ଗାନ୍ଧୀ ଓ ଗୋଖଲେ

ସରଳ କୁମାର ଦାସ ଗାନ୍ଧୀଜୀଙ୍କ ଭାରତ ଆଗମନର ଯଥେଷ୍ଟ ପୂର୍ବରୁ ଭାରତୀୟ ରାଜନୀତିରେ ଗୋପାଳକୃଷ୍ଣ ଗୋଖଲେ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ସାରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଦୁଇଟି ପ୍ରମୁଖ ଧାରା ମଧ୍ୟରୁ ଚରମ ପନ୍ଥାର ଚେହେରା ଲୋକମାନ୍ୟ ତିଲକ ହୋଇଥିବା ବେଳେ ନରମ ପନ୍ଥାର ଚେହେରା ଥିଲେ ଗୋଖଲେ । ଗାନ୍ଧୀଜୀ ମଧ୍ୟ ତାଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ନିଜ ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିଲେ । […]

Gandhi_group_Gokhale

Subhransu Sekhar
  • Published: Thursday, 30 January 2020
  • , Updated: 30 January 2020, 07:49 PM IST
  • ସରଳ କୁମାର ଦାସ

ଗାନ୍ଧୀଜୀଙ୍କ ଭାରତ ଆଗମନର ଯଥେଷ୍ଟ ପୂର୍ବରୁ ଭାରତୀୟ ରାଜନୀତିରେ ଗୋପାଳକୃଷ୍ଣ ଗୋଖଲେ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ସାରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଦୁଇଟି ପ୍ରମୁଖ ଧାରା ମଧ୍ୟରୁ ଚରମ ପନ୍ଥାର ଚେହେରା ଲୋକମାନ୍ୟ ତିଲକ ହୋଇଥିବା ବେଳେ ନରମ ପନ୍ଥାର ଚେହେରା ଥିଲେ ଗୋଖଲେ । ଗାନ୍ଧୀଜୀ ମଧ୍ୟ ତାଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ନିଜ ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିଲେ ।

ଗାନ୍ଧୀଜୀ ୧୮୯୬ ମସିହାରେ ଭାରତକୁ ଆସିଥିବା ଅବସରରେ ବମ୍ବେ, ପୁନା, ମାନ୍ଦ୍ରାଜ, କଲିକତା ଓ ନାଗପୁର ଆଦି ସହରମାନଙ୍କୁ ଯାଇ ସେଠାରେ ରାଜନୈତିକ ନେତାମାନଙ୍କ ସହ ସାକ୍ଷାତ କରିବା ସହ ବିଭିନ୍ନ ସ୍ଥାନରେ ସାର୍ବଜନିକ ସଭା ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ନିର୍ଯାତନାର କରୁଣ କାହାଣୀ ଶୁଣାଉଥିଲେ । ଏହି କ୍ରମରେ ସେ ପୁନା ସହରକୁ ଆସିଥିଲେ ଓ ପୁନାସ୍ଥିତ ଫର୍ଗୁସନ କଲେଜ ପଡିଆରେ ଅକ୍ଟୋବର ୧୨, ୧୮୯୬ ଦିନ ତାଙ୍କର ପ୍ରଥମ ଥର ଲାଗି ଗୋଖଲେଙ୍କ ସହ ସାକ୍ଷାତ ହୋଇଥିଲା । ସେତେବେଳେ ଗୋଖଲେ ସେହି କଲେଜରେ ଗଣିତ ଅଧ୍ୟାପନା କରୁଥିବାରୁ ଗାନ୍ଧୀଜୀ ତାଙ୍କୁ ପ୍ରଫେସର ବୋଲି ସମ୍ବୋଧନ କରୁଥିଲେ । ଗୋଖଲେଙ୍କ ସହ ଏହି ପ୍ରଥମ ସାକ୍ଷାତ ଗାନ୍ଧୀଜୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଏ ସମ୍ପର୍କରେ ଗାନ୍ଧୀଜୀ ନିଜେ ଲେଖିଛନ୍ତି ଯେ ସେ ଗୋଖଲେଙ୍କ ସହିତ ପ୍ରଥମ ଥର ଭେଟୁଥିଲେ ମଧ୍ୟ ତାଙ୍କୁ ଏମିତି ଲାଗୁଥିଲା ସତେ ଯେମିତି ସେ ତାଙ୍କର କୌଣସି ପୁରୁଣା ବନ୍ଧୁଙ୍କ ସହିତ ପୁଣି ଥରେ ସାକ୍ଷାତ କରୁଛନ୍ତି । ଏଥି ପୂର୍ବରୁ ସେ ଫିରୋଜ ସାହା ମେହେଟ୍ଟା ଓ ତିଳକଙ୍କ ପରି ବରିଷ୍ଠ ନେତାମାନଙ୍କ ସହ ବି ଭେଟି ସାରିଥିଲେ । ଗାନ୍ଧୀଜୀଙ୍କୁ ଫିରୋଜସାହା ହିମାଳୟ ପରି ଅଲଂଘନୀୟ ପ୍ରତୀତ ହୋଇଥିବା ବେଳେ ତିଳକଙ୍କୁ ମହାସାଗର ପରି ଅସୀମ ବୋଲି ମନେ ହୋଇଥିଲେ । ଅନ୍ୟ ପକ୍ଷରେ ଗୋଖଲେ ତାଙ୍କୁ ଗଙ୍ଗା ନଦୀ ଭଳି ଜଣା ପଡିଥିଲେ, ଯେଉଁ ପବିତ୍ର ନଦୀରେ ବୁଡଟିଏ ପକାଇ ହେବ ଆଉ ଡଙ୍ଗାରେ ବସି ହାତରେ ଆହୁଲା ଖଣ୍ଡିଏ ଧରି ତା ବକ୍ଷରେ ବିନା ଦ୍ୱିଧାରେ ଆନନ୍ଦରେ ବିଚରଣ କରି ହେବ । ବିଦ୍ୟାଳୟରେ ପଢିବା ପାଇଁ ଆସିଥିବା ଜଣେ ଛାତ୍ରକୁ ଜଣେ ଉତ୍‌ତମ ଶିକ୍ଷକ ଯେପରି ପରଖି ଥାଆନ୍ତି ଗୋଖଲେ ମଧ୍ୟ ଗାନ୍ଧୀଜୀଙ୍କୁ ଠିକ ସେହିପରି ପରଖି ଥିଲେ । ଗୋଖଲେଙ୍କ ସହିତ ଗାନ୍ଧୀଜୀଙ୍କର ଏହି ପ୍ରଥମ ସାକ୍ଷାତ ଏ ଭଳି ସମ୍ମୋହକ ଥିଲା ଯେ ତାହା ସାରା ଜୀବନ ଲାଗି ଗାନ୍ଧୀଜୀଙ୍କ ହୃଦୟରେ ଗୋଖଲେଙ୍କର ଏକ ସ୍ୱତନ୍ତ୍ର ଛାପ ଛାଡି ଦେଲା । ଗୋଖଲେଙ୍କ ରାଜନୈତିକ ଜୀବନ ଗାନ୍ଧୀଜୀଙ୍କ ପାଇଁ ଆଦର୍ଶ ପାଲଟି ଯାଇଥିଲା । ଅନ୍ୟ ପକ୍ଷରେ ଯୁବ ଗାନ୍ଧୀଙ୍କ ନିଷ୍ଠା, ପ୍ରତିବଦ୍ଧତା, ସାଧୁତା ଓ ଭଦ୍ର ଆଚରଣ ଦ୍ୱାରା ଗୋଖଲେ ବି ତାଙ୍କ ପ୍ରତି ଆକର୍ଷିତ ହୋଇ ପଡିଥିଲେ ଓ ଭାରତୀୟ ସ୍ୱାଧୀନତାର ନେତୃତ୍ୱ ନେବା ପାଇଁ ତାଙ୍କ ନିକଟରେ ଥିବା ଅଜସ୍ର ସମ୍ଭାବନାକୁ ଦେଖି ପାରିଥିଲେ ।

ଗୋଖଲେଙ୍କ ସହ ମିଶିବା ପରେ ଗାନ୍ଧୀଜୀଙ୍କର ତାଙ୍କ ଉପରେ ଏତେ ଅଧିକ ବିଶ୍ୱାସ ଜନ୍ମିଥିଲା ଯେ ସେ ପୁନାରୁ ଆସି ମାନ୍ଦ୍ରାଜରେ ପହଂଚିବା ମାତ୍ରେ ଅକ୍ଟୋବର ୧୮ ତାରିଖ ଦିନ ଗୋଖଲେଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ସେହି ପତ୍ରରେ ସେ ଦକ୍ଷିଣ ଆଫ୍ରିକା ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସମସ୍ୟାକୁ ଭାରତରେ ଗମ୍ଭୀରତାର ସହ ବିଚାର ବିମର୍ଶ କରି ଉଚିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ସଶକ୍ତ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ସେତିକି ବେଳେ ଅଷ୍ଟ୍ରେଲିଆରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଆଇନ ପ୍ରଣୟନ ହେବାର ଥାଏ । ଏ ଭଳି ନିଷ୍ପତି ଓ ପଦକ୍ଷେପ ଭାରତୀୟଙ୍କ ହିତର ପରିପନ୍ଥୀ ହେବାର ଆଶଙ୍କା ଥିବାରୁ ଗାନ୍ଧୀଜୀ ଏ ନେଇ ଗୋଖଲେଙ୍କୁ ସଜାଗ କରି ଦେଇଥିଲେ ।

ଜାହାଜ ଯୋଗେ ଗାନ୍ଧୀଜୀ ୧୮୯୬ ମସିହା ଡିସେମ୍ବର ମାସରେ ଭାରତରୁ ଦକ୍ଷିଣ ଆଫ୍ରିକାକୁ ଫେରିବା ପରେ ଡର୍ବାନଠାରେ ତାଙ୍କ ଉପରେ ଯେଉଁ ସାମୂହିକ ମରଣାନ୍ତକ ଆକ୍ରମଣ ହୋଇଥିଲା ସେଥିରେ ଗୋଖଲେ ଅତ୍ୟଧିକ ବିଚଳିତ ଓ କ୍ଷୁବ୍ଧ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ବ୍ରିଟିଶ କମିଟି ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ’ ନାମକ ପତ୍ରିକାରେ ‘ଇଣ୍ଡିଆନସ ଇନ ସାଉଥ ଆଫ୍ରିକା’ ଲେଖାଟିଏ ଲେଖି ସେ ସମ୍ପୂର୍ଣ୍ଣ ଘଟଣାର କଡା ଶବ୍ଦରେ ନିନ୍ଦା କରିଥିଲେ । ଏହି ଲେଖାଟି ପଢି ଅନେକ ବ୍ରିଟିଶ ନାଗରିକ ଦକ୍ଷିଣ ଆଫ୍ରିକାର ବ୍ରିଟିଶ ପ୍ରଶାସକ ଓ ନାଗରିକଙ୍କ ଆଚରଣରେ ଲଜ୍ଜିତ ହୋଇଥିଲେ ।

ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ପ୍ରସଙ୍ଗକୁ ଭାରତୀୟ ଜାତୀୟ କଂଗ୍ରେସର ୧୯୦୧ ମସିହାରେ କଲିକତାଠାରେ ଅନୁଷ୍ଠିତ ହେଉଥିବା ଅଧିବେଶନରେ ସଂକଳ୍ପ ଆକାରରେ ଉତ୍‌ଥାପନ କରିବାର ଲକ୍ଷ୍ୟ ନେଇ ଗାନ୍ଧୀଜୀ ପ୍ରଥମ ଥର ପାଇଁ କଂଗ୍ରେସର କୌଣସି ଅଧିବେଶନରେ ଯୋଗ ଦେଇଥିଲେ । ଡିସେମ୍ବର ୨୬ରୁ ୨୮ ତାରିଖ ଯାଏଁ ଚାଲିଥିବା ସେହି ଅଧିବେଶନରେ ସେ ତିନି ଦିନ ଯାକ ଉପସ୍ଥିତ ରହିଥିଲେ ।

କଂଗ୍ରେସର କାର୍ଯ୍ୟଶୈଳୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଗାନ୍ଧୀଜୀଙ୍କ ପାଇଁ ସମସ୍ୟା ଥିଲା ସଂକଳ୍ପଟିକୁ ସବଜେକ୍ଟ କମିଟିରେ କିଏ ଓ କିପରି ଉଠାଇବ । ସଂକଳ୍ପଟିର ଉପସ୍ଥାପନ ପାଇଁ ଫିରୋଜ ସାହା ମେହେଟ୍ଟା ପୂର୍ବରୁ ସମ୍ମତି ପ୍ରକାଶ କରିଥିଲେ ମଧ୍ୟ ତାହା ଉପସ୍ଥାପିତ ହେବା ପୂର୍ବରୁ ସେ ଯେତେବେଳେ ଘୋଷଣା କଲେ ଯେ ସବୁ ସଂକଳ୍ପ ଉପସ୍ଥାପିତ ହୋଇସାରିଛି, ସେତେବେଳେ ଗୋଖଲେ ହସ୍ତକ୍ଷେପ କରି କହିଲେ, ‘ନା, ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକୀୟ ଭାରତୀୟଙ୍କ ସମସ୍ୟା ସମ୍ବନ୍ଧୀୟ ସଂକଳ୍ପଟି ଏ ଯାଏଁ ଉପସ୍ଥାପିତ ହୋଇନାହିଁ ଓ ସେଇଟିକୁ ମୁଁ ଦେଖିଛି ।’ ଏହା ପରେ ଗାନ୍ଧୀଙ୍କୁ ସେହି ସଂକଳ୍ପଟି ଉପସ୍ଥାପନ କରିବାକୁ ସୁଯୋଗ ଦିଆଗଲା ଓ ଗୋଖଲେ ସେଇଟିକୁ ସମର୍ଥନ କରିଥିବାରୁ ଆଉ ତା ଉପରେ କୌଣସି ଆଲୋଚନା ନ ହୋଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇ ଯାଇଥିଲା । ଗାନ୍ଧୀଙ୍କ ପ୍ରତି ଗୋଖଲେଙ୍କର ଏହି ଅକୁଣ୍ଠ ସମର୍ଥନ ଗାନ୍ଧୀଙ୍କୁ ସେ ସମୟର ଆଗଧାଡିର ଭାରତୀୟ ନେତାମାନଙ୍କ ସମ୍ମାନର ଅଧିକାରୀ କରାଇବାରେ ସହାୟକ ହୋଇଥିଲା ।

ଭୁବନେଶ୍ୱର – ମୋ-୯୪୩୭୦୩୮୦୧୫

Related story