ଭାଲଚନ୍ଦ୍ର ଷଡ଼ଙ୍ଗୀ
ଗତକିଛି ମାସ ହେଲା ନିଜର ପରିବେଶ ଓ ଜଳବାୟୁର ସୁରକ୍ଷା ପାଇଁ ଲଦାଖବାସୀ ଚଳାଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି। ମାଗାସେସ୍ ପୁରସ୍କାର ବିଜେତା ତଥା ସେଠାକାର ଜଣାଶୁଣା ପରିବେଶ କର୍ମୀ ପଦ୍ମଶ୍ରୀ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ଗତ ମାର୍ଚ୍ଚ ମାସରେ ଲଦାଖବାସୀଙ୍କ ଦୀର୍ଘ ୨୧ ଦିନର ଅନଶନ ବା ଜଳବାୟୁ ଧର୍ମଘଟ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ଲଦାଖର ଲେହରୁ ଦିଲ୍ଲୀକୁ ଦୀର୍ଘ ଏକ ହଜାର କିମି ତଥା ୩୨ ଦିନ ବ୍ୟାପି ଚାଲିଥିବା ସେମାନଙ୍କ ଐତିହାସିକ ପଦଯାତ୍ରା ପୁଣିଥରେ ସେଠାକାର ଜଳବାୟୁ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୱାଙ୍ଗଚୁକଙ୍କ ନେତୃତ୍ୱରେ ଲଦାଖର ୧୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତା ଗତ ସେପ୍ଟେମ୍ବର ପହିଲାରୁ ପଦଯାତ୍ରାରେ ବାହାରି ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ରାଜଘାଟରେ ପହଂଚିବାର ଥିଲା। ସେମାନେ ନିଜର ଦିଲ୍ଲୀ ଗସ୍ତ ସମୟରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି ନିଜର ପ୍ରସଙ୍ଗ ଓ ଦାବି ଉପରେ ଆଲୋଚନା କରିବାକୁ ଚାହୁଁଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଏହି ପଦଯାତ୍ରା ଲକ୍ଷ୍ୟସ୍ଥଳରେ ପହଂଚିବା ପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀ ସୀମାରେ ଥିବା ଶିଙ୍ଘୁ ଠାରେ ଅଟକାଇ ଦେଇଥିଲେ। ସେମାନେ ଯେପରି ରାଜଘାଟକୁ ପଦଯାତ୍ରାରେ ଯାଇ ପାରିବେନି ସେଥିପାଇଁ ଦିଲ୍ଲୀ ପୋଲିସ୍ ପକ୍ଷରୁ ସମଗ୍ର ଦିଲ୍ଲୀରେ ୬ ତାରିଖ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ (ପୂର୍ବର ଧାରା ୧୪୪) ଜାରି କରାଯାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ନାଁରେ ସୋନମ୍ ୱାଙ୍ଗଚୁକ ଓ ତାଙ୍କର ୧୫୦ ଜଣ ସହଯାତ୍ରୀଙ୍କ ସମେତ ମୋଟ ୧୭୪ ଜଣ ବ୍ୟକ୍ତିଙ୍କୁ କିଛି ଦିନ ଧରି ପୋଲିସ ଅଟକ ରଖିଥିଲା।
