ି ଆଉ ବାହାର ରାଜ୍ୟ ଓ ବାହାର ଦେଶକୁ ନଯାଇ ନିଜକୁ ଓଡ଼ିଶାର ବିକାଶରେ ନିୟୋଜିତ ହୋଇପାରିବେ।
ଦ୍ୱିତୀୟରେ ସରକାର ଓଡ଼ିଶାର ପ୍ରତ୍ୟେକ ଜିଲାରେ ଥିବା ଫସଲ ବିଭିନ୍ନତାକୁ କୃଷି ବିଶେଷଜ୍ଞଙ୍କ ଦ୍ୱାରା ପଞ୍ଜିକରଣ କରିବା ଉଚିତ। ଫସଲ ବିଭିନ୍ନତାର ସୂଚୀ ପ୍ରସ୍ତୁତ ହେଲା ପରେ ଏହାର ସୁରକ୍ଷା ଓ ବିକାଶ ସ୍ଥାନୀୟ ଲୋକଙ୍କ ସହଯୋଗରେ ଓ ବିନା ପଇସା ଖର୍ଚରେ ହେବା ଉଚିତ। ଲୋକ ପ୍ରତିନିଧିମାନେ ସରକାରଙ୍କଠାରୁ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଯେଉଁ ଅର୍ଥ ପାଉଛନ୍ତି ତାକୁ ସେମାନେ ଫସଲ ବିଭିନ୍ନତାର ସୁରକ୍ଷା ଓ ବିକାଶ ପାଇଁ ଖର୍ଚ୍ଚ କରିବା ଦରକାର। ଅଦରକାରୀ ଚର୍ଚ୍ଚା, ଭ୍ରମଣ, ସଭା ଓ ସେମିନାରରେ ପଇସା ଖର୍ଚ ନକରି ସେ ପଇସାକୁ ଫସଲ ବିଭିନ୍ନତାକୁ ସୁଦୃଢ଼ କରିବାରେ ଖର୍ଚ କରିବା ଉଚିତ।
ତୃତୀୟରେ ଓଡ଼ିଶାର ଜଳବାୟୁରେ ହେଉଥିବା ଅନେକ କୃଷି ଉତ୍ପାଦ ଅଛି ଯୋଉଗୁଡିକର ଚାହିଦା ଭାରତର ଅନେକ ସହରରେ ଅଛି। ସଜନା ଛୁଇଁ ମୁମ୍ବାଇରେ ଗୋଟା କୋଡ଼ିଏ ଟଙ୍କାରେ ବିକ୍ରୀ ହୁଏ। ପୋଟଳର ଦାମ କେବେ ୧୦୦ ଟଙ୍କାରୁ କମେ ନାହିଁ। ଓଡ଼ିଶାରେ ହେଉଥିବା କଖାରୁ, କୁନ୍ଦୁରି, ଛତୁ, ଚମ୍ପା ଓ ପାଟକପୁରା କଦଳୀ, ଆମ୍ବ, ନଡ଼ିଆ, ପଣସ, ଆତ, ଗୁଆ, ଛୋଟ କାଜୁ, ବାଇଗଣ, ସପୁରି, ଜାମୁକୋଳି ଓ ଶାଗ ଇତ୍ୟାଦିର ଚାହିଦା ଅନେକ ରାଜ୍ୟରେ ଅଛି। ମହାରାଷ୍ଟ୍ର ସରକାର ଭୁସାବଳ ଜିଲାର କଦଳୀ ଚାଷୀଙ୍କ ପାଇଁ ଭାରତୀୟ ରେଳ ତରଫରୁ ବଡ଼ ବଡ଼ ସହରକୁ କଦଳୀ ପଠାଇବା ପାଇଁ ରେଳ ୱାଗନ ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କ ପାଇଁ ଏଭଳି ରେଳ ୱାଗନ ବ୍ୟବସ୍ଥା ଯଦି କଟକ, ପୁରୀ ଓ ଭୁବନେଶ୍ୱରରୁ ହୋଇପାରନ୍ତା ତେବେ ଓଡ଼ିଶାର ଅନେକ ଚାଷୀ ଉପକୃତ ହୁଅନ୍ତେ। ଫସଲ ବିଭିନ୍ନତା ଥାଇ ଯଦି ଚାଷୀ ଏହାକୁ ବିକ୍ରୀ କରି ନପାରେ ତେବେ ଲାଭ କଣ? ବଡ଼ ବଡ଼ ରେଳ ଓ ରୋଡ଼ ବନାଇଲା ପରେ ଯଦି ଚାଷୀ ନିଜର କୃଷି ଉତ୍ପାଦକୁ ବିକି ନପାରିଲା ତେବେ ରୋଡ଼ ଓ ରେଳ ବାନେଇବାରର ଉଦ୍ଦେଶ୍ୟ କଣ? ପାରାଦୀପ ବନ୍ଦରରୁ ମଧ୍ୟ କୃଷି ଉତ୍ପାଦ ବିଭିନ୍ନ ରାଜ୍ୟ ଓ ବାହାର ଦେଶକୁ ପଠାଇବାର ବ୍ୟବସ୍ଥା ହେବା ଦରକାର। ଏକ ସୁନ୍ଦର ଓ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ଲୋକେ ଭାଷଣବାଜିରେ ଭାସି ନଯାଇ ନିରବସାଧକ ଭଳି କାମକରିବା ଉଚିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।