ପଞ୍ଚାନନ କାନୁନଗୋ
ଓଡ଼ିଶା ରାଜ୍ୟର ପୁନର୍ଗଠିତ ଭୌଗୋଳିକ ସ୍ଥିତି ୧୯୩୬ରେ ପ୍ରକାଶିତ ହେଲା। ତଥାପି ଏହାର ଏକ ବିରାଟ ଅଂଶ ସ୍ୱୟଂ ଶାସିତ ରାଜ୍ୟ ଭାବେ (ଗଡ଼ଜାତ ରାଜ୍ୟ) ରହିଥିଲା। ଏହା ବିଖଣ୍ଡିତ ହୋଇ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ବିଚାର ଦୃଷ୍ଟିରୁ ରୁଗ୍ଣ ଓ ଅସ୍ତିତ୍ୱହରା ହୋଇଯାଇଥିଲା। ଦିଲ୍ଲୀ ବାଦ୍ଶାହା ହୁଅନ୍ତୁ ବା ପରବର୍ତ୍ତୀ ଇଂରେଜ ଶାସନ ହେଉ, ସେ ସମୟରେ ଭୂଖଣ୍ଡଟି ଏକପ୍ରକାର ଅବହେଳିତ ଓ ଶୋଷଣର ଶୀକାର ହେବା ଯୋଗୁଁ ଏହାର ଆର୍ଥିକ ଅବସ୍ଥା ବିପନ୍ନ ହେବା ସହିତ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା, ମରୁଡ଼ିରେ ଆକ୍ରାନ୍ତ ହୋଇ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯାଇଥିଲା। ୧୯୩୬ରେ ରାଜ୍ୟ ପୁନର୍ଗଠନ ଓ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍କାଳରେ ସ୍ୱୟଂଶାସିତ ଗଡ଼ଜାତ ରାଜ୍ୟର ମିଶ୍ରଣ ପରେ ରାଜ୍ୟ ଏକପ୍ରକାର ତାର ପୂର୍ଣ୍ଣ ପରିଚୟ ନେଇ ଦେଶରେ ଉପସ୍ଥିତି ଜାହିର କଲା। ୧୯୩୬ ମସିହାରେ ରାଜ୍ୟ ଋଣଭାରରେ ଆକ୍ରାନ୍ତ ଥିଲା ଓ ରାଜସ୍ୱ ନିଅଣ୍ଟ ରହିଥିଲା ଓ ଏ ଦୁଇଟି ଦୁରବସ୍ଥା ସ୍ୱାଧୀନତା ପ୍ରାପ୍ତି ପରବର୍ତ୍ତୀ କାଳ ୧୯୫୧ରେ ମଧ୍ୟ ବର୍ଦ୍ଧିତ ଅବସ୍ଥାରେ ଥିଲା। ଆଉ ଅଳ୍ପ କେତେବର୍ଷ ପରେ ୨୦୩୬ରେ ରାଜ୍ୟଗଠନର ଶହେ ବର୍ଷ ପୂରିବାକୁ ଯାଉଛି। ଏବେ ବି ଇଣ୍ଡିଆ ରେଟିଂସ୍ ତଥ୍ୟ ଏହି ଋଣ ଚାପର ସାଂଘାତିକ ରୂପ ପ୍ରକାଶ ପାଇଛି।
ଅନେକ ଘାତ ପ୍ରତିଘାତ ଭିତରେ ରାଷ୍ଟ୍ର ତାର ସ୍ଥିତି ଜାହିର ରଖିଛି। ବେଳେବେଳେ ଚହଲିଛି ତ ପରେ ପୁନର୍ଗଠିତ ହୋଇଛି। ଚାହୁଁ ଚାହୁଁ ଓଡ଼ିଶା ପୁର୍ନଗଠନର ଶହେ ବର୍ଷ ପୂରିବାକୁ ଯାଉଛି। ଅନେକ ଦିନର ଶାସନ ଦେଶୀୟ ଶାସକମାନେ କରି ସାରିଲେଣି। କିଏ କିଏ ଅଳ୍ପ କେଇବର୍ଷ ପାଇଁ ତ କିଏ ପଚିଶ ବର୍ଷ ଧରି ଏ ରାଜ୍ୟର ଶାସନ ଭାର ସମ୍ଭାଳିଛନ୍ତି। ସମସ୍ତେ କିଛି ନା କିଛି ନିଶ୍ଚୟ କରିଛନ୍ତି। ରାଜ୍ୟବାସୀଙ୍କର ଉନ୍ନତି କଳ୍ପେ ଅନେକ ପ୍ରକଳ୍ପ କରିଛନ୍ତି। ସେଥିମଧ୍ୟରୁ ଅନେକ ଅଛି ତ ଅନେକ ଭାଂଗିରୁଜି ନିଶ୍ଚିହ୍ନ ହୋଇଯାଇଛି। ମାଟିଘର ସ୍କୁଲ୍ ବଡ଼ କୋଠାରେ ପରିଣତ ହୋଇଛି। ବିଦ୍ୟୁତ୍ ଯୋଗାଣ ଗାଁ ମୁଣ୍ଡରେ ପଡ଼ିଥିଲା, ଏବେ ଗାଁ ସାରା ବିଛାଡ଼ି ହୋଇଯାଇଛି। ଗାଁକୁ ଭଲ ପକ୍କା ପିଚୁରାସ୍ତା ଲମ୍ବିଛି। ମାଟି ମୋରମ୍ ରାସ୍ତାର ରୂପ ବଦଳିଛି। ତଥାପି ସମସ୍ୟାର ଅନ୍ତ ନାହିଁ। ଅନେକ କ୍ଷେତ୍ରରେ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ଏବେ ବି ପଛୁଆ। ତଳଆଡ଼ୁ ତୃତୀୟ, ଚତୁର୍ଥ, ପଞ୍ଚମ ସ୍ଥାନରେ ଅଛି। ତଥାପି ଶାସକଙ୍କର ଅହଂକାର। ସେ ରାଜ୍ୟରେ ଦୀର୍ଘଦିନ ଧରି ଶାସନ କ୍ଷେତ୍ରରେ ରହିବାର ସୁଯୋଗ ପାଇଛନ୍ତି।
ବିଦେଶୀ ଶାସନ ହଟିଗଲା। ଅନେକଙ୍କୁ ଦାରିଦ୍ର୍ୟମୁକ୍ତ କରିଛନ୍ତି। ଭୋକର ଭୂଗୋଳ ବଦଳିଛି। ଏବେ ରାଜ୍ୟକୁ ବିଶ୍ୱସ୍ତରୀୟ କରିବା ଅଥବା ପ୍ରଥମକରି ଗଢ଼ି ତୋଳିବାର ସ୍ୱପ୍ନ ବାଣ୍ଟିବା ଚାଲିଛି। ରାଜ୍ୟ ସରକାର ମାଗଣା ଦେଉଥିବା ଟଙ୍କିକିଆ ଚାଉଳ ବନ୍ଦ କରିଦେଲେ ରାଜ୍ୟ ଓ ରାଜ୍ୟବାସୀଙ୍କର ରୁଗ୍ଣ, ବିକଳିଆ ଅବସ୍ଥା ସମସ୍ତଙ୍କ ସାମନାକୁ ଆସିଯିବ। ଯେଉଁ ଧାରାରେ ରାଷ୍ଟ୍ରନାୟକମାନେ ରାଷ୍ଟ୍ରକୁ ଚଳାଇ ରଖିଛନ୍ତି ତାହା ଚାଲୁ ରହିଲେ ଅଳ୍ପଦିନ ମଧ୍ୟରେ ପ୍ରକୃତିଦତ୍ତ ସଂପଦ ହଜି ଯାଇଥିବ, ଜଳ ଭଣ୍ଡାର ଶୁଖି ଯାଇଥିବ। ରାଜ୍ୟସାରା ବିଛାଡ଼ି ହୋଇ ପଡ଼ିଥିବା ନଦୀସବୁ ଶୁଖି ଯାଇଥିବ। ମାଟିତଳୁ ପାଣି ଖସିଯାଇଥିବ। ବ୍ୟାପକ ଉର୍ବର କ୍ଷେତ ଥିବ, ହେଲେ ପାଣି ଅଭାବରୁ ଫସଲ ହେଉ ନଥିବ। ମାଟିତଳୁ ମୂଲ୍ୟବାନ ସମ୍ପତ୍ତି ଲୁଟ୍ ହୋଇ ଯାଇଥିବ। ଗୁଡ଼ାଏ ପାଉଁଶ ଗଦା ଅବା ପଥରରୁ ଝଡ଼ା ହୋଇଥିବା ମାଟିର ପାହାଡ଼ ଥିବ। ବଡ଼ ବଡ଼ ପଥର ମୁଣ୍ଡିଆ, ଲଣ୍ଡା ପାହାଡ଼ ଦାଉ ଦାଉ ହୋଇ ଜଳୁଥିବ। ଜଙ୍ଗଲ ଜନ୍ତୁ ସହର ମୁହାଁ ହୋଇ ଅକାଳରେ ମୃତ୍ୟୁବରଣ କରୁଥିବେ। ଦିନେ ହାତୀର ବହୁଳତା ପାଇଁ ରାଜ୍ୟର ଖ୍ୟାତି ଥିଲା, ରାଜାଙ୍କୁ ଗଜପତି ଆଖ୍ୟା ଦିଆଯାଇଥିଲା, ସେଇ ରାଜ୍ୟ ଗଜ ନଥାଇ ହୁଏତ ପଲ ପଲ ଶିଆଳଭୂଇଁରେ ପରିଣତ ହୋଇଥିବ। ନୂଆ ରାଜ୍ୟର ଶହେବର୍ଷ ପୂର୍ତ୍ତି ଆଉ ମାତ୍ର ୧୪ ବର୍ଷ ପରେ ପାଳିତ ହେବ। ତାକୁ ଆଖି ଆଗରେ ରଖି ଶାସନ ଓ ଶାସକ ନିଜ ବିଚାର ସଜାଡ଼ିବାର ସମୟ ଆସିଛି।
ଏକଥା ମନେ ରଖିବା ଉଚିତ୍ ଯେ ଏ ରାଜ୍ୟ ୧୯୩୬ ମସିହା ପରି ଏବେ ବି ଏକ ଋଣଗ୍ରସ୍ତ ରାଜ୍ୟ ହୋଇ ପଡ଼ିରହିଛି। ରାଜ୍ୟର ଋଣଭାର ୨୦୦୦ ମସିହାରେ ୧୮,୧୦୦ କୋଟି ଥିବାବେଳେ ଏବେ (୨୦୨୨) ସୁଦ୍ଧା ୧ ଲକ୍ଷ ୧୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଛି। ବିଭିନ୍ନ ଗାଣିତିକ ସୂତ୍ର ଉଦ୍ଧାର କରି ସରକାରୀ ପ୍ରବକ୍ତାମାନେ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଥାନ୍ତି। ଏହି ଗତିରେ ଚାଲିଲେ ୨୦୩୬ ମସିହା ବେଳକୁ ହୁଏତ ରାଜ୍ୟର ଋଣଭାର ୩ ଲକ୍ଷ କୋଟି ଟଙ୍କା ଟପିଯିବ। କେବଳ ରାଜ୍ୟ ନୁହେଁ, ରାଜ୍ୟର ପ୍ରତ୍ୟେକ ଲୋକ ଉପରେ ବ୍ୟକ୍ତିଗତ ଋଣର ଚାପ ବଢ଼ି ଚାଲିଛି। ଇଣ୍ଡିଆ ରେଟିଂ ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ୨୦୧୨ ମସିହାରେ ଏହି କରଜ ଚାପ ୨୫.୭୩% ଥିବାବେଳେ ୨୦୧୯ରେ ବୃଦ୍ଧି ପାଇ ୪୦.୫%ରେ ପହଂଚିଛି। ସେହିପରି ସହରାଞ୍ଚଳରେ ଏହା ଯଥାକ୍ରମେ ୧୮.୭୦%ରୁ ବୃଦ୍ଧି ପାଇ ୨୦.୯%ରେ ପହଞ୍ଚିଛି। ଅଧିକନ୍ତୁ ରାଜସ୍ୱ ବଳକା ବୋଲି ଯାହା କୁହାଯାଇଛି ଖଣିରୁ ଆଦାୟ ରାଜସ୍ୱ କମିଗଲେ ସେହି ଯୁକ୍ତିଟି ଫିକା ପଡ଼ିଯିବ। ଏ ବାବଦ ରାଜସ୍ୱ (ଟିକସ୍- ଅଣ ଟିକସ) ଆଦାୟ ୨୦୩୦ ବେଳକୁ ହୁଏତ ନଥାଇ ପାରେ।
ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ଣ୍ଣ ଉପଲକ୍ଷେ ୨୦୩୬ ମସିହାର ସାମାଜିକ, ଅର୍ଥନୈତିକ ବିକାଶ ଚିତ୍ର ଆଂକୁଥିବା ସମସ୍ତେ ମନେରଖିବା ଉଚିତ୍ ଯେ ସେସମୟକୁ ବର୍ତ୍ତମାନର ସାମଗ୍ରିକ ବିକାଶ ତତ୍ତ୍ୱ ଗୌଣହେଇ ପସନ୍ଦତତ୍ତ୍ୱ ଅଧିକ ଗୁରୁତ୍ୱ ଲାଭ କରିଥିବ। ଜି.ଏସ୍.ଡି.