ଅଫିସ୍ କ୍ୟାଫେରେ ଯେତେବେଳେ ଚା’ ପିଇବାକୁ ପହଞ୍ଚିଯାଏ ଲୋକା ଭାଇ, ଚା’ରେ ଟିକେ ଅଧିକ ଚିନି ପକେଇ ଦିଅନ୍ତି। ନୂଆ ନୁଆ ଅଫିସ ଯିବା ସମୟରେ ଏମିତି କଥାବାର୍ତ୍ତା ଆଳରେ ମୁଁ ଥରେ କିମ୍ବା ଦୁଇ ଥର କହିଦେଇଥିବି ମତେ ଟିକେ ଅଧିକ ମିଠା ଚା’ ପସନ୍ଦ। ସେବେଠୁ ସେ ଜାଣନ୍ତି ମୋ ଚା’ ମନେ ଟିକେ ଏକ୍ସଟ୍ରା ସୁଗାର୍। ସେମିତି ମୋ ଗାଁର ବାଣୁ ନାନା ବରା ଦୋକାନୀ। ଯୁକ୍ତ ଦୁଇ ପଢ଼ୁଥିଲି, ସନ୍ଧ୍ୟା ସମୟରେ ଟ୍ୟୁସନ୍ରୁ ଫେରିବା ବେଳେ ମୁ ତାଙ୍କ ଦୋକାନକୁ ବରା ଖାଇବାକୁ ପହଞ୍ଚିଯାଏ, ମତେ ଦୂରରୁ ଦେଖିବା ମାତ୍ରେ ବାଣୁ ନାନା ବରାକୁ ଟିକେ କଡ଼କଡ଼ କରି ଛାଣନ୍ତି। କଥା କଥାରେ ମୁଁ ତାଙ୍କୁ ଥରେ କହି ଦେଇଥିଲି ବାଣୁ ନାନା ତମ କଡ଼କଡ଼ିଆ ବରାର ତୁଳନା ନାହିଁ। ସେବେଠୁ ସେ ମତେ ଦେଖିଲେ କଡ଼େଇରେ ୫-୬ଟି ବରା ପକେଇ ତାକୁ ଟିକେ ଅଧିକ ସମୟ ଧରି ଛାଣନ୍ତି। ଆଉ ଖାସ୍ ସେଇଥି ପାଇଁ ମୁଁ ବି ଘରଠୁ ୫କିଲୋମିଟର ଦୂର ତାଙ୍କ ଦୋକାନ ନିକଟଙ୍କୁ ପହଞ୍ଚିଯାଏ।
ଆଉ ଘର କଥା କ’ଣ କହିବି! ଯେତେ ବିଦେଶ ବୁଲି ଆସିଲେ ବି ଘର ଖାଇବାକୁ ସମସ୍ତେ ଝୁରି ହୁଅନ୍ତି। କାରଣ ଏଠି ଖାଦ୍ୟ ପାଇଁ ନୁହେଁ, ଖାଦ୍ୟ ସହ ଯୋଡ଼ି ହୋଇ ରହିଯାଇଥିବା ଆତ୍ମୀୟତା ମନକୁ ଶାନ୍ତି ଦିଏ । ଯାହାର ଅଭାବ ସହରର ବଡ଼ ବଡ଼ ରେସ୍ତୋରାଁ ଗଲେ ଅବଶ୍ୟ ଅନୁଭବ ହୁଏ। ତିନି ଚାରି ତାରକା ରେସ୍ତୋରାଁରେ ଲୋକଙ୍କୁ ଖାଇବା ବାଢୁଥିବା ସମୟରେ ହୋଟେଲ୍ର ୱେଟରଙ୍କୁ କ୍ୱଚିତ ହସିବାର ଦେଖାଯାଏ। ଆଉ ଖାଇସାରିବା ପରେ ହାତରେ ବଢାଇ ଦିଆଯାଉଥିବା ସେ ରିଭ୍ୟୁ ଫର୍ମ ଦେଖିଲେ ମତେ କାହିଁ ଆଇ ମା’ କଥା ମନେପଡେ। ଆଇ ମା’ର ଗୋଟେ ଅଭ୍ୟାସ ମତେ ବିରକ୍ତ କରେ। ଖାଇସାରିବା ପରେ ସେ ବାରମ୍ବାର ପଚାରିଦିଏ, ଖାଇବା ଭଲ ଲାଗିଲା ନା? ପେଟ ପୁରିଚି ତ? ଯଦିଓ ସେ ଜାଣିଛି ତା ହାତ ରନ୍ଧା ମୋର ସବୁଠୁ ପ୍ରିୟ। ହେଲେ ଏବେ ବର୍ତ୍ତମାନର ପରିସ୍ଥିତିକୁ ପରିବାର, ଘର ପାଖ ଦୋକାନ ସହ ତୁଳନା କଲେ କିଛି ସ୍ମୃତି ତାଜା ହୋଇଯାଏ ସିନା ତାଠୁ ଅଧିକ କିଛି ମିଳେନି। ତେଣୁ ସବୁଠୁ ଭଲ ଚୁପ୍ଚାପ୍ ଖାଇବା , ରିଭ୍ୟୁ ଫର୍ମ ଭରିବା ଆଉ ଚ୍ୟାରରୁ ଉଠି ରେସ୍ତୋରାଂ ବାହାରକୁ ଆସିବା। କାରଣ ଆମେ ସମସ୍ତେ ଜାଣନ୍ତି ସବୁ ସମସ୍ୟା ରୂପୀ ଗଛର ମୂଳ ମଞ୍ଚି ହେଉଛି ସେଇ ଟିକିକ ‘ଆଶା’।
ଆଉ ବି ଗୋଟେ ପରିପକ୍ୱ ଚିନ୍ତା ହେଉଛି ଯାହା ଯେତିକି ମୁଳୁଛି ସେତିକିରେ ଖୁସି ହୁଅ, ‘କ୍ୟୁଁ କି ଫିର୍ ନେହିଁ ଆଏଗା ଆଜ୍’। ଅର୍ଥାତ୍ ଆଉ କିଛି ଦିନ ଗଲେ ଏତିକି ବି ମଳିବିନି। ମଣିଷ ପରିବର୍ତ୍ତେ ଯେତେବେଳେ ରୋବଟ୍ ଆସି ଖାଦ୍ୟ ପରଷିବେ ସେତେବେଳେ ଏସବୁ ଆଶା ଆଶାରେ ହିଁ ତ ମରିଯିବ।
ନିକଟରେ ସେମିକି କିଛି ଅନୁଭବ ହେଲା ଲୋକଙ୍କୁ। ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ‘ରୋବୋ ସେଫ୍’ ଖୋଲିଲା। ଏହି କ୍ୟାଫେର ବିଶେଷତ୍ୱ ହେଲା ମଣିଷ ପରିବର୍ତ୍ତେ ରୋବଟ୍ମାନେ ଆସି ଖାଦ୍ୟ ପରଷିବେ। କେବଳ ଯେ ଖାଦ୍ୟ ପରଷି ଦାୟିତ୍ୱ ତୁଲାଇ ଦେବେ ତାହା ନୁହେଁ, ଏହି ରୋବଟ୍ ଲୋକଙ୍କୁ ସ୍ୱତନ୍ତ୍ର ଦିନ ଯେମିତିକି ଜନ୍ମଦିନ ଏବଂ ବିବାହ ବାର୍ଷିକର ଶୁଭେଚ୍ଛା ମଧ୍ୟ ଦେବ ବୋଲି କୁହାଯାଉଛି। ଯେଉଁଥି ପାଇଁ ଏଠାରେ ଲୋକଙ୍କର ଭିଡ଼ ଜମୁଛି। ଏହି ରେସ୍ତୋରାଁ ମାଧ୍ୟମରେ ଓଡ଼ିଶାରେ ପ୍ରଥମ ଥର ଏମିତି ରୋବଟ୍ ପରିଚାରକ(ୱେଟର) ମାନଙ୍କୁ ଦେଖି ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରିରହିଛି। ଯେଉଁମାନେ ବି ରେସ୍ତୋରାଁରେ ପହଞ୍ଚୁଛନ୍ତି ସେଠାରେ ସେଲ୍ଫି ନେବାକୁ ଭୁଲୁ ନାହାନ୍ତି।
ପୂର୍ବରୁ ରୋବଟ୍ ଦ୍ଵାରା ଖାଦ୍ୟ ପରଷିବା ବ୍ୟବସ୍ଥା ଜାପାନ, ଚୀନ, ଥାଇଲାଣ୍ଡ ଓ ଆମେରିକାରେ ରହିଥିବାବେଳେ ଭାରତର ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ମଧ୍ୟ ଏ ଧରଣର ରେସ୍ତୋରାଂ ରହିଛି।
ପ୍ରାୟତଃ ରୋବଟ୍ ଗୁଡ଼ିକ ଜାପାନରେ ନିର୍ମାଣ ହେଉଥିବା ବେଳେ, ଖୁସିର କଥା ଏଇଟା ଯେ ଓଡ଼ିଶାକୁ ଆସିଥିବା ଏହି ଦୁଇଟି ରୋବଟ୍ ଭାରତରେ ତିଆରି ହୋଇଛି। ଏହି ଦୁଇଟି ରୋବଟ୍ର ନାଁ ରହିଛି ‘ଚମ୍ପା’ ଏବଂ ‘ଚମେଲି’। ପ୍ରାୟ ସାଢ଼େ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ରୋବଟ୍କୁ ୧୫ ଦିନରେ ତିଆରି କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳର ପ୍ରୟୋଗ କରି ଏହି ଦୁଇଟି ରୋବଟ୍ ତିଆରି କରାଯାଇଥିବାରୁ ଓଡ଼ିଆ ଭାବେ ଗର୍ବ କରିବାର ସମୟ ମଧ୍ୟ ଆସିଛି।
ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କ୍ଷେତ୍ରରେ ଅଗ୍ରସର ହେବା ନିଶ୍ଚୟ ଭଲକଥା। ୧୯୮୩ ମସିହାରୁ ଆରମ୍ଭ ହୋଇଥିବା ଏହି ରୋବଟ୍ ପରିଚାରକ(ୱେଟର)ର ଯାତ୍ରାରେ ଓଡ଼ିଆ ମଧ୍ୟ ସାମିଲ୍ ହୋଇଛି। ପ୍ରଥମ ଥର ୧୯୮୩ ମସିହାରେ ଆମେରିକାର ଏକ ରେସ୍ତୋରାଁରେ ଖାଦ୍ୟ ପରଷିବା ପାଇଁ ଦୁଇଟି ରୋବଟ୍ ୱେଟର ରଖା ଯାଇଥିଲା। ଏହି ଦୁଇଟି ରୋବଟ୍ର ନାଁ ଥିଲା ଟାନବୋ-ଆର୧, ଟାନବେ-ଆର୨। ଏହି ଦୁଇଟି ରୋବଟ୍ର ଉଚ୍ଚତା ୪.୫ ଫୁଟ ରହିଥିଲା। ଏହି ଦୁଇଟି ରୋବଟ୍ କେବଳ ଖାଦ୍ୟ ପରଷୁନଥିଲେ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ମଜାଳିଆ କଥା ଏବଂ ଗୀତ ମଧ୍ୟ ଗାଉଥିଲେ। ସେହିପରି ଓଡ଼ିଶାରେ ୱେଟର ଭାବେ ବ୍ୟବହୃତ ଏହି ଦୁଇଟି ରୋବଟ୍ରେ ମଧ୍ୟ ସେମିତି କିଛି ଫିଚର ରହିଛି।
ହେଲେ ଟେକ୍ନୋଲୋଜି ଏବଂ ମଣିଷ ମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ଏହି ସମ୍ପର୍କର ପରିଣତି କ’ଣ ହେବ? ନୂଆ କରି ଗଢ଼ିଉଠିଥିବା କିଛି ସମ୍ପର୍କ ଭଲ ଲାଗେ ସତ କିନ୍ତୁ ଭବିଷ୍ୟତ ଉପରେ ସେ ସମ୍ପର୍କର ପ୍ରଭାବ କେମିତି ପଡିବ ସେଇଟା ବି ଭାବିବା ଜରୁରୀ। ମଣିଷ ରୋବଟ୍ ମଧ୍ୟରେ ଥିବା ସମ୍ପର୍କର ମଧ୍ୟ ସେମିତି କିଛି ଅପକାରିତା ରହିଥିବା ମନେହେଉଛି। ରୋବଟ୍ ପରି ଏକ ନୂଆ ପ୍ରୟୋଗ ଫଳରେ ବିଜ୍ଞାନର ପ୍ରଭାବ ରୋଜଗାର ଉପରେ ପଡିବ। କାରଣ ମଣିଷ ପରିବର୍ତ୍ତେ ଯଦି ରୋବଟ୍ କାମ କରେ ତେବେ ଲୋକମାନଙ୍କର ଆଉ ଆବଶ୍ୟକତା ରହିବ ନାହିଁ। ଏଥିସହ ସୋସିଆଲାଇଜେସନ୍ ଅର୍ଥାତ ସମାଜବାଦୀ ଢାଞ୍ଚାରେ ମଧ୍ୟ ପ୍ରଭାବ ପଡିବ। କାରଣ ଭାବର ଆଦାନ ପ୍ରଦାନ କେବଳ ମଣିଷ ମାନଙ୍କ ମଧ୍ୟରେ ସମ୍ଭବ ହୋଇଥାଏ। ମଣିଷ ଏବଂ ମେସିନ୍ ମଧ୍ୟରେ ନୁହେଁ। କିଛି ନୂଆ କରି ଗଢ଼ି ଉଠୁଥିବା ବିଜ୍ଞାନ ସମ୍ବନ୍ଧୀୟ ଉପକରଣର ପ୍ରୟୋଗ କେଉଁଠି ନା କେଉଁଠି ଆତ୍ମୀୟତାର ବଡ଼ ଶୂନ୍ୟସ୍ଥାନଟିଏ ଠିଆ କରିବା ଅସମ୍ଭବ ନୁହେଁ।
ବିଶ୍ୱବନ୍ଦିତା ସ୍ୱାଇଁ
ଭୁବନେଶ୍ୱର
ଇମେଲ୍- swainbiswobandita@gmail.com