କେବଳ ସେତିକି ନୁହେଁ, ଲଦାଖବାସୀଙ୍କ ସ୍ୱର ଶୁଣିବାକୁ ଚାହୁଁ ନଥିବା ତଥା ତାକୁ ଯେକୌଣସି ପ୍ରକାରେ ଦମନ କରିବାକୁ ଚେଷ୍ଟା କରୁଥିବା ସରକାର ଦିଲ୍ଲୀର ଯେଉଁସବୁ ଅଂଚଳରେ ଲଦାଖର ଛାତ୍ରଛାତ୍ରୀମାନେ ରହି ପାଠ ପଢ଼ୁଛନ୍ତି, ସେଠାରେ ବି ପୋଲିସ ପହରା ଲଗାଇ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ଦେଇନଥିଲେ। ଏପରିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ନମଳିବା ପରେ ସେମାନେ ବାଧ୍ୟ ହୋଇ ନିଜର ଦାବି ଉପସ୍ଥାପିତ କରିବାକୁ ଦିଲ୍ଲୀର ଐତିହାସିକ ଯନ୍ତର ମନ୍ତର ଠାରେ ଶାନ୍ତିପୂର୍ଣ୍ଣ ଭାବେ ଅନଶନ କରିବାକୁ ଅନୁମତି ମାଗିଥିଲେ, ତାହାକୁ ମଧ୍ୟ ଆବେଦନକୁ ନାକଚ କରିଦିଆଗଲା। ଅତଏବ ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେମାନେ ଦିଲ୍ଲୀସ୍ଥିତ ଯେଉଁ ଲଦାଖ୍ ଭବନରେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା ସେଠାରେ ଅନଶନ କରିବେ ବୋଲି ଘୋଷଣା କରିଥିଲେ। ନିଜର ନ୍ୟାୟସଙ୍ଗତ ଦାବି ନେଇ ଲଦାଖବାସୀଙ୍କ ଏହି ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଦାବି ତଥା ପ୍ରତିବାଦ ପ୍ରତି କେନ୍ଦ୍ର ସରକାରଙ୍କ ଏଭଳି ଦମନକାରୀ ଆଭିମୁଖ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଲଦାଖ ଓ କାରଗିଲବାସୀ ପ୍ରତିବାଦରେ ଲଦାଖ୍ ବନ୍ଦ ପାଳନ କରିଥିଲେ।
ଏଠାରେ ପ୍ରଶ୍ନ ଉଠେ, ମାତ୍ର ୧୫୦ ଜଣ ସାଧାରଣ ଲଦାଖବାସୀଙ୍କ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ନେଇ କେନ୍ଦ୍ର ସରକାର ଏତେ ଆତଙ୍କିତ କାହିଁକି? ସେମାନେ ତ କୌଣସି ସମ୍ବିଧାନ ବହିର୍ଭୂତ ଦାବୀ କରିନାହାନ୍ତି! ସେମାନେ ହିମାଳୟର କୋଳରେ ଥିବା ନିଜର ଜଙ୍ଗଲ, ପାହାଡ଼ ଓ ଜଳବାୟୁକୁ ବଂଚାଇବାକୁ ଚାହୁଁଛନ୍ତି! ସେଠାକାର ଜନସଂଖ୍ୟାର ସିଂହଭାଗ ଆଦିବାସୀ ହୋଇଥିବାରୁ ପୂର୍ବୋତ୍ତର ରାଜ୍ୟମାନଙ୍କ ପରି ଳଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଚାହୁଁଛନ୍ତି। ଅବଶ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଦିଲ୍ଲୀ ପୋଲିସର ଦମନର ଶିକାର ହେବାରେ ଲଦାଖବାସୀ ପ୍ରଥମ ନୁହଁନ୍ତି। ପୂର୍ବରୁ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ମହିଳା କୁସ୍ତୀଯୋଦ୍ଧା ଓ କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସର ଦମନକାରୀ ବ୍ୟବହାରକୁ ଦେଖିଛେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋନମ୍ ୱାଙ୍ଗଚୁକଙ୍କ ନେତୃତ୍ୱରେ ଲଦାଖବାସୀ ଯେଉଁସବୁ ଦାବି ଉଠାଇଛନ୍ତି, ତାହା ଆଦୌ ଅଯୌକ୍ତିକ ନୁହେଁ କି ଅସାମ୍ବିଧାନିକ ମଧ୍ୟ ନୁହେଁ। ସେମାନଙ୍କ ଲଢ଼େଇ ନିଜର ବହୁମୂଲ୍ୟ ଜଙ୍ଗଲ, ପାହାଡ଼, ନଦୀ, ଝରଣା, ସବୁଜିମା ଏବଂ ସର୍ବୋପରି ସେଠାକାର ଜଳବାୟୁର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପୃଥିବୀର ଉଷ୍ମତାରେ ଲଗାତାର ବୃଦ୍ଧି ଯୋଗୁଁ ହିମାଳୟର କୋଳରେ ଥିବା ଏହି ଅଞ୍ଚଳ ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେବାକୁ ଯାଉଛି। ସେଠାରେ ଥିବା ହିମାଳୟର ଗ୍ଳାସିୟର ଯାହାକି ଲଦାଖବାସୀଙ୍କ ଜୀବନ ରେଖା, ସେଠାରେ ଜମା ଥିବା ବରଫ ସବୁ ତରଳିବାରେ ଲାଗିଛି। ଅସ୍ୱାଭାବିକ ଭାବେ ବରଫ ତରଳିବାର ପରିଣାମ ସ୍ୱରୂପ ଗତ କିଛି ବର୍ଷ ଧରି ସେଠାରେ ତ୍ୱରିତ୍ ବନ୍ୟା ଓ ମରୁଡ଼ି ହୋଇ ଲଦାଖବାସୀଙ୍କୁ ଜଳବାୟୁ ଶରଣାର୍ଥୀରେ ପରିଣତ କରିବାକୁ ଯାଉଛି।
ବିଶେଷ କରି କେନ୍ଦ୍ର ସରକାରଙ୍କ ପ୍ରେତ୍ସାହନରେ ସେଠାରେ ବିକାଶ ଓ ପର୍ଯ୍ୟଟନ ନାଁରେ ଯେଉଁଭଳି ଭାବେ ଭିତ୍ତିଭୂମି ନିର୍ମାଣ ଦୃତଗତିରେ ଚାଲିଛି ଏବଂ ସେଠାରେ ଜଳବିଦ୍ୟୁତ୍ ପ୍ରକଳ୍ପ, ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ, ଓସାରିଆ ରାଜପଥ ପରି ବିଶାଳକାୟ ବିନାଶକାରୀ ପ୍ରକଳ୍ପ ସବୁର ପରିକଳ୍ପନା କରାଯାଉଛି, ତାହା ଲଦାଖବାସୀଙ୍କ ପାହାଡ଼, ଜଙ୍ଗଲ ଓ ପରିବେଶର ବିନାଶ କରିବା ସହିତ ସେମାନଙ୍କ ଜଳବାୟୁ ଓ ଅସ୍ତିତ୍ୱକୁ ନିଶ୍ଚିହ୍ନ କରିବାର ସମ୍ଭାବନା ରହିଛି। ଏସବୁକୁ ରୋକିବାକୁ ହେଲେ ନିଜର ପ୍ରାକୃତିକ ସମ୍ପଦର ପରିଚାଳନା ଓ ବିକାଶର ନୀତିକୁ ନିର୍ଣ୍ଣୟ କରିବାର କ୍ଷମତା ଦିଲ୍ଲୀ ବଦଳରେ ସ୍ଥାନୀୟ ଆଦିମ ଜନଜାତିର ଲୋକଙ୍କ ହାତରେ ରହିବା ଜରୁରୀ ବୋଲି ସେମାନେ ଭଲକରି ଜାଣିଛନ୍ତି। ଅତଏବ ସାମ୍ବିଧାନିକ କ୍ଷମତା ବିନା ନିଜର ଜଙ୍ଗଲ ଓ ପରିବେଶକୁ ନିଜର ସ୍ୱାର୍ଥ ଅନୁରୂପ ପରିଚାଳନା କରିବା ତଥା ରକ୍ଷା କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। କାରଣ ଲଦାଖ୍ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏସବୁ ସମ୍ପର୍କରେ ନିଷ୍ପତ୍ତି ନେବାର କ୍ଷମତାଟି କେବଳ ଦିଲ୍ଲୀର ଶାସକମାନଙ୍କ ହାତରେ ହିଁ ରହିଛି। ଅତଏବ ଏଭଳି ପରିସ୍ଥିତିରେ ସେମାନେ ପ୍ରାକୃତିକ ବିଭବ ଓ ଜଳବାୟୁର ସୁରକ୍ଷା ପାଇଁ ଉପରୋକ୍ତ ଆଇନଗତ ଅଧିକାରଟି ଦିଲ୍ଲୀ ବଦଳରେ ନିଜ ହାତରେ ରଖିବାକୁ ଲଦାଖବାସୀ ନିଜ ଅଞ୍ଚଳକୁ କେନ୍ଦ୍ର ଶାସିତ ଅଂଚଳ ବଦଳରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଚାହୁଁଛନ୍ତି।
ଏହା ବ୍ୟତିତ ଯେହେତୁ ସେଠାକାର ଜନସଂଖ୍ୟାର ସିଂହଭାଗ ଆଦିବାସୀ ଅଟନ୍ତି, ତେଣୁ ସେମାନେ ବି ଉତ୍ତର ପୂର୍ବର ଆଦିବାସୀ ବହୁଳ ରାଜ୍ୟମାନଙ୍କ ପରି ନିଜ ଅଞ୍ଚଳକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ବି ଦାବି କରୁଛନ୍ତି। କାରଣ ଥରେ ୬ଷ୍ଠ ଅନୁସୂଚୀରେ ସାମିଲ ହୋଇଗଲେ, ଲଦାଖର ଜମି ଓ ପ୍ରାକୃତିକ ସମ୍ପଦ ଉପରେ ଆଉ ବାହାର ଲୋକଙ୍କ ପ୍ରବେଶ କିମ୍ବା ମାଲିକାନା ରହିବ ନାହିଁ। କେବଳର ଲଦାଖର ଲୋକେ ହିଁ ଏ ସମ୍ପର୍କିତ ନିଷ୍ପତ୍ତି ନେଇପାରିବେ। ବୋଧହୁଏ ଏଇଥିପାଇୁଁ ହିଁ ଉପରୋକ୍ତ ଦୁଇଟି ଦାବି ଲଦାଖବାସୀଙ୍କ ଆଜି ସବୁଠାରୁ ପ୍ରମୁଖ ଦାବୀ ରୂପେ ଉଭା ହୋଇଛି ଏବଂ ଏହା ପଛରେ ସେଠାକାର ସଂଖ୍ୟାଗରିଷ୍ଠ ସାଧାରଣ ଜନତାଙ୍କର ଅଭୂତପୂର୍ବ ସମର୍ଥନ ରହିଛି। କିଛି ସପ୍ତାହ ତଳେ ଲେହଠାରେ ବିଯୁକ୍ତ ୧୫ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ତାପମାତ୍ରାରେ ହଜାର ହଜାର ସଂଖ୍ୟାରେ ଲଦାଖବାସୀ ରାଲି କରି କେନ୍ଦ୍ର ସରକାରଙ୍କୁ ନିଜର ଦାବି ଜଣାଇ ସାରିଛନ୍ତି। ସୋନମଙ୍କ ନେତୃତ୍ୱରେ ଲଦାଖବାସୀଙ୍କ ଏହି ଐତିହାସିକ ଆନ୍ଦୋଳନ ପ୍ରତି କେବଳ ଲଦାଖରେ ନୁହେଁ ବରଂ ଦେଶ ଭିତରେ ତଥା ବାହାରେ ବିଦେଶରେ ବି ବିପୁଳ ସମର୍ଥନ ମିଳିବା ଦେଖିବାକୁ ମିଳିଛି।
ପରନ୍ତୁ ଆଶ୍ଚର୍ଯ୍ୟର ବିଷୟ, ନିଜର ପରିବେଶ ଓ ଜଳବାୟୁର ସୁରକ୍ଷା ପାଇଁ ସାମ୍ବିଧାନିକ ଅଧିକାର ଦାବି କରୁଥିବା ଲଦାଖବାସୀଙ୍କ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତି ସେଠାକାର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା କେନ୍ଦ୍ର ସରକାର କିମ୍ବା ତାଙ୍କର ଉପରାଜ୍ୟପାଳ କେହି ବି ସାମାନ୍ୟତମ ସମ୍ବେଦନଶୀଳତା ଦେଖାଇ ନାହାଁନ୍ତି। ବିଯୁକ୍ତ ୧୫ ଡିଗ୍ରୀ ତାପମାତ୍ରାରେ ନବାଙ୍ଗ୍ ଦୋରେଜେ ମେମୋରିଏଲ ପାର୍କର ଖୋଲା ମଇଦାନରେ ଦୀର୍ଘ ୨୧ ଦିନ ଧରି ଅନଶନରେ ବସିଥିବା ସୋନମ୍ ୱାଙ୍ଗଚୁକ୍ ଓ ତାଙ୍କର ହଜାର ହଜାର ସାଥି ଲଦାଖବାସୀଙ୍କ ସହ ଆଲୋଚନା କରିବାକୁ ଉଚିତ ମନେ କରି ନଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୩୮ ବର୍ଷ ତଳେ ୧୯୮୬ ମସିହାରେ ଲଦାଖବାସୀଙ୍କ ଅଧିକାର ପାଇଁ ସୋନମ୍ ୱାଙ୍ଗଚୁକଙ୍କ ବାପା ସୋନମ୍ ୱାଙ୍ଗାଏଲ୍ ଠିକ୍ ଏଭଳି ଏକ ଅନଶନରେ ବସିଥିଲେ। ଅନଶନର ୧୬ଶ ଦିନରେ ତାଙ୍କ ସହ ଆଲୋଚନା କରିବାକୁ ଖୋଦ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲଦାଖ୍ ଯାଇଥିଲେ ଏବଂ ଦାବି ପୂରଣର ପ୍ରତିଶୃତି ଦେଇ ଅନଶନ ଭାଙ୍ଗିଥିଲେ। ଅତଏବ ଲଦାଖ୍ ପରି ଭାରତ-ଚୀନ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ ଏକ ସ୍ୱର୍ଶକାତର ଅଂଚଳର ଜନଗଣଙ୍କ ମନରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ସମାଧାନ କରିବାକୁ ବର୍ତ୍ତମାନର କେନ୍ଦ୍ର ସରକାର ଚେଷ୍ଟା ନକରିବା ସେମାନଙ୍କ ରାଜନୈତିକ ଦୂରଦୃଷ୍ଟିର ଅଭାବ ବୋଲି କୁହାଯାଇପାରେ।
ଆଜି ଲଦାଖର ଜନଗଣଙ୍କ ମନରେ ନିଜର ପରିବେଶ ଓ ପ୍ରାକୃତିକ ସମ୍ପଦକୁ ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି, ତାହା ଆଦୌ ଅମୂଳକ ନୁହେଁ। କାରଣ ୨୦୧୯ ପୂର୍ବରୁ ଏହି ଅଞ୍ଚଳ ଅବିଭକ୍ତ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଅଂଶବିଶେଷ ଥିଲା। ଧାରା ୩୭୦ ଓ ବିଶେଷ କରି ଧାରା - ୩୫(କ) ଯୋଗୁଁ ଲଦାଖ୍ ସମେତ ସମଗ୍ର ଜାମ୍ମୁ ଓ କାଶ୍ମୀର, ଦେଶର ଅନ୍ୟ ରାଜ୍ୟମାନଙ୍କ ଠାରୁ କିଛି ମାତ୍ରାରେ ସ୍ୱତନ୍ତ୍ର ଥିଲା। ରାଜ୍ୟ ବାହାରର ଲୋକଙ୍କ ପାଇଁ ସେଠାରେ ଜମି ଓ ସମ୍ପତ୍ତି ହାସଲ କରିବା ନିଷିଦ୍ଧ ଥିଲା। ସରକାରୀ ଚାକିରୀରେ ବି ରାଜ୍ୟ ବାହାର ଲୋକଙ୍କ ପାଇଁ କଟକଣା ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଠାକାର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ପରିଚାଳନାରେ ପୂର୍ବରୁ ଜାମ୍ମୁ ଓ କାଶ୍ମୀରର ରାଜ୍ୟ ସରକାରଙ୍କ ଏକଚାଟିଆ ଅଧିକାର ରହିଥିଲା। ଯାହାର ଫଳସ୍ୱରୂପ ରାଜ୍ୟ ବାହାରର କମ୍ପାନୀମାନଙ୍କ ଠାରୁ ସେଠାକାର ଜମି, ଜଙ୍ଗଲ, ଖଣି ଓ ଅନ୍ୟ ପ୍ରାକୃତିକ ସମ୍ପଦ ଏକପ୍ରକାର ସୁରକ୍ଷିତ ହୋଇ ରହିଥିଲା। କିନ୍ତୁ କେନ୍ଦ୍ର ସରକାର ନିଜର ସଂଖ୍ୟାଗରିଷ୍ଠତା ବଳରେ ଜାମ୍ମୁ ଓ କଶ୍ମୀର ପାଇଁ ରହିଥିବା ଧାରା - ୩୭୦ ଓ ଧାରା - ୩୫(କ)କୁ ନିଷ୍କ୍ରିୟ କରିଦେବା ସହ ରାଜ୍ୟକୁ ଦୁଇ ଭାଗ କରି କାଶ୍ମୀର ଓ ଲଦାଖକୁ ଗୋଟିଏ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଲେ। ଯଦିଓ ସେତେବେଳେ ଏହି ନିଷ୍ପତ୍ତିକୁ ଲଦାଖବାସୀ ସ୍ୱାଗତ କରିଥିଲେ କିନ୍ତୁ ଶୀଘ୍ର ସେମାନଙ୍କ ଭ୍ରମ ଦୂର ହୋଇଥିଲା। କାରଣ ପୂର୍ବରୁ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭିତରେ ରହି ଅବହେଳାର ସମ୍ମୁଖୀନ ହୋଇ ଆସିଥିବା ଲଦାଖବାସୀ କାଶ୍ମୀରଠାରୁ ସ୍ୱତନ୍ତ୍ର ହୋଇ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେଲେ ସେମାନଙ୍କ ଅଞ୍ଚଳ ପାଇଁ ଅଧିକ ବ୍ୟୟବରାଦ ହେବ ଏବଂ ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରୁଥିଲେ। କିନ୍ତୁ ସେମାନେ ମହରଗରୁ ଯାଇ କାନ୍ତାରରେ ପଡ଼ିଥିବା ଆଜି ସ୍ପଷ୍ଟ ଭାବେ ଅନୁଭବ କରୁଛନ୍ତି।
ଜାମ୍ମୁ ଓ କାଶ୍ମୀରରୁ ଧାରା ୩୫(କ)ର ଉଚ୍ଛେଦ ଓ ଲଦାଖ ଏକ କେନ୍ଦ୍ର ଶାସିତ ରାଜ୍ୟ ହେବା ପରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ ଅନୁଭୂତି ଅତ୍ୟନ୍ତ ତିକ୍ତ ରହିଛି। କାରଣ ଧାରା ୩୫(କ)ର ସମାପ୍ତି ପରେ ସେମାନଙ୍କ ଅଞ୍ଚଳରେ ଜମି, ସମ୍ପତ୍ତି ଓ ସରକାରୀ ଚାକିରୀର ଅଧିକାର ଉପରେ ପୂର୍ବରୁ ରହିଥିବା କଟକଣା ସବୁ ଉଠିଯିବା ଫଳରେ ଲଦାଖ ଅଞ୍ଚଳ ଏବେ ଲଦାଖ ବାହାରର ଲୋକଙ୍କ ପାଇଁ ଆଉ ଅଭେଦ୍ୟ ହୋଇ ରହିନାହିଁ। ବିଶେଷ କରି ଦେଶୀ ବିଦେଶୀ କମ୍ପାନୀ ଏବଂ ବ୍ୟବସାୟୀଙ୍କ ପାଇଁ ସେ ଅଞ୍ଚଳ ଏବେ ଚରାଭୂଇଁରେ ପରିଣତ ହେବାରେ ଲାଗିଛି। କେନ୍ଦ୍ର ଶାସିତ ଅଞ୍ଚଳ ଯୋଗୁଁ ସେଠାକାର ଶାସନ ଓ ପ୍ରଶାସନର ଦାୟିତ୍ୱ ଖୋଦ୍ କେନ୍ଦ୍ର ସରକାର ବୁଝୁଛନ୍ତି। ସିଧାସଳଖ ଦିଲ୍ଲୀରୁ ହିଁ ସେଠାକାର ଜମି, ଜଙ୍ଗଲ, ପାହାଡ଼ ଓ ମୂଲ୍ୟବାନ ଖଣିଜ ସମ୍ପଦକୁ ସ୍ଥାନୀୟ ଲୋକଙ୍କ ବିନା ସମ୍ମତିରେ କମ୍ପାନୀମାନଙ୍କୁ ଟେକିଦିଆଯାଉଛି। ହୋଟେଲ, ପର୍ଯ୍ୟଟନ ପ୍ରକଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପ ନାଁରେ ସେଠାକାର ଜନଗଣଙ୍କ ହଜାର ହଜାର ଏକରର ମୂଲ୍ୟବାନ ଜମିକୁ ବଳପୂର୍ବକ ଅଧିଗ୍ରହଣ କରି କମ୍ପାନୀମାନଙ୍କୁ ଟେକିଦେବାର ଉଦ୍ୟମ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହାଛଡ଼ା ବିକାଶ ନାଁରେ କେନ୍ଦ୍ର ସରକାର ସେଠାରେ ଯେଉଁ ଅବିଚାରିତ ଶିଳ୍ପାୟନ ଓ ଖଣିଖନନର ପ୍ରକ୍ରୀୟା ଆରମ୍ଭ କରିଛନ୍ତି, ତାହା ଫଳରେ ସେଠାକାର ପରିବେଶ, ପ୍ରାକୃତିକ ସମ୍ପଦ, ଜୈବ ବିବିଦ୍ଧତା ଏବଂ ସର୍ବୋପରି ଆଦିବାସୀମାନଙ୍କ ଅସ୍ତିତ୍ୱ ପ୍ରତି ଭୟଙ୍କର ସଙ୍କଟ ସୃଷ୍ଟି ହୋଇଛି।
ଲଦାଖ୍ ପରି ଏକ ଶାନ୍ତ ଓ ସବୁଜ ପରିବେଶ ଭରା ଅଞ୍ଚଳରେ ବିକାଶ ଓ ପର୍ଯ୍ୟଟନ ନାଁରେ ଆଖିବୁଜା ଖଣିଖନନ, ପାହାଡ଼ ଖୋଳା, ଜଙ୍ଗଲର ଧ୍ୱଂସ ଅଭିଯାନ ସେଠାକାର ମୂଲ୍ୟବାନ ପରିବେଶ ଓ ଜଳବାୟୁର ବ୍ୟାପକ କ୍ଷତି ସାଧନ କରିବା ସହିତ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାକୁ ବି ପ୍ରଭାବିତ କରିଛି। ସରକାରଙ୍କ ଦ୍ୱାରା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ନାଁରେ ଲଦାଖ୍ ଭଳି ପରିବେଶ ଦୃଷ୍ଟିରୁ ଏକ ସ୍ପର୍ଶକାତର ଅଞ୍ଚଳକୁ ଯେଉଁଭଳି ଭାବେ ଗତ କିଛି ବର୍ଷ ମଧ୍ୟରେ ବାହାରୁ ଯେଉଁଭଳି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଆସୁଛନ୍ତି, ତାହା ଫଳରେ ସେଠାକାର ଶାନ୍ତ ଓ ସବୁଜ ପରିବେଶ ଅଶାନ୍ତ ହୋଇଯାଇଛି। ସ୍ୱାଭିମାନୀ ଲଦାଖବାସୀ ଏସବୁକୁ ସେମାନଙ୍କ ସାମାଜିକ ଜୀବନ ଓ ଅଧିକାର ଉପରେ ଅନାବଶ୍ୟକ ଅନୁପ୍ରବେଶ ବୋଲି ଭାବୁଛନ୍ତି। ଯେହେତୁ ବର୍ତ୍ତମାନର ଶାସନରେ ନିର୍ବାଚିତ ପ୍ରତିନିଧିମାନଙ୍କ କୌଣସି ଭୂମିକା ନାହିଁ, ତେଣୁ ସେମାନଙ୍କ ଅସନ୍ତୋଷ ଓ ଅଭିଯୋଗକୁ ବୁଝି ତାକୁ ଯଥାଶୀଘ୍ର ଦୂର କରିବାରେ ଦିଲ୍ଲୀରୁ ନିୟନ୍ତ୍ରିତ ପ୍ରଶାସନ ଏକଦମ୍ ବିଫଳ ହୋଇଛି। ଲୋକଙ୍କର ଏହି କ୍ରମବର୍ଦ୍ଧମାନ ଅସନ୍ତୋଷର ପ୍ରମାଣ ଗତ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ପ୍ରାର୍ଥୀ ଲଦାଖ ଲୋକସଭା ଆସନରୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ବେଳେ ଗତ ଲୋକସଭା ନିର୍ବାଚନରେ ଭାଜପା ଏଠାରେ ତୃତୀୟ ସ୍ଥାନକୁ ଖସିଯିବା ଦେଖାଯାଇଛି।
ଅତଏବ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଦେଶୀ ବିଦେଶୀ କମ୍ପାନୀଙ୍କ ଦ୍ୱାରା ଲଦାଖର ମୂଲ୍ୟବାନ ପ୍ରାକୃତିକ ସମ୍ପଦ, ପରିବେଶ ଓ ଜୀବନ ଜୀବିକା ପ୍ରତି ଯେଉଁ ବିପଦ ସୃଷ୍ଟି ହୋଇଛି, ସେଥିରୁ ତାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ନିଜର ଜମି, ଜଙ୍ଗଲ ନିଜର ଏକଚାଟିଆ ନିୟନ୍ତ୍ରଣ ସହ ବାହାର ଲୋକ ବିଶେଷ କରି ବାହାର କମ୍ପାନୀ ଓ ବ୍ୟବସାୟୀଙ୍କ ପ୍ରବେଶକୁ ରୋକିବାକୁ ଚାହୁଁଛନ୍ତି। ସେହି କାରଣରୁ ସେମାନେ ସେଠାକାର ପ୍ରଶାସନ ଉପରେ କେନ୍ଦ୍ର ବଦଳରେ ନିଜର ରାଜନୈତିକ ନିୟନ୍ତ୍ରଣ ପାଇଁ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ବଦଳରେ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରୁଛନ୍ତି। ଏହାବ୍ୟତୀତ ଯେହେତୁ ସେଠାକାର ଜନସଂଖ୍ୟାର ୮୦%ରୁ ଅଧିକ ଲୋକ ଆଦିବାସୀ ଅଟନ୍ତି, ତେଣୁ ନିଜର ଅସ୍ତିତ୍ୱ ଓ ଅଧିକାରର ସୁରକ୍ଷା ପାଇଁ ତଥା ନିଜର ଜମି, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ପାଇବା ପାଇଁ ସେମାନେ ଆସାମ, ମଣିପୁର, ତ୍ରିପୁରା, ମେଘାଳୟ ଓ ମିଜୋରାମ ପରି ସେମାନଙ୍କ ଅଂଚଳକୁ ସମ୍ବିଧାନର ୨୪୪ ଧାରାରେ ରହିଥିବା ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରୁଛନ୍ତି।
ନିଜର ଜମି, ଜଙ୍ଗଲ, ପ୍ରାକୃତିକ ପରିବେଶ, ଜଳବାୟୁ ଓ ସଂସ୍କୃତିର ସୁରକ୍ଷା ପାଇଁ ଲଦାଖକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଓ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଲଦାଖବାସୀଙ୍କ ଦାବୀ ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ମନେହୁଏ। ଏପରିକି ୨୦୧୯ର ସାଧାରଣ ନିର୍ବାଚନ ସମୟରେ ନିଜର ନିର୍ବାଚନୀ ଇସ୍ତାହାରରେ ଏବଂ ଗତ ୨୦୨୦ର ଲଦାଖ୍ ପାର୍ବତ୍ୟ ପରିଷଦର ନିର୍ବାଚନରେ ମଧ୍ୟ ଲଦାଖକୁ ରାଜ୍ୟପାହ୍ୟା ଦେବାକୁ ଏବଂ ଷଷ୍ଠ ଅନୁସୂଚୀତରେ ଅନ୍ତର୍ଭୁକ୍ତ କରିବାକୁ ଭାଜପା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଆଜି ଦେଶୀ ବିଦେଶୀ କମ୍ପାନୀଙ୍କ ସ୍ୱାର୍ଥରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଲଦାଖବାସୀଙ୍କୁ ବିଚଳିତ କରିଛି। ସେମାନେ ନିଜକୁ ପ୍ରତାରିତ ମନେ କରି ଶେଷରେ ଆନ୍ଦୋଳନର ରାସ୍ତା ଆପଣେଇବାକୁ ବାଧ୍ୟ ହୋଇଛନ୍ତି। ସୋନମ୍ ୱାଙ୍ଗଚୁକଙ୍କ ନେତୃତ୍ୱରେ ଲଦାଖବାସୀଙ୍କ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଜଳବାୟୁ ପଦଯାତ୍ରା ଓ ଧର୍ମଘଟ, ନିଜର ଜଳବାୟୁ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ପାଇଁ ଏକ ଗଣତାନ୍ତ୍ରିକ ପ୍ରତିବାଦ ମାତ୍ର। କେନ୍ଦ୍ର ସରକାର ଆଉ କାଳ ବିଳମ୍ବ ନକରି ଭାରତ-ଚୀନ ସୀମାନ୍ତରେ ଅବସ୍ଥିତ ଏହି ସ୍ୱର୍ଶକାତର ଅଞ୍ଚଳର ଜନଗଣଙ୍କ ସହ ଖୋଲା ମନରେ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ମନରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ସେମାନଙ୍କ ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ଦାବିକୁ ବିନା ସର୍ତ୍ତରେ ମାନି ନିଅନ୍ତୁ।
ପ୍ରାକୃତିକ ସମ୍ପଦ, ପରିବେଶ ଓ ଜଳବାୟୁର ସୁରକ୍ଷା ପାଇଁ ଲଦାଖବାସୀଙ୍କ ଏହି ଐତିହାସିକ ଲଢ଼େଇ କେବଳ ସେମାନଙ୍କର ନୁହେଁ। ବିକାଶ ନାଁରେ ସରକାରୀ ପ୍ରୋତ୍ସାହନରେ ଆମର ମୂଲ୍ୟବାନ ଜଙ୍ଗଲ, ପାହାଡ଼, ନଦୀ, ଝରଣା ଓ ଜୈବ ବିବିଧତା ଉପରେ ଚାଲିଥିବା କର୍ପୋରେଟ୍ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ କରୁଥିବା ଏବଂ ସର୍ବୋପରି ବର୍ଦ୍ଧିତ ଉଷ୍ମାୟନ ଓ ଜଳବାୟୁ ପରିବର୍ତ୍ତନ ଦାଉରୁ ଆମର ସବୁଜ ସୁନ୍ଦର ପୃଥିବୀକୁ ବଂଚାଇବାକୁ ଲଢ଼େଇ କରୁଥିବା ସମସ୍ତଙ୍କ ପାଇଁ ଲଦାଖବାସୀଙ୍କ ଲଢ଼େଇ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ହୋଇ ରହିବ।
ଫୋନ- ୯୪୩୭୧୬୬୩୯୧