ପି. ଗଣିତ ଗୁରୁତ୍ୱ ହରାଇଥିବା ବଜାରର ପୁରୁଣା ତତ୍ତ୍ୱ ଦାବୀ ଓ ଯୋଗାଣକୁ ଦୋହଲାଇ ଦେଇଥିବ। ଅର୍ଥାତ୍ ବଜାରରେ ପ୍ରଚୁର ବିଲାତି ବାଇଗଣ ମିଳୁଥିବ, ମାତ୍ର କ୍ରେତାଙ୍କର ପସନ୍ଦ ମୁତାବକ ନଥିଲେ ତାହା ନଷ୍ଟ ହେବ। ସେମାନେ ବଜାରରେ ଖୋଜୁଥିବେ ଜୈବସାରର ବ୍ୟବହାର କରାଯାଇ ସୁସ୍ୱାଦୁ ଶରୀର ଉପକାରୀ ବିଲାତି ବାଇଗଣ। ବର୍ତ୍ତମାନର ଅର୍ଥନୈତିକ ଢାଞ୍ଚାରେ ବିଶ୍ୱାସୀମାନେ ସାମଗ୍ରିକ ବିକାଶର ଧାରାର ହିସାବ ଦେଖି କେବଳ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟରେ ଗଲାବେଳେ ହୁଏତ ଗୋଟିଏ ସମୟରେ କେଉଁଠି ନା କେଉଁଠି ଝୁଣ୍ଟି ପଡ଼ିବେ।
ଦ୍ୱିତୀୟତଃ ୨୦୩୬ ମସିହାର ପ୍ରତ୍ୟେକ ମଣିଷ ଖୋଜୁଥିବ ଏକ ସୁଖକର ଜୀବନ। ଆବଶ୍ୟକତାର ଧାରା ବଦଳି ଯାଇଥିବ। ତା’ର ଅନ୍ତିମ ସୋପାନ ଦୈହିକ ଓ ମାନସିକ ଆନନ୍ଦ ଅଗ୍ରାଧିକାର ନେଇଥିବ, ବିଳାସ ଦ୍ରବ୍ୟ ଗୁଡ଼ିକ ହୁଏତ ଗୁରୁତ୍ୱ ହରାଇଥିବେ। ଏହାର ଆଭାସ ମିଳିସାରିଲାଣି। ବିଶ୍ୱ ସୁଖକର ବିଚାର ଆଧାରିତ ରିପୋର୍ଟ- ୨୦୧୩, ୨୦୧୫, ୨୦୧୬)ରେ ଏ ସଂପର୍କରେ ଦର୍ଶାଯାଇଛି। ସୁଖକର ଜୀବନର ବିଭିନ୍ନ ଧାରା ବ୍ୟକ୍ତି ଅଭିମୁଖୀ ହୋଇଛି। ଏଥିରେ ମୁଖ୍ୟତଃ ପ୍ରତ୍ୟେକ ବ୍ୟକ୍ତିର ଆୟ, ବ୍ୟକ୍ତି ବିକାଶ, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଉଚ୍ଚମାନର ଶିକ୍ଷା, ଉପଯୁକ୍ତ ବ୍ୟକ୍ତିର ନିଜ ଇଚ୍ଛା ଅନୁସାରେ ଅର୍ଥନୈତିକ ସ୍ୱାଧନତା ନେଇ ବଂଚିବା ଆଦି ରହିଛି। ଏହି ସୁଖକର ଜୀବନ ନିମନ୍ତେ ଆଇନର ବାସ୍ତବ ଶାସନ, ପରସ୍ପର ବିଶ୍ୱାସ ଓ ସାମାଜିକ ସ୍ୱଚ୍ଛତା, ରାଜନୈତିକ ପ୍ରତିବଦ୍ଧତା ମଧ୍ୟ ଖୋଜାପଡ଼ିବ। ବ୍ୟକ୍ତିର ଅଧିକ ସଚେତନତା, ଖାଉଟୀ ପ୍ରାଧାନ୍ୟତା, ଅର୍ଥନୈତିକ ସ୍ୱାଧିନତା, ଶ୍ରମର ମର୍ଯ୍ୟା ଉପରେ ଗୁରୁତ୍ୱ ବଢ଼ିବ। ନିରନ୍ତର ବିକାଶ ସାର୍ବଜନୀନ, ସର୍ବକାଳୀନ, ସମଭାଗିଦାରୀତାର ସହିତ ହେବାକୁ ବାଧ୍ୟ ହେବ।
ସାଂପ୍ରତିକ ବିଶ୍ୱ ଅର୍ଥନୀତିରେ ଏହିସବୁ ତତ୍ତ୍ୱ ଆଧାରରେ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଭୁଟାନ୍ ଏଥିରେ ସଫଳ ହେଇଛି। ବିଶିଷ୍ଟ ଅର୍ଥନୀତିଜ୍ଞ ଆଂଗସ ଡେଟନ (ନୋବେଲ ପୁରସ୍କାର ବିଜେତା) ଏହି ତତ୍ତ୍ୱକୁ ନେଇ ଅନେକ ଆଶାବାଦୀ। ଅନ୍ୟତମ ଅର୍ଥନୀତିଜ୍ଞ ଜାଫ୍ରେ ତି ସଚେ ଗାଣିତିକ ହିସାବ ରଖି ଏହାର ଯଥାର୍ଥତା ପ୍ରତିପାଦନ କରିବାରେ ଲାଗିଛନ୍ତି।
ଏବେ ଦୁଃଖଦ, କଷ୍ଟକର ଅଭାବୀ ସ୍ଥିତିରୁ ମୁକୁଳି ମଣିଷମାନେ ସୁଖଦ ଜୀବନଟିଏ ଖୋଜିବା ବେଳକୁ ଯାହାସବୁ ଚାହୁଁଥିବେ ସେଥିମଧ୍ୟରେ ପ୍ରଥମତଃ ହାତଟେକା ସରକାରୀ ଦାନରେ ନ ବଂଚି ନିଜ ଆୟରେ ସୌଭାଗ୍ୟ ଗଢ଼ିବା ଚାହୁଁଥିବେ। ଋଣମୁକ୍ତ, କ୍ଷୁଧାମୁକ୍ତ, ରୋଗମୁକ୍ତ ଏକ ସଶକ୍ତ ଆର୍ଥିକ ସ୍ଥିତି ସହ ନିଜସ୍ୱ ସମ୍ବଳ ବା ଆୟ ଉପରେ ନିର୍ଭର କରି ଏକ ସୁଖକର ଜୀବନ ଯାପନ କରିବାକୁ ଚାହୁଁଥିବେ। ଉଚ୍ଚମାନର ଶିକ୍ଷା ଏକ ସୁରକ୍ଷା ନିମନ୍ତେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ଦୀର୍ଘାୟୁ ହେବାର ଆଶୀର୍ବାଦ ସମସ୍ତେ ସମସ୍ତଙ୍କୁ ଦେଉଥିବେ ଓ ପାଉଥିବେ ମଧ୍ୟ। ଏଥିପାଇଁ ଶାସକ ତାର ସମସ୍ତ ଇଚ୍ଛାଶକ୍ତି ପ୍ରୟୋଗ କରିବାର ଆବଶ୍ୟକତା ଅଛି।
୨୦୩୬କୁ ଆଖି ଆଗରେ ରଖି ଓଡ଼ିଶା ଦୀର୍ଘସୂତ୍ରୀ ପରିକଳ୍ପନା କଲାବେଳେ ଓ ସାମଗ୍ରିକ ବିକାଶକୁ ଅଧିକ ଊଦ୍ଧ୍ୱର୍ଗାମୀ କରାଇବା ପ୍ରୟାସ କଲାବେଳେ ପୂର୍ବୋକ୍ତ ଦିଗଗୁଡ଼ିକ ଉପରେ ଦୃଷ୍ଟିରଖି ରାସ୍ତା ବିଛାଇବା ଦରକାର। ଏହି ସୁଦୀର୍ଘ ରାସ୍ତାରେ ପ୍ରଥମେ ମାଇଲିଖୁଣ୍ଟ ସ୍ଥାପିତ ହୋଇ ଗୋଟିଏ ଗୋଟିଏ ବର୍ଷ ଅନ୍ତରରେ ଉଦ୍ଦେଶ୍ୟ ବା ଲକ୍ଷ୍ୟ ପଥରେ କେତେ ବାଟ ଆଗେଇବ ବା ଆଗେଇଛି ତା’ର ଏକ ଚିତ୍ର ଆଂକିବା ଜରୁରୀ।
ଓଡ଼ିଶାର ୧,୫୫,୭୦୭ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଜନସଂଖ୍ୟା ୪,୧୯,୭୪,୨୧୮ (୨୦୧୧ ଜନଗଣନା) ଓ ଦଶନ୍ଧିର ଜନ ବୃଦ୍ଧି ୧୪%ରେ ସୀମିତ ଅଛି। ଗୋଟିଏ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ହାରାହାରି ୨୬୯ ଲୋକ ବସବାସ କରୁଛନ୍ତି। ସାମାନ୍ୟ ଯତ୍ନକରି ଆଗାମୀ ଦୁଇ ଦଶନ୍ଧିରେ ଜନବିକାଶର ହାର ୧୦% ପାଖାପାଖି ରଖିଲେ ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଆଦୌ ଉପୁଜିବ ନାହିଁ।
ଓଡ଼ିଶାକୁ ପ୍ରକୃତିର ଅତୁଲ୍ୟ ଦାନକୁ ହିସାବକୁ ନେବାକୁ ହେବ। ଏହାର ମଣିଷ ସଂପଦ ସବୁଠାରୁ ଅଧିକ ମୂଲ୍ୟବାନ। ଅନେକ ଦିନ ଧରି ବିଦେଶୀ ଔପନିବେଶିକ ଶାସନରେ ରହି ରାଜ୍ୟ ନିଜର ସବୁଠାରୁ ବଡ଼ ପୁଞ୍ଜି ମୂଲ୍ୟବାନ ହ୍ୟୁମାନ୍ ରିସର୍ଚ୍ଚର ଅବକ୍ଷୟ ସାମନା କରିଛି। ତାହା ହେଉଛି ମାନବ ସମ୍ବଳ ଧରିରଖିଥିବା କୁଶଳୀ ବୁନିଆଦି। ତନ୍ତୀ ତନ୍ତ ହରାଇଲା, ଚାଷୀ ଚାଷ ହରାଇଛି, ସେହିପରି କମାର, କୁମ୍ଭାର, ବଣିଆ ଆଦି କୁଳ ନିଜ ନିଜର ବଂଶଗତ କାରିଗରୀ କୌଶଳ ହରାଇଲେ, ବେଉସା ହରାଇ ମୂଲିଆ ହେଲେ। ପରବର୍ତ୍ତୀ ଅବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ହେଲା ଯଥା ଟାଟା ଗହଣା ତିଆରି କଲା, ବଡ଼ ବଡ଼ କଳ ତନ୍ତବୁଣା ଲୁଗା ବମ୍ବେ, ଗୁଜୁରାଟରୁ ଆସି ବଜାରରେ ମିଳିଲା। ଯେଉଁଥିପାଇଁ ବଂଶଗତ କୁଶଳୀ ବଣିଆ ଆସ୍ତେ ଆସ୍ତେ ଖସିଗଲା ଓ ତନ୍ତ୍ରୀ ତନ୍ତ ଛାଡ଼ିଲା। ଚାଷୀ ଲୁଣମରା ଛାଡ଼ିଲା। ବଜାରରେ ଟାଟା ଲୁଣ ଆଧିପତ୍ୟ ବିସ୍ତାର କଲା। ସ୍ୱଳ୍ପ ଆୟରେ ବଞ୍ଚୁଥିବା ମଣିଷ ବ୍ୟୟବହୁଳତା ପାଇଁ ଅଧିକରୁ ଅଧିକ ରୁଗ୍ଣ ହେବାରେ ଲାଗିଲା। କାର୍ଯ୍ୟ କରିବାର କ୍ଷମତା ମଧ୍ୟ ଆସ୍ତେ ଆସ୍ତେ କମିବାରେ ଲାଗିଲା। ଆୟ ଦୃଷ୍ଟିରୁ ବୈଷମ୍ୟ ବୃଦ୍ଧି ପାଇଲା। ମାନବ ସମ୍ବଳକୁ ପ୍ରଥମେ ଦକ୍ଷ ଓ କାର୍ଯ୍ୟକ୍ଷମ କରି ଗଢ଼ିବାକୁ ଆବଶ୍ୟକତା ଅଛି।
୨୦୩୬ ସମୟକୁ ୨୫ ବର୍ଷରୁ ୬୫ ବର୍ଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ଷମ ଜନସଂଖ୍ୟା ସ୍ତ୍ରୀ ଓ ପୁରୁଷ ସମୁଦାୟ ଜନସଂଖ୍ୟାର ୬୦% ପାଖାପାଖି ହୋଇଥିବେ। ଜନସମୂହର ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ମାନଙ୍କର ପ୍ରଥମ ଆବଶ୍ୟକତା ପୁଷ୍ଟିହୀନତାରୁ ମୁକ୍ତ ହେବା ଓ ସ୍ୱାସ୍ଥ୍ୟଗତ ସାମର୍ଥ୍ୟର ପ୍ରାଚୁର୍ଯ୍ୟ ସୃଷ୍ଟି କରିବା।
ବର୍ତ୍ତମାନ ଓଡ଼ିଶାରେ ଦୀର୍ଘ ୨୩ ବର୍ଷକାଳ ନିରବଛିନ୍ନ ଶାସନକରି ରାଜ୍ୟକୁ ‘ଭୋକମୁକ୍ତ’ ଦାବୀ କରୁଥିବା ସରକାର ପୁଷ୍ଟିହୀନତା କ୍ଷେତ୍ରରେ ଏବେବି ଦେଶର ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ। ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ରକ୍ତଶୂନ୍ୟତା ଦିନକୁ ଦିନ ଅଧିକତର ହେବାର ଲକ୍ଷ୍ୟ କରାଯାଉଛି। ବଡ଼ି-ମାସ ଇଣ୍ଡେକ୍ସରେ ଓଡ଼ିଶା ସବୁ ରାଜ୍ୟ ତୁଳନାରେ ଖୁବ୍ ପଛରେ ପଡ଼ିଛି। ଚାଷୀର ବାର୍ଷିକ ମୁଣ୍ଡପିଛା ଆୟ ୫୨୦୦ ଟଙ୍କା ଥାଇ ଜନସଂଖ୍ୟାର ଏକ ବିରାଟ ଅଂଶ ଏବେବି ଆର୍ଥିକ ସ୍ୱଚ୍ଛଳତା ଆବଶ୍ୟକ ବ୍ୟୟଠାରୁ ବହୁ ଦୂରରେ ଅଛନ୍ତି। ରାଜ୍ୟର ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ସ୍ୱାସ୍ଥ୍ୟ ସାମର୍ଥ୍ୟ ସହିତ ଆବଶ୍ୟକତା ଭିତ୍ତିକ କୁଶଳୀ ବର୍ଗ ତଥା ସମ୍ମାନଜନକ ଓ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ତୃଟିପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଓ ଅର୍ଥନୀତି ହେତୁ ସମାଜରେ ଅନେକ ଅସାମଞ୍ଜସ୍ୟ ଉପୁଜିଛି। ସମସ୍ତଙ୍କୁ ଏକକ ଶିକ୍ଷା ପ୍ରଦାନ କଲେ ହିଁ ଜୀବୀକା ଉତ୍ପାଦନ ପ୍ରତିଯୋଗିତାରେ ସମସ୍ତେ ସମାନ ସୁଯୋଗ ଲାଭ କରିବାକୁ ସକ୍ଷମ ହେବେ। ସାର୍ବଜନୀନ ଓ ସର୍ବକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପୁଷ୍ଟିକର ସୁଷମ ଖାଦ୍ୟ ସହିତ ସାର୍ବଜନୀନ ଓ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟକର ପରିବେଶ, ପରିମଳ ବ୍ୟବସ୍ଥା ସହିତ ଭଲ ବାସସ୍ଥାନ ବ୍ୟବସ୍ଥାଟି ସଂପୂର୍ଣ୍ଣ ହେବା ଦରକାର। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଜନିତ ଆବଶ୍ୟକତା ପୂରଣ ହେଲେ “ମାନବ ସମ୍ବଳ” ଅଧିକ ସୁସ୍ଥ ଜୀବନ ସହ ସୁଖକର ଜୀବନ ବିତାଇବାରେ ସକ୍ଷମ ହେବ। ଅଧିକ ଶକ୍ତି ମୁତାବକ ଅଧିକ ଉପାର୍ଜନ କରିବାରେ ସକ୍ଷମ ହେବେ।
ମନେ ରଖିବାକୁ ହେବ ଯେ ୨୦୩୬ ମସିହା ବେଳକୁ ସମାଜରେ ବରିଷ୍ଠ ନାଗରିକମାନଙ୍କର ଆତଯାତ ବୃଦ୍ଧି ପାଇଥିବ। ହାରାହାରୀ ବୟସସୀମା ଯାହାକି ୬୭ ବର୍ଷରେ ଅଛି ତାହା ହଠାତ୍ ୨୦ ବର୍ଷ ବୃଦ୍ଧିପାଇ ୮୭ ବର୍ଷରେ ପହଂଚିଥିବ। ତାହା ହେବା ହିଁ ଦରକାର। ଏହି ବୟସର ସମସ୍ତ ମହିଳା ଓ ପୁରୁଷଙ୍କୁ ଏକ ଆତ୍ମମର୍ଯ୍ୟଦାପୂର୍ଣ୍ଣ ସମ୍ମାନଜନକ ଜୀବନଧାରଣରେ ସହାୟତା କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ ଅନ୍ତର୍ଭୁକ୍ତ। ଏମାନଙ୍କୁ ସାମାଜିକ ସୁରକ୍ଷା ବାର୍ଦ୍ଧକ୍ୟକାଳୀନ ଭତ୍ତା ସହିତ ଉପଯୁକ୍ତ ଚିକିତ୍ସା ଓ ସହାୟତା ନିମନ୍ତେ ରାଜ୍ୟ ବ୍ୟୟ ଉପରେ ଚାପ ସୃଷ୍ଟି ହେବ। ସେଥିପାଇଁ ସରକାରଙ୍କର ବଜେଟ୍ ପ୍ରସ୍ତୁତି ଓ ବିନିଯୋଗ ବୃଦ୍ଧି ହିଁ ରାସ୍ତାମାପକର ଅନ୍ତର୍ଭୁକ୍ତ ହେବା ଦରକାର। ଏଥିସହିତ ୬୦ ବର୍ଷରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀଙ୍କ ପାଇଁ ହାଲୁକା ଉପାର୍ଜନକ୍ଷମ କର୍ମକ୍ଷେତ୍ରର ପ୍ରସ୍ତୁତି ହେଲେ ହିଁ ଅନେକ ପାରିବାରିକ ବିଶୃଙ୍ଖଳା ଲୋପ ପାଇବା ସଂଗେ ସଂଗେ ମାନବ ସମ୍ବଳର ବିନିଯୋଗ ଓ ରାଜ୍ୟର ସାମଗ୍ରିକ ଉତ୍ପାଦନ ବୃଦ୍ଧି ସମ୍ଭବ ହେବ। ବର୍ତ୍ତମାନ ଯୌଥ ପରିବାର ଓ ପରିବାର ଅର୍ଥନୀତିର ଢାଞ୍ଚା ପରିବର୍ତ୍ତନ ଘଟିଥିବାରୁ ଏପରି ବ୍ୟବସ୍ଥାର ଆବଶ୍ୟକତା ଦେଖାଦେଇଛି। ମାନବ ସମ୍ବଳକୁ ଉତ୍ତମ ଭାବେ ସଜାଡ଼ିବା ସହିତ ସେମାନଙ୍କ ପାଇଁ ସୁବିସ୍ତୃତ କାର୍ଯ୍ୟ ପରିସର ସୃଷ୍ଟି କରିବାର ସୁଯୋଗ ୨୦୩୬ ମସିହା ସୁଦ୍ଧା ପ୍ରସ୍ତୁତ ହେବା ଦରକାର। ସକ୍ଷମ ବ୍ୟକ୍ତିକୁ ପୂର୍ଣ୍ଣ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି (ବର୍ଷ ତମାମ୍ କାର୍ଯ୍ୟ) ପାଇଁ ସମସ୍ତ ଯୋଜନା ପ୍ରସ୍ତୁତି କରିବା ଦରକାର। ଯାହାକି ବର୍ତ୍ତମାନ ଆଦୌ ନାହିଁ କହିଲେ ଚଳେ।
ଦୀର୍ଘ ସମୟ ଶାସନରେ ରହିଆସିଥିବା ନେତୃତ୍ୱ ବୁଝିବା ଉଚିତ ଯେ ଏବେ ବି ରାଜ୍ୟରେ ବେକାରୀ, ଅର୍ଦ୍ଧବେକାରୀଙ୍କ ସଂଖ୍ୟା ପୂର୍ଣ୍ଣ ରୋଜଗାରୀଙ୍କ ତୁଳନାରେ ଖୁବ୍ ଅଧିକ। କେବଳ ମାଗଣା ଖାଦ୍ୟବଣ୍ଟନ (ଟଙ୍କିକିଆ ଚାଉଳ ଓ ପାଞ୍ଚ ଟଙ୍କିଆ ଆହାର) ବାଣ୍ଟିଦେଇ ଅବା ଜନ୍ମକାଳର ମମତା ଠାରୁ ମୃତ୍ୟୁ କାଳରେ ହରିଶ୍ଚନ୍ଦ୍ର ଯୋଜନା ଦେଇ ଅନେକ ବାସ୍ତବ ସ୍ମୃତିକୁ ଆଢ଼ୁଆଳକୁ ରଖାଯାଇଛି। ବାସ୍ତବ କାର୍ଯ୍ୟକ୍ରମ ପ୍ରସ୍ତୁତ ନ କଲେ, ଅବସ୍ଥା ଆହୁରି ଆଗକୁ ଜଟିଳ ହେବ।
ଫୋ- ୯୪୩୮୩୬୦୮୪୯