Advertisment

ପ୍ରତାରଣାଶୂନ୍ୟ ଇଂରେଜୀ ଭଦ୍ରଲୋକଙ୍କ ପବିତ୍ର ସ୍ମୃତି

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ଜଣେ ସାଧାରଣ ଓଡ଼ିଆ ଲୋକ ହୋଇଥାଆନ୍ତେ, ହୁଏତ ତାଙ୍କର ବୟାନକୁ ନେଇ ରାଜ୍ୟ ରାଜନୀତି ଏତେଟା ସରଗରମ ହୋଇ ନଥାନ୍ତା। କିନ୍ତୁ ସେ କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ଶିକ୍ଷାମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠନେତା। ସେ ସଫେଇ ଦେଇ ଯେତେ ବ୍ୟକ୍ତିଗତ ମତ ବୋଲି କହିଲେ ବି ତାଙ୍କ ମୁହଁରୁ ଏଭଳି ବକ୍ତବ୍ୟକୁ ରାଜ୍ୟବାସୀ ଗମ୍ଭୀରତା ସହ ନେବା ସ୍ୱାଭାବିକ ଏବଂ ରେଭେନ୍ସା କଲେଜରୁ ଉତ୍ତୀର୍ଣ୍ଣ ବୁଦ୍ଧିଜୀବୀଙ୍କ ପାଇଁ ନିଶ୍ଚୟ ଆଶଙ୍କା ଉଦ୍ରେକକାରୀ।

Ravenshaw University

Ravenshaw University

Advertisment

ଜାନକୀଶ ବଡପଣ୍ଡା

ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ। ବ୍ରିଟିଶ ସରକାରଙ୍କ ଦ୍ୱାରା ନିର୍ମିତ କଟକ ଛାତି ଉପରେ ଛିଡ଼ା ହୋଇଥିବା ନାଲି ରଙ୍ଗର କୋଠା ଦେଶର ଏକ ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ। ଏହି କଲେଜରେ, ଯାହା ଏବେ ବିଶ୍ୱବିଦ୍ୟାଳୟ, ପାଠପଢ଼ିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ସ୍ୱପ୍ନ। ଏହା ଓଡ଼ିଶାର ପ୍ରଥମ କଲେଜ। ରାଜ୍ୟ ଓ ରାଜ୍ୟ ବାହାର ତଥା ବିଦେଶୀ ଛାତ୍ରମାନେ ବର୍ତ୍ତମାନ ଏଠାରେ ଅଧ୍ୟୟନ କରୁଛନ୍ତି। ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏହି ବିଶ୍ୱବିଦ୍ୟାଳର ନାମ ପରିବର୍ତ୍ତନକୁ ନେଇ ଏବେ ପୁଣି ଥରେ ପ୍ରଶ୍ନ ଉଠିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ହେବା ଦରକାର ବୋଲି ସର୍ବ ସାଧାରଣରେ ବ୍ୟକ୍ତିଗତ ମତ ପ୍ରକାଶ କଲା ପରେ ଏହି ପ୍ରସଙ୍ଗକୁ ଆଧାର କରି ବିତର୍କ ଆରମ୍ଭ ହୋଇ ଯାଇଛି। ଏହି ପ୍ରସଙ୍ଗ ଉପରେ ଖୋଲା ବିତର୍କ ହେବା ଉଚିତ ବୋଲି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆହ୍ୱାନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଯଦି ଜଣେ ସାଧାରଣ ବୁଦ୍ଧୀଜିବୀ ହୋଇଥାଆନ୍ତେ, ହୁଏତ ତାଙ୍କର ବୟାନକୁ ନେଇ ରାଜ୍ୟ ରାଜନୀତି ଏତେ ସରଗରମ ହୋଇ ନଥାନ୍ତା। ସେ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠନେତା। ଯେତେ ବ୍ୟକ୍ତିଗତ ମତ କହିଲେ ବି ତାଙ୍କ ମୁହଁରୁ ଏଭଳି ବକ୍ତବ୍ୟକୁ ରାଜ୍ୟବାସୀ ଗମ୍ଭୀରତା ସହ ନେଉଛନ୍ତି। ଅନ୍ୟପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧର୍ମେନ୍ଦ୍ରଙ୍କ ଏପରି ମତକୁ ବିରୋଧ କରିବା ସହ ରେଭେନ୍ସା କେବଳ ଏକ ନାମ ନୁହଁ ବରଂ ଏକ ଭାବପ୍ରବଣତା (ଇମୋସନ୍), ଏକ ‘ଶିହରଣ’ ବୋଲି କହିଛନ୍ତି।

Advertisment

ଏଥି ମଧ୍ୟରେ ଇତିହାସର ପୃଷ୍ଠାରୁ ଚର୍ଚ୍ଚାକୁ ଆସିଛି ଥୋମାସ ଏଡୱାର୍ଡ ରେଭେନ୍ସାଙ୍କ ନାମ। ଏହି ରେଭେନ୍ସା ସାହେବଙ୍କ ଅପାରଗତା କାରଣରୁ ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷରେ ମୁଠାଏ ଭାତ ଖାଇବାକୁ ନପାଇ ୨୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ ବୋଲି କିଛି କହୁଥିଲା ବେଳେ ୧୮୬୦ ମସିହାରୁ ଓଡ଼ିଶାରେ ଲଗାତାର ବର୍ଷାଭାବ ଓ ମରୁଡ଼ି ଦେଖାଦେଇଥିଲା ଯାହା ଉତ୍କଟ ରୂପ ନେଇଥିଲା ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ବୋଲି କିଛି ମତ ଦିଅନ୍ତି। ତେବେ, ରେଭେନ୍ସାଙ୍କ ୧୨ ବର୍ଷର ଓଡ଼ିଶା ରହଣିକାଳରେ ତାଙ୍କର ଅନେକ ଅବଦାନ ଥିଲା ଓଡ଼ିଶାର ଶିକ୍ଷା ବିକାଶ ପାଇଁ। ସେ ପ୍ରତିଷ୍ଠା କରିଥିଲେ କିଛି ସ୍କୁଲ୍ ଓ କଟକ କଲେଜ୍। ତାଙ୍କର ପବିତ୍ର ସ୍ମୃତିରେ ନାମିତ ହେବାର ବହୁ ପୁର୍ବରୁ ଅର୍ଥାତ୍ ୧୮୬୮ ମସିହାରେ ସ୍ଥାପିତ ହେବା ଦିନଠାରୁ ଏହି ମହାବିଦ୍ୟାଳୟରେ ନାମ ଲେଖିଥିବା ଯେ କୌଣସି ଛାତ୍ର ରେଭେନ୍ସାଙ୍କ କାରଣରୁ ଯେ ଏଠାରେ ନାମ ଲେଖାଇଥିବେ, ଏହା କହିହେବ ନାହିଁ। ବରଂ ଏଠାରେ ଅଧ୍ୟାପନା କରିଥିବା ପ୍ରାତଃସ୍ମରଣୀୟ ନମସ୍ୟ ଶିକ୍ଷକଙ୍କ ସୁନାମ ଓ ଏଠାକାର ଉଦାହରଣୀୟ ଶୈକ୍ଷିକ ପରିବେଶ କାରଣରୁ ପାଇଥିବା ସୁନାମ ଓ ପ୍ରତିଷ୍ଠା କାରଣରୁ ମେଧାବୀ ଛାତ୍ରମାନେ ଏଠାରେ ନାମ ଲେଖାଇଥିବେ। ଯେଉଁ ମହାବିଦ୍ୟାଳୟରେ ଡଃ ପ୍ରାଣକୃଷ୍ଣ ପରିଜା ଅଧ୍ୟକ୍ଷ, ସେଠାରେ ପଢ଼ିଥିବା

