ଜିତେନ୍ଦ୍ର ଗଡ଼ନାୟକ
ମୋର ଜଣେ ସମ୍ପର୍କୀୟ ବଡ଼ ଭାଇ ଡାଇବେଟିସ୍ରେ ପୀଡ଼ିତ। ଇନ୍ସ୍ୟୁଲିନ୍ ବି ନେଉଛନ୍ତି। ନିକଟରେ ହଠାତ୍ ପଡ଼ିଯିବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ମୁଁ ସେଠାରେ ପହଞ୍ଚିଥିଲି। ଯଦିଓ ଡାକ୍ତର ପ୍ରାଥମିକ ପରୀକ୍ଷା ପରେ ଆଉ କିଛି ପରୀକ୍ଷା କରିବା ପାଇଁ କହିଥିଲେ ତଥାପି ବୁଝାବୁଝି କଲା ପରେ ଜାଣିଲି, ତାଙ୍କର ଏ ଅବସ୍ଥାର କାରଣ ତାଙ୍କ ଡାହାଣ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ହୋଇଥିବା ଏକ ଛୋଟ ଘା’। ଆଉ ଏ ଘା’ଟି ପ୍ରାୟ ବର୍ଷେ ପୁରୁଣା ଥିଲା। ଏକ କାଠରେ ମାଡ଼ ହୋଇ ଘା’ଟି ହୋଇଥିଲା। ତା’ପରେ ସେ ତାଙ୍କ ଗାଁ ପାଖରେ କୌଣସି ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଥିଲେ। ତେବେ ତାହା ଭଲ ହୋଇ ନଥିଲା। ଯେବେ ବି ଘା’ଟି ଜିଇଁ ଉଠେ ସେ ସେହି ଆଖପାଖରେ କୌଣସି ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ। ଯଦିଓ ତା’ ଭିତରେ ସେ ଭୁବନେଶ୍ୱର ଯିବାଆସିବା କରିଥିଲେ, ତେବେ କେବେ ବି କୌଣସି ଡାଇବେଟିସ୍ ବିଶେଷଜ୍ଞ ଡାକ୍ତରଙ୍କୁ ଘା’ଟିକୁ ଦେଖାଇ ନଥିଲେ। ତାଙ୍କର ପଇସାପତ୍ରର ବି ଅଭାବ ନାହିଁ। ଯେକୌଣସି ବଡ଼ ହସ୍ପିଟାଲ୍ରେ ଚିକିତ୍ସା କରାଇବାର ଶକ୍ତି ତାଙ୍କର ଅଛି। ତଥାପି ସେ ଅବହେଳା କରିଥିଲେ।
ସେଦିନ ହସ୍ପିଟାଲ୍ରେ ତାଙ୍କୁ ଦେଖିବା ପରେ ଓ ତାଙ୍କର ଉକ୍ତ ଘା’ ସମ୍ପର୍କରେ ଜାଣିବା ପରେ ସୋଶାଲ୍ ମିଡିଆରେ ପଢ଼ିଥିବା ଏକ ପୋଷ୍ଟ୍ ମୋର ମନେ ପଡ଼ିଗଲା। ଉକ୍ତ ପୋଷ୍ଟରେ ଏକ ଫଟୋ ଥିଲା ଓ ତା’ସହିତ ପ୍ରାୟ ଶହେଟି ଶବ୍ଦରେ ଏକ ଲେଖା ଥିଲା। ଉକ୍ତ ଫଟୋରେ ଏକ ବାରଣ୍ଡାରେ ଅନେକ ଗୁଡ଼ିଏ ନୋଟ୍ ବିଛେଇ ହୋଇପଡ଼ିଥିଲା। ଆଉ ଏହା ଥିଲା ଚୀନ୍ର ହର୍ବିନ୍ ପ୍ରଦେଶର ଏକ ହସ୍ପିଟାଲ୍ର ଚିତ୍ର। ଜଣେ ମହିଳା କ୍ୟାନ୍ସର୍ ରୋଗୀ ଏକ ବ୍ୟାଗ୍ରେ ଟଙ୍କା ଧରି ଡାକ୍ତରଙ୍କ ପାଖକୁ ଆସିଥିଲେ ଓ ତାଙ୍କ ଜୀବନ ବଞ୍ଚାଇ ଦେବାକୁ କହିଥିଲେ। ଡାକ୍ତରଙ୍କୁ ଦେବାକୁ ତାଙ୍କ ପାଖରେ ପ୍ରଚୁର ପଇସା ଥିବା କଥା ବି କହିଥିଲେ। ହେଲେ ଡାକ୍ତର କିଛି କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଡାକ୍ତର ଉକ୍ତ ମହିଳାଙ୍କୁ ବୁଝାଇ ଦେଇଥିଲେ ଯେ ତାଙ୍କ ଦେହରେ କ୍ୟାନ୍ସର୍ ଶେଷ ଷ୍ଟେଜ୍ରେ ପହଞ୍ଚି ସାରିଛି। ତେଣୁ ଆଉ କିଛି କରାଯାଇପାରିବନି। ତେବେ ଡାକ୍ତରଙ୍କ କଥା ଶୁଣି ମହିଳା ଜଣଙ୍କ ଖୁବ୍ ଜୋରରେ ରାଗି ଯାଇଥିଲେ ଏବଂ ବ୍ୟାଗ୍ରେ ଭର୍ତ୍ତି କରି ଆଣିଥିବା ଟଙ୍କା ହସ୍ପିଟାଲ୍ ବାରଣ୍ଡାରେ ଫୋପାଡ଼ି ଦେଇଥିଲେ। ଫଳରେ ବାରଣ୍ଡାରେ ଚାରିଆଡେ ବିଛାଡ଼ି ହୋଇ ନୋଟ୍ଗୁଡ଼ିକ ପଡ଼ିଯାଇଥିଲା। ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଫୋପାଡ଼ି ସେ ଜୋରରେ ଚିତ୍କାର କରି କହିଥିଲେ,‘ପଇସା ଥିଲେ କ’ଣ ଲାଭ? ପଇସା ସ୍ୱାସ୍ଥ୍ୟ କିଣି ପାରିବ ନାହିଁ। ପଇସା ଜୀବନ କିଣି ପାରିବ ନାହିଁ।’ ଏହି ଲେଖାର ପୂରା ଶେଷ ଧାଡ଼ିରେ ଲେଖା ହୋଇଥିଲା ଯେ ଯେତେବେଳେ ହାତରେ ସମୟ ଓ ଅର୍ଥ ଉଭୟ ରହିଛି, ସେତେବେଳେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ।
ମୋ ଭାଇ ପାଖରେ ଡାକ୍ତରଙ୍କୁ ଦେଖାଇବା ପାଇଁ ଯଥେଷ୍ଟ ସମୟ ଥିଲା ଓ ପଇସାର ବି ଅଭାବ ନଥିଲା। କିନ୍ତୁ ସେ ତାହା କରି ନଥିଲେ। ତେବେ ସେ କେବଳ ଉକ୍ତ ଘା’କୁ ଯେ ଅଣଦେଖା କରିଥିଲେ, ତାହା ନୁହେଁ। ଜଣେ ଡାଇବେଟିସ୍ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବା ଜରୁରୀ। ନହେଲେ ସୁଗାରର ସ୍ତର ନିୟନ୍ତ୍ରଣାଧୀନ ରହିବା ବହୁତ କଷ୍ଟକର। କିନ୍ତୁ ସେ କେବେ ବି ନିଜ ଖାଦ୍ୟପେୟକୁ ଜଗି ନଥିଲେ। ସେ ସବୁ ବେଳେ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। ସେଥିପାଇଁ ଅନେକ ସମୟରେ ତାଙ୍କର ସୁଗାରର ସ୍ତର ଅଧିକ ରହୁଥିଲା। ସେହିଭଳି କିଛି ବ୍ୟାୟାମ ବି କରୁ ନଥିଲେ। ଏହାକୁ ଅବହେଳା ହିଁ କୁହାଯିବ, ଯାହା ସେ ଜାଣିଶୁଣି କରୁଥିଲେ। କାରଣ ଡାଇବେଟିସ୍ ଯେ କେତେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ, ତାହା ଯେ ସେ ଖୁବ୍ ଭଲ ଭାବେ ଜାଣିଥିଲେ।
ହସ୍ପିଟାଲ୍ରେ ଭର୍ତ୍ତି ହେବାର ଦ୍ୱିତୀୟ ଦିନ ଭାଇଙ୍କ ଉକ୍ତ ଘା’କୁ ଅପରେସନ୍ କରାଯାଇଥିଲା। ସମ୍ମୁଖକୁ ଅତି ଛୋଟ ଦେଖାଯାଉଥିବା ଘା’ଟି ଭିତରେ ଭିତରେ ପ୍ରାୟ ଏକ ଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ବି ଥିଲା। ତା’ ଭିତରେ ପୁଜ ଜମି ରହିଥିଲା। ଡାକ୍ତର ପୁଜ କାଢ଼ି ଘା’ଟିକୁ ସଫା କରିଥିଲେ। ଡାକ୍ତର କହିଥିଲେ ଯେ ଡାଇବେଟିସ୍ ଯୋଗୁ ତାଙ୍କ ପାଦର କିଛି କିଛି ସ୍ଥାନରେ ସ୍ନାୟୁ ଗୁଡ଼ିକ ଅକାମୀ ହୋଇଯାଇଛି। ତେଣୁ ଏ ଘା’ର କଷ୍ଟ ତାଙ୍କୁ ବିଶେଷ ଜଣାପଡ଼ୁ ନଥିଲା। ସେହିଭଳି ଘା’ଟି ଦୀର୍ଘଦିନ ରହିଥିବା ହେତୁ ରକ୍ତ ସାଂଘାତିକ ଭାବେ ଇନ୍ଫେକ୍ସନ୍ ହୋଇଥିଲା। ତା’ ସହିତ ଧୀରେ ଧୀରେ ଉକ୍ତ ଗୋଡ଼କୁ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହେଉ ନଥିଲା। ଘା’ଟି ଅପରେସନ୍ ହେବା ପର ଦିନ ସନ୍ଧ୍ୟାରେ ଭାଇ ଚାଲିବା ପରେ ଡାକ୍ତର ଟିକେ ଖୁସି ହେଲେ ଓ କହିଲେ, ପ୍ରଥମ ଦିନ ତାଙ୍କୁ ଦେଖିବା ପରେ ସେ ଖୁବ୍ ଡରି ଯାଇଥିଲେ। ଗୋଡ଼ଟି ପୂରା କଳା ପଡ଼ିଯାଇଥିବାରୁ ତାହା ସାଂଘାତିକ ହୋଇପାରେ ବୋଲି ସେ ଆଶଙ୍କା କରିଥିଲେ। ଏମିତିକି ଆଉ କିଛି ଦିନ ବିଳମ୍ବ ହୋଇଥିଲେ ହୁଏତ ଭାଇଙ୍କ ଗୋଡ଼ଟି ଆଣ୍ଠୁ ପାଖରୁ କାଟିବାକୁ ପଡ଼ିଥା’ନ୍ତା। ତିନି ଦିନ ପର୍ଯ୍ୟନ୍ତ ଏ ଆଶଙ୍କା ମୋ ସହିତ ହସ୍ପିଟାଲ୍ରେ ଉପସ୍ଥିତ ଅନ୍ୟ ସଂପର୍କୀୟଙ୍କ ମନରେ ବି ଥିଲା। ସେଦିନ ସନ୍ଧ୍ୟାରେ ଡାକ୍ତର ଭୟ କରିବାର ଆଉ କିଛି ନାହିଁ ବୋଲି କହିବା ପରେ ସମସ୍ତେ ଚିନ୍ତାମୁକ୍ତ ହୋଇଥିଲୁ। ତା’ସହିତ ଭାଇଙ୍କର ବି ଚେତା ପଶିଥିଲା। ଡାକ୍ତରଖାନାରେ ପନ୍ଦର ଦିନ ରହି ଫେରିବା ପରେ ତାଙ୍କ ଖାଦ୍ୟପେୟକୁ ସେ ପୂରା ବଦଳାଇ ଦେଇଛନ୍ତି। କଷ୍ଟ ପାଇବା ପରେ ଓ ସ୍ଥିତି କେତେ ଭୟାନକ ହୋଇଥା’ନ୍ତା, ତାହା ଅନୁଭବ କରିବା ପରେ ସେ ଏବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚାଲୁଛନ୍ତି।
ଭାଇଙ୍କର ଭାଗ୍ୟ ଭଲ ଥିଲା। ଅବହେଳା କରିଥିଲେ ବି ଅଳ୍ପକେ ଏକ ଭୟଙ୍କର ସ୍ଥିତିରୁ ବର୍ତ୍ତିଗଲେ। ତେବେ ଏହା ସବୁବେଳେ ସମସ୍ତଙ୍କ କ୍ଷେତ୍ରରେ ଘଟିବ ବୋଲି କିଛି ମାନେ ନାହିଁ। ଏଣୁ ସୁସ୍ଥ ଥିବା ବେଳେ ଓ ଉପାର୍ଜନ କରୁଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। କାରଣ ଟଙ୍କା ଥିଲେ ନିଜ ପାଇଁ ଆପଣ ଉତ୍ତମ ଚିକିତ୍ସା ସେବା ଯୋଗାଡ଼ କରିପାରିବେ ଯେତିକି ସତ ଟଙ୍କା ଯେ ଆପଣଙ୍କୁ ସବୁବେଳେ ରକ୍ଷା କରିପାରବନି, ତାହା ବି ସତ। ସେହିପରି ଯେଉଁମାନେ କିଛି ରୋଗରେ ପଡ଼ିଛନ୍ତି, ସେମାନେ ଆଉ ଟିକେ ଅଧିକ ଯତ୍ନବାନ ହେବା ଆବଶ୍ୟକ।