Advertisment

ପୃଥିବୀ ଉଜୁଡ଼ିଗଲେ ବଂଚିବା କେମିତି?

ପ୍ରାଣୀ ଜଗତର ଶ୍ୱାସ କ୍ରିୟା ପାଇଁ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ୩୦୦ ପିପିଏମ ମାତ୍ରା ସୁରକ୍ଷିତ ହୋଇଥିବା ବେଳେ ୨୦୨୨ ରିପୋର୍ଟ ଅନୁସାରେ ବାୟୁ ମଣ୍ଡଳରେ ତାହା ୪୨୧ ପିପିଏମରେ ପହଞ୍ଚିଲାଣି ଯାହା ଜୀବନ ପାଇଁ ବିପଦଜନକ।

Save Our Earth

Save Our Earth

Advertisment

କଥାରେ ଅଛି ମଣିଷ ଯେତେ ଉପରକୁ ଉଡ଼ିଲେ ମଧ୍ୟ ପାଦ ଦୁଇଟି ମାଟିରେ ରହିବା ଉଚିତ୍। ଏହି ରୂଢି ପ୍ରୟୋଗର ଅନେକ ଦୃଷ୍ଟି କୋଣ ରହିଥିଲେ ମଧ୍ୟ ଏତିକି ସ୍ପଷ୍ଟ ଯେ ସବୁବେଳେ ମୂଳକୁ ମନେ ରଖିବା ଉଚିତ୍। ଆଜି ମନୁଷ୍ୟ ସମାଜ ବିଜ୍ଞାନ ଓ ପ୍ରଯୁକ୍ତି ବଳରେ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ଜାଗା କିଣିଲାଣି ସତ୍ୟ କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚାହିଦା ମେଣ୍ଟାଇବା ପାଇଁ ପ୍ରାକୃତିକ ସମ୍ପଦର ଦୁରୁପଯୋଗ କରି ପୃଥିବୀ ପୃଷ୍ଠକୁ ଛାରଖାର କରିବା ପରେ ଏବେ ପରିବେଶ ପ୍ରଦୂଷଣ ଜନିତ ଭୟାବହତାରୁ ରକ୍ଷା ପାଇବା ପାଇଁ ପୃଥିବୀ ପୃଷ୍ଠକୁ ସଂରକ୍ଷଣ କରିବା ପାଇଁ ନାନା ପ୍ରକାର ସଚେତନତା ସୃଷ୍ଟି ପାଇଁ ଚେଷ୍ଟା ଆରମ୍ଭ କରିଛି।

Advertisment

ଏହି ପ୍ରଚେଷ୍ଟାରେ ୧୯୭୦ ମସିହାରେ ଆମେରିକା ମହାଦେଶ ବିଶ୍ଵର ୧୪୨ ଆମେରିକୀୟ ଦେଶ ସମୂହର ପ୍ରାୟ ୨୦୦ ନିୟୁତ ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ଦିବସଟିକୁ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ପୃଥିବୀ ଦିବସର ପିତା ନାମରେ ପରିଚିତ ଶ୍ରୀ ଗେ ଲର୍ଡ ନେଲସନ ନାମକ ଆମେରିକୀୟ ରାଜନୀତିଜ୍ଞ ତଥା ପରିବେଶବିତଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଚେତନତାର ଦିବସଟିକୁ ପ୍ରତି ବର୍ଷ ଅପ୍ରେଲ ମାସ ୨୨ ତାରିଖରେ ଭାରତ ସମେତ ୧୯୦ଟି ଦେଶ ପାଳନ କରି ଆସୁଛନ୍ତି।

Advertisment

ବ୍ୟାପକ କଳ କାରଖାନା, ଶିଳ୍ପ ପ୍ରତିଷ୍ଠାନ ଓ ଟେକ୍ନୋଲୋଜିର କୁପ୍ରଭାବରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ବାୟୁ ମଣ୍ଡଳରେ ବିଷାକ୍ତ ଅଙ୍ଗାରକାମ୍ଲ ସୃଷ୍ଟି କରି ଓଜୋନ ସ୍ତରକୁ କ୍ଷୟ କରିବାରେ ଲାଗିଛି। ଫଳତଃ ବିଶ୍ଵ ତାପମାତ୍ରା ଅତ୍ୟଧିକ ହୋଇ ଜନ ଜୀବନ ବିପର୍ଯ୍ୟସ୍ତ ହୋଇ ଗଲାଣି।

ବାୟୁ ପ୍ରଦୂଷଣ, ଆଲୋକ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ରେଡିଓ ଆକ୍ଟିଭ୍ ପ୍ରଦୂଷଣ, ତାପଜ ପ୍ରଦୂଷଣ, ଦୃଷ୍ଟି ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣରେ ସମଗ୍ର ବିଶ୍ଵ ଅସ୍ତ୍ୟବ୍ୟସ୍ତ।

ପ୍ରାଣୀ ଜଗତର ଶ୍ୱାସ କ୍ରିୟା ପାଇଁ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ୩୦୦ ପିପିଏମ ମାତ୍ରା ସୁରକ୍ଷିତ ହୋଇଥିବା ବେଳେ ୨୦୨୨ ରିପୋର୍ଟ ଅନୁସାରେ ବାୟୁ ମଣ୍ଡଳରେ ତାହା ୪୨୧ ପିପିଏମରେ ପହଞ୍ଚିଲାଣି ଯାହା ଜୀବନ ପାଇଁ ବିପଦଜନକ।

ମଣିଷ ଆଜି ଏକ ଭୟଙ୍କର ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇଛି। ସୃଷ୍ଟି ଆରମ୍ଭରୁ ଏକ ନିର୍ମଳ ସନ୍ତୁଳିତ ପରିବେଶକୁ ଉପଭୋଗ କରିଆସୁଥିବା ମଣିଷ ଆଜି ତାର ପରିବେଷ୍ଟନୀରେ ଥିବା ପ୍ରାକୃତିକ ପ୍ରକ୍ରିୟାଗୁଡିକ ଅସନ୍ତୁଳିତ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବାରୁ ଦେଖିବାକୁ ପାଉଛି। ତେବେ ଏହି ଅସନ୍ତୁଳିତ ପରିବେଶ ପାଇଁ ଦାୟୀ କିଏ?

ହଁ, ଆମର କ୍ରିୟାକଳାପ ହିଁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ। ସୁତରାଂ ଏହାକୁ ସୁଧାରିବା ମଧ୍ୟ ଆମର ଦାୟିତ୍ୱ।

ତେବେ ଏଠାରେ ପ୍ରଶ୍ନ ଉଠେ, ଏହାକୁ କିପରି ରୋକା ଯାଇ ପାରିବ?

ୟୁଏନଡିପିର ୧୭ଟି ନିରନ୍ତର ବିକାଶର ଲକ୍ଷ୍ୟ (ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ ) ଏବଂ ଆମ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଇଥିବା "ଲାଇଫଷ୍ଟାଇଲ ଫର୍ ଏନଭାଇରନମେଣ୍ଟ" ଅଭିଯାନ (LIFE) ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଛୋଟ ଛୋଟ ପଦକ୍ଷେପ ହିଁ ଏକ ବଡ଼ ପରିବର୍ତ୍ତନର ସୂତ୍ରଧାର ହୋଇ ପାରିବ।

ତେଣୁ ଆଜି ବିଶ୍ଵ ପୃଥିବୀ ଦିବସରେ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ବଦ୍ଧ ଭାବରେ କେତୋଟି ଛୋଟିଆ ପଦକ୍ଷେପ ନେବା।

୧. ପ୍ଲାଷ୍ଟିକ ପାଣି ବୋତଲ ନ କିଣି ଘରୁ କାଚ ବୋତଲରେ ପାଣି ସାଙ୍ଗରେ ନେବା।

୨. ପାୱାର ନିୟନ୍ତ୍ରିତ ଲାଇଟ୍ ବଲବ ବ୍ୟବହାର କରିବା।

୩. ମୋଟର ଗାଡ଼ିର ବ୍ୟବହାର ଯଥା ସମ୍ଭବ କମ କରି ପୁଲ କାର୍ ସାଇକେଲ ବା ପାଦରେ ଚାଲିବା ଅଭ୍ୟାସ କରିବା।

୪. ଯାନବାହାନ ଚକାର ପମ୍ପକୁ ନିୟମିତ ଭାବରେ ପରୀକ୍ଷା କରିବା। ଏହାଦ୍ୱାରା ପେଟ୍ରୋଲ/ଡିଜେଲ୍ ଜାଳେଣୀ ଜନିତ ପ୍ରଦୂଷଣ କମ୍ କରି ପାରିବା।

୫. ଘରର ବର୍ଜ୍ୟ ବସ୍ତୁକୁ ପୁନଃ ପ୍ରକ୍ରିୟାକରଣ କରି ବ୍ୟବହାର କରିବା।

୬. ଲୁଗା ସଫା ସମୟରେ ଗରମ ପାଣିର ବ୍ୟବହାର ନ କରିବା।

୭. ବିଭିନ୍ନ ସାମଗ୍ରୀର ପ୍ୟାକେଜିଂ ୧୦ ଭାଗ କମାଇ ପାରିଲେ ବର୍ଷକୁ ହାରାହାରି ୧୨୦୦ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ ସଞ୍ଚୟ କରି ପାରିବା।

୮. ଶୀତତାପ ନିୟନ୍ତ୍ରିତ ମେସିନରେ ଆବଶ୍ୟକ ସ୍ଥଳେ ମାତ୍ର ଦୁଇ ଡିଗ୍ରୀ ତାପମାତ୍ରା କମ ବେଶୀ କରି ଆମେ ବର୍ଷକୁ ୨୦୦୦ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ ବଞ୍ଚାଇ ପାରିବା।

୯. ଗଛ କାଟିବା ନାହିଁ, ବରଂ ପ୍ରତ୍ୟେକ ଦିନ ଗଛଟିଏ ଲଗାଇବା।

୧୦. ଆବଶ୍ୟକ ନ ଥିଲେ ଇଲେକଟ୍ରୋନିକ୍ସ ଯନ୍ତ୍ରପାତିକୁ ବନ୍ଦ କରି ରଖିବା।

୧୧. ଫାଷ୍ଟ ଫୁଡ୍ ଏବଂ ଫାଷ୍ଟ ଫେସନକୁ ପରିତ୍ୟାଗ କରି ସନ୍ତୁଳିତ ଶାକାହାରୀ ଏଵଂ ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ଓ ପୋଷାକପତ୍ର ବ୍ୟବହାର କରିବା।

ପୃଥିବୀ ଭିତରେ ଏ ପରିବେଶ, ଏ ପରିବେଶ ଭିତରେ ମାଟି। ଏହାର ସମନ୍ୱୟ ହିଁ ଏକ ସୁସ୍ଥ ଜୀବନ।

କେବଳ ଯେ ଗୋଟିଏ ଦିନ ପାଳନ କରି ଦେଲେ ଆମେ ଦାୟିତ୍ୱମୁକ୍ତ ହୋଇଯିବା ତାହା ନୁହେଁ, ପ୍ରତ୍ୟେକ ଦିନ ପୃଥିବୀ ଦିବସ ହେଉ, ମାଟି ମାଆ ପାଇଁ।

ଯେଉଁ ପୃଥିବୀ ଆମକୁ ବଞ୍ଚାଇ ରଖିଛି ତହାର ଯତ୍ନ ନେଇ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉ।

ଆଗାମୀ ବଂଶଧରଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଆଜିର ଦିନର ଏହି ସଂକଳ୍ପ ହେଉ।

ଡ଼ଃ ରୀନା ରାଉତରାୟ, ଫୋ-୯୪୩୮୨୭୨୧୫୨

Lifestyle Pollution Earth Earth Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe