କହିଲେ କୁଳ କୁଟୁମ୍ବକୁ ଲାଜ

  • ଡଃ ରୀନା ରାଉତରାୟ

ଘଟଣା ୧

ଚିକିତ୍ସା କ୍ଷେତ୍ରରେ ଏକ ମହତ ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେବାର ନିମନ୍ତ୍ରଣ ମିଳିଥିଲା। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସୁପ୍ରସିଦ୍ଧ ଚିକିତ୍ସା ବିଜ୍ଞାନୀ, ଚିକିତ୍ସା ଜଗତର ଧନ୍ୱନ୍ତରୀ କହିଲେ ଅତ୍ୟୁକ୍ତି ହେବ ନାହିଁ ମଧ୍ୟ ଉପସ୍ଥିତ ରହିଥାନ୍ତି। ଦେଶ ବିଦେଶର ସୁନାମଧନ୍ୟ ଚିକିତ୍ସା ବିଜ୍ଞାନୀଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସମସ୍ତ ବରିଷ୍ଠ ଅତିଥିମାନେ ଠିକ ସମୟରେ ଆସି ପହଞ୍ଚିଲେ। ଯଥା ସମୟରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। କାର୍ଯ୍ୟକ୍ରମ ସାରି ଅତିଥି ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସୌଜନ୍ୟମୂଳକ କଥାବାର୍ତ୍ତା ଚାଲିଥାଏ। ଏହି ସମୟରେ (ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ) ଆସି ପହଞ୍ଚିଲେ ସେହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡ଼ର ଯିଏ କି ଜଣେ ଅଭିନେତ୍ରୀ। ବେଶ ସୁସଜ୍ଜିତ ବେଶରେ ଅତି ଭଦ୍ର ଏବଂ ନମ୍ର ଭାବରେ ହସି ହସି ରୁମକୁ ଆସିଲେ ଏବଂ ଆୟୋଜକ ବନ୍ଧୁ ମଧ୍ୟ ତାଙ୍କୁ ସାଦରେ ପାଛୋଟି ଆଣି ସମସ୍ତଙ୍କ ସହିତ ପରିଚୟ କରାଇ ସସମ୍ମାନେ ଆସନ ଗ୍ରହଣ ନିମନ୍ତେ ଅନୁରୋଧ କଲେ। ଅଭିନେତ୍ରୀ ଜଣକ ମଧ୍ୟ ସମସ୍ତଙ୍କୁ ଯଥାମାନ୍ୟ ଜଣାଇ ଆସନ ଗ୍ରହଣ କଲେ। ଏହି ସମୟରେ ଜଣେ ବରିଷ୍ଠ ପଦସ୍ଥ ଅଧିକାରୀ ହଠାତ ଅଭିନେତ୍ରୀଙ୍କୁ ଚାହିଁ କହିଲେ: ମ୍ୟାଡ଼ମ ଆପଣ ଉପସ୍ଥିତ ନ ଥିଲେ ବୋଲି ଏହି ପ୍ରୋଗ୍ରାମଟି ଟିକେ ଜମି ନ ଥିଲା। ଏବେ ଏହି କାର୍ଯ୍ୟକ୍ରମରେ ରୋଷନୀ ଆସିଗଲା।

ହୁଏତ ପରିବେଶକୁ ଟିକେ ଲଘୁ କରିବା ଉଦ୍ଦେଶ୍ୟରେ ସେ ଏକଥା କହି ଦେଲେ। ମୁଁ ଅବଶ୍ୟ ଜାଣେନି ଯେ ସେ ଅଭିନେତ୍ରୀଙ୍କ ସହିତ ତାଙ୍କର ପୂର୍ବ ପରିଚୟ ଥିଲା କି ନାହିଁ। କିନ୍ତୁ ମୋତେ କଥାଟି ଅଖାଡୁଆ ଲାଗିଲା। ସହଜରେ କଥାଟିକୁ ଗ୍ରହଣ କରି ପାରିଲିନି। ଭାବିଲି ଚିକିତ୍ସା କ୍ଷେତ୍ରର ଏକ କାର୍ଯ୍ୟକ୍ରମରେ ବଡ଼ ବଡ଼ ଡାକ୍ତରଙ୍କ ପରି ଉପସ୍ଥିତିରେ କାର୍ଯ୍ୟକ୍ରମଟି ଉଦଘାଟିତ ହେବାରେ ଯେଉଁ ସଫଳତା ଓ ସନ୍ତୋଷ ତାହା କଣ ଦେଢ଼ ଘଣ୍ଟା ବିଳମ୍ବରେ ଆସିଥିବା ଏହି ଚଳଚିତ୍ର ଅଭିନେତ୍ରୀଙ୍କ ଅନୁପସ୍ଥିତିରେ ସତରେ ଏତେ ଫିକା ଫିକା ଲାଗିଲା ଏହି ବରିଷ୍ଠ ଅଧିକାରୀଙ୍କୁ?

ପ୍ରତି କାର୍ଯ୍ୟକ୍ରମର ଉପଯୋଗୀତା, ମହାନୀୟତା ଓ ତାର ଲକ୍ଷ୍ୟ ଉଦ୍ଦେଶ୍ୟ ଅନୁସାରେ ଉପଯୁକ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ସ୍ଥାନରେ ସମ୍ମାନ ଦେବା ଉଭୟ ଆୟୋଜକ ଓ କାର୍ଯ୍ୟକ୍ରମର ଗାରିମା ବୃଦ୍ଧି କରିଥାଏ।

କିନ୍ତୁ ଦୁଃଖର ବିଷୟ ଆମ ସମାଜରେ ଏହିପରି ଉଚ୍ଚ ଶିକ୍ଷିତ ଲୋକମାନଙ୍କ ମାନସିକତା ମଧ୍ୟ ଏହିପରି। କାରଣ ଉଚ୍ଚ ଶିକ୍ଷିତ ଓ ଆତ୍ମ ଶିକ୍ଷିତ ଭିତରେ ଅନେକ ପ୍ରଭେଦ।

ଘଟଣା ୨

ଆଜିର ଦିନରେ ବନ୍ୟାରେ ଲୋକମାନଙ୍କ ଧନ ଜୀବନ ବିପନ୍ନ ହେବାଠାରୁ ଆରମ୍ଭ କରି ବିଧାନସଭା ଅଧିବେଶନ ଓ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଥାଉଥାଉ ବିଗତ କିଛି ଦିନ ଧରି ଜଣେ ଚଳଚ୍ଚିତ୍ର ଅଭିନତାଙ୍କ ପାରିବାରିକ ସମସ୍ୟା ଓ ଆଉ ଜଣେ ଅଭିନେତ୍ରୀଙ୍କ ଚରିତ୍ର ସ୍ଖଳନ ସମ୍ବାଦରେ ସମସ୍ତ ଗଣମାଧ୍ୟମ ଏମିତି ତତ୍ପର ହୋଇ ଉଠିଛନ୍ତି ଯେ ଲାଗୁଛି ରାଜ୍ୟରେ କେବଳ ଏହି ଘଟଣା ବ୍ୟତୀତ ଆଉ କୌଣସି ସମସ୍ୟା ଯେମିତି ନାହିଁ।

ଏବେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବାରମ୍ବାର ବିଶଦ ଭାବରେ ଆଲୋଚନା ହେବାର ସମୟ। ନୈତିକ ମୂଲ୍ୟବୋଧର ପ୍ରଚାର ପ୍ରସାର କୋମଳମତି ପିଲାମାନଙ୍କ ଉପରେ ଅନେକ ସୁପ୍ରଭାବ ପକାଇ ଥାଏ। କିନ୍ତୁ ଜନ ସାଧାରଣଙ୍କ ମନସ୍ତତ୍ତ୍ୱକୁ ଅନୁଧ୍ୟାନ କରି ଟିଆରପି ବୃଦ୍ଧି ପାଇଁ ଗଣମାଧ୍ୟମ ଗୁଡ଼ିକ ଯେଉଁ ପରି ସମ୍ବାଦକୁ ଗୁରୁତ୍ଵ ଦେଉଛନ୍ତି ସେହି ନୀଚ୍ଚ କର୍ମରେ ଆମମାନଙ୍କର ଭାଗିଦାରିତା ମଧ୍ୟ ସମପରିମାଣରେ ରହୁଛି। ଆମେ ସମସ୍ତେ ଲକ୍ଷ୍ୟ କରୁଛୁ ଯେ  ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ କୁସଂସ୍କାର ପ୍ରୋତ୍ସାହିତ କରୁଥିବା ସମ୍ବାଦ କିଛି କ୍ଷଣ ମଧ୍ୟରେ ତାର ଦର୍ଶକ ସଂଖ୍ୟା ଲକ୍ଷାଧିକ ହୋଇଯାଉଛି। ଆମେ ଆଗ୍ରହ ପ୍ରକାଶ କରୁଛୁ ବୋଲି ସମ୍ବାଦ ପରିବେଷଣ କରାଯାଉଛି। ତେଣୁ ଏଥିପାଇଁ ଦାୟୀ କିଏ? ଆମର ହୀନ ମାନସିକତା ନା ଆଧୁନିକତାର ନଗ୍ନ ବାସ୍ତବତା?

ଆମକୁ ଖୁବ୍ ଖୁସି ଲାଗେ ଅନ୍ୟର ବ୍ୟକ୍ତିଗତ ଜୀବନକୁ ରାଜରାସ୍ତାରେ ନିଲାମ ହେବାର ଦେଖିଲେ। ଆମ ଅଜାଣତରେ ଆମେ ସେହି ନକାରାତ୍ମକ ଶକ୍ତିକୁ ଆମ ଭିତରକୁ ନିମନ୍ତ୍ରଣ କରିଥାଉ ଯାହା ପରବର୍ତ୍ତୀ ସମୟରେ ଆମ ମାନଙ୍କ ପାଇଁ ବୁମେରାଂ ସାଜିଥାଏ।

ଘଟଣା ୩

ଗତ କିଛବର୍ଷ ପୂର୍ବରୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ମଧ୍ୟରେ ୱାଇଫ ସ୍ୱାପିଂଙ୍କ ବିଷୟ ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥାଏ। ଏହି ସମୟରେ ଗୋଟିଏ ନାବାଳକ ନିଖୋଜ ସମସ୍ୟା ନେଇ ପୋଲିସ କମିଶନର ପାଖକୁ ଦେଖା କରିବାକୁ ମୋର ଜଣେ ସହଯୋଗୀ ବାନ୍ଧବୀଙ୍କୁ ନେଇ ଗଲି। ବାଟରେ କଥାବାର୍ତ୍ତା ସମୟରେ ବାନ୍ଧବୀ ଜଣକ ମୋତେ ପଚାରିଲେ ମ୍ୟାଡମ୍ ଏ ଟିଭିରେ ଯେଉଁ ଆଲୋଚନା ହେଉଛି ଯେ ୱାଇଫ ସ୍ୱାପିଂ, ଏହା କଣ? ମୁଁ କିଛି ବୁଝି ପାରୁନି।

ନୀରବ ରହିଲି।

ନାବାଳକ ପିଲା ନିଖୋଜ ବିଷୟ ଆଲୋଚନା କରିବା ପରେ କମିଶନରଙ୍କୁ କହିଲି, ଆଜ୍ଞା ମୋ ସାଙ୍ଗରେ ଆସିଥିବା ଭଦ୍ର ମହିଳା ୱାଇଫ ସ୍ୱାପିଂ ଶବ୍ଦ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଶୁଣିଲେ। ଆମ ରାଜ୍ୟ ଓଡ଼ିଶାରେ ସଂସ୍କାର ସଂସ୍କୃତି ପରମ୍ପରା ଲଜ୍ଜା ରକ୍ଷଣଶୀଳତା ପରି ଅନେକ ପ୍ରଥା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। ବାରମ୍ବାର ଏହି ଘୃଣ୍ୟ ଆଲୋଚନା ହୁଏତ ଆମ ସମାଜ ଉପରେ କୁପ୍ରଭାବ ପକାଇ ପାରେ। ଅନେକଙ୍କ ମତରେ ମଦ ପିଇବା ଯେମିତି ଏକ ଷ୍ଟାଟସ୍ ସିମ୍ବଲ ଏବଂ ନିଶା ସେବନ ବା ଗାର୍ଲ୍ ଫ୍ରେଣ୍ଡ୍ ନ ଥିଲେ ସ୍କୁଲ କଲେଜରେ ପିଲାମାନଙ୍କୁ କୁଆଡ଼େ ନାନା ଟାହି ଟାପରାର ଶିକାର ହେବାକୁ ପଡ଼େ। ଫଳତଃ ମାନସିକ ସ୍ତରରେ ଦୃଢ଼ ନ ଥିବା କିଛି କୋମଳମତି ପିଲା ଏହାକୁ ଆଧୁନିକତାର ଲକ୍ଷଣ ଭାବି ଏହି କୁସଙ୍ଗଙ୍କୁ ଆଦରି ନିଅନ୍ତି।

ସେହିପରି ୱାଇଫ ସ୍ୱାପିଂ ପରି ଏହି ଆଲୋଚନା ବାରମ୍ବାର ଶୁଣିବା ଦ୍ଵାରା ଆମ ଓଡ଼ିଶାର ଏକ ସାଧାରଣ ସରଳ ମହିଳା ଏହାକୁ ଏକ ଷ୍ଟାଟସ୍ ସିମ୍ବଲ୍ ବୋଲି ଭ୍ରାନ୍ତ ଧାରଣାରେ କିଛି ଭୁଲ ନ କରି ବସୁ। ମୁଁ ଜାଣେନି ମୋର ଯୁକ୍ତି କେତେ ଠିକ ଥିଲା କିନ୍ତୁ ତତ୍କାଳୀନ କମିଶନର ଏହାର ଗୁରୁତ୍ଵ ଉପଲବ୍ଧ କରିପାରିଲେ ଏବଂ ତାଙ୍କର ଅନୁରୋଧରେ ଏହି ବିଷୟରେ ଗଣମାଧ୍ୟମରେ ବାରମ୍ବାର ଆଲୋଚନାକୁ ସ୍ଥଗିତ କରାଗଲା।

ସେମିତି ଲିଭ୍ ଇନ୍ ରିଲେସନକୁ କେଉଁ ପରିସ୍ଥିତି ପାଇଁ କେଉଁ ଘଟଣା ପାଇଁ ସୀକୃତି ଦିଆଗଲା ତାହାକୁ ଠିକ୍ ଭାବରେ ନ ବୁଝି କଲେଜରେ ପାଠ ପଢ଼ିବା ସମୟରୁ ତରୁଣ ତରୁଣୀମାନେ ଏତେ ଖୋଲା ଖୋଲି ଭାବରେ ଏକାଠି ରହିବାକୁ ବେଶ ଏକ ସମ୍ଭ୍ରାନ୍ତ ଓ ସ୍ଵାଧୀନତା ବା ସଶକ୍ତିକରଣର ଆଖ୍ୟା ଦେଉଛନ୍ତି। କିନ୍ତୁ ସେଥିପାଇଁ ଯେତେବେଳେ କୌଣସି ଅଘଟଣ ଘଟୁଛି ସେତେବେଳେ ଝିଅପୁଅମାନଙ୍କ ପିତାମାତା ତିଳେ ମାତ୍ର ସଙ୍କୋଚ ନ କରି ଗର୍ବର ସହିତ ଯେଉଁ ଭଳି ବୟାନ ଦେଉଛନ୍ତି ତାହା ଶୁଣିଲା ବେଳକୁ ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଉଛି।

ଆଜିକାଲି ସୋସିଆଲ ମିଡିଆରେ ଆପଣ ଯଦି କୌଣସି ସମ୍ବେଦନଶୀଳ ବିଷୟ ଉପରେ ମତ ରଖିଲେ କମେଣ୍ଟରେ ଏତେ କଦର୍ଯ୍ୟ ଓ ଅଶ୍ଳୀଳ ଭାଷାରେ ଏଥିନେଇ ମତ ରଖା ହେଉଛି ଯେ ଭଦ୍ର ଲୋକ ବରଂ ଚୁପ୍ ରହିବା ଉଚିତ୍ ବୋଲି ଭାବି ଦୂରେଇ ରହୁଛନ୍ତି।

ତ୍ରୁଟି କେଉଁଠି? ସୋସିଆଲ ମିଡିଆ/ଗଣମାଧ୍ୟମର ନା ଆମ ମାନସିକତାରେ ନା ପାଶ୍ଚାତ୍ୟ ସଭ୍ୟତା ହନୁକରଣର?

ଧର୍ମଶାସ୍ତ୍ର, ତର୍କ ଶାସ୍ତ୍ର, ଅର୍ଥ ଶାସ୍ତ୍ର ଇତ୍ୟାଦି ଅନୁଧ୍ୟାନ କଲେ ଜଣାଯାଏ ଏମିତି ଅନେକ ବିଷୟରେ ସାର୍ବଜନୀନ ଆଲୋଚନା ବର୍ଜନୀୟ। ପରମ୍ପରା, ସଂସ୍କୃତି, ସଭ୍ୟତା ଓ ଶାଳୀନତାକୁ ନେଇ ସାମାଜିକ ବ୍ୟବସ୍ଥା ସୁଦୃଢ଼ ହୁଏ। ଏଥିପାଇଁ ଆମ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ତାହା ହିଁ ଆଜି ସମୟର ଆହ୍ୱାନ ଅଟେ।

ଶତାବ୍ଦୀ ନଗର, ଭୁବନେଶ୍ୱର

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।