ଦ୍ରବ୍ୟ ଓ ସେବାକର – ପ୍ରତିଶ୍ରୁତି ଓ ପ୍ରତାରଣା

  • ପଞ୍ଚାନନ କାନୁନ୍‌ଗୋ

୨୦୧୭ ମସିହା ଜୁଲାଇ ମାସରେ ଏକ ଦେଶ ଏକ ଟିକସ୍‍ର ଜୋରଦାର ସ୍ଲୋଗାନ ଦିଆଯାଇ ସେବା ଓ ଦ୍ରବ୍ୟକର (ଜିଏସଟି) ଲାଗୁ ହେଲା। ଏହା ମଧ୍ୟରେ ଏହି କର ଲାଗୁ ହେବା ୬୦ ମାସରୁ ଊର୍ଦ୍ଧ୍ୱ ହେଲାଣି। କର ଲାଗୁ ହେବା ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ସବୁକୁ ଏବେ ସ୍ମରଣ କଲେ ନୀତି ନିର୍ଦ୍ଧାରକ ଓ ଶାସକ ବର୍ଗଙ୍କର ସଂସ୍କାରର ପରିଣାମ ଗତିଶୀଳ ତଥା ଫଳପ୍ରସୁ ହେବା ପରିବର୍ତ୍ତେ ଅଧିକ ଚାପ ସୃଷ୍ଟିକାରୀ ତଥା ଜଟିଳ ମନେହୁଏ। ସମସ୍ତ ପ୍ରତିଶ୍ରୁତି ପୂର୍ଣ୍ଣ ପ୍ରତାରଣା ପରି ମନେହୁଏ। ଏହା ଏକ ବଡ଼ ସଂସ୍କାର ବୋଲି ଦାବୀ କରାଯାଇଥିଲା। ଅନେକ ଥର କର ଅଦଳବଦଳ ହୋଇ ଖାଉଟୀ ତଥା ବିକ୍ରେତା, ଡିଲରମାନଙ୍କ ନିମନ୍ତେ ବହୁ ଅସୁବିଧା ସୃଷ୍ଟି କରିଥିବା ମନେହୁଏ। ଏଇ ଗତ ମାସ (ଜୁନ୍‍) ୨୮ ଓ ୨୯ ତାରିଖରେ ବସିଥିବା ସେବା ଦ୍ରବ୍ୟକର ପରିଷଦ ଚଣ୍ଡିଗଡ଼ ଅଧିବେଶନ ଅନେକ ଅସ୍ଥିରତା ସୃଷ୍ଟିର କାରଣ ହୋଇଛି। ଆଗକୁ ଆହୁରି ଅଧିକ ଅସ୍ଥିରତା ଥିବା କଥା ଏଡ଼ାଯାଇ ପାରିବ ନାହିଁ। ଏପରି ଏକ ଟିକସ୍‍ ଲାଗୁ କରିବା ଆଇନର ତର୍ଜମା କରିବାକୁ ଯାଇ ଦେଶର ମୁଖ୍ୟ ବିଚାରାଳୟ ସମ୍ବିଧାନ ପ୍ରଦତ୍ତ ରାଜ୍ୟମାନଙ୍କ କ୍ଷମତାକୁ ସଂକୁଚିତ ନ କରିବାର ପରାମର୍ଶ ଦେଇଛନ୍ତି ଓ ରାଜ୍ୟ ତଥା କେନ୍ଦ୍ର ନିଜ ନିଜ ଇଚ୍ଛା ଅନୁସାରେ କରଧାର୍ଯ୍ୟ ତଥା ପରିବର୍ତ୍ତନ କଥା ସାବ୍ୟସ୍ତ କରିଛନ୍ତି।

ମୋଦିଙ୍କ ପ୍ରଧାନମନ୍ତ୍ରିତ୍ୱରେ ଏନ୍‍.ଡି.ଏ. ସରକାର ଗଠନ ହେବା ପରଠାରୁ ଅନେକ ନିଷ୍ପତି ଅତ୍ୟନ୍ତ ତରବରିଆ ଭାବରେ ନିଆଯିବାର ଦେଖାଗଲା ଓ ସେଥିପାଇଁ ଦେଶ ତଥା ଦେଶବାସୀଙ୍କର ପ୍ରଭୃତ କ୍ଷତି ଘଟିଗଲା। ସେଥିମଧ୍ୟରୁ ଦ୍ରବ୍ୟ ଓ ସେବା କର ଅନ୍ୟତମ। ୨୦୧୭ ଜୁଲାଇ ୧ ତାରିଖରୁ ଏକ ଦେଶ – ଏକ କର ସ୍ଲୋଗାନ୍‍ ଦେଇ ଏହା ଲାଗୁ କରାଗଲା। ସମଗ୍ର ଭାରତରେ ସଂବିଧାନକୃତ ହେଉ ଅବା ସାଂସ୍କୃତିକ ଧାରା ଅନୁସାରେ ହେଉ ଭାରତ ଏକ ପୂର୍ଣ୍ଣ ସଂଘୀୟ ବ୍ୟବସ୍ଥାରେ ଗଠିତ ଓ ପରିଚାଳିତ। ସୁଦୀର୍ଘ ଇତିହାସ ଭାରତକୁ ବିବିଧତା ଭିତରେ ଏକତ୍ର ବାନ୍ଧି ରଖିବାର ସମସ୍ତ ସୂତ୍ର ସଂଯୋଗ କରି ଆସିଥିବା ବ୍ୟବସ୍ଥାକୁ ଫାଙ୍କି ଅନ୍ୟଥା କାର୍ଯ୍ୟ ହେଲେ ଅନେକ ବିଡ଼ମ୍ବନାର ସମ୍ମୁଖୀନ ହେବାକୁ ହୁଏ ଏବଂ ଅସଫଳ ହେବାକୁ ହୋଇଥାଏ। ମୋଗଲ ସାମ୍ରାଜ୍ୟ ବିଶାଳ ଭାରତକୁ ବାନ୍ଧି ରଖିବାର ଚରମ କୌଶଳ ଥିଲା ‘ସୁବା’ ଗଠନ କରି ସୁବାଦାରଙ୍କ ଜରିଆରେ ଦିଲ୍ଲୀ ଶାସନ ଚଳାଇ ରଖିବା। ଆଉରଙ୍ଗଜେବ୍‍ ନିଜ ଶାସନ କାଳରେ ଅବିଶ୍ୱାସ ଓ ନିଜ ହାତରେ ସମଗ୍ର କ୍ଷମତା ରଖିବା ଇଚ୍ଛା ହେତୁ ‘ସୁବା’ମାନଙ୍କରେ ବିଦ୍ରୋହର ସମ୍ମୁଖୀନ ହେଲେ। ମୋଗଲ ସାମ୍ରାଜ୍ୟର ପତନ ଘଟିଲା। ଭାରତ ଖଣ୍ଡ ବିଖଣ୍ଡିତ ହେଲା। ତା’ର ସୁଯୋଗ ନେଇ ଔପନିବେଶୀୟ ଇଂରେଜ କମ୍ପାନୀ ଭାରତକୁ ଦଖଲ କରିନେଲା। ପରବର୍ତ୍ତୀ ଇଂରେଜ ସରକାର ସମୟରେ ମଧ୍ୟ ଭିନ୍ନ ଭିନ୍ନ ଶାସନ ବ୍ୟବସ୍ଥା ଲାଗୁ ପାଇଁ ସମଗ୍ର ଦେଶକୁ ଭାଗ ଭାଗ କରି ଶାସନ କରାଗଲା ଏବଂ ଅନେକ ଗଡ଼ଜାତ ରାଜ୍ୟକୁ ସେମାନଙ୍କ ଶାସକମାନଙ୍କ ଜରିଆରେ ଶାସନ କରାଗଲା।

୧୯୩୫ରେ ଭାରତ ଶାସନ ଆଇନକୁ ଲକ୍ଷ୍ୟ କଲେ ସମଗ୍ର ଦେଶଟିର ରାଜ୍ୟ ଓ କେନ୍ଦ୍ର ପାଇଁ ଶାସନ ପ୍ରଣାଳୀ ଓ ଆର୍ଥିକ ଆବଣ୍ଟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। ଯେଉଁ ଧାରାକୁ ଅନୁସରଣ କରି ପରବର୍ତ୍ତୀ କାଳରେ ଭାରତ ପାଇଁ ପ୍ରସ୍ତୁତ ସମ୍ବିଧାନରେ ଭାରତକୁ “ରାଜ୍ୟ ସମୂହର ଦେଶ” ବା “ୟୁନିୟନ୍‍ ଅଫ୍‍ ଷ୍ଟେଟ୍‍” ଭାବେ ଘୋଷଣା କରାଗଲା। ଏକ ସଂଘୀୟ ରାଷ୍ଟ୍ର ଗଠିତ ହେଲା। ଏଥିରେ ରାଜ୍ୟମାନଙ୍କୁ ଓ କେନ୍ଦ୍ରକୁ ଭିନ୍ନ ଭିନ୍ନ କ୍ଷମତା ଦିଆଗଲା। ଯଦିଓ କେନ୍ଦ୍ର ହାତରେ ପ୍ରଭୂତ କ୍ଷମତା କେନ୍ଦ୍ରିଭୂତ ହେଲା ତଥାପି ରାଜ୍ୟମାନଙ୍କର କ୍ଷମତା କମ ନଥିଲା। ରାଜ୍ୟମାନେ ନିଜ ଆର୍ଥିକ ବ୍ୟବସ୍ଥାର ଅଧିକାର ସାବ୍ୟସ୍ତ ପାଇଁ ସେମାନେ କେଉଁ କେଉଁ ବିଷୟରେ କର ଆଦାୟ କରିବେ ଏବଂ କେନ୍ଦ୍ର ଆଦାୟ କରୁଥିବା କରରୁ ରାଜ୍ୟମାନଙ୍କ ଭିତରେ କିପରି ଅର୍ଥ ବଣ୍ଟନ ହେବ ସେସବୁକୁ ସମ୍ବିଧାନ ସ୍ୱୀକାର କରିଦେଲା। ରାଜ୍ୟମାନଙ୍କର ଆର୍ଥିକ ସଂକଟ ଉପୁଜିଲେ କେନ୍ଦ୍ର ବିପର୍ଯ୍ୟୟ ପାଣ୍ଠି ଜରିଆରେ ଓ ବୈଦେଶିକ ଋଣ ସଂଗ୍ରହରେ ସାହାଯ୍ୟ ଦେବାର ଅବସ୍ଥା ରଖାଗଲା। ଏପରି ସୁବିଧାଜନକ ବ୍ୟବସ୍ଥା ମଧ୍ୟରେ ରାଜ୍ୟ ଓ କେନ୍ଦ୍ରର ବୁଝାମଣାରେ ଏକ ସୁସ୍ଥ ଆର୍ଥିକ ଆବଣ୍ଟନ ଓ ଆୟର ବ୍ୟବସ୍ଥା ରହିଥିଲା। ୨୦୧୭ ମସିହାରେ ଆର୍ଥିକ ସଂସ୍କାର ନାମରେ ରାଜ୍ୟମାନଙ୍କର ଆୟ ଉପରେ ଆଙ୍କୁଶ ଲାଗିଲା। ଟିକସ୍‍ ଆଦାୟ ପାଇଁ ପୂର୍ବରୁ ଚାଲି ଆସିଥିବା ବିକ୍ରୀ ଖର୍ଦ୍ଦି କର ବା ମୂଲ୍ୟଯୁକ୍ତ କର ଲାଗୁ ହେଲା। ପରେ ଏହା ଉଠାଇ ଦିଆଯାଇ ତା ପରିବର୍ତ୍ତେ ଦ୍ରବ୍ୟ ଓ ସେବା କର ଆଦାୟ ବ୍ୟବସ୍ଥା ଅତ୍ୟନ୍ତ ତରବରିଆ ଭାବେ ଘୋଷିତ ହେଲା ଓ ପରେ ଏପରି ହେଲା ଯେ ରାଜ୍ୟମାନେ ସମସ୍ତ ଦ୍ରବ୍ୟ ଉପରେ କର ବସାଇବାରୁ ବଂଚିତ ହେଲେ ଏବଂ ଆଦାୟ କରରୁ ୫୦% କେନ୍ଦ୍ରକୁ ଦେବାର ବ୍ୟବସ୍ଥା ଲାଗୁ ହେଲା।

ରାଜ୍ୟର କର ଆଦାୟ କମିଲେ କେନ୍ଦ୍ର ସରକାର କିଛି ବର୍ଷ (ପାଞ୍ଚ ବର୍ଷ) ପାଇଁ ତାହା ଭରଣା କରିବାକୁ ସମ୍ବିଧାନକୃତ ପ୍ରତିଶ୍ରୁତି ଦେଲେ। ଏହାର ଏଇ ମାତ୍ର ଜୁଲାଇ (୨୦୨୨)ରେ ଶେଷ ହୋଇଛି। ଅନେକ ଚାପ ହେତୁ ପୁନର୍ବାର ଚାରି ବର୍ଷ ବୃଦ୍ଧି ପାଇଁ ନିଷ୍ପତ୍ତି କରିବାକୁ ମନ୍ତ୍ରି ଗୋଷ୍ଠୀଙ୍କ ପରାମର୍ଶ, ଦ୍ରବ୍ୟ ଓ ସେବାକର ପରିଷଦ ଗ୍ରହଣ କରି ନାହାନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ତୃଟି ଦେଖାଦେବାରୁ ଅନେକ ରାଜ୍ୟ କେବଳ କ୍ଷତିଗ୍ରସ୍ତ ହେଲେ ନାହିଁ ବରଂ ବାଧ୍ୟ ହୋଇ ଋଣ କଲେ ଓ ସୁପ୍ରିମ କୋର୍ଟର ଆଶ୍ରା ନେବାକୁ ଇଚ୍ଛା କଲେ। ଓଡ଼ିଶାର ଏ ବାବଦ ପ୍ରାପ୍ୟ ୮୦୦୦ କୋଟି ଟଙ୍କା ଏ ପର୍ଯ୍ୟନ୍ତ  ମିଳିନାହିଁ। କର ବସାଇବା ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ସାଧାରଣ ଜନତା ଉପରେ ଅଧିକ କର ନ ଲାଗି ଲାଘବ ହେବ ଏବଂ କରଦାତାମାନେ ଦରଦାମ ବୃଦ୍ଧିରୁ ରକ୍ଷା ପାଇବେ, ତା ହେଲା ନାହିଁ। ବରଂ ଏହି କର ଏକ ନ ହୋଇ ପାଞ୍ଚ ସ୍ତରର ହେଲା। କିଛି ଉପ କର (ସେସ୍‌) କେନ୍ଦ୍ର ନିଜ ଇଚ୍ଛାରେ ଆଦାୟ କରି ରାଜ୍ୟବାସୀଙ୍କ ଉପରେ ଚାପ ସୃଷ୍ଟି କରିଛି। ଗତ ୨୦୨୧ ମସିହାରେ କରାଯାଇଥିବା ଋଣ ୧.୧ ଲକ୍ଷ କୋଟି ଟଙ୍କା ଓ ୨୦୨୨ ମସିହାରେ କରାଯାଇଥିବା ୧.୫୯ କୋଟି ଟଙ୍କା ପରିଶୋଧ ହେବ। ଏ ସବୁ ମୋଟ ଏକତ୍ରୀତ ହୋଇ ଖାଉଟିଙ୍କ ଉପରେ ଲଦି ହୋଇ ରହିଛି। ଅଧିକନ୍ତୁ କିଛି ସମୟ ପାଇଁ ରାଜ୍ୟମାନଙ୍କୁ ଭୂଆଁ ବୁଲାଇବାର ଅଭିପ୍ରାୟରେ କେତେକ କର ଯଥା – ପେଟ୍ରୋଲ, ଡିଜେଲ ଓ ମଦ, ଜି.ଏସ୍‍.ଟି. ଅନ୍ତର୍ଭୁକ୍ତ କରାଗଲା ନାହିଁ।

ଫଳରେ ଦରବୃଦ୍ଧି ସହିତ, ବିଶେଷତଃ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢ଼ିବା ହେତୁ ସମସ୍ତ ଖାଉଟି ଦ୍ରବ୍ୟର ଦର ବଢ଼ିଲା ଓ ସମସ୍ତ ବର୍ଗର ଖାଉଟି ହନ୍ତସନ୍ତ ହେବାର ଦେଖାଗଲା । ଏଥିରେ ଯଦିଓ ରାଜ୍ୟମାନେ ନିଜ ଇଚ୍ଛାମୁତାବ କର (ଭାଟ) ବସାଇ ନିଜସ୍ୱ ଆୟ ବୃଦ୍ଧି କରାଇଲେ ତେବେ ରାଜ୍ୟବାସୀ ବେଶ୍‍ କିଛି ଶୋଷଣର ସମୁଖୀନ ହେଲେ । ଏହିସବୁ ପଦାର୍ଥକୁ ଜି.ଏସ୍‍.ଟି ଅନ୍ତର୍ଭୁକ୍ତ କରାଯିବା ପାଇଁ ବିଚାର ବିମର୍ଷ ଚାଲିଛି । ତା ଯଦି କରାଯାଏ ତେବେ ହୁଏତ ଖାଉଟୀ ଶୋଷଣ ଲାଗବ ହେବ । ତେବେ ରାଜ୍ୟର ଆୟ ବହୁ ପରିମାଣରେ କମିବ । କେନ୍ଦ୍ର ବସାଉଥିବା ସେସ୍‍ ବିଶେଷତଃ ମଧ୍ୟବିତ୍ତ ଓ ଉଚ୍ଚ ଆୟ ଓ ବ୍ୟୟକାରୀଙ୍କ ଉପରେ ପଡ଼ିଥାଏ ଓ ଏହା ଚାଲୁ ରହିବ । ଯେଉଁ ସବୁ ଦ୍ରବ୍ୟ ଉପରେ ୨୮% ଟିକସ୍‍ ଆଦାୟ ହୋଇଥାଏ, ଯଥା- ମୋଟରଯାନ, ଏୟାର କଣ୍ଡିସନ୍‍ର କୋଇଲା, ପାନମସଲା, ସିଗାରେଟ୍‍ ଆଦି ଉପରେ ଲାଗୁ ରହିବ । ଏପରି ଏକ ଅବସ୍ଥା ସୃଷ୍ଟି ହୋଇଛି ଯେ ଏହି ସେସ୍‍ ଲାଗୁହେଲେ ପରୋକ୍ଷରେ ଖାଉଟୀ ହନ୍ତସନ୍ତ ହେବେ ଉଠାଇନେଲେ ରାଜ୍ୟମାନଙ୍କ ଉପରେ ଋଣ ଚାପ ଲଦି ଦିଆଯିବ । ସେବା ଓ ଦ୍ରବ୍ୟକର ଭିତରକୁ ପେଟ୍ରୋଲ, ଡିଜେଲ ଭଳି ଦ୍ରବ୍ୟ ଆଣିଲେ ସମସ୍ତ ରାଜ୍ୟର ଆୟ ବାଧାପ୍ରାପ୍ତ ହେବ । ନ ଆଣିଲେ ଖାଉଟୀଙ୍କ ଉପରେ ଅଧିକରୁ ଅଧିକ ଚାପ ସୃଷ୍ଟି ହେବ ।

ଅନ୍ୟ ଏକ ଅସ୍ଥିରତା ଟିକସର ହାର ଅଦଳ ବଦଳକୁ ନେଇ ସୃଷ୍ଟି ହୋଇଛି। ଏହିସବୁ ହାରକୁ ଉଠାଇ ଗୋଟିଏ ତ୍ରିସ୍ତରୀୟ ହାର ସୃଷ୍ଟି ପାଇଁ ବିଚାର ବିମର୍ଶ ଚାଲିଛି। ଟିକସ୍‍ ଆଦାୟରେ ଏହା ଏକ ବଡ଼ ଅସ୍ଥିରତା ଆଣିବ। ଗତ ପରିଷଦ ମିଟିଂରେ ଅନେକ କର ୫% ରୁ ୧୨%, ୧୨% ରୁ ୧୮% ବୃଦ୍ଧି କରାଯାଇଛି। ଏହି ବ୍ୟବସ୍ଥା ଫଳରେ ମଧ୍ୟବିତ୍ତ ଆୟକାରୀ ବର୍ଗ ବଡ଼ ଧରଣର କ୍ଷତି ସହିବେ। କେତେକ ଦ୍ରବ୍ୟ ଓ ସେବା ଉପରେ ନୂଆ କର ବସାଯାଇଛି। ‘ଇ’ ବର୍ଜ୍ୟ ଉପରେ ଜି.ଏସ୍‍.ଟି.କୁ ୫%ରୁ ୧୮%କୁ  ବୃଦ୍ଧି କରାଯାଇଛି। ଆର୍‍.ବି.ଆଇ. ସେବି ଆଦି ଅର୍ଥ କାରବାର ସଂସ୍ଥାରେ ଟିକସ୍‍ ଲାଗୁ କରାଗଲା। ଏକ ହଜାର ଟଙ୍କାର କମ୍‍ ମୂଲ୍ୟ ହୋଟେଲ ଭଡ଼ା ଉପରେ ୧୨% ଟିକସ୍‍ ଲାଗିବ। ଏଲ୍‍.ଇ.ଡି ଲ୍ୟାମ୍ଫ, କାଳି, ଛୁରୀ, ବ୍ଲେଡ଼୍‍, ପାୱାର ପରିଚାଳିତ ପମ୍ପ ଆଦି ଉପରେ ୧୨%ରୁ କର ୧୮%କୁ ବୃଦ୍ଧି ପାଇଛି। ଡାଲି ଜାତୀୟ ଶସ୍ୟର ମିଲିଂ ମେସିନାରୀ ଉପରେ କର ୫%ରୁ ୧୮%କୁ ବୃଦ୍ଧି ଘଟିଛି। ଏହିସବୁ ପରିବର୍ତ୍ତନରୁ ସୂଚନା ମିଳୁଛି ଯେ ଆଗାମୀ ଦିନରେ ୫% ଓ ୧୨% ଟିକସ୍‍ ହରାକୁ ଉଚ୍ଚ ସ୍ତରକୁ ଦିଆଯିବ। ଯେଉଁଥିରେ ଛୋଟ ଆୟକାରୀ ବର୍ଗ ଚାପଗ୍ରସ୍ତ ହେବେ। ଛୋଟ ରାଜ୍ୟ ଓ ବଡ଼ ଆୟକାରୀ ରାଜ୍ୟ ଭିତରେ ଟିକସ ଆଦାୟର ଅନେକ ତାରତମ୍ୟ ଦେଖାଯିବ। ସାଧାରଣ ଓ ମଧ୍ୟବର୍ତ୍ତୀ ବର୍ଗର ଖାଉଟୀମାନେ ଖୁବ୍‍ ହନ୍ତସନ୍ତ ହେବେ। ଚାପଗ୍ରସ୍ତ ହେବେ। ବର୍ତ୍ତମାନ ଥିବା ଟିକସ୍‍ ହାରରେ ସମୀକରଣ କରାଯାଇ ଦ୍ରବ୍ୟ ଓ ସେବାକରର ୫% ଉଠାଇ ୧୨% ବା ୧୪%ରେ ରଖାଯିବାର ଚର୍ଚ୍ଚା ଆରମ୍ଭ ହୋଇଛି ଓ ୧୮%ରୁ  ୨୮% ମଧ୍ୟରେ ଏକ କରଧାର୍ଯ୍ୟ ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି। ଏହା ଆୟରେ ବ୍ୟାଘାତ ହେବା ଆଶଙ୍କାରେ କାର୍ଯ୍ୟକାରୀ ହେଉନାହିଁ ଏବଂ କେତେକ ଦ୍ରବ୍ୟ ଓ ସେବାକରକୁ ଉଚ୍ଚହାରରେ ଅବସ୍ଥାପିତ କରିବାର ହିସାବ ଆରମ୍ଭ ହୋଇଯାଇଛି। ଏହି ଆଇନରେ ଗଳାବାଟ ଥିବାରୁ ଟିକସ୍‍ ଫାଙ୍କି ବହୁମାତ୍ରାରେ ବଢ଼ିଯାଇଛି। ସରକାର ଘୋଷଣା କରିଥିଲେ ଟିକସ୍‍ ଫାଙ୍କ ରୋକାଯିବ। ତା’ ରୋକିବା ପରିବର୍ତ୍ତେ ବଢ଼ିଗଲା।

ଗତ ଜି.ଏସ୍‌.ଟି. ପରିଷଦରେ କିଛି ରାଜ୍ୟ ସେମାନଙ୍କର ଅଂଶଧନ ୫୦%ରୁ ୭୦% ବା ୮୦%କୁ ବୃଦ୍ଧି ପାଇଁ ଦାବୀ ଉଠାଇଛନ୍ତି। ଗତ ପାଞ୍ଚବର୍ଷ ମଧ୍ୟରେ ବିଭିନ୍ନ ଦ୍ରବ୍ୟ ଓ ସେବାକରରେ ଅଦଳବଦଳ ହେବା ପ୍ରାୟତଃ ୫୭ ଥର ଘଟିଛି ଓ ୪୪ଟି ନୂଆ ବିଷୟ କରଯୁକ୍ତ ହୋଇଛି, ୩୪ଟି ବିଷୟ ଉପରେ ୫%ରୁ ବଢ଼ାଇ ୧୨% କରାଯାଇଛି ଓ ୧୦ଟି ବିଷୟରେ ୧୮%କୁ ବଢ଼ିଛି। ସେହିପରି ୩୦ଟି ବିଷୟରେ ୧୨%ରୁ ୧୮%କୁ ବୃଦ୍ଧି କରାଯାଇଛି। କେତେକ ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି ନିର୍ବାଚନ ପୂର୍ବରୁ କର ହାର ଖସାଇବା ଦେଖା ଯାଇଥାଏ। ପରୋକ୍ଷ ଟିକସ୍‍ ଆଦାୟରେ ଆହୁରି ଅଧିକ କଠୋରତା ଗ୍ରହଣ କରାଯିବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି। କାରଣ ଏହା ନହେଲେ ଟିକସ୍‍ ଫାଙ୍କି ଆହୁରି ଅଧିକ ବଢ଼ିଯିବ। ଯେଉଁ କର ଆଦାୟର ପରିମାଣ ବୃଦ୍ଧି ଘଟିଛି ତାହା କେବଳ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି ଜନିତ ହେତୁ ହିଁ ଘଟିଛି। ଅଧିକନ୍ତୁ କରୋନା ମହାମାରୀ ସମୟରେ ଡାକ୍ତରୀ ଔଷଧ, ଇଂଜେକ୍‍ସନ୍‍ ଓ ଅନ୍ୟାନ୍ୟ ସାନିଟାଇଜେସନ୍‍ ସାମଗ୍ରୀ ହୋଟେଲ୍‍  ଖାଦ୍ୟ ନେଣଦେଣ ହେତୁ ହିଁ ଘଟିଛି। ଏ ମଧ୍ୟରେ ମାନ୍ୟବର ସୁପ୍ରିମ୍‍ କୋର୍ଟ ୧୫୧ ପୃଷ୍ଠା ବ୍ୟାପୀ ଏକ ବିସ୍ତୃତ ତର୍ଜମା ସହିତ ଦ୍ରବ୍ୟ ଓ ସେବାକର ଲାଗୁ କରିବାରେ ରାଜ୍ୟମାନଙ୍କର ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହି ରାୟ ସମସ୍ତ ଦ୍ରବ୍ୟ ଓ ସେବା କରକୁ ଅଧିକ ଅସ୍ଥିର କରି ଦେଇଛି। ଅନେକ ରାଜ୍ୟ ଏହି ରାୟକୁ ଦେଖି ଜିଏସଟି ବିରୁଦ୍ଧରେ ମତ ଉଠାଇବାର ଦେଖା ଦେଇଛି। ଏଥିରେ ଅସ୍ଥିରତା ଓ ଜଟିଳତା ଅଧିକ ପ୍ରଶସ୍ତ ହେବ।

ସେବା ଓ ଦ୍ରବ୍ୟକରରେ ଲାଗି ରହିଥିବା ଅସ୍ଥିରତାର ଅନ୍ତ ନାହିଁ। ଏଥିରୁ ଖାଉଟୀ କିଛି ଉପକାର ପାଇଲେ ନାହିଁ। ରାଜ୍ୟମାନେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଡିଲର ବା ବ୍ୟବସାୟୀମାନେ ଅତ୍ୟଧିକ ଅସ୍ଥିରତାର ଆଇନ ଜଟିଳତାର ଶିକାର ହୋଇଛନ୍ତି ଓ ଯଦି ଟିକସ୍‍ ଫାଙ୍କୁ ନଥା’ନ୍ତି ତେବେ ଅଳ୍ପେ ବହୁତେ ଚାପଗ୍ରସ୍ତ ହେବାରେ ଲାଗିଛନ୍ତି।

ସମୟ ଉପଗତ ଏହି କରକୁ ନେଇ ପୁନର୍ବାର ବିଚାର ବିମର୍ଶ ହେବା ଦରକାର ଓ ଏହା ପ୍ରତ୍ୟାହାର କରି ପୂର୍ବର ମୂଲ୍ୟଯୁକ୍ତ କର (ଭାଟ) ପ୍ରଚଳନ ହେବା ଦରକାର। ରାଜ୍ୟ ବା ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଶାସକ ବର୍ଗ ସମସ୍ତ ଅହଂକାର ଛାଡ଼ି ଅସ୍ଥିରତାର ବିଲୋପ କରିବା ସହିତ ସମ୍ବିଧାନକୃତ ସଂଘୀୟ ବ୍ୟବସ୍ଥାକୁ ମର୍ଯ୍ୟାଦା ଦେବା ଆବଶ୍ୟକ।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।