କେହିବି ଛାତ୍ର ନିଜର ଛାତ୍ରଜୀବନ ଓ ଶିକ୍ଷାନୁଷ୍ଠାନକୁ ନେଇ ଗର୍ବ କରିବ ହିଁ କରିବ। ସେମାନଙ୍କ ପାଇଁ ‘ରେଭେନ୍ସା ସାହେବ’ଙ୍କ ଅପେକ୍ଷା ‘ରେଭେନ୍ସା କଲେଜ୍’ ଅଧିକ ମହତ୍ୱପୂର୍ଣ୍ଣ ନିଶ୍ଚୟ। ସୂର୍ଯ୍ୟ ମନ୍ଦିର ଗାତ୍ରରେ ଖୋଦିତ ଚିତ୍ର ଅପେକ୍ଷା କୋଣାର୍କର କେଉଁ ଏକ ପାନ୍ଥଶାଳାର କାନ୍ଥରେ ଅଙ୍ଗାରରେ ଲିଖିତ ଏକ ନାମ ଅନେକଙ୍କୁ ଅଧିକ ଶିହରିତ କଲା ଭଳି, ପ୍ରାକ୍-ଯୌବନ ବିଜଡ଼ିତ କଲେଜ୍ କ୍ୟାମ୍ପସ୍, ହଷ୍ଟେଲ୍, ଲାଇବ୍ରେରୀ ଓ କିଛି ସଦା-ଉଲ୍ଲସିତ ସ୍ମୃତି ନିଶ୍ଚୟ ଉଲ୍ଲସିତ କରି ରଖେ, ରଖିଛି ଓ ବଞ୍ଚିଥିଲା ଯାଏଁ ସେମାନଙ୍କୁ ଆଲୋଡ଼ିତ କରୁଥିବ, ଏଥିରେ ଅସ୍ୱାଭାବିକତା ରହିବ କାହିଁକି?

Advertisment

ଏଣୁ ରେଭେନ୍ସା କଲେଜରେ ଏକଦା ପଢିଥିବାର ଗର୍ବବୋଧରେ ଆଚ୍ଛନ୍ନ କେହିବି ଶିକ୍ଷିତ-ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରେଭେନ୍ସା କଲେଜର କିଛି ବି ପରିବର୍ତ୍ତିତ ନାମ ଅଗ୍ରହଣୀୟ। ଏମିତିକି, ରେଭେନ୍ସା କଲେଜର ପ୍ରାକ୍ତନ ଛାତ୍ର, ଆଇଏଏସ୍ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦମଣ୍ଡନ କରିଥିବା ବିଶିଷ୍ଟ କବି ଦେବଦାସ ଛୋଟରାୟ ଏକଦା ପ୍ରତିକ୍ରିୟାରେ କହିଥିଲେ ଯେ, ‘ରେଭେନ୍ସା ନାମ ପରିବର୍ତ୍ତନ ଶିରଚ୍ଛେଦନ ସଙ୍ଗେ ସମାନ ହେବ’। ଆଉଜଣେ ସ୍ୱନାମଧନ୍ୟ ପୋଲିସ୍ ସେବା ଅଧିକାରୀଙ୍କ ମତରେ ରେଭେନ୍ସା ବିଶେଷଣ ନୁହେଁ, ସବୁ ବିଶେଷ୍ୟ, ଗର୍ବ ଓ ଆବେଗର ପୁଣ୍ୟଭୂମି – ରେଭେନ୍ସା! ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀମାନେ ମଧ୍ୟ କେବଳ ବିତର୍କ ମଧ୍ୟରେ ସୀମିତ ନରହି ରାଜରାସ୍ତାରେ ବିକ୍ଷୋଭ କରିବାକୁ ଓହ୍ଲାଇଛନ୍ତି। ଦାରିଦ୍ର୍ୟ, ଦୂରତ୍ୱ କିମ୍ବା ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା କାରଣରୁ ରେଭେନ୍ସାରେ ପଢ଼ିବାର ସୁଯୋଗ ପାଇ ନପାରି ଅନ୍ୟାନ୍ୟ କଲେଜରେ ପଢ଼ି ପ୍ରତିଷ୍ଠା ଅର୍ଜନ କରିଥିବା ଓଡ଼ିଆମାନେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତକୁ ସହଜରେ ଗ୍ରହଣ କରିନାହାନ୍ତି। ସଂଖ୍ୟାଧିକ ଲୋକ ରାଜନୈତିକ ଦୃଷ୍ଟିକୋଣରୁ ବିତର୍କରେ ଭାଗ ନେଇ ମତ ରଖୁଥିବାର ଲକ୍ଷ୍ୟ କରାଯାଉଛି।

ଆମେ ଓଡ଼ିଆମାନେ, ବିଶିଷ୍ଟ ଓଡ଼ିଆ ଭାଷାପ୍ରେମୀ ଜନ୍ ବୀମ୍ସଙ୍କ ନାମକୁ ଶ୍ରଦ୍ଧାସହିତ ଉଚ୍ଚାରଣ କରୁ। ରେଭେନ୍ସା ସାହେବ୍ ଓଡ଼ିଶାର କମିଶନର ଥିଲା ବେଳେ ବୀମ୍ସ ତାଙ୍କ ଅଧୀନରେ ବାଲେଶ୍ୱର ଓ କଟକ ଜିଲାର ଜିଲ୍ଲାପାଳ ଥିଲେ। ତାଙ୍କର ଆତ୍ମଜୀବନୀ ‘ଜଣେ ଶାସକର ସ୍ମୃତି’ରେ ସେ ରେଭେନ୍ସା ସାହେବଙ୍କ ବିଷୟରେ ଲେଖିଛନ୍ତି, ‘କମିଶନର୍ ଥମାସ୍ ଏଡୱାର୍ଡ ରେଭେନ୍ସା ଥିଲେ ଓଡ଼ିଶାର ରାଜାପରି। ତାଙ୍କର ଥିଲା ଏଗାରଟି ତୋପର ସଲାମୀ, ଅଙ୍ଗରକ୍ଷୀ ଓ ହାତୀ ଏବଂ ସରକାରୀ ଅନୁଷ୍ଠାନମାନଙ୍କରେ ସେ ଘନ ନୀଳ ବର୍ଣ୍ଣର ଯେଉଁ ପୋଷାକ ପିନ୍ଧୁଥିଲେ, ତା ଉପରେ ସୁନାର ଧଡ଼ି ସୂଚୀକାମ, ବାଙ୍କ ଟୋପି, ପର ଓ ଖଡ଼ଗ। ସେ ଥିଲେ ସହାନୁଭୂତିଶୀଳ, ଜ୍ୟେଷ୍ଠୋପମ ବୃଦ୍ଧ ବ୍ୟକ୍ତି, ପକ୍ୱକେଶ ଓ ସୁଦୃଢ଼ ଶରୀରବିଶିଷ୍ଟ। ଅଫିସର୍ ସୁଲଭ ଅହମିକା ବା ଟାଣପଣିଆ ତାଙ୍କର କିଛି ନଥିଲା। ତାଙ୍କର ଦକ୍ଷତା ଉପରେ ମୋର କିମ୍ବା ଅନ୍ୟ କାହାରି ବିଶେଷ ଶ୍ରଦ୍ଧା ନଥିଲା; କିନ୍ତୁ ସେ ଅଭିଜ୍ଞ ଥିଲେ ଏବଂ ତାଙ୍କ ଓଡ଼ିଶା ଓ ତାଙ୍କ ଓଡ଼ିଆଙ୍କୁ ସେ ଭଲରୂପେ ଚିହ୍ନିଥିଲେ। ଜଣେ ୟୁରୋପୀୟକୁ ଯେତେଦୂର ସ୍ନେହ କରାଯାଇପାରେ, ସେମାନେ ତାଙ୍କୁ ସେତେ ଭଲ ପାଉଥିଲେ। ସେଇ ମନ୍ଥରତା, ବିଶୃଙ୍ଖଳତା ଓ କିଂକର୍ତ୍ତବ୍ୟଭାବ ହିଁ କର୍ମକୁଣ୍ଠ ଓଡ଼ିଆଙ୍କ ମନକୁ ବେଶ୍ ଆକର୍ଷଣ କରୁଥିଲା। ସେମାନଙ୍କ ହୃଦୟାଭ୍ୟନ୍ତରର କେତେକ ତନ୍ତ୍ରୀକୁ ସେ ସବୁ ସ୍ପର୍ଶକରି ପାରିଥିଲା। ତାଙ୍କ ଧରଣର ଲୋକେ ଭାରତରେ ଅଜଣା ନୁହନ୍ତି, ଯେଉଁମାନେ କି କେବଳ ନିଜ କାମ ସକାସେ ହିଁ ଜୀଇଁ ରହିଥାନ୍ତି। ତାଙ୍କର କୃଷି ବା ସାହିତ୍ୟିକ ଅଭିରୁଚି କିଛି ନଥିଲା। ସେତେବେଳର ଇଂଲିଶ୍ ସାଧାରଣ ବିଦ୍ୟାଳୟ ଗୁଡ଼ିକର ବାଳକମାନଙ୍କ ପରି ସେ ଥିଲେ ଅଧିକାଂଶ ବିଷୟରେ ଅଜ୍ଞ। ଅଧଘଣ୍ଟାଏ ନିଜ ବଗିଚାରେ ମନ୍ଥର ଗତିରେ କାମ କରିବା କିମ୍ବା ନିଜ କୁନ୍ଦଯନ୍ତ୍ର ପାଖରେ କଦବା କେମିତି ଛୁଟିଦିନଟାଏ କଟାଇବା ଛଡ଼ା ଆଉ ସବୁ ସମୟ ସରକାରୀ କାଗଜପତ୍ର ଭର୍ତ୍ତି ହୋଇଥିବା ଟେବୁଲ୍ ପାଖରେ ମୁହଁରେ ଚିରୁଟ୍ ଓ ହାତରେ କଲମଟିଏ ଧରି ବସି ରହିଥାଆନ୍ତି। ୱେଲସଠାରୁ ଆକାରରେ କିଛି ବଡ଼ ଏଇ ପ୍ରଦେଶକୁ ଶାସନ କରିବାରେ ତାଙ୍କର ଚମତ୍କାରିତା ନଥିଲେ ମଧ୍ୟ ଦକ୍ଷତା ଥିଲା। ସେ ଥିଲେ, ପ୍ରତାରଣାଶୂନ୍ୟ ଜଣେ ଇଂରେଜୀ ଭଦ୍ରଲୋକ। ମୋ ସ୍ତ୍ରୀ କହନ୍ତି ଯେ, ମୋ’ରି କଥାରେ ସେ ପରିଚାଳିତ ହୁଅନ୍ତି। ଅବଶ୍ୟ ଅନେକ କାମ କରିବାରେ ମୁଁ ତାଙ୍କୁ ଅନୁପ୍ରେରିତ କରିଛି, ଯାହାକି ସେ ନିଜେ ନିଜେ କେବେ କରି ନଥାନ୍ତେ; କିନ୍ତୁ ସେ ରକ୍ଷଣଶୀଳ ହିନ୍ଦୁ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଥିଲେ। ଏହି ଗୋଷ୍ଠୀ ଓଡ଼ିଶାରେ ଖୁବ୍ ଶକ୍ତିଶାଳୀ ଥିଲେ, ଯାହାଙ୍କ ବିଷୟରେ ପରେ ଅଧିକ କହିବି।’ ରେଭେନ୍ସା ସାହେବଙ୍କ ସମ୍ପର୍କରେ ମତ ରଖିଥିବା ବହୁ ପ୍ରସିଦ୍ଧ ଓଡ଼ିଆଙ୍କ ଟିପ୍ପଣୀ ଅପେକ୍ଷା ‘ଜନ୍ ବିମସ୍’ଙ୍କ ଆତ୍ମଜୀବନୀରେ ଉଲ୍ଲିଖିତ ଅଂଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ, ରେଭେନ୍ସା ସାହେବଙ୍କୁ ନିନ୍ଦା କିମ୍ବା ପ୍ରଶଂସା କରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ହେବା ଉଚିତ୍ କି ନୁହେଁ ଏହା ଉପରେ ବିତର୍କ ଆହ୍ୱାନ କରିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତରର ଜଣେ ରାଜନେତା ଯେ କାହିଁକି ଏପରି ଗୋଟିଏ ସ୍ପର୍ଶକାତର ପ୍ରସଙ୍ଗରେ ବ୍ୟକ୍ତିଗତ ମତ ଦେଲେ, ତାହାକୁ ନେଇ ରାଜନୈତିକ ପଣ୍ଡିତମାନେ ନାନାମତ ଦେଉଛନ୍ତି। ବିପକ୍ଷବାଦୀଙ୍କ ମତରେ କୁଆଡ଼େ, ସେ ନିଜେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ ଓ ଏପରି ଏକ ମନ୍ତବ୍ୟକୁ ନେଇ ଆନ୍ଦୋଳନ ଚାଲିଲେ, ମୋହନ ମାଝୀଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଆଶାରେ ସେ ଏପରି ବିବାଦର ମଞ୍ଜି ପୋତିଛନ୍ତି। ଆଉ କିଛି କହୁଛନ୍ତି ଯେ, ରେଭେନ୍ସାଙ୍କ ନାମ ହଟାଇବା ପ୍ରସ୍ତାବ ଦେଇ ଓଡ଼ିଆ ଅସ୍ମିତାକୁ ବଳ ଯୋଗାଇଛନ୍ତି ଧର୍ମେନ୍ଦ୍ର। ଆଉ କିଛିଙ୍କ ମତରେ, ହିନ୍ଦୁତ୍ୱ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାର ଏହା ପ୍ରାଥମିକ ପ୍ରୟାସ। ସପକ୍ଷବାଦୀଙ୍କ ମତରେ, ଯେତେବେଳେ ଲୋକଙ୍କ ଅଗୋଚରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ମାର୍ଗକୁ ମଦର୍ ଟେରେସା ମାର୍ଗକୁ ପରିବର୍ତ୍ତନ କରିଦିଆ ଯାଇଥିଲା, ସେତେବେଳେ, କିଛି ଲୋକ କିଛିଦିନ ପାଇଁ ଆନ୍ଦୋଳନ କରିଥିଲେ ବି ସରକାର ଶୁଣିନଥିଲେ। ଅଥଚ, ଜଣେ ନିଜର ବ୍ୟକ୍ତିଗତ ମତ ଦେବା, ବିତର୍କ ପାଇଁ ଆହ୍ୱାନ ଦେବା କ’ଣ ଅଧିକ ଗୁରୁତର ଭୁଲ? ଯଦି ଲୋକମତ ରେଭେନ୍ସା ନାମ ସପକ୍ଷରେ ରହିବ, ସ୍ଥିତାବସ୍ଥା ରହିବା ଉଚିତ। ଏହାହିଁ ତ ଗଣତନ୍ତ୍ର। ତାହା ଛଡ଼ା, ସମ୍ବିଧାନର ଧାରା-୧୯ ଅନୁଯାୟୀ ଜଣଙ୍କର ନିଜର ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ରହିଛି ଓ ତାହାକୁ ଖର୍ବ କରିବାର ପ୍ରଚେଷ୍ଟା ଅଗ୍ରହଣୀୟ।

ଆମେ ଲକ୍ଷ୍ୟ କରୁଛୁ ଯେ, କିଛି ବର୍ଷ ଧରି ହିନ୍ଦୁତ୍ୱ, ଭାରତୀୟ ନାମକରଣ ଓ ପୁନଃନାମକରଣ ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ଏହା ଯେ କେବଳ କେନ୍ଦ୍ର ସରକାରରେ ଥିବା ଭାଜପା ଦଳର ନିର୍ଦ୍ଦେଶରେ କରାଯାଉଛି, ତାହା ନୁହେଁ, ବରଂ ଉଗ୍ର ଆଞ୍ଚଳିକତା କାରଣରୁ କ୍ୟାଲକାଟା ଏବେ କୋଲକାତା, ମାଡ୍ରାସ୍ ଏବେ ଚେନ୍ନାଇ ଓ ବମ୍ବେ ଏବେ ମୁମ୍ବାଇ। ଉଦାହରଣ ଅନେକ ଥିଲାବେଳେ, ଆମ ରାଜ୍ୟର ରେଭେନ୍ସା ବିଶ୍ୱବିଦ୍ୟାଳୟ ଥିବା ପ୍ରଖ୍ୟାତ କଟକ ନଗର ଆଜି ବି ଇଂରାଜୀରେ କୁଟକ୍, ବ୍ରହ୍ମପୁର- ବେରହମ୍ପୁର୍ ଓ ବାଲେଶ୍ୱର- ବାଲାସୋର୍। ଆମର ‘ଯେମିତି ଅଛି ସେମିତି ଥାଉ, ଇତି ବାଞ୍ଛା ସାହୁ’ ମାନସିକତା ଏଥିପାଇଁ କ’ଣ ଦାୟୀ ନୁହେଁ?

କିଛି କହୁଛନ୍ତି ଯେ, ରେଭେନ୍ସା ଏକ ବ୍ରାଣ୍ଡ୍। ଏମାନେ ବୁଦ୍ଧିଜୀବୀ। ଏଣୁ ସେମାନେ ସାଧାରଣ ଲୋକଙ୍କଠାରୁ ନିଜକୁ ଅଧିକ ଜ୍ଞାନୀ ବୋଲି ପ୍ରମାଣିତ କରିବା ପାଇଁ ଇତିହାସ, କିମ୍ବଦନ୍ତୀ, ପୁରାଣ ଓ ସଂସ୍କୃତ ଶ୍ଲୋକ ଆଦିର ପ୍ରୟୋଗ କରନ୍ତି। ସେମାନଙ୍କ ଯୁକ୍ତି ସାରହୀନ ମନେହୁଏ। ଆଜି ଓଡ଼ିଶାରେ ଆମେ ‘ଅକ୍ସଫୋର୍ଡ’, ‘ଜାଭିୟର୍ସ୍’, ‘କେମ୍ବ୍ରିଜ୍’, ‘ଆଇନଷ୍ଟାଇନ୍’ ବ୍ରାଣ୍ଡରେ ଡଜନେ ସ୍କୁଲ୍ କଲେଜ୍ ପାଇବା, କିନ୍ତୁ ଦ୍ୱିତୀୟ ରେଭେନ୍ସା ସ୍କୁଲ୍ କଲେଜ୍ ପାଇବା ନାହିଁ। ଆଜି, ରେଭେନ୍ସା ଛାତ୍ରଛାତ୍ରୀ ଅନ୍ୟାନ୍ୟ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରୁ ନାହାନ୍ତି। ଦୁରବସ୍ଥା ଏଭଳି ସ୍ଥିତିରେ ଅଛି ଯେ, ଓଡ଼ିଶାର ପିଲାଏ ଦିଲ୍ଲୀରେ କୋଚିଂ ନନେଲେ, ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଉ ନାହାନ୍ତି। ଯୁକ୍ତ ଦୁଇ ଶିକ୍ଷା ସରିବା ପରେ, ପିଲାଏ ବିନା କୋଚିଂରେ ଇଂଜିନିୟରିଂ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ସଫଳ ହେଉ ନାହାନ୍ତି। ରେଭେନ୍ସାରୁ ପାଠ ପଢ଼ି ସମାଜରେ ପ୍ରତିଷ୍ଠା ପାଇଥିବା ପୁରାତନ ରେଭେନ୍ସାଭିଆନ୍ ଏ ଦିଗରେ କିଛି ସହଯୋଗ କରୁଥିବାର ଲକ୍ଷ୍ୟ କରାଯାଉ ନାହିଁ। ନା ସେମାନେ ଭିଜିଟିଂ ପ୍ରଫେସର୍ ହୋଇ ଶିକ୍ଷାଦାନ କରୁଛନ୍ତି ନା ମେଣ୍ଟର୍ ହୋଇ ତାଲିମ୍ ଦେଉଛନ୍ତି। ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସେମାନେ କେତେ ଅର୍ଥଦାନ କରିଛନ୍ତି, ତାହା କେବେ ବି ପ୍ରକାଶିତ ହୋଇନି। ତେବେ, ରେଭେନ୍ସା ଏକ ବ୍ରାଣ୍ଡ୍ ହେଲା କିପରି?

ପୁରୀରେ ସାମନ୍ତ ଚନ୍ଦ୍ର ଶେଖର, ସମ୍ବଲପୁରରେ ଗଙ୍ଗାଧର ମେହେର, ବାଲେଶ୍ୱରରେ ଫକିର ମୋହନ ଓ ଭୁବନେଶ୍ୱରରେ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନାମରେ ପ୍ରତିଷ୍ଠିତ ଚାରୋଟି କଲେଜର ଉଦାହରଣ ନେବା। ଏଗୁଡ଼ିକୁ ଯଥାକ୍ରମେ ଏସସିଏସ୍, ଜିଏମ୍, ଏଫ୍ଏମ୍ ଓ ବିଜେବି କଲେଜ୍- ଏପରି ନାମରେ ସମସ୍ତେ ଜାଣନ୍ତି। ପୁରା ନାଁ କହିଲେ, ଅନେକେ ହୁଏତ ବୁଝି ପାରିବେନି। ଏହାର ମୂଳ କାରଣ ଇଂରାଜୀ ଭାଷା ପ୍ରତି ପ୍ରଗାଢ଼ ମମତା- ଯାହାର ବଡ଼ କାରଣ ରେଭେନ୍ସା। ଏହା ଅନୁଭବ ଓ ଉପଲବଧିର କଥା, ତର୍କ ଦୃଷ୍ଟିରୁ ବଳିଷ୍ଠ ନୁହେଁ।

ତେବେ, ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ଜଣେ ସାଧାରଣ ଓଡ଼ିଆ ଲୋକ ହୋଇଥାଆନ୍ତେ, ହୁଏତ ତାଙ୍କର ବୟାନକୁ ନେଇ ରାଜ୍ୟ ରାଜନୀତି ଏତେଟା ସରଗରମ ହୋଇ ନଥାନ୍ତା। କିନ୍ତୁ ସେ କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ଶିକ୍ଷାମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠନେତା। ସେ ସଫେଇ ଦେଇ ଯେତେ ବ୍ୟକ୍ତିଗତ ମତ ବୋଲି କହିଲେ ବି ତାଙ୍କ ମୁହଁରୁ ଏଭଳି ବକ୍ତବ୍ୟକୁ ରାଜ୍ୟବାସୀ ଗମ୍ଭୀରତା ସହ ନେବା ସ୍ୱାଭାବିକ ଏବଂ ରେଭେନ୍ସା କଲେଜରୁ ଉତ୍ତୀର୍ଣ୍ଣ ବୁଦ୍ଧିଜୀବୀଙ୍କ ପାଇଁ ନିଶ୍ଚୟ ଆଶଙ୍କା ଉଦ୍ରେକକାରୀ। ପୂର୍ବାପେକ୍ଷା କେନ୍ଦ୍ର ସରକାରଙ୍କ ଶକ୍ତି କମିଛି ଓ ଓଡ଼ିଶାରେ ବିଜେପିର ଲୋକଙ୍କ ସରକାର ଦୀର୍ଘ ୨୪ ବର୍ଷ ପରେ କ୍ଷମତାକୁ ଆସି ଅନେକ କାମ କରିବାକୁ ଅଛି। ଏଭଳି ସନ୍ଧିକ୍ଷଣରେ କୌଣସି ବିବାଦ ସରକାର କିମ୍ବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ସବକା ସାଥ୍, ସବକା ବିଶ୍ୱାସ ଓ ସବକା ପ୍ରୟାସର ଏହା ବିପରୀତ ପରିବେଶ ସୃଷ୍ଟି କରୁଛି।

ଏହି ପ୍ରସଙ୍ଗ ଅତୀତରେ ୨୦୧୭ ମସିହାରେ ଉଠିଥିଲା, ଆଜି ଉଠିଛି ଏବଂ ଆଗାମୀ ଦିନରେ ମଧ୍ୟ ଉଠିବ। କିନ୍ତୁ, ଯେତେଦିନ ଯାଏଁ ଓଡ଼ିଆଙ୍କ କର୍ମକୁଣ୍ଠା ରହିଥିବ, ମନ୍ଥରତା, ବିଶୃଙ୍ଖଳତା ଓ କିଂକର୍ତ୍ତବ୍ୟଭାବ ଆବୋରି ବସିଥିବ, ସେତେଦିନ ଯାଏଁ ଓଡ଼ିଆଙ୍କ ମନକୁ ବେଶ୍ ଆକର୍ଷଣ କରିଚାଲିଥିବ ରେଭେନ୍ସାଙ୍କ ନାମରେ ନାମିତ ଓଡ଼ିଶାର ପ୍ରଥମ ମହାବିଦ୍ୟାଳୟ। ସେତେଦିନ ଯାଏଁ ପରିବର୍ତ୍ତନକୁ ବିରୋଧ କରାଯାଉ ଥିବ।

ଫୋ- ୯୪୩୮୨୯୯୦୩୭

Odisha BjD Bjp Dharmendra Pradhan Ravenshaw